ଜଗତ୍ସିଂହପୁର: ମଙ୍ଗଳବାର ଜଗତସିଂହପୁର ଜିଲ୍ଲାର ବିରିଡି ଥାନା ପୁଲିସକୁ ମିଳିଛି ବଡ ସଫଳତା। ଦୀର୍ଘ ୨ବର୍ଷ ହେଲା ଜିଲ୍ଲାର ବିଭିନ୍ନ ସ୍ଥାନର ଛୋଟବଡ ବ୍ୟବସାୟୀଙ୍କୁ ଗଞ୍ଜେଇ ଚୋରା ଚାଲଣ କରି ଆଶୁଥିବା ଅନ୍ଧମାଳ ଅଞ୍ଚଳର ୩ଜଣ ଯୁବକଙ୍କୁ ବିରିଡି ପୁଲିସ ଗିରଫ କରିବା ସହିତ ସେମାନଙ୍କ ଠାରୁ ୨୮କିଗ୍ରା ୪୮୦ଗ୍ରାମ ଓଜନର ଗଞ୍ଜେଇ ଜବତ କରିଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୦ଲକ୍ଷ ଟଙ୍କା ହେବ ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ଏଥି ସହିତ ଏହି ବ୍ୟବସାୟରେ ବ୍ୟବହୃତ ଓଡି ୦୨ବିବି ୦୮୪୫ ନମ୍ବର ଏକ କାର ସହିତ ୪ଟି ମୋବାଇଲ ଜବତ କରିଛନ୍ତି। ତେବେ ଥାନାରେ ଚୋରା ଚାଲଣ କାରୀଙ୍କ ବିରୋଧରେ ଦଫା ୨୦(ବି)(୨)(ସି) ଏନ୍ଡିପିଏସ୍ ଆକ୍ଟରେ ମାମଲା ନଂ ୩୧୧/୨୦୨୫ ରୁଜୁ କରି ଅଧିକ ତଦନ୍ତ ଜାରୀ ରଖିଥିବା ଜଣାଯାଇଛି। ପ୍ରକାଶ, କନ୍ଧମାଳ ଅଞ୍ଚଳର ଚୋରା ବ୍ୟବସାୟୀ ୩ଜଣ ଭୂବନେଶ୍ୱରରେ ରହି ଦୀର୍ଘ ୨ବର୍ଷ ହେଲା ଜିଲ୍ଲାର ବିଭିନ୍ନ ସ୍ଥାନରେ ଗଞ୍ଜେଇ ଚାଲଣ କରି ଆସୁଥିଲେ ମଧ୍ୟ ଜିଲ୍ଲା ଅବକାରୀ ବିଭାଗର ସେମାନଙ୍କୁ ନଧରି ପାରିବା ଚକିତ କରିଛି। ଯାହାକୁ ନେଇ ଅବକାରୀ ବିଭାଗର କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ଜଣାଯାଇଛି।
ସୁଚନାରୁ ଜଣାଯାଇଛି, ପୂର୍ବାହ୍ନରେ ବିରିଡି ପୁଲିସ ଏସ୍ଆଇ ଆର୍କେ ସାହାଣିଙ୍କ ନତେୃତ୍ୱରେ ପୁଲିସ ଟିମ୍ କଟକ ଜଗତସିଂହପୁର ରାସ୍ତାର ବସନ୍ତପୁର ଛକ ଠାରେ ପାଟ୍ରୋଲିଂ କରୁଥିବା ସମୟରେ ଏକ ଧଳା ରଙ୍ଗର କାର ନଂ ଓଡି ୦୨ବିବି ୦୮୪୫ ଦୃତ ବେଗରେ ଉକ୍ତ ରାସ୍ତ ଦେଇ ଜଗତସିଂହପୁର ଅଭିମୁଖେ ଯାଉଥିବା ଦେଖି ସନ୍ଦେହ ପ୍ରକାଶ କରି ଅଟକାଇ ଥିଲେ। କାରରେ ଯାଞ୍ଚ କରିବା ପରେ ଗାଡିରୁ ୨୮କିଗ୍ରା ୪୮୦ଗ୍ରାମ ଓଜନର ଗଞ୍ଜେଇ ବାହାରିବା ନେଇ ଗାଡିରେ ଥିବା ୩ଜଣ ଯୁବକ ତଥା କନ୍ଧମାଳ ଜିଲ୍ଲା ସାରଙ୍ଗଗଡ ଥାନା ଅନ୍ତର୍ଗତ ମଗ ଡିଙ୍ଗିଆ ଗ୍ରାମର ମୋହନ ଦାସ ଦିଗଲଙ୍କ ପୁଅ ଅମନ କୁମାର ଦିଗଲ(୨୯) ଯେକି ଭୂବନେଶ୍ୱର ସାଲିଆସାହିରେ ରୁହନ୍ତି। ସେହି କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ଥାନା ଅନ୍ତର୍ଗତ ପୋବଙ୍ଗିଆ ଗ୍ରାମର ତ୍ରିଲୋଚନ ଦିଗଲଙ୍କ ପୁଅ ରାକେଶ ଦିଗଲ(୨୭) ଓ ଚକପଡା ଥାନା ଅନ୍ତର୍ଗତ ଦଙ୍ଗାଗାଁ ଗ୍ରାମର ବିଦ୍ୟାଧର ମଲ୍ଲିକଙ୍କ ପୁଅ ଗଣାଧିପତି ମଲ୍ଲିକ(୩୫)ଙ୍କୁ ଗିରଫ କରି ନେଇଥିଲେ। ଏଥି ସହିତ କାରକୁ ଜବତ କରି ଥାନାକୁ ନେବା ସହିତ ସେମାନଙ୍କ ଠାରୁ ୪ଟି ମୋବାଇଲ ମଧ୍ୟ ଜବତ କରିଥିଲେ। ତେବେ ପୁଲିସ ଜବତ ମୋବାଇଲ ଦ୍ୱାରା କେଉଁ କେଉଁ ସ୍ଥାନରେ ଚାଲଣ କରୁଥିଲେ ଓ ଏଥିରେ ଆଉ କିଏ ଜଡିତ ଅଛନ୍ତି ତଦନ୍ତ ଯାରି ରଖା ଯାଇଥିଲା ପୁଲିସ ପକ୍ଷରୁ ସୂଚନା ମିଳିଛି।










