ନୂଆଦିଲ୍ଲୀ: କାରର ବନ୍ଦ ଥିବା ଡୋର, ଦୀର୍ଘ ସମୟ ଅଟକି ରହିଥିଲା ଗାଡ଼ି । ସନ୍ଦେହ ବଢ଼ିଲା କାରକୁ ପାଖକୁ ଯାଇ ଦେଖିଲେ ଲୋକେ । ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଲା ପୁଲସ । କାରର କାଚ ଭାଙ୍ଗି ଦେଖିବା ବେଳକୁ ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ପ୍ରଥମେ ଲାଗୁଥିଲା କି, କେହି ସେମାନଙ୍କୁ ହତ୍ୟା କରିଛି ଆଉ ଲୁଟ୍ କରି ନେଇଛି । କିନ୍ତୁ ପରେ ଜଣା ପଡ଼ିଲା କି, ପ୍ରଥମେ ପ୍ରେମିକାଙ୍କୁ ହତ୍ୟା କରିବା ପରେ ନିଜକୁ ଗୁଳି କରିଛନ୍ତି ପ୍ରେମିକ । ପୁଲିସ ମୃତଦେହକୁ ଉଦ୍ଧାର କରିଥିବାବେଳେ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି ।
ନୋଏଡା ସେକ୍ଟର ୩୯ ଅଞ୍ଚଳରେ ଘଟିଛି ଏଭଳି ଘଟଣା । ମୃତକ ଜଣକ ହେଲେ ସୁମିତ । ଗତକାଲିଠାରୁ ସେମାନେ ନିଖୋଜ ଥିବା କୁହାଯାଉଛି । ତେବେ ଉଭୟ ୧୫ ବର୍ଷ ଧରି ସମ୍ପର୍କରେ ଥିଲେ । ଏବେ ତାଙ୍କ ପ୍ରେମିକା ଅନ୍ୟ କାହାକୁ ବିବାହ କରିବା ପାଇଁ ପରିବାର ଲୋକେ ସ୍ଥିର କରିଥିଲେ । ଯେଉଁ କାରଣରୁ ପ୍ରଥମେ ପ୍ରେମିକାକୁ ଗୁଳି କରିବା ପରେ ନିଜକୁ ନିଜେ ଗୁଳି କରିଥିଲେ । ଡ୍ରାଇଭର ସିଟରେ ବସିଥିବା ସୁମିତଙ୍କ ହାତରେ ଏକ ବନ୍ଧୁକ ଥିବା ପୁଲିସ ଉଦ୍ଧାର କରିଛି । ସେପଟେ ଏହି ଘଟଣା ପୂର୍ବରୁ ହ୍ବାଟଆପରେ ସୁମିତ ଏବଂ ଷ୍ଟାଟସ ଦେଇଥିଲେ । ଯେଉଁଥିରେ ସେ ଲେଖିଥିଲେ କି, ମୋ ମୃତ୍ୟୁ ପାଇଁ ମୋ ପ୍ରେମିକା ଦାୟୀ । ମୁଁ ତାକୁ ୧୫ ବର୍ଷ ହେବ ଭଲ ପାଉଛି କିନ୍ତୁ ସେ ଅନ୍ୟ କାହାକୁ ବାହାହେବାକୁ ଯାଉଛି । ଯାହାକୁ ମୁଁ ସହ୍ୟ କରିପାରୁନି । ମୋ ମୃତ୍ୟୁ ପାଇଁ କେବଳ ସେ ହିଁ ଦାୟୀ । ଯେଉଁ ଲେଖାଟି ଏବେ ବେଶ ଭାଇରାଲ ହେବାରେ ଲାଗିଛି । ଭାଲେଣ୍ଟାଇନ୍ ଡେ’ରେ ଏଭଳି ଘଟଣା ଘଟିଥିବାବେଳେ ଏହାକୁ ନେଇ ଚର୍ଚ୍ଚା ମଧ୍ୟ ଜୋର ଧରିଛି । ପୁଲିସ ଘଟଣାକୁ ଗୁରୁତର ନେଇ ତଦନ୍ତ ଆରମ୍ଭ କରିଛି ।










