21.1 C
Bhubaneswar
Tuesday, February 3, 2026
Homeଦେଶ ବିଦେଶପୁଣି ଇସି ଓ ଏସ୍‌ଆଇଆର୍ ବିରୋଧରେ ଗର୍ଜିଲେ ମମତା

ପୁଣି ଇସି ଓ ଏସ୍‌ଆଇଆର୍ ବିରୋଧରେ ଗର୍ଜିଲେ ମମତା

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଙ୍ଗଳବାର ପୁଣିଥରେ ନିର୍ବାଚନ ଆୟୋଗ ଏବଂ ଏସ୍‌ଆଇଆର୍ ବିରୋଧରେ ଗର୍ଜିଛନ୍ତି। ସମ୍ପ୍ରତି ନୂଆଦିଲ୍ଲୀରେ ଡେରା ପକାଇଥିବା ମମତା ନିଜର ଏବଂ ନିଜ ସମର୍ଥକମାନଙ୍କ ସୁରକ୍ଷାକୁ ନେଇ ଚିନ୍ତିତ ଥିବା ବେଳେ ନିଜ ରାଜ୍ୟରୁୂ ସ୍ୱତନ୍ତ୍ର ବାହିନୀକୁ ଡକାଇଥିବା ନେଇ ମଧ୍ୟ ସୂଚନା ମିଳିଛି। ରିପୋର୍ଟ ଅନୁସାରେ ଦିଲ୍ଲୀ ପୁଲିସ୍ ପକ୍ଷରୁ ଲଗାଯାଇଥିବା କଡ଼ା ସୁରକ୍ଷା ବଳୟ ସତ୍ତ୍ୱେ ମମତା ବାନାର୍ଜୀ କୋଲକାତାରୁ ଦିଲ୍ଲୀକୁ ସ୍ୱତନ୍ତ୍ର ବାହିନୀ ଡକାଇଛନ୍ତି। ସୁତରାଂ ପଶ୍ଚିମବଙ୍ଗ ପୁଲିସ୍‌ର ଏକ ସ୍ୱତନ୍ତ୍ର ଦଳ, ଜଣେ ଡିଏସ୍‌ପି-ର଼୍ୟାଙ୍କ ଅଧିକାରୀ ଏବଂ ୨୨ ଜଣିଆ ଆରଏଏଫ ଦଳ ସହିତ ଦିଲ୍ଲୀ ଅଭିମୁଖେ ଆସିଛନ୍ତି। ଟିଏମ୍‌ସି ସୂତ୍ରରୁ ମିଳଥିବା ସୂଚନାନୁସାରେ ସମସ୍ତ ଦଳୀୟ ସାଂସଦଙ୍କୁ ଆସନ୍ତାକାଲି ଅପରାହ୍ନ ୪ଟାରେ ୧୮୧ ଦକ୍ଷିଣ ଆଭେନ୍ୟୁରେ ମମତା ବାନାର୍ଜୀଙ୍କ ଦ୍ୱାରା ଆୟୋଜିତ ଏକ ଟି’ ପାର୍ଟିକୁ ନିମନ୍ତ୍ରଣ କରାଯାଇଛି। ଏହା ପୂର୍ବରୁ, ମମତା ବାନାର୍ଜୀ ଅପରାହ୍ନ ୩ଟାରେ ବଙ୍ଗ ଭବନରେ ଏସ୍‌ଆଇଆର ପୀଡିତଙ୍କ ସହିତ ଏକ ସାମ୍ବାଦିକ ସମ୍ମିଳନୀ କରିବେ।

ସୂଚନାଯୋଗ୍ୟ, ସୋମବାର ମମତା ଏସ୍‌ଆଇଆର୍ ପ୍ରସଙ୍ଗରେ ମୁଖ୍ୟ ନିର୍ବାଚନ କମିଶନର (ଇସିଆଇ) ଜ୍ଞାନେଶ କୁମାରଙ୍କ ସହ ଏକ ବୈଠକରେ ଯୋଗଦେଇଥିବା ବେଳେ ବୈଠକ ଅଧାରୁ ଉଠି ଚାଲିଯାଇଥିଲେ। ମମତା ନିର୍ବାଚନ କମିଶନରଙ୍କୁ ଅହଂକାରୀ ଏବଂ ତାଙ୍କ ପ୍ରତିନିଧିମଣ୍ଡଳକୁ ଅପମାନିତ କରୁଥିବା ଅଭିଯୋଗ କରିଥିଲେ। ଏତଦ୍‌ବ୍ୟତୀତ ମମତା ନିର୍ବାଚନ ଆୟୋଗଙ୍କୁ ବିଜେପି ଏଜେଣ୍ଟ ବୋଲି କହିବାକୁ ମଧ୍ୟ ପଛାଇନଥିଲେ। ତେବେ ଏହାକୁ ନେଇ ରାଜନୈତିକ ପରିବେଶ ବହୁତ ଉଷ୍ମ ହୋଇଯାଇଛି। ସୂତ୍ର ଅନୁସାରେ, ମମତା ସମ୍ଭାବ୍ୟ ପ୍ରତିବାଦ କିମ୍ବା କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡାଇବା ପାଇଁ ଦିଲ୍ଲୀରେ ତାଙ୍କ ସୁରକ୍ଷାକୁ ବିପଦରେ ପକାଇବାକୁ ଚାହାଁନ୍ତି ନାହିଁ। ଏହି କାରଣରୁ ସେ ଦିଲ୍ଲୀ ପୁଲିସ୍ ଉପରେ ନିର୍ଭର କରିବା ପରିବର୍ତ୍ତେ ବଙ୍ଗଳାରୁ ତାଙ୍କର ବିଶ୍ୱସ୍ତ ବାହିନୀ ମୁତୟନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଦିଲ୍ଲୀରେ ଥିବା ବଙ୍ଗ ଭବନ ଏବଂ ଅନ୍ୟାନ୍ୟ ପଶ୍ଚିମବଙ୍ଗ ସରକାରୀ ଅତିଥି ଗୃହଗୁଡ଼ିକର ସୁରକ୍ଷା ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏହି ମିଶନ ପାଇଁ ୨୦ରୁ ୨୫ ଜଣିଆ ପୁଲିସର ଏକ ସ୍ୱତନ୍ତ୍ର ଦଳ ଆଜି ବିଳମ୍ବିତ ରାତିରେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking