27.1 C
Bhubaneswar
Wednesday, March 25, 2026
Homeଦେଶ ବିଦେଶପୁଣି ଅଶାନ୍ତ ହେଲାଣି ମଣିପୁର; ୫ ଜିଲ୍ଲାରେ ଲାଗୁ ହେଲା ଅଫ୍‌ସ୍ପା

ପୁଣି ଅଶାନ୍ତ ହେଲାଣି ମଣିପୁର; ୫ ଜିଲ୍ଲାରେ ଲାଗୁ ହେଲା ଅଫ୍‌ସ୍ପା

ଇମ୍ଫାଲ: ମଣିପୁର ପୁଣିଥରେ ଅଶାନ୍ତ ହୋଇପଡିଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ପୁଣିଥରେ ଆର୍ମଡ ଫୋର୍ସ ସ୍ପେଶାଲ ପାୱାର ଆକ୍ଟ (ଅଫ୍‌ସ୍ପା) ଲାଗୁ କରାଯାଇଛି। ରିପୋର୍ଟ ଅନୁସାରେ ୫ ଜିଲ୍ଲାର ୬ ପୁଲିସ ଷ୍ଟେସନ ଅଧୀନରେ ଆସୁଥିବା ଅଞ୍ଚଳଗୁଡ଼ିକରେ ହିଁ ଅଫସ୍ପା ଆଇନ୍‌କୁ ଲାଗୁ କରାଯାଇଛି। ଆଦିବାସୀ ଓ ଅଣଆଦିବାସୀଙ୍କ ସଂଘର୍ଷ ଯୋଗୁ ମଣିପୁରରେ ହିଂସାଭିମୁଖୀ ପରିବେଶ ସୃଷ୍ଟି ହୋଇଥିବା ବେଳେ ସାଧାରଣ ଲୋକେ ଭୟଭୀତ ହୋଇପଡିଥିଲେ। ତେବେ ଏବେ ଯେତେବେଳେ ଏସବୁ ଉତ୍ତେଜନାପ୍ରବଣ ଅଞ୍ଚଳଗୁଡ଼ିକରେ ଅଫସ୍ପା ଆଇନ୍ ଲାଗୁ କରାଯାଇଛି ସେତେବେଳେ ଏସବୁ ସ୍ଥାନରେ ସୁରକ୍ଷାକର୍ମୀ ସର୍ବୋଚ୍ଚ କ୍ଷମତାର ଅଧିକାରୀ ହୋଇଛନ୍ତି। ଦଙ୍ଗାକାରୀଙ୍କୁ ନିୟନ୍ତ୍ରଣରେ ରଖିବା ପାଇଁ ତଥା ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ବଜାୟ ରଖିବା ଉଦ୍ଦେଶ୍ୟରେ ପ୍ରଶାସନ ପକ୍ଷରୁ ଏନେଇ ନିଷ୍ପତ୍ତି ନିଆଯାଇଥିଲା। ପରେ ଏନେଇ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟକୁ ସୁପାରିଶ କରାଯିବା ପରେ ଜିରିବାମ୍ ସମେତ ୫ ଉତ୍ତେଜନାପ୍ରବଣ ଜିଲ୍ଲାରେ ଅଫ୍‌ସ୍ପା ଆଇନ୍‌କୁ ଆଜି ଠାରୁ ପ୍ରଭାବୀ ଢ଼ଙ୍ଗରେ ଲାଗୁ କରାଯାଉଥିବା ନେଇ ମନ୍ତ୍ରଣାଳୟ ବିଜ୍ଞପ୍ତି ଜାରି କରିଛି। ଅଫ୍‌ସ୍ପା ଆଇନ୍ ଲାଗୁ ହେବା ଦ୍ୱାରା ଆର୍ମଡ ଫୋର୍ସ ନିଜ ସ୍ପେଶାଲ ପାୱାର ବ୍ୟବହାର ପୂର୍ବକ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ନିଜ ଇଚ୍ଛା ଅନୁସାରେ କଟକଣା ଲଗାଇ ପାରିବେ। ସେହିପରି ସ୍ୱତନ୍ତ୍ର ଅପରେସନ କରି ବିନା ୱାରେଣ୍ଟରେ ଗିରଫଦାରୀ ମଧ୍ୟ କରିପାରିବେ।
ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ବିଜ୍ଞପ୍ତି ଅନୁସାରେ, ମଣିପୁରର ପଶ୍ଚିମ ଇମ୍ଫାଲ, ପୂର୍ବ ଇମ୍ଫାଲ, ଜିରିବାମ, କାଙ୍ଗପୋକପାଇ ଓ ବିଷ୍ଣୁପୁର ଅଞ୍ଚଳରେ ଅଫ୍‌ସ୍ପା ଲାଗୁ କରାଯାଇଛି। ଅକ୍ଟୋବର ୧ରେ କେନ୍ଦ୍ର ସରକାର ଜାରି କରିଥିବା ବିଜ୍ଞପ୍ତିରେ ଏହି ଅଞ୍ଚଳଗୁଡ଼ିକୁ ୬ ମାସ ଯାଏ ଅଫସ୍ପାରୁ ମୁକ୍ତ ରଖିଥିଲେ। ସେଠାରେ ସ୍ଥିତି ସ୍ୱାଭାବିକ ହେବାରୁ ଏପରି ପଦକ୍ଷେପ ନିଆଯାଇଥିଲା। ମୋଟ୍ ଉପରେ ମଣିପୁରର ୧୯ଟି ପୁଲିସ୍ ଷ୍ଟେସନ ଅଧୀନରେ ଥିବା ଅଞ୍ଚଳକୁ ଅଫସ୍ପା ବାହାରେ ରଖାଯାଇଥିଲା। ତେବେ ନିକଟରେ ମଣିପୁରର ଜିରିବାମରେ ସୁରକ୍ଷାକର୍ମୀ ଓ ଉଗ୍ରବାଦୀ ମୁହାଁମୁହିଁ ହୋଇଥିଲେ। ଏଥିରେ ୧୧ଜଣ କୁକି ସଂପ୍ରଦାୟର ସନ୍ଦିଗ୍ଧ ଉଗ୍ରବାଦୀ ନିହତ ହୋଇଥିଲେ। ଉଗ୍ରବାଦୀମାନେ ସ୍ଥାନୀୟ ପୁଲିସ୍ ଷ୍ଟେସନ ଉପରେ ଆକ୍ରମଣ କରିବାରୁ ଏହାର ଜବାବ ସୁରକ୍ଷାକର୍ମୀମାନେ ଦେଇଥିଲେ। ଘଟଣାର ଦିନକ ପରେ ସମାନ ଅଞ୍ଚଳରୁ ୩ ମହିଳା ଓ ୩ ଶିଶୁଙ୍କ ସହ ୬ ଜଣଙ୍କୁ ଅପହରଣ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୨ ଜଣ ବରିଷ୍ଠ ନାଗରିକଙ୍କୁ ଜବୀନ୍ତ ନିଆଁ ଲଗାଇ ପୋଡ଼ି ଦିଆଯାଇଥିଲା। ଏହାକୁ ନେଇ ପ୍ରବଳ ଉତ୍ତେଜନା ଦେଖିବାକୁ ମିଳିଥିଲା। ଏଥିପାଇଁ ପ୍ରଶାସନ ପକ୍ଷରୁ ଜିରିବାମରେ କର୍ଫ୍ୟୁ ଲାଗୁ କରାଯାଇଥିଲା। ଏସବୁ ଭିତରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଦୁଇ ସଂପ୍ରଦାୟର ଲୋକମାନେ ମୁହାଁମୁହିଁ ହେଉଥିବା ଦେଖିବାକୁ ମିଳିଥିଲା। କିଛି ସ୍ଥାନରେ ସୁରକ୍ଷାକର୍ମୀ ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ। ଏହାକୁ ଦୃଷ୍ଟିରେ ରଖି ଅଫସ୍ପା ଲାଗୁ କରାଯାଇଛି।ପ୍ରକାଶ, ୨୦୨୩ ମେ’ ମାସରୁ ଦୁଇ ଗୋଷ୍ଠୀର ସଂଘର୍ଷ ଯୋଗୁ ମଣିପୁରରେ ହିଂସା ଦେଖିବାକୁ ମିଳୁଛି। ଏଥିଯୋଗୁ ୨୩୭ ଜଣଙ୍କ ଜୀବନ ଯାଇଥିବା ବେଳେ ୬୦ ହଜାରରୁ ଅଧିକ ଲୋକ ବିସ୍ଥାପିତ ହୋଇଛନ୍ତି। ତେବେ କିଛି ଦିନ ପୂର୍ବରୁ ସ୍ଥିତିରେ ସୁଧାର ଆସିଥିଲା। ଏବେ ପୁଣି ମଣିପୁର ଅଶାନ୍ତ ହୋଇ ଉଠିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking