24.1 C
Bhubaneswar
Sunday, February 15, 2026
Homeଓଡିଶାପତ୍ନୀଙ୍କ ସ୍ମୃତିରେ ୮ ଲକ୍ଷ ବ୍ୟୟରେ ନିର୍ମାଣ କଲେ ମଣ୍ଡପ

ପତ୍ନୀଙ୍କ ସ୍ମୃତିରେ ୮ ଲକ୍ଷ ବ୍ୟୟରେ ନିର୍ମାଣ କଲେ ମଣ୍ଡପ

ରାୟଗଡ଼ା: ଫେବୃଆରୀ ୧୪କୁ ଯୁବପିଢ଼ି ଭାଲେଣ୍ଟାଇନ୍ ଡେ’ ବା ଭଲ ପାଇବାର ଦିନ ଭାବେ ପାଳନ କରିଥାନ୍ତି। ପ୍ରେମିକ ପ୍ରେମିକାକୁ ଫୁଲ ଏବଂ ଉପହାର ଦେଇ ପ୍ରେମର ଅଭିବ୍ୟକ୍ତି କରିଥାନ୍ତି। ଆଜିର ଯୁବପିଢ଼ିଙ୍କଠାରେ କିନ୍ତୁ ପ୍ରକୃତ ପ୍ରେମ ଓ ସମ୍ପର୍କରେ ନିବିଡ଼ତା ନଥିବା ଭଳି ପରିଲକ୍ଷିତ ହୋଇଥାଏ। ଏଭଳି ସ୍ଥିତିରେ ଯୁବପିଢ଼ିଙ୍କ ପାଇଁ ୮୫ ବର୍ଷୀୟ ଅବସରପ୍ରାପ୍ତ ଶିକ୍ଷକ ଉଦୟ ନାୟକ ଉଦାହରଣ ପାଲଟିଛନ୍ତି। ରାୟଗଡ଼ା ଜିଲ୍ଲା ଗୁଣୁପୁର ପୌରପରିଷଦ ୧୯ନଂ ୱାର୍ଡ ଓମ୍ ନଗରରୁ ଏମିତି ଏକ ହୃଦୟସ୍ପର୍ଶୀ କାହାଣୀ ସାମ୍ନାକୁ ଆସିଛି ଯାହାକି ପ୍ରେମ ଏବଂ ସ୍ୱାମୀ-ସ୍ତ୍ରୀ ସମ୍ପର୍କର ଅନନ୍ୟ ଭାବାବେଗକୁ ଦର୍ଶାଉଛି।

 ୧୯୬୭ ମସିହାରେ ଉଦୟ ଗୁଡ଼ାରୀ ଗ୍ରାମର ମୃଦୁଭାଷିନୀ ନାୟକଙ୍କୁ ବିବାହ କରିଥିଲେ। ଦୀର୍ଘ ଦାମ୍ପତ୍ୟ ଜୀବନରେ ଦୁହିଁଙ୍କ ମଧ୍ୟରେ ଥିଲା ଗଭୀର ଭଲପାଇବା ଓ ନିବିଡ଼ ସମ୍ପର୍କ। କିନ୍ତୁ ୨୦୨୨ ମସିହାରେ ପତ୍ନୀଙ୍କ ଅକାଳ ବିୟୋଗ ଉଦୟଙ୍କୁ ଗଭୀର ଶୋକରେ ବୁଡ଼ାଇ ଦେଇଥିଲା। ପତ୍ନୀଙ୍କ ସ୍ମୃତିକୁ ଚିରସ୍ଥାୟୀ କରିବା ଏବଂ ସର୍ବସାଧାରଣଙ୍କ ଉପକାର ପାଇଁ କିଛି କରିବା ଉଦ୍ଦେଶ୍ୟରେ ଚିନ୍ତାକରି ଉଦୟ ଗୁଣୁପୁର କୋର୍ଟ ସମ୍ମୁଖରେ ଅବସ୍ଥିତ ପୁରାତନ ତ୍ରିନାଥ ମନ୍ଦିରରେ ପ୍ରାୟ ୮ ଲକ୍ଷ ଟଙ୍କା ବ୍ୟୟ କରି ୧ ହଜାର ବର୍ଗଫୁଟ୍ ଅଞ୍ଚଳରେ ଏକ ଛାତପକ୍କା ମଣ୍ଡପ ଓ ଚଉରା ମଣ୍ଡପର ଛାଉଣି ନିର୍ମାଣ କରିଛନ୍ତି। ସେ ନିଜେ ନିର୍ମାଣ କାର୍ଯ୍ୟସ୍ଥଳରେ ଉପସ୍ଥିତ ରହି କାମର ତଦାରଖ କରି ସମ୍ପୂର୍ଣ୍ଣ କାର୍ଯ୍ୟକୁ ସାରିଥିଲେ। ଉଦୟ ଏହି କାମ କରିବା ପରେ ନିଜେ ଆତ୍ମସନ୍ତୋଷ ଲାଭ କରିବା ସହ ତାଙ୍କ ପତ୍ନୀଙ୍କ ସ୍ମୃତି ସାଉଁଟିଛନ୍ତି ବୋଲି ପ୍ରକାଶ କରିିଛନ୍ତି।

 ପରିଣତ ବୟସରେ ମଧ୍ୟ ପତ୍ନୀଙ୍କ ପ୍ରତି ଏହି ଅତୁଟ ଭଲପାଇବା ସମସ୍ତଙ୍କୁ ଚକିତ କରିଛି। ତାଙ୍କ ପରିବାରରେ ୩ ଝିଅ ଓ ଗୋଟିଏ ପୁଅ ଅଛନ୍ତି ସେମାନେ ମଧ୍ୟ ଏହି ଉଦ୍ୟମକୁ ସମର୍ଥନ ଜଣାଇ ଗର୍ବ ଅନୁଭବ କରୁଛନ୍ତି। ପରିଣତ ବୟସରେ ଉଦୟଙ୍କ ଏଭଳି ଉଦ୍ୟମ ବେଶ୍ ପ୍ରଶଂସନୀୟ ବୋଲି ମତପ୍ରକାଶ ପାଇଛି। ଆଧୁନିକ ସମାଜରେ ଯେଉଁଠାରେ ସମ୍ପର୍କରେ ଅସ୍ଥିରତା ବୃଦ୍ଧି ପାଉଛି ସେଠାରେ ଉଦୟ ନାୟକଙ୍କ ଏହି ପଦକ୍ଷେପ ନିଶ୍ଚିତ ଭାବେ ପ୍ରେରଣାର ଏକ ଉତ୍ସ ହେବ। ପ୍ରେମ କେବଳ ଦିନେକର ପାଳନ ନୁହେଁ, ଏହା ସାରା ଜୀବନ ପାଇଁ ରହିଥିବା ଏକ ଅତୁଟ ବନ୍ଧନ ବୋଲି ଉଦୟ ବାର୍ତ୍ତା ଦେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking