18.1 C
Bhubaneswar
Friday, December 19, 2025
Homeଦେଶ ବିଦେଶମେଡିକାଲ କର୍ତ୍ତୃପକ୍ଷଙ୍କ ଅବହେଳା; ଏଚ୍‌ଆଇଭି ପଜିଟିଭ୍ ହେଲେ ୬ ଥାଲାସେମିଆ ପୀଡ଼ିତ ଶିଶୁ

ମେଡିକାଲ କର୍ତ୍ତୃପକ୍ଷଙ୍କ ଅବହେଳା; ଏଚ୍‌ଆଇଭି ପଜିଟିଭ୍ ହେଲେ ୬ ଥାଲାସେମିଆ ପୀଡ଼ିତ ଶିଶୁ

ଭୋପାଳ: ମେଡିକାଲ କର୍ତ୍ତୃପକ୍ଷ ତଥା କର୍ମଚାରୀଙ୍କ କର୍ତ୍ତବ୍ୟରେ ଗୁରୁତର ଅବହେଳା ତଥା ଖାମଖିଆଲି ମନୋଭାବର ପରିଣାମ ୬ ଥାଲାସେମିଆ ପୀଡ଼ିତ (ରକ୍ତ ହୀନତା) ଶିଶୁ (୩ରୁ ୧୫ ବର୍ଷ ବୟସର)ଙ୍କୁ ଏବେ ଭୋଗିବାକୁ ହେବ। ଏଭଳି ଅବହେଳାକୁ କଦାପି କ୍ଷମା କରାଯାଇପାରିବ ନାହିଁ। ତେବେ ପ୍ରାଥମିକ କାର୍ଯ୍ୟାନୁଷ୍ଠାନ ଅନ୍ତର୍ଗତ ହସ୍ପିଟାଲର ୨ ଡାକ୍ତରଙ୍କୁ ଏବେ କେବଳ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି ଏବଂ ସେମାନଙ୍କ ଡାକ୍ତରୀ ପ୍ରାକ୍ଟିସ୍ ଲାଇସେନ୍ସକୁ ରଦ୍ଦ କରିଦିଆଯାଇଛି। ଅନ୍ୟପକ୍ଷେ ତଦନ୍ତ୍ରରୁ ଏହା ମଧ୍ୟ ସ୍ପଷ୍ଟ ହୋଇଛି ଯେ, ଏହି ଶିଶୁମାନଙ୍କୁ ତିନୋଟି ଭିନ୍ନ ରକ୍ତ ଭଣ୍ଡାରରୁ ସର୍ବମୋଟ ୧୮୯ ୟୁନିଟ୍ ରକ୍ତ ଦିଆଯାଇଥିଲା। ଏହି ଘଟଣା ସାମ୍ନାକୁ ଆସିବା ପରେ ରାଜ୍ୟର ସାଧାରଣ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ରିପୋର୍ଟ ଅନୁସାରେ ମଧ୍ୟପ୍ରଦେଶର ସତନା ଜିଲ୍ଲାରୁ ଏପ୍ରକାର ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଗତ ୧୬ ତାରିଖରେ ଜଣାପଡିଥିଲା ଯେ, ସତନା ଜିଲ୍ଲା ହସ୍ପିଟାଲରେ ଥାଲାସେମିଆରେ ପୀଡିତ ୬ ପିଲାଙ୍କୁ ଭର୍ତ୍ତି କରାଯାଇଥିଲା। ଏହି ସମୟରେ ପିଲାମାନଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇ ପରୀକ୍ଷା କରାଯାଇଥିଲା ଏବଂ ସ୍ପଷ୍ଟ ହୋଇଥିଲା ଯେ ଏହି ପିଲାମାନେ ଏଚ୍‌ଆଇଭି ସଂକ୍ରମିତ ନୁହଁନ୍ତି। କିନ୍ତୁ ପରବର୍ତ୍ତୀ ସମୟରେ ଅର୍ଥାତ୍ ୧୭ ତାରିଖରେ ଏହି ପିଲାମାନଙ୍କୁ ବାହାରୁ ରକ୍ତ ଦିଆଯାଇଥିଲା। ୧୮ ତାରିଖ ସୁଦ୍ଧା ଜଣାପଡିଥିଲା ଯେ, ଏହି ପିଲାମାନଙ୍କ ଠାରେ ଏଚ୍‌ଆଇଭି ସଂକ୍ରମଣ ରହିଛି। ଅର୍ଥାତ୍ ୧୭ ତାରିଖରୁ ୧୮ ତାରିଖ ମଧ୍ୟରେ ପିଲାମାନଙ୍କୁ ଅଶାବଧାନତା ପୂର୍ବକ ଦିଆଯାଇଥିବା ରକ୍ତ କିମ୍ବା ବ୍ୟବହାର ହୋଇଥିବା ସିରିଞ୍ଜ୍ ଦ୍ୱାରା ପିଲାମାନେ ଏଚ୍‌ଆଇଭି ସଂକ୍ରମିତ ହୋଇଥାଇପାରନ୍ତି ବୋଲି ଅନୁମାନ କରାଯାଉଛି। ସମ୍ପ୍ରତି ପିଲାମାନଙ୍କୁ ଏଚ୍‌ଆଇଭି ପ୍ରୋଟୋକଲ ଅନୁସାରେ ଚିକିତ୍ସିତ କରାଯାଉଛି ଏବଂ ସେମାନଙ୍କ ଅବସ୍ଥା ସ୍ଥିର ରହିଛି।

ଏନେଇ ଅଭିଯୋଗ ଜୋର ଧରିବା ପରେ ରାଜ୍ୟର ଜନସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ଦ୍ୱାରା ଏକ କମିଟି ଗଠନ କରାଯାଇଥିଲା। କମିଟି ରିପୋର୍ଟ ଆଧାରରେ, ରକ୍ତଭଣ୍ଡାର ପ୍ରଭାରୀ ଡାକ୍ତର ଦେବେନ୍ଦ୍ର ପଟେଲ ଏବଂ ଲ୍ୟାବ ଟେକ୍ନିସିଆନ ରାମ ଭାଇ ତ୍ରିପାଠି ଏବଂ ନନ୍ଦଲାଲ ପାଣ୍ଡେଙ୍କୁ ନିଲମ୍ବିତ କରାଯାଇଛି। ତିନି ଜଣଙ୍କ ନିଲମ୍ବନ ବ୍ୟତୀତ, ଜିଲ୍ଲା ହସ୍ପିଟାଲର ପୂର୍ବତନ ସିଭିଲ ସର୍ଜନ ମନୋଜ ଶୁକ୍ଲାଙ୍କୁ ମଧ୍ୟ ଏକ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି, ଯେଉଁଥିରେ ତାଙ୍କୁ ଲିଖିତ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପକ୍ଷେ ଶିଶୁମାନଙ୍କ ପରିବାର ଗରିବ ଶ୍ରେଣୀର ହୋଇଥିବାରୁ, ଏହି ଘଟଣା ସେମାନଙ୍କ ଉପରେ ଆଜୀବନ ଚିକିତ୍ସା ଏବଂ ସାମାଜିକ ଅପମାନର ଭାର ବଢ଼ାଇଛି। ଏହି ସଂକଟ ପରେ ରକ୍ତ ସୁରକ୍ଷା ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ଦାବି ଜୋର୍ ଧରିଛି। ପ୍ରକାଶ, ଏଚ୍‌ଆଇଭି ଆଉ ଆଗଭଳି ଏକ ନିଶ୍ଚିତର ମୃତ୍ୟୁ ହୋଇ ରହିନାହିଁ,କିନ୍ତୁ ଏହି ଭୂତାଣୁ ଦ୍ୱାରା ସଂକ୍ରମିତଙ୍କୁ ଜୀବନବ୍ୟାପୀ ସ୍ୱାସ୍ଥ୍ୟଗତ ଚିକିତ୍ସା ସେବା ଯତ୍ନର ଆବଶ୍ୟକତା ହୋଇଥାଏ। ଭାରତରେ, ପ୍ରତିବର୍ଷ ପ୍ରାୟ ୬୬,୪୦୦ ନୂତନ ସଂକ୍ରମଣ ସହିତ ୨.୫ ନିୟୁତରୁ ଅଧିକ ଲୋକ ଏଚ୍‌ଆଇଭି ସହିତ ବଞ୍ଚନ୍ତି। ସରକାରୀ ତଥ୍ୟ ଦର୍ଶାଉଛି ଯେ ୧.୬ ନିୟୁତରୁ ଅଧିକ ଲୋକ ଆଣ୍ଟିରେଟ୍ରୋଭାଇରାଲ୍ ଥେରାପି କେନ୍ଦ୍ରରେ ଜୀବନବ୍ୟାପୀ ଚିକିତ୍ସାରେ ଅଛନ୍ତି। ଗତ ଅକ୍ଟୋବରରେ ପୂର୍ବ ରାଜ୍ୟ ଝାଡ଼ଖଣ୍ଡରେ ଏକ ସମାନ ଘଟଣା ଘଟିଥିଲା, ଯେଉଁଠାରେ ଥାଲାସେମିଆ ପୀଡିତ ପାଞ୍ଚ ଜଣ ଶିଶୁ, ସମସ୍ତ ଆଠ ବର୍ଷରୁ କମ୍ ବୟସର, ଏକ ସରକାରୀ ଡାକ୍ତରଖାନାରେ ରକ୍ତ ସ୍ଥାନାନ୍ତର ପରେ ଏଚ୍‌ଆଇଭି ସଂକ୍ରମିତ ହୋଇଥିବା ଜଣାପଡିଥିଲା। ଅବଶ୍ୟ ରାଜ୍ୟସରକାର ଏହି ପିଲାମାନଙ୍କର ଆଜୀବନ ଚିକିତ୍ସାକୁ ମାଗଣା’ଭୁକ୍ତ କରିବା ସହ ଏମାନଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଥିଲେ ଏବଂ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking