କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ଦୁଷ୍କର୍ମ ମାମଲାରେ କଠୋର ଆଇନ୍ ପ୍ରଣୟନ କରିବାକୁ ଅପିଲ କରିଛନ୍ତି । ଚିଠିରେ ମମତା ବାନାର୍ଜୀ ଦେଶରେ ବଢୁଥିବା ଦୁଷ୍କର୍ମ ମାମଲା ବିଷୟରେ ଉଲ୍ଲେଖ କରିଛନ୍ତି । ମମତା ଲେଖିଛନ୍ତି, ସମ୍ପ୍ରତି ଦେଶରେ ଦୁଷ୍କର୍ମ ମାମଲା କ୍ରମାଗତ ଭାବରେ ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି । ଉପଲବ୍ଧ ତଥ୍ୟ ଅନୁଯାୟୀ, ଦେଶରେ ଏବେ ଦୈନିକ ପ୍ରାୟ ୯୦ଟି ଦୁଷ୍କର୍ମ ଘଟଣା ଘଟୁଛି, ଯାହାକି ଅତ୍ୟନ୍ତ ଚିନ୍ତାଜନକ । ଏହା ସମାଜ ଓ ରାଷ୍ଟ୍ରର ବିଶ୍ୱାସ ଓ ବିବେକକୁ ଭାଙ୍ଗିବାରେ ଲାଗିଛି । ତେବେ ଦେଶର ମହିଳାମାନେ ଯେପରି ନିଜକୁ ସୁରକ୍ଷିତ ଅନୁଭବ କରିବେ ସେଥିପାଇଁ ବଢୁଥିବା ଦୁଷ୍କର୍ମ ଘଟଣାକୁ ବନ୍ଦ କରିବା ଆମ ସମସ୍ତଙ୍କର କର୍ତ୍ତବ୍ୟ । ଏଭଳି ଜଘନ୍ୟ ଅପରାଧରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କଠୋର ଦଣ୍ଡବିଧାନର ବ୍ୟବସ୍ଥା ଥିବା କଠୋର କେନ୍ଦ୍ରୀୟ ଆଇନ ମାଧ୍ୟମରେ ଏଭଳି ଏକ ଗମ୍ଭୀର ଓ ସମ୍ବେଦନଶୀଳ ପ୍ରସଙ୍ଗକୁ ବ୍ୟାପକ ଭାବେ ସମାଧାନ କରାଯିବାର ଆବଶ୍ୟକତା ରହିଛି ।” ମମତା ନିଜ ଚିଠିରେ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ, ଏଭଳି ଅପରାଧ କ୍ଷେତ୍ରରେ ପୀଡ଼ିତାଙ୍କୁ ତ୍ୱରିତ ନ୍ୟାୟ ତଥା ଦୋଷୀଙ୍କୁ ଉଚିତ ଦଣ୍ଡବିଧାନ ପାଇଁ ଦେଶରେ ଫାଷ୍ଟ ଟ୍ରାକ୍ କୋର୍ଟ ସଂଖ୍ୟା ବୃଦ୍ଧି କରିବା ଏବଂ ୧୫ ଦିନରେ ଟ୍ରାଏଲ୍ ପ୍ରକ୍ରିୟା ଶେଷ କରାଯିବା ଭଳି ବ୍ୟବସ୍ଥା କରାଯିବା ଉଚିତ୍ ।
ପ୍ରକାଶ, କୋଲକାତା ଆରଜି କର ମେଡିକାଲ କଲେଜ୍ ଏବଂ ହସ୍ପିଟାଲରେ ଜଣେ ଟ୍ରେନି ମହିଳା ଡାକ୍ତରାଣୀଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ଗତ ୨ ସପ୍ତାହ ଧରି ସମଗ୍ର ଦେଶରେ ଉତ୍ତେଜନା ଲାଗି ରହିଛି । ତେବେ ଏହି ଘଟଣାକୁ ନେଇ ତୀବ୍ର ସମାଲୋଚନାର ଶିକାର ହୋଇଆସୁଥିବା ପଶ୍ଚିମବଙ୍ଗ ସରକାରଙ୍କ ପାଇଁ ମଧ୍ୟ ବଡ଼ ସମସ୍ୟା ଉତ୍ପନ୍ନ ହୋଇଛି । ସମଗ୍ର ପଶ୍ଚିମବଙ୍ଗରେ ଏବେ ଶାସକ ଦଳ ବିରୋଧରେ ଜନଆକ୍ରୋଶ ରହିଛି । ଏପରି ସ୍ଥିତିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏଭଳି ଏକ ଚିଠି ଲେଖିଛନ୍ତି । ସୂଚନାଯୋଗ୍ୟ, ଗତ ସପ୍ତାହରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କୋଲକାତାରେ ଏକ ବିଶାଳ ସମାବେଶ କରି ପୀଡିତାଙ୍କୁ ନ୍ୟାୟ ପ୍ରଦାନ ଏବଂ ପୋଲିସ ସହ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡ ଦେବାକୁ ଦାବି କରିଥିଲେ । ଏହାସତ୍ତ୍ୱେ ନିଜ ଦଳର କିଛି ସାଂସଦ, ବିଧାୟକ ତଥା ଅନ୍ୟାନ୍ୟ ନେତାଙ୍କ ସହ ସହଯୋଗୀ ଦଳଙ୍କ ପକ୍ଷରୁ ମଧ୍ୟ ମମତାଙ୍କ ସରକାରଙ୍କୁ ସମାଲୋଚନା କରାଯାଉଥିବା ଦେଖିବାକୁ ମିଳୁଛି । ମମତାଙ୍କ ନିଜ ପୁତୁରା ତଥା ଟିଏମ୍ସିର ସାଂସଦ ତଥା ମହାସଚିବ ଅଭିଶେକ୍ ବାନାର୍ଜୀ ମଧ୍ୟ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି କହିଛନ୍ତି ଯେ, ରାଜ୍ୟ ସରକରା ଏଭଳି ମାମଲାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ।