16.1 C
Bhubaneswar
Saturday, December 6, 2025
Homeଓଡିଶାଠେଙ୍ଗାଧରୀ ସମୁଦ୍ର ପଥ ଜଗିଛି ସାମୁଦ୍ରିକ ପୁଲିସ୍; ୩ ସାମୁଦ୍ରିକ ଥାନାରେ ୨୩ କର୍ମଚାରୀ, ଗଡୁନି...

ଠେଙ୍ଗାଧରୀ ସମୁଦ୍ର ପଥ ଜଗିଛି ସାମୁଦ୍ରିକ ପୁଲିସ୍; ୩ ସାମୁଦ୍ରିକ ଥାନାରେ ୨୩ କର୍ମଚାରୀ, ଗଡୁନି ସ୍ପିଡ୍ ବୋଟ

କେନ୍ଦ୍ରାପଡା: ଗତ ୧୦ ତାରିଖରେ ରାଜଧାନୀ ଦିଲ୍ଲୀ ବିସ୍ଫୋରଣ ପରେ ସମଗ୍ର ରାଜ୍ୟରେ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଗୁଡିକରେ ହାଇଆଲର୍ଟ ଜାରି କରାଯାଇଛି। କିନ୍ତୁ କେନ୍ଦ୍ରାପଡା ଜିଲ୍ଲା ସମୁଦ୍ର ଉପକୂଳ ଅଞ୍ଚଳ ମୁକୁଳା ପଡିଛି। ବିଶେଷକରି ସମୁଦ୍ର ପଥ ଦେଇ ଜିଲ୍ଲାକୁ ଅନୁପ୍ରବେଶକାରୀମାନେ ପ୍ରବେଶ କରିବାର ଯଥେଷ୍ଟ ସମ୍ଭାବନା ରହିଛି। ଅନୁପ୍ରବେଶକାରୀଙ୍କୁ ରୋକିବା ପାଇଁ ଜିଲ୍ଲାର ଉପକୂଳ ଅଞ୍ଚଳ ତଥା ମହାକାଳପଡା ତଥା ରାଜନଗର ବ୍ଲକ୍‌ରେ ୩ଟି ସାମୁଦ୍ରିକ ଥାନା ସ୍ଥାପନ କରାଯାଇଥିଲେ ମଧ୍ୟ ଏହି ଥାନା ଗୁଡିକରେ ଆବଶ୍ୟକ ସଂଖ୍ୟକ କର୍ମଚାରୀ ନଥିବାରୁ ମାଛଧରା ନାମରେ ଦୈନିକ ବଙ୍ଗଳାଦେଶୀମାନେ ଜିଲ୍ଲା ମଧ୍ୟରୁ ପ୍ରବେଶ କରୁଥିବାର ଦେଖିବାକୁ ମିଳିଛି। ସମଗ୍ର ଦେଶରେ ଅଶାନ୍ତ ଲାଗିରହିବାରୁ ଭାରତ ମଧ୍ୟକୁ ବିଶେଷ କରି ଓଡିଆ ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କୁ ବହୁ ଅନୁପ୍ରବେଶକାରୀ ପ୍ରବେଶ କରିବାର ସମ୍ଭାବନାକୁ ଏଡାଇ ଦିଆଯାଇ ନପାରେ। ଏପଟେ କେନ୍ଦ୍ରାପଡା ଜିଲ୍ଲାର ଉପକୂଳବର୍ତ୍ତୀ ଅଞ୍ଚଳରେ ଥିବା ସାମୁଦ୍ରିକ ଥାନାର ବ୍ୟବସ୍ତା ସଂପୂର୍ଣ୍ଣ ଭୁଷୁଡି ପଡିଛି। ଆତଙ୍କବାଦୀ କିମ୍ବା ଅନୁପ୍ରବେଶକାରୀଙ୍କୁ ରୋକିବାରେ ଏହା କେତେଦୁର ସମ୍ଭବ ହୋଇପାରିବ। ନଦୀନାଳ ବହୁଳ କେନ୍ଦ୍ରାପଡା ଜିଲ୍ଲାରେ ୩ ସାମୁଦ୍ରିକ ଥାନା ଥିଲେ ମଧ୍ୟ ଭିତିଭୂମି ଅଭାବରୁ ଏଗୁଡିକ ଦିଗହରା ହୋଇପଡିଛି। ପ୍ରତି ଥାନାରେ ଥାନା ଅଧିକାରୀଙ୍କ ସମେତ ମୋଟ୍ ୮୧ ଜଣ ନିୟୋଜିତ ହେବାର ବ୍ୟବସ୍ଥା ଥିଲାବେଳେ ୩ଟି ଥାନାର ମୋଟ୍ କର୍ମଚାରୀଙ୍କୁ ମିଶାଇଲେ ଏହାର ଅଧାରୁ କମ୍ ହେବା ସ୍ପିଡ୍ ବୋଟ, ଜେଟି, ଅସ୍ତ୍ରଶସ୍ତ୍ର କଥା ନକହିବା ଭଲ। ନିଜେ ବିପଦସଙ୍କୁଳ ଅବସ୍ଥାରେ ଥିବା ସାମୁଦ୍ରିକ ଥାନା ପୁଲିସ ଲୋକଙ୍କୁ ତଥା ଦେଶକୁ କି ପ୍ରକାର ସୁରକ୍ଷା ଯୋଗାଇଦେବେ ତାହା ଚିନ୍ତାର ବିଷୟ ପାଲଟିଛି। ଅବସ୍ଥା ଏପରି ହୋଇଛି ଯେ ଦୈବାତ ଆତଙ୍କବାଦୀ ପସିଆସିଲେ ଲୋକଙ୍କ ସୁରକ୍ଷା ଦେବା ତ ଭିନ୍ନ କଥା ପ୍ରଥମେ ପୁଲିସ କର୍ମଚାରୀଙ୍କୁ ସୁରକ୍ଷା ଯୋଗାଇଦେବାକୁ ପଡିବ। ପ୍ରକାଶ, କେନ୍ଦ୍ରାପଡା ଜିଲ୍ଲାରେ ମୋଟ୍ ଥାନା ସଂଖ୍ୟା ୧୫ ଥିବାବେଳେ ସେଥିରେ ୩ଟି ସାମୁଦ୍ରିକ ଥାନା ରହିଛି। ମହାକାଳପଡା ବ୍ଲକ ଅନ୍ତର୍ଗତ ଜମ୍ବୁରେ ୨୦୧୨ ମସିହାରେ ଜିଲ୍ଲାର ପ୍ରଥମ ସାମୁଦ୍ରିକ ଥାନା ପ୍ରତିଷ୍ଠା ହୋଇଥିଲା।

ରାଜନଗର ବ୍ଲକର ତାଳଚୁଆ ସାମୁଦ୍ରିକ ଥାନା ୨୦୧୫ ମସିହା ଜାନୁଆରୀ ୧୬ ରେ ପ୍ରତିଷ୍ଠା କରାଯାଇଛି। ସେହିପରି ଜାନୁଆରୀ ୧୬ରେ ନୂତନଭାବେ ମହାକାଳପଡା ବ୍ଲକ ଅଧିନ ତନ୍ତିଆପାଳଠାରେ ସାମୁଦ୍ରିକ ଥାନା ପ୍ରତିଷ୍ଠା କରାଯାଇଛି। ପ୍ରତି ଥାନାରେ ଜଣେ ଇନିସ୍ପେକ୍ଟର ୭ ଜଣ ସବ୍‌ଇନିସ୍ପେକ୍ଟର, ୭ ଜଣ ଏଏସ୍‌ଆଇ, ୪୮ ଜଣ କନେଷ୍ଟବଳ, ୧୬ ଜଣ ହାବିଲଦାର, ୪ଜଣ ଡ୍ରାଇଭର, ୨୫ ଜଣ ଏକ୍ସ ସର୍ଭିସ୍ ମ୍ୟାନ୍ ଏହିପରି ମୋଟ୍ ୮୧ ଜଣ କର୍ମର୍ଚାରୀ ଆବଶ୍ୟକ ରହିଛି। ହେଲେ ଏହି ତିନୋଟିଯାଙ୍କ ଥାନାରେ କର୍ମଚାରୀକୁ ମିଶାଇଲେ ଗୋଟିଏ ଥାନା ପାଇଁ ଆବଶ୍ୟକ କର୍ମଚାରୀ ସଂଖ୍ୟାର ଅଧାରୁ କମ୍ ହେବ। ସେମାନଙ୍କୁ ଅପରେଟିଙ୍ଗ ପାଇଁ ସ୍ପିଡ୍ ବୋର୍ଟ ଏବଂ ପୁଲିସ ଗାଡିର ଦରକାର ଅଛି। ଜମ୍ବୁ ଥାନାରେ ଦୁଇଟି ବୋର୍ଟ ଥିବାବେଳେ ଏଗୁଡିକୁ ଚଳାଇବାକୁ କର୍ମଚାରୀ ନାହାଁନ୍ତି। ଗାଡି ଚଲାଇବାକୁ ପେଟ୍ରୋଲ୍ ମଧ୍ୟ ଦିଆଯାଉନାହିଁ। ଜମ୍ବୁ ଥାନା ଅଧିନ ରାମନଗର, ବରକନ୍ଦା, ବତିଘର ପ୍ରଭୃତି ପଞ୍ଚାୟତ ରହିଛି। ସେହିପରି ତାଳଚୁଆ ଥାନାରେ ଜଣେ ଆଇଆଇସି, ଜଣେ ଏସ୍‌ଆଇ ଏବଂ ଜଣେ ଏଏସ୍‌ଆଇଙ୍କ ସହିତ ମୋଟ୍ ୧୦ଜଣ କର୍ମଚାରୀ ଅଛନ୍ତି। ଏହା ଅଧିନରେ ରଙ୍ଗୀନ୍‌, ଡାଙ୍ଗମାଳ, ତାଳଚୁଆ, ଭିତରକନିକା ଆଦି ପଞ୍ଚାୟତ ରହିଛି। ଏଠାରେ ବୋଟ କିମ୍ବା ଗାଡି ସୁବିଧା ଏଯାଏଁ ଉପଲବ୍ଧି ହୋଇପାରିନାହିଁ। ତନ୍ତିଆପାଳ ସାମୁଦ୍ରିକ ଥାନାରେ ଦୁଇଜଣ ଏସ୍‌ଆଇ, ୪ ଜଣ କନେଷ୍ଟବଳଙ୍କୁ ମିଶାଇ ୬ ଜଣ କର୍ମଚାରୀଙ୍କୁ ଦାୟିତ୍ୱ ଦିଆଯାଇଛି। ଏହା ଅଧିନରେ ବିଜୟନଗର, ବଢିହ, ଗୋଗୁଆ, ସୁନିତି ପ୍ରଭୃତି ପଞ୍ଚାୟତ ରହିଛି। ସମୁଦ୍ରରେ ସ୍ପେଶାଲ ବୋଟ ସହାୟତାରେ ଘନ ଘନ ପଇଁତରା ମାରିବାର ବ୍ୟବସ୍ଥା ରହିଥିବାବେଳେ ଏହା କାର୍ଯ୍ୟକାରି ହେଉନି। ଅନୁପ୍ରବେଶକାରୀଙ୍କ ମୁକାବିଲା କରିବାକୁ ନାଁ ଅଛି ବୋଟ ନାଁ ଅସ୍ତ୍ରଶସ୍ତ୍ର ନା ଗାଡି। ପ୍ରଶିକ୍ଷଣ ପ୍ରାପ୍ତ କର୍ମଚାରୀ ଆଉ ଏକ ସମସ୍ୟା ଭାବେ ଉଭା ହୋଇଛି। ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରରେ ମଧ୍ୟ ଅଭାବ ରହିଛି।

ଯେଉଁମାନେ ବି ନିଯୁକ୍ତି ପାଇଛନ୍ତି ସେମାନଙ୍କ ମଧ୍ୟରୁ ଅଧିକାଶଂ ଅଣତାଲିମ୍ ପ୍ରାପ୍ତ ଉକ୍ତ ଅଞ୍ଚଳର ଭୌଗଳିକ ଅବସ୍ଥିତି ସଂପର୍କରେ ଏମାନଙ୍କର ଧାରଣା ନାହିଁ। ଉପକୂଳ ଅଞ୍ଚଳ ସୁରକ୍ଷା ନାଁରେ ଥାନା ପ୍ରତିଷ୍ଠା କରିବା ଏକ ପ୍ରହସନ ବୋଲି ଆଲୋଚନା ହେଉଛି। ପ୍ରତ୍ୟେକ ଥାନା ପାଇଁ ୭୫ ଲକ୍ଷ ଟଙ୍କା ଅନୁଦାନରେ ନିର୍ମିତ ହୋଇଥିବା ଥାନାରେ କର୍ମଚାରୀ ଅଭାବ ଥିବାରୁ ଉପକୂଳ ସୁରକ୍ଷା ଚିନ୍ତା ବଢାଇଛି। ବାଂଲାଦେଶ ଅନୁପ୍ରବେଶକାରୀଙ୍କ ସଂଖ୍ୟା ଜିଲ୍ଲାରେ ବୃଦ୍ଧି ପାଇବାରେ ଲାଗିଛି। ସମୁଦ୍ର ପଥ ଦେଇ ଅନୁପ୍ରବେଶକାରୀମାନେ ଉପକୂଳ ଅଞ୍ଚଳରେ ପ୍ରବେଶ କରି ନେଟୱାର୍କ ସୃଦୁଢ କରି ଚାଲିଛନ୍ତି। ସାମୁଦ୍ରିକ ଥାନା ଗୁଡିକରେ ଦ୍ରୁତଗାମୀ ପେଟ୍ରୋଲିଂ ବୋର୍ଟ ସହିତ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରର ଅଭାବ ରହିଛି। ଅଣତାଲିମପ୍ରାପ୍ତ ପୁଲିସ୍ କର୍ମଚାରୀମାନେ ସମୁଦ୍ର ଭିତରକୁ ଯିବାକୁ ଭୟ କରୁଛନ୍ତି। କେବଳ ନାମକୁ ମାତ୍ର ଚାଲିଛି ସାମୁଦ୍ରିକ ଥାନା। ସମ୍ଭାବ୍ୟ ଆତଙ୍କବାଦୀ ଆକ୍ରମଣକୁ ନେଇ ଜନ ସାଧାରଣଙ୍କୁ ସୁରକ୍ଷା ଦେବା ନେଇ ପ୍ରଶ୍ନବାଚୀ ଉଠିଛି। ଜିଲ୍ଲାର ସୁରକ୍ଷା ଦୃଷ୍ଟିରୁ ସମୁଦ୍ର ଉପକୂଳରେ ପ୍ରତିଷ୍ଠା କରାଯାଇଥିବା ଥାନା ଗୁଡିକର ଆଧୁନିକରଣ, ତାଲିମପ୍ରାପ୍ତ କର୍ମଚାରୀ ନିଯୁକ୍ତି ଓ ଅତ୍ୟାଧୁନିକ ଅସ୍ତ୍ର ଶସ୍ତ୍ର ଯୋଗାଣ ସହିତ ଖାଲି ପଡିଥିବା ପଦବୀ ଗୁଡିକୁ ପୂରଣ କରିବା ଦିଗରେ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଜିଲ୍ଲାବାସୀଙ୍କ ପକ୍ଷରୁ ଦାବି ହେଉଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking