ମୟୂରଭଞ୍ଜ: ଆରମ୍ଭ ହେଲା ମୟୂରଭଞ୍ଜ ମହୋତ୍ସବ ୨୦୨୫ । ପାରମ୍ପରିକ ଶୋଭାଯାତ୍ରା ତଥା ‘କାର୍ଣ୍ଣିଭାଲ ସୋ’ରେ ଦୁଲୁକିଲା ବାରିପଦା ସହର । ଚଳିତ ବର୍ଷ ଅଷ୍ଟମ ବର୍ଷରେ ପାଦ ଦେଇଥିବା ମୟୂରଭଞ୍ଜ ମହୋତ୍ସବ ଆଜି ପ୍ରଥମ ଦିବସରେ ଏକ ବିଶାଳ ‘କାର୍ଣ୍ଣିଭାଲ ସୋ’ ଦ୍ବିତୀୟ ଶ୍ରୀକ୍ଷେତ୍ର ବାରିପଦା ବଡ଼ଦାଣ୍ଡରୁ ବାହାରି କଲେଜଛକ ଓ ଟ୍ରାଫିକ ସ୍କୋୟାର ଦେଇ ପୁରା ସହର ପରିକ୍ରମା କରି ଛଉ ପଡ଼ିଆରେ ପହଞ୍ଚିବ। ଏଥିରେ ଜିଲ୍ଲାର ୧୨ରୁ ଅଧିକ ଆଦିବାସୀ ପାରମ୍ପରିକ ନୃତ୍ୟଦଳ ସହ ଦେଶରେ ଖ୍ୟାତିଅର୍ଜନ କରିଥିବା ଅଘୋରୀ ନାଚ , ସହ ଢେଙ୍କାନାଳରୁ ଆସିଥିବା ମୟୂରଭଞ୍ଜ ମୋହତ୍ସବ ଏକ୍ସପ୍ରେସ ଟ୍ରେନ ଟ୍ରୁପ , ଚକଶୁଳିଆପଦାର ‘ପତ୍ର ନାଚ’ , ଜୁଲୁକା ଶୁଲିଆପଦାର ‘ଭୂମିଜ କାଠି ନାଚ’, ପାଟଶାଣିପୁର ଉଦଳାର ‘ବିରାଟପାର୍ଟ ମୁଣ୍ଡାରୀ ନାଚ’ , ବଡ଼ସିଂରୀୟା କପ୍ତିପଦାର ‘ବିରବାୟାର ନାଚ’, କୁଜିଡ଼ିହି ଶୁଳିଆପଦାର ‘ଢାବୁଲ ନାଚ’ , ଶ୍ୟାମାଖୁଣ୍ଟାର ‘ମୁଣ୍ଡାରୀ ନାଚ’ , ପୋଖରୀୟା ଶୁଳିଆପଦାର ‘ଦାସାଇଁ ନାଚ’ ,ଜାମଦାର ‘ଢାବୁଲ ନାଚ’ , ଖୁଣ୍ଟା ଭୋଳାଗଡ଼ିଆର ‘ଆଲ ମନି ଲାଗଣେ ତାମସା ଏନେଜ ନାଚ’ ରେ ପ୍ରକମ୍ପିତ ହେଉଛି ବାରିପଦା ସହର । ତେବେ ସବୁଠାରୁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ‘ଅଘୋରୀ ଡାନ୍ସ’ ଓ ମୟୂରଭଞ୍ଜ ମହୋତ୍ସବ ଟ୍ରେନ । ନିଆରା ଢଙ୍ଗରେ ପରିବେଷଣ କରାଯାଉଥିବା ଏହି ଡାନ୍ସ ସମସ୍ତଙ୍କୁ ବିମୋହିତ କରୁଥିବା ଦେଖିବାକୁ ମିଳିଛି। ତେବେ ଦର୍ଶକଙ୍କ ପାଇଁ ଅଧିକ ଆକର୍ଷଣ ସାଜିଥିଲା ବାରିପଦା ସଦର ଉପଜିଲ୍ଲାପାଳ ଡ଼ଃ ଦୟାସିନ୍ଧୁ ପରିଡାଙ୍କ ଧୁମ୍ସା ବାଜା ବଜାଇବା ସାଙ୍ଗକୁ ନାଚ ଦଳ ସହ ବାରିପଦା ନଗରପାଳ କୃଷ୍ଣାନନ୍ଦ ମହାନ୍ତିଙ୍କ ନାଚାର ଦୃଶ୍ୟ ଦର୍ଶକଙ୍କୁ ଅଧିକ ମନରୋଞ୍ଜନର ଖୁରାକ ଯୋଗାଉଥିବା ଦେଖିବାକୁ ମିଳିଥିଲା। ସେହିପରି ଡିସେମ୍ବର ୧ ତାରିଖରୁ ୧୦ ତାରିଖ ଯାଏଁ ୧୧ ଦିନବ୍ୟାପି ଚାଲିବାକୁ ଥିବା ଏହି ମହୋତ୍ସବରେ ଜିଲ୍ଲାର କୋଣ ଅନୁକୋଣରେ ରହିଥିବା କଳା ସଂସ୍କୃତି ଓ ଐତିହ୍ୟକୁ ସ୍ଥାନ ଦିଆଯାଇଛି। ଏଥିପାଇଁ ସଜେଇ ହୋଇଛି ବାରିପଦାର ଐତିହାସିକ ଛଉପଡ଼ିଆ। ପୂର୍ଣ୍ଣାଙ୍ଗ ରୂପ ନେଇଛି “ଖଡଖାଇ ବନ୍ଧ”ର ଅବିକଳ ତୋରଣ । ପ୍ରତିଦିନ ସନ୍ଧ୍ୟା ୫ଟା ଠାରୁ ରାତି ୧୦ଟା ୩୦ ପର୍ଯ୍ୟନ୍ତ ହେବାକୁ ଥିବା ଏହି ସଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେବେ ବଲିଉଡ଼ ଓ ଓଲିଉଡର ଅନେକ ନାମିଦାମୀ କଳାକାର । ଏହି ମହୋତ୍ସବରେ ୨୦୦ରୁ ଉର୍ଦ୍ଧ୍ୱ ଷ୍ଟଲ ଖୋଲାଯାଇଛି । ଯେଉଁଥିରେ ମୟୂରଭଞ୍ଜ ଜିଲ୍ଲାର ହସ୍ତଶିଳ୍ପରୁ ଆରମ୍ଭ କରି କୁଟୀରଶିଳ୍ପ, ଖେଳନାରୁ ଆରମ୍ଭ କରି ପୋଷାକ ଏବଂ ଘରକରଣା ସାମଗ୍ରୀ ସାଙ୍ଗକୁ ପାରମ୍ପାରିକ ଖାଦ୍ୟ ମୁଢିମାଂସ ସହ ଅନ୍ୟାନ୍ୟ ନିଆରା ଖାଦ୍ୟର ମଧ୍ୟ ମଜା ଉଠାଇ ପାରିବେ ଦର୍ଶକ। ଆଜି ପ୍ରଥମ ଦିନରେ ଆୟୋଜିତ ଏହି ‘କାର୍ଣ୍ଣିଭାଲ ସୋ’ ରେ ଜିଲ୍ଲାର ୪ ଟି ଉପଖଣ୍ଡରୁ ମହୋତ୍ସବର ଶତାଧିକ ସଦସ୍ୟ,ସଦସ୍ୟା ତଥା ବହୁଳ ସଂଖ୍ୟାରେ ସାଧାରଣ ଜନତା ଯୋଗଦାନ କରିଛନ୍ତି । ତେବେ ମୟୂରଭଞ୍ଜ ଜିଲ୍ଲାର କଳା ଓ ସଂସ୍କୃତିକ ଐତିହ୍ୟକୁ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ପରିଚିତ କରାଇବା ଲକ୍ଷ୍ୟ ନେଇ ଭଞ୍ଜସେନା ପ୍ରତିଷ୍ଠାତା ଅଧ୍ୟକ୍ଷ କଳିଙ୍ଗ କେଶରୀ ଜେନାଙ୍କ ଉଦ୍ୟମରେ ଲଗାତାର ଆୟୋଜିତ ହୋଇ ଆସୁଥିବାରୁ ଜିଲ୍ଲାବାସୀ ତାଙ୍କର ଏହି ଉଦ୍ୟମକୁ ସମର୍ଥନ କରିବା ସହିତ ଭରପୁର ପ୍ରଶଂସା କରୁଥିବା ଦେଖିବାକୁ ମିଳିଛି।










