17.1 C
Bhubaneswar
Wednesday, December 24, 2025
Homeଓଡିଶାସୋଆରେ ବିଶ୍ୱ ମାତୃଭାଷା ଦିବସ ପାଳିତ

ସୋଆରେ ବିଶ୍ୱ ମାତୃଭାଷା ଦିବସ ପାଳିତ

ମାତୃଭାଷାକୁ ବଂଚାଇ ରଖିବା ପାଇଁ ନିଜଠାରୁ ହିଁ ପ୍ରୟାସ ଆରମ୍ଭ କରିବା ଜରୁରୀ : ପ୍ରଫେସର ଗାୟତ୍ରୀବାଳା ପଣ୍ଡା

ଭୁବନେଶ୍ୱର, : ବିଶ୍ୱରେ ୭୦୦୦ ରୁ ଊର୍ଦ୍ଧ୍ୱ ଭାଷା ରହିଥିବା ବେଳେ ତନ୍ମଧ୍ୟରୁ ଅନେକ ଲୋପ ପାଇବାକୁ ବସିଲାଣି । ଓଡ଼ିଆ ଏକ ସମୃଦ୍ଧ ତଥା ଶାସ୍ତ୍ରୀୟ ଭାଷାର ମାନ୍ୟତା ପାଇଛି । ତେବେ ଆମେ ଆମ ମାତୃଭାଷାକୁ ଅଧିକ ସମୃଦ୍ଧ ଓ ବଂଚାଇ ରଖିବା ପାଇଁ ନିଜ ଠାରୁ ହିଁ ପ୍ରୟାସ ଆରମ୍ଭ କରିବା ଜରୁରୀ । କାରଣ ନିଜଠାରୁ ଆରମ୍ଭ ହୋଇଥିବା କାର୍ଯ୍ୟ ଦୀର୍ଘସ୍ଥାୟୀ ହୋଇଥାଏ ବୋଲି କହିଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପ୍ରାଚୀନ୍‌ର ମୁଖ୍ୟ ତଥା ବିଶିଷ୍ଟ ସାହିତ୍ୟିକା ପ୍ରଫେସର ଗାୟତ୍ରୀବାଳା ପଣ୍ଡା ।
ସୋଆରେ ଶୁକ୍ରବାର ଦିନ ବିଶ୍ୱ ମାତୃଭାଷା ଦିବସର ରଜତ ଜୟନ୍ତୀ ପାଳନ ଅବସରରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସ୍ୱାଗତ ଅଭିଭାଷଣ ଦେବା ପରିପ୍ରେକ୍ଷୀରେ ପ୍ରଫେସର ପଣ୍ଡା କହିଥିଲେ ଯେ ଓଡ଼ିଆ ଭାଷାକୁ ବଂଚାଇବା ସହ ପ୍ରତ୍ୟେକ ପରିବାର ତଥା ସାମାଜିକ ସ୍ତରରେ ସଚେତନତା ସୃଷ୍ଟି କରିବାର ଆବଶ୍ୟକତା ରହିଛି । ପିଲାମାନଙ୍କୁ ନିଜ ମାତୃଭାଷା ପ୍ରତି ଆକୃଷ୍ଟ କରାଇବା ଜରୁରୀ ବୋଲି ପ୍ରଫେସର ପଣ୍ଡା କହିଛନ୍ତି ।
କାର୍ଯ୍ୟକ୍ରମରେ ବିଶିଷ୍ଟ ଐତିହାସିକ ଡକ୍ଟର ନିବେଦିତା ମହାନ୍ତି ‘ଓଡ଼ିଆ ଜାତି ନିର୍ମାଣରେ ଭାଷାର ଭୂମିକା’ ପ୍ରସଙ୍ଗରେ ଆଲୋଚନା କରି ବ୍ୟାସକବି ଫକୀରମୋହନ ସେନାପତିଙ୍କ ‘ରେବତୀ’ ଗଳ୍ପକୁ ଉଦ୍ଧୃତ କରି ଆଜି ବି ସମାଜରେ ଜଣେ ଜଣେ ରେବତୀ ବଂଚିଛନ୍ତି ବୋଲି କହିଥିଲେ । ଫକୀରମୋହନଙ୍କ ସମୟରେ ନାରୀମାନଙ୍କୁ ନେଇ ଅନେକ କୁସଂସ୍କାର ଓ ଅନ୍ଧବିଶ୍ୱାସ ରହିଥିବା ବେଳେ ଏହାକୁ ଅନୁଭବ କରି ନିଜ ରଚନାରେ ସେ ଏହା ଉପରେ ମନ୍ତବ୍ୟ ରଖିଥିଲେ ।
ଏହି ଅବସରରେ ବିଶିଷ୍ଟ କବୟିତ୍ରୀ ଡକ୍ଟର ଅପର୍ଣ୍ଣା ମହାନ୍ତି ମାତୃଭାଷାକୁ ମା’ ସହ ଜଡ଼ିତ କରି ଓଡ଼ିଆ ଭାଷାକୁ ସମୃଦ୍ଧ କରିବା ଦିଗରେ ମା’ ମାନଙ୍କର ଭୂମିକା ଗୁରୁତ୍ୱପୂ୍‌ର୍ଣ୍ଣ ବୋଲି କହିଥିଲେ ।
କାର୍ଯ୍ୟକ୍ରମରେ ରମାଦେବୀ ମହିଳା ବିଦ୍ୟାଳୟର ରାଜନୀତି ବିଜ୍ଞାନର ଅବସରପ୍ରାପ୍ତ ପ୍ରଫେସର ଡକ୍ଟର ମାନସ ବେହେରା ‘ଓଡ଼ିଆ ଭାଷାର ପ୍ରାୟୋଜିତ ସମ୍ଭାବନା: ଇତିହାସ ପୃଷ୍ଠଭୂମିରେ’ ପ୍ରସଙ୍ଗରେ ଆଲେଚନା କରିଥିଲେ । ଓଡ଼ିଆ ଭାଷାକୁ ସବୁସ୍ତରରେ ପ୍ରଚଳିତ କରିବା ପାଇଁ ସରକାରୀ ସ୍ତରରେ ପ୍ରଚେଷ୍ଟା ହେବା ଜରୁରୀ ବୋଲି ସେ କହିଥିଲେ ।
କାର୍ଯ୍ୟକ୍ରମରେ ଶେଷରେ ସାରୋଳଦାସ ମହାଭାରଥର ସମ୍ପାଦକ ପ୍ରଫେସର ଗୌରାଙ୍ଗ ଚରଣ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରାଚୀନ୍‌ର ଆନ୍‌ଥ୍ରୋପୋଲଜି ଓ ଟ୍ରାଇବାଲ୍ ଷ୍ଟଡିଜ୍ ବିଭାଗର ଆସୋସିଏଟ୍ ପ୍ରଫେସର (ଡକ୍ଟର) ନିହାର ରଞ୍ଜନ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ପ୍ରଫେସର ପ୍ରଦୀପ୍ତ କୁମାର ପଣ୍ଡା ଓ ପ୍ରଫେସର ସନ୍ତୋଷ କୁମାର ରଥ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking