ନୂଆଦିଲ୍ଲୀ: ବିଜେପି ନେତୃତ୍ୱାଧୀନ ଏନ୍ଡିଏ ବିପକ୍ଷରେ ବିରୋଧୀ ଦଳଗୁଡ଼ିକ ଏକଜୁଟ୍ ହୋଇ ଏକ ଶକ୍ତିଶାଳୀ ବିରୋଧୀ ଏକତା ମଞ୍ଚ ‘ଇଣ୍ଡିଆ ମେଣ୍ଟ’ର ଗଠନ କରିଥିଲେ। ଏବେ ଏହି ମେଣ୍ଟର ନେତୃତ୍ୱ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ (ଟିଏମ୍ସି) ସୁପ୍ରିମୋ ମମତା ବାନାର୍ଜୀ ନେବେ ବୋଲି ଜଣାପଡ଼ିଛି। କେବଳ ସେତିକି ନୁହେଁ ଇଣ୍ଡିଆ ମେଣ୍ଟର ନେତୃତ୍ୱ ଟିଏମ୍ସି ନେବା ନେଇ ସମାଜବାଦୀ ପାର୍ଟି (ଏସ୍ପି) ନିଜ ସମର୍ଥନ ମଧ୍ୟ ବ୍ୟକ୍ତ କରିସାରିଛି। ଫଳରେ ଦେଶର ସର୍ବବୃହତ୍ ରାଜନୈତିକ ଦଳ ଭାବେ ଜଣାଶୁଣା କଂଗ୍ରେସ ଏବେ ଭୟଭୀତ ହୋଇପଡିଛି ବୋଲି ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଛି। ରିପୋର୍ଟ ଅନୁସାରେ ବାସ୍ତବରେ ମମତା ବାନାର୍ଜୀ ଶୁକ୍ରବାର ବିରୋଧୀ ମେଣ୍ଟ ‘ଇଣ୍ଡିଆ’ର ନେତୃତ୍ୱକୁ ନେଇ ଏକ ବୟାନ ଦେଇଥିଲେ। ନିକଟରେ ହୋଇଥିବା ନିର୍ବାଚନ ଏବଂ ଉପ-ନିର୍ବାଚନରେ ଇଣ୍ଡିଆ ମେଣ୍ଟର ପ୍ରଦର୍ଶନକୁ ନେଇ ମମତା ବାନାର୍ଜୀ ଅସନ୍ତୋଷ ବ୍ୟକ୍ତ କରିଥିଲେ ଏବଂ ଏଭଳି ପରିଣାମ ପାଇଁ ସେ ଏହାର ନେତୃତ୍ୱ ଅର୍ଥାତ୍ କଂଗ୍ରେସକୁ ଦାୟୀ କରିଥିଲେ। ସେତିକି ନୁହେଁ, ସେ ନିଜେ ଏହାର ନେତୃତ୍ୱ ନେବାକୁ ପ୍ରସ୍ତୁତ ବୋଲି ମଧ୍ୟ କହିଥିଲେ। ମମତାଙ୍କ ଏପ୍ରକାର ମନ୍ତବ୍ୟ ଆସିବା ପରେ ପରେ ସମାଜବାଦୀ ପାର୍ଟି ସର୍ବପ୍ରଥମେ ଇଣ୍ଡିଆ ମେଣ୍ଟର ଟିଏମ୍ସିର ନେତୃତ୍ୱକୁ ସମର୍ଥନ ବ୍ୟକ୍ତ କରିଛି। ସମାଜବାଦୀ ପାର୍ଟି ମୁଖପାତ୍ର ଉଦୟବୀର ସିଂହ କହିଛନ୍ତି ଯେ, ଯଦି ମମତା ବାନାର୍ଜୀ କୌଣସି ଇଚ୍ଛା ପ୍ରକାଶ କରିଛନ୍ତି, ତେବେ ଇଣ୍ଡିଆ ମେଣ୍ଟର ନେତାମାନେ ଏହାକୁ ବିଚାର କରିବା ଉଚିତ ଏବଂ ତାଙ୍କୁ ସମର୍ଥନ କରିବା ଉଚିତ୍। ଏହା ଇଣ୍ଡିଆ ମେଣ୍ଟକୁ ମଜବୁତ୍ କରିବ। ମମତା ବାନାର୍ଜୀ ପଶ୍ଚିମବଙ୍ଗରେ ଏକାକୀ ବିଜେପିକୁ ରୋକିବାରେ ସମର୍ଥ ହୋଇଛନ୍ତି। ମମତା ବାନାର୍ଜୀ ଏବଂ ତାଙ୍କ ଦଳ ପ୍ରତି ସମାଜବାଦୀ ପାର୍ଟି ପକ୍ଷରୁ ଶତ ପ୍ରତିଶତ ସମର୍ଥନ ଏବଂ ସହଯୋଗ ରହିଛି। ହରିଆଣା ହେଉ କିମ୍ବା ମହାରାଷ୍ଟ୍ର, ଯେଉଁଠାରେ ଆମେ ନିର୍ବାଚନ ହାରିଲୁ ସେଠାରେ କଂଗ୍ରେସ ଦଳ ମୁଖ୍ୟ ଦଳ ଭାବେ ଲଢ଼ିଥିଲା। ଯଦି ଆଶା କରାଯାଉଥିବା ସଫଳତା ମିଳିପାରିନାହିଁ, ତେବେ ଏହାର ଉତ୍ତରଦାୟିତ୍ୱ ମଧ୍ୟ କଂଗ୍ରେସ ନେବା ଉଚିତ୍।ଟିଏମସି ପରେ ବାମଦଳ ମଧ୍ୟ କଂଗ୍ରେସର ନେତୃତ୍ୱ ଉପରେ ପ୍ରଶ୍ନ ଉଠାଇଛି। ସିପିଆଇ ସାଧାରଣ ସମ୍ପାଦକ ଡି ରାଜା କହିଛନ୍ତି, ‘କଂଗ୍ରେସକୁ ଆତ୍ମସମୀକ୍ଷା କରିବା ଆବଶ୍ୟକ। ବର୍ତ୍ତମାନ ପରିସ୍ଥିତିରେ ଇଣ୍ଡିଆ ମେଣ୍ଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବା ଆବଶ୍ୟକ। ହରିଆଣା ଏବଂ ମହାରାଷ୍ଟ୍ର ନିର୍ବାଚନରେ କଂଗ୍ରେସ ମେଣ୍ଟ ସହଯୋଗୀ ଦଳଗୁଡ଼ିକୁ ସଠିକ୍ ଭାବେ ସହଯୋଗ କରିନଥିଲା। ଯଦି କଂଗ୍ରେସ ସହଯୋଗୀଦଳଗୁଡ଼ିକର କଥା ଶୁଣିଥାଆନ୍ତା, ତେବେ ଲୋକସଭା ଏବଂ ହରିଆଣା-ମହାରାଷ୍ଟ୍ର ବିଧାନସଭା ନିର୍ବାଚନର ଫଳାଫଳ ଭିନ୍ନ ହୋଇଥାନ୍ତା।’ ତେବେ ଏସବୁ ଚର୍ଚ୍ଚା ମଧ୍ୟରେ କଂଗ୍ରେସର ଅନେକ ନେତା କହିଛନ୍ତି ଯେ, ମମତାଙ୍କ ମତ ତାଙ୍କ ନିଜସ୍ୱ। ସେ କ’ଣ ଭାବୁଛନ୍ତି ସେ ହିଁ କହିପାରିବେ। କିନ୍ତୁ ଇଣ୍ଡିଆ ମେଣ୍ଟର ନେତୃତ୍ୱ ପରିବର୍ତ୍ତନ ସମ୍ପର୍କରେ ବୈଠକ ମାଧ୍ୟମରେ ଆଲୋଚନା ହେବା ଉଚିତ୍। ନିର୍ବାଚନରେ ପରାଜୟ ପାଇଁ କେବଳ କଂଗ୍ରେସକୁ ଦୋଷାରୋପ କରାଯାଇପାରିବ ନାହିଁ। ସୂଚନାଯୋଗ୍ୟ, ଏବେର ଏନ୍ଡିଏ ମେଣ୍ଟର ଅନ୍ୟତମ ସହଯୋଗୀ ଦଳ ସାଜିଥିବା ଜେଡିୟୁ ଯେତେବେଳେ ଆରଜେଡି ସହ ମେଣ୍ଟରେ ଥିଲା ସେତେବେଳେ ଦଳର ସୁପ୍ରିମୋ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ଆରଜେଡି ମୁଖ୍ୟ ଲାଲୁ ଯାଦବ ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମିଳିତ ଭାବେ ଏପ୍ରକାର ଏକ ବିରୋଧୀ ଏକତା ମଞ୍ଚ ‘ଇଣ୍ଡିଆ ମେଣ୍ଟ‘ର ପରିକଳ୍ପନା କରିଥିଲେ। ପରେ ସମସ୍ତ ନେତାଙ୍କ ସହମତିରେ ଦେଶର ଅନ୍ୟତମ ପୁରୁଣା ତଥା ଜାତୀୟ ଦଳ ଭାବେ କଂଗ୍ରେସକୁ ଏହି ମେଣ୍ଟର ନେତୃତ୍ୱ ଦାୟିତ୍ୱ ଦିଆଯାଇଥିଲା।