-୩.୪୦ କୋଟିର କ୍ଷୟକ୍ଷତି ଆକଳନ
-ଇଣ୍ଟରନେଟ୍ କଟକଣା ୨୪ ଘଣ୍ଟା ବୃଦ୍ଧି
ଭୁବନେଶ୍ୱର: ମାଲକାନଗିରି ଏମ୍ଭି-୨୬ ହିଂସା ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ରିପୋର୍ଟ ଦିଆଯାଇଛି। ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଏହି ରିପୋର୍ଟ ଦେଇଛନ୍ତି। ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଓ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ମାଲକାନଗିରିରେ ସ୍ଥିତି ସମୀକ୍ଷା କରି ଫେରିବା ପରେ ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଇଛନ୍ତି। ଗୁରୁବାର ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ମାଲକାନଗିରି ଗସ୍ତରେ ଯାଇ ଏମ୍ଭି-୨୬ ଓ ରାଖେଲଗୁଡ଼ା ଗାଁ ବିବାଦକୁ ନେଇ ପର୍ଯ୍ୟାୟ କ୍ରମେ ଦୁଇ ଗୋଷ୍ଠୀଙ୍କ ସହ ଆଲୋଚନା କରିଥିଲେ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବୈଠକ ସରିବା ପରେ କେଭି ସିଂଦେଓ ପ୍ରତିକ୍ରିୟା ରଖି କହିଥିଲେ ଦୁଇ ଗୋଷ୍ଠୀ ଦାବିପତ୍ର ପ୍ରଦାନ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିବି। ଆଇନଶୃଙ୍ଖଳା ବଜାୟ ରଖିବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଥିଲେ।
ଅନ୍ୟପକ୍ଷରେ ମାଲକାନଗିରି ହିଂସାରେ ୩ କୋଟି ୪୦ ଲକ୍ଷ ଟଙ୍କାର କ୍ଷୟକ୍ଷତି ଆକଳନ କରାଯାଇଛି। ଏନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ। ତେବେ କ୍ଷୟକ୍ଷତି ଆକଳନରେ ଘରକୁ ସାମିଲ କରାଯାଇନି। ଘର କ୍ଷୟକ୍ଷତିର ଆକଳନ ବୈଷୟିକ ଟିମ୍ କରୁଛନ୍ତି। କୌଣସି ଅପ୍ରୀତିକରି ଘଟଣା ଆଉ ଘଟିନି, ସ୍ୱାଭାବିକ ସ୍ଥିତି ଫେରୁଛି। ଏମ୍ଭି-୨୬ ଗାଁକୁ ଲୋକେ ଫେରୁଛନ୍ତି, ରିଲିଫ୍ ବଣ୍ଟାଯାଉଛି। ବିଦ୍ୟୁତ୍ ଓ ଜଳ ଯୋଗାଣ ପାଇଁ ଜୋରଦାର କାମ ଚାଲିଛି ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ସେହିପରି ପୁଣି ଇଣ୍ଟରନେଟ ସେବାକୁ ୨୪ ଘଣ୍ଟା ପାଇଁ ବନ୍ଦ ରଖାଯାଇଛି ବୋଲି ଅତିରିକ୍ତ ଏସ୍ପି ରାଜ କିଶୋର ଦାଶ ସୂଚନା ଦେଇଛନ୍ତି।










