କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କୁ କୋଲକାତା ଆସିବାକୁ ନିମନ୍ତ୍ରଣ କରିଛନ୍ତି । ଅଖିଳେଶ ମଧ୍ୟ ମମତାଙ୍କ ଆମନ୍ତ୍ରଣର ସମ୍ମାନ ରକ୍ଷା ପୂର୍ବକ କୋଲକାତା ଗସ୍ତ କରିବେ ବୋଲି ସୂଚନା ମିଳିଛି । ପ୍ରକାଶ, ତୃଣମୂଳ କଂଗ୍ରେସ (ଟିଏମ୍ସି) ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିମନ୍ତ୍ରଣରେ ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ ଜୁଲାଇ ୨୧ ଅର୍ଥାତ୍ ରବିବାର କୋଲକାତାର ଧର୍ମତଲା ଗସ୍ତ କରିବେ । ଏଠାରେ ଟିଏମ୍ସି ପକ୍ଷରୁ ଆୟୋଜିତ ଏକ ସାଧାରଣ ସଭାରେ ଅଖିଳେଶ ଯୋଗଦେବେ । ସିଧା ଅର୍ଥରେ କହିଲେ ଆଗାମୀ ଦିନରେ ଗୋଟିଏ ମଞ୍ଚରେ ନଜର ଆସିବେ ଅଖିଳେଶ ଏବଂ ମମତା ।
ଟିଏମ୍ସି ନେତା କୁନାଲ ଘୋଷ ସୋସିଆଲ ମିଡିଆ ‘ଏକ୍ସ’ରେ ଏକ ପୋଷ୍ଟ କରି କହିଛନ୍ତି, କୋଲକାତାର ଧର୍ମତଲାରେ ଆୟୋଜିତ ହେବାକୁ ଥିବା ଟିଏମ୍ସି ରାଲିରେ ଏସ୍ପି ମୁଖ୍ୟ ଅଖିଳେଶ ଯାଦବ ଅଂଶଗ୍ରହଣ କରିବେ । ସହିଦ୍ ଦିବସ ଅବସରରେ ଏହି ରାଲିର ଆୟୋଜନ କରାଯାଉଛି । ୨୧ ଜୁଲାଇ ୧୯୯୩ରେ ଏକ ପ୍ରଦର୍ଶନ ସମୟରେ ନିହତ ହୋଇଥିବା ଶ୍ରମିକଙ୍କ ସ୍ମୃତିରେ ମମତା ବାନାର୍ଜୀ ସହିଦ୍ ଦିବସ ପାଳନ କରିଥିଲେ । ସୂଚନାଯୋଗ୍ୟ, ଇଣ୍ଡିଆ ମିଳିତ ମେଣ୍ଟର ଦୁଇ ସହଯୋଗୀ ଦଳ ଟିଏମ୍ସି ଏବଂ ସମାଜବାଦୀ ପାର୍ଟି ମଧ୍ୟରେ ବେଶ୍ ଭଲ ସମ୍ପର୍କ ରହିଛି । ବିଶେଷ କରି ମମତା ବାନାର୍ଜୀ ଏବଂ ଅଖିଳେଶ ଯାଦବଙ୍କ ସମ୍ପର୍କ ଭଲ ରହିଆସିଛି । ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ସମୟରେ ମମତା ସମାଜବାଦୀ ପାର୍ଟି ପାଇଁ ପ୍ରଚାର କରିଥିଲେ । ଏଥି ସହିତ ୨୦୨୪ ଲୋକସଭା ନିର୍ବାଚନରେ ଅଖିଳେଶ ଏବଂ ମମତାଙ୍କ ଦଳକୁ ଭଦୋହି ଆସନ ପ୍ରଦାନ କରିଥିଲେ । ପ୍ରକାଶ, ଦେଶର ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତଙ୍କ ବିବାହ ପରେ ମୁମ୍ବାଇରେ ଇଣ୍ଡିଆ ମିଳିତ ମେଣ୍ଟ ଏକାଠି ହୋଇଥିଲେ । ଏବେ ପୁଣି ଥରେ ସମାନ ପ୍ଲାଟ୍ଫର୍ମରେ ଇଣ୍ଡିଆ ମେଣ୍ଟର ଦୁଇଟି ବଡ଼ ଦଳକୁ ଦେଖିବାକୁ ମିଳିବ ।