କଟକ: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ଚଳିତବର୍ଷର ମାଟ୍ରିକ୍ ପରୀକ୍ଷା ଆଜି ଠାରୁ ଆରମ୍ଭ ହେଉଛି । ଏଥିସହିତ ମୁକ୍ତ ବିଦ୍ୟାଳୟ ଏବଂ ମଧ୍ୟମା ପରୀକ୍ଷା ମଧ୍ୟ ଆରମ୍ଭ ହେବ । ପରୀକ୍ଷାରେ ସଂସ୍କାର ଓ ସୁଧାର ଆଣିବା ପାଇଁ ତ୍ରି-ସ୍ତରୀୟ ସିସିଟିଭି କ୍ୟାମେରା ପରୀକ୍ଷାକେନ୍ଦ୍ର ଗୁଡ଼ିକ ସହିତ ନୋଡାଲ୍ ସେଣ୍ଟର୍ମାନଙ୍କରେ ଲଗାଯାଇଛି । ପ୍ରଥମଥର ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଆଧାରିତ ସିସିଟିଭି କ୍ୟାମେରା ଅତି ସମ୍ବେଦନଶୀଳ ପରୀକ୍ଷା କେନ୍ଦ୍ର ଗୁଡ଼ିକରେ ଲଗାଯାଇଛି । ବୋର୍ଡ ମୁଖ୍ୟାଳୟରେ କମାଣ୍ଡ କଣ୍ଟ୍ରୋଲ ରୁମ୍ରୁ ହିଁ ତା ଉପରେ ନଜର ରଖାଯିବ । ଏହାସହ ରାଜ୍ୟର ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲାଇଭ ଷ୍ଟ୍ରିମିଙ୍ଗ ୱେବକାଷ୍ଟିଂ ବ୍ୟବସ୍ଥା କରାଯାଇଛି । ଚଳିତବର୍ଷ ୫ଲକ୍ଷ ୫୧ହଜାର ୬୧୧ଜଣ ଛାତ୍ରଛାତ୍ରୀ ୩ ହଜାର ୪୭ଟି କେନ୍ଦ୍ରରେ ପରୀକ୍ଷା ଦେବେ । ପ୍ରସ୍ତୁତି ସ୍ୱରୂପ ଦୁର୍ଗମ ଅଞ୍ଚଳରେ ବୋର୍ଡ ପକ୍ଷରୁ ୨୧ଟି ପୁଲିସ୍ ଷ୍ଟେସନକୁ ନୋଡାଲ୍ କେନ୍ଦ୍ର କରାଯାଇଛି ।
ପ୍ରଶ୍ନପତ୍ର ରଖିବା ପାଇଁ ୩୧୩ଟି ସେଣ୍ଟର୍ କରାଯାଇଛି । ସକାଳ ୯ଟାରୁ ପରୀକ୍ଷା ଆରମ୍ଭ ହେବାକୁ ଥିବାବେଳେ ଦେଢ଼ଘଣ୍ଟା ପୂର୍ବରୁ ଅର୍ଥାତ୍ ସକାଳ ୭ଟା ୩୦ ମିନିଟ୍ରୁ ପରୀକ୍ଷାର୍ଥୀମାନେ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରିବେ । ୮ଟା ୩୦ମିନିଟ୍ ସମୟରେ ପରୀକ୍ଷାର୍ଥୀଙ୍କୁ ଓଏମ୍ଆର ସିଟ୍ ପ୍ରଦାନ କରାଯିବ । ଚଳିତ ପରୀକ୍ଷାରେ ରାଜ୍ୟର ସମସ୍ତ ପରୀକ୍ଷା କେନ୍ଦ୍ରରେ ପ୍ରଥମଥର ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ ହୋଇଥିବା ବୋର୍ଡ ପକ୍ଷରୁ ସୂଚନା ମିଳିଛି । ପରୀକ୍ଷାର୍ଥୀମାନେ ପରୀକ୍ଷା କେନ୍ଦ୍ରକୁ ଯିବା ବେଳେ ସାଙ୍ଗରେ ଆଡମିଟ୍ କାର୍ଡ, ବ୍ଲ୍ୟୁ ଓ ବ୍ଲାକ୍ ପେନ୍ ଓ ପେନ୍ସିଲ୍ ଜେମେଟ୍ରିବକ୍ସ ନେଇ ଯିବେ । ସେମାନେ ଅନ୍ୟ ଜିନିଷ ପରୀକ୍ଷା କେନ୍ଦ୍ରକୁ ନେଇ ପାରିବେ ନାହିଁ । ଏହା ସହ ଶିକ୍ଷକମାନେ ପରୀକ୍ଷା କେନ୍ଦ୍ରକୁ ଯିବାବେଳେ ମୋବାଇଲ ପରୀକ୍ଷା ହଲ୍ ବାହାରେ ରଖି ଭିତରକୁ ଯିବେ । ପରୀକ୍ଷା ସମୟରେ କେବଳ କେନ୍ଦ୍ର ଅଧିକ୍ଷକଙ୍କୁ ମୋବାଇଲ ନେବା ପାଇଁ ଅନୁମତି ଦିଆଯାଇଛି । ସୂଚନାଯୋଗ୍ୟ, ମାଟ୍ରିକ୍ ପରୀକ୍ଷା ମାର୍ଚ୍ଚ ୪ରେ ଶେଷ ହେବା ପରେ ମାର୍ଚ୍ଚ ୧୫ତାରିଖରୁ ଖାତାଦେଖା ଆରମ୍ଭ ହୋଇ ୧୨ ଦିନ ମଧ୍ୟରେ ଶେଷହେବ । ପରବର୍ତ୍ତୀ ଅନ୍ୟାନ୍ୟ ପ୍ରକ୍ରିୟା ଶେଷ ହେବା ପରେ ଫଳାଫଳ ଆସନ୍ତା ମେ’ ମାସରେ ପ୍ରକାଶ ପାଇବ ।