29.1 C
Bhubaneswar
Monday, March 30, 2026
Homeଦେଶ ବିଦେଶଜୁନିଅର ଡାକ୍ତରଙ୍କ ‘ରାଜ୍ୟବ୍ୟାପୀ କାର୍ଯ୍ୟବନ୍ଦ ଆନ୍ଦୋଳନ’ ଧମକ ପରେ ସାମ୍ନାକୁ ଆସିଲେ ମମତା; ଦାବି ପୂରଣ...

ଜୁନିଅର ଡାକ୍ତରଙ୍କ ‘ରାଜ୍ୟବ୍ୟାପୀ କାର୍ଯ୍ୟବନ୍ଦ ଆନ୍ଦୋଳନ’ ଧମକ ପରେ ସାମ୍ନାକୁ ଆସିଲେ ମମତା; ଦାବି ପୂରଣ ଲାଗି ୩/୪ ମାସ ସମୟ ଦିଅ

କୋଲକାତା : ଶେଷରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଆନ୍ଦୋଳନରତ ଜୁନିଅର ଡାକ୍ତରଙ୍କ ସମ୍ମୁଖରେ ମୁଣ୍ଡ ନୂଆଇଁଛନ୍ତି। ଜୁନିଅର ଡାକ୍ତରଙ୍କୁ ‘ଆମରଣ ଅନଶନ’ ବନ୍ଦ କରି କାମକୁ ଫେରିବାକୁ ମମତା ଆଜି (ଶନିବାର) ଅନୁରୋଧ କରିଛନ୍ତି। ଶନିବାର ଜୁନିଅର ଡାକ୍ତରଙ୍କ ସହ ଫୋନ୍ ଯେ।।ଗେ କଥା ହୋଇ ମମତା କହିଛନ୍ତି, ଆନ୍ଦୋଳନ କରିବା ସମସ୍ତଙ୍କ ଅଧିକାର ହୋଇପାରେ, କିନ୍ତୁ ଏହାଦ୍ୱାରା ଅନ୍ୟମାନେ କେହି ପ୍ରଭାବିତ ନହେବା ଉଚିତ୍‌। ବିଶେଷକରି ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ନିୟୋଜିତ କର୍ମଚାରୀମାନେ ଏଦିଗରେ ଅଧିକ ଯତ୍ନବାନ ରହିବା ଉଚିତ୍ ଯେ, ସେମାନଙ୍କ ଯୋଗୁ ଯେପରି ରୋଗୀ ସେବାରେ ବ୍ୟାଘାତ ସୃଷ୍ଟି ନହୁଏ। ମମତା ଏହି ଅବସରରେ ଆନ୍ଦୋଳନକାରୀ ଡାକ୍ତରଙ୍କୁ ୩/୪ ମାସ ସମୟ ମାଗିଛନ୍ତି।

ମମତାଙ୍କ କହିବାନୁସାରେ ପୂର୍ବରୁ ସରକାରଙ୍କ ସମ୍ମୁଖରେ ଜୁନିଅର ଡାକ୍ତରମାନେ ରଖିଥିବା ଦାବିଗୁଡ଼ିକ ମଧ୍ୟରୁ ଅଧିକାଂଶ ଦାବିକୁ ସରକାର ପୂରଣ କରିଛନ୍ତି। କିନ୍ତୁ ଏବେ ଜୁନିଅର ଡାକ୍ତରମାନେ ନୂଆ ନୂଆ ଦାବି ପୂର୍ବକ ଆନ୍ଦୋଳନ ଚଳାଇଛନ୍ତି। ଏଦିଗରେ ସରକାରଙ୍କୁ ବିଚାର କରିବା ପାଇଁ ଏବଂ ଏହାକୁ କାର୍ଯ୍ୟକାରୀ କରିବା ଅଧିକ ସମୟର ଆବଶ୍ୟକତା ରହିଛି। ଏଥିପାଇଁ ସେ ଏହି ୩/୪ ମାସ ସମୟ ଅତିରିକ୍ତ ସମୟ ଭାବେ ମାଗୁଛନ୍ତି। ଏତଦ୍‌ବ୍ୟତୀତ ଆସନ୍ତା ସୋମବାର ସେ ଜୁନିଅର ଡାକ୍ତରଙ୍କ ସହ ସାକ୍ଷାତ କରିବେ ଏବଂ ଏହା ଉପରେ ଅଧିକ ଆଲୋଚନା କରାଯିବ ବୋଲି ମଧ୍ୟ ମମତା କହିଛନ୍ତି।

ପ୍ରକାଶ, ଆଜି ଗୋଟିଏ ପଟେ ମମତା ଜୁନିଅର ଡାକ୍ତରଙ୍କ ସହ ଫୋନ୍‌ରେ କଥା ହୋଇଥିବା ବେଳେ ଅନ୍ୟପକ୍ଷେ ମୁଖ୍ୟ ଶାସନ ସଚିବ ମନୋଜ ପନ୍ତ ଏବଂ ରାଜ୍ୟ ଗୃହ ସଚିବ ନନ୍ଦିନୀ ଚକ୍ରବର୍ତ୍ତୀ ଜୁନିଅର ଡାକ୍ତର ଚଳାଇଥିବା ଆମରଣ ଅନଶନ ସ୍ଥଳୀକୁ ଯାଇ ଆନ୍ଦୋଳନକାରୀଙ୍କ ସହ କଥା ହୋଇଛନ୍ତି। ତେବେ ମୁଖ୍ୟମନ୍ତ୍ରୀ ମମତାଙ୍କ ଏପ୍ରକାର ପ୍ରତିକ୍ରିୟା ତଥା ଫୋନ୍‌ଯୋଗେ ଆନ୍ଦୋଳନକାରୀଙ୍କ ସହ କଥା ହେବା ସେତେବେଳେ ସାମ୍ନାକୁ ଆସିଛି ଯେତେବେଳେ କି ଦିନକ ପୂର୍ବେ ଆନ୍ଦୋଳନକାରୀ ଜୁନିଅର ଡାକ୍ତରମାନେ ଆସନ୍ତା ୨୧ ତାରିଖ ପୂର୍ବରୁ ସେମାନଙ୍କ ଦାବି ପୂରଣ ପାଇଁ ପଶ୍ଚିମବଙ୍ଗ ସରକାରଙ୍କୁ ଅଲ୍ଟିମେଟମ୍ ଦେଇଛନ୍ତି। ଶୁକ୍ରବାର ଜୁନିଅର ଡାକ୍ତରମାନେ ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇ କହିଥିଲେ ଯେ, ଯଦି ଏହି ସମୟ ସୁଦ୍ଧା ସେମାନଙ୍କ ଦାବି ପୂରଣ ନହୁଏ, ତେବେ ସେମାନେ ଏହାର ପରଦିନ ଅର୍ଥାତ୍ ଅକ୍ଟୋବର ୨୨ ତାରିଖରେ ରାଜ୍ୟବ୍ୟାପୀ ହସ୍ପିଟାଲରେ କାର୍ଯ୍ୟ ବନ୍ଦ ଆନ୍ଦୋଳନ ତଥା ଧର୍ମଘଟକୁ ଓହ୍ଲାଇବେ। ଜୁନିଅର ଡାକ୍ତରଙ୍କ ଏପ୍ରକାର ଧମକ ଦିଆଯିବାର କିଛି ଘଣ୍ଟା ମଧ୍ୟରେ ଆଜି ମୁଖ୍ୟମନ୍ତ୍ରୀ ମମତାଙ୍କ ଉପରୋକ୍ତ ପ୍ରତିକ୍ରିୟା ସାମ୍ନାକୁ ଆସିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking