ଭୁବନେଶ୍ୱର: ୧୦ କେନ୍ଦ୍ରୀୟ ଶ୍ରମିକ ସଂଗଠନ, ସ୍ୱାଧୀନ ଫେଡେରେସନ ଓ ସଂଯୁକ୍ତ କୃଷକ ମୋର୍ଚ୍ଚା ଆଗାମୀ ତା. ୧୨/୦୨/୨୦୨୬ ରିଖ ଦିନ ସର୍ବଭାରତୀୟ ଧର୍ମଘଟ ଡାକରା ଦିଆଯାଇଛି । ୪ଟି ଲେବର କୋଡକୁ ପ୍ରତ୍ୟାହାର ମନରେଗା ସ୍ମିମ୍ର ପୁନଃଉର୍ଦ୍ଧାର, ୨୦୨୫ ଇଲେକ୍ଟ୍ରିସିଟି ବିଲ୍, ସିଟ୍ ବିଲ୍ର ପ୍ରତ୍ୟାହାର, ମାସକୁ ୨୬ ହଜାର ଟଙ୍କା ସର୍ବନିମ୍ନ ମଜୁରୀ, ଅଙ୍ଗନୱାଡି, ପାଚିକା, ସ୍ୱାସ୍ଥ୍ୟକର୍ମୀଙ୍କ ସମେତ ସମସ୍ତ ଠିକା ଶ୍ରମିକଙ୍କୁ ସ୍ଥାୟୀ କରିବା ଦାବିରେ ଏହି ଧର୍ମଘଟ ଆହ୍ୱାନ ଦିଆଯାଇଛି । ଦୀର୍ଘ ୨ ବର୍ଷ ଧରି ସ୍ମାରକ ପତ୍ର, ସଂସଦ ଆଗରେ ଧାରଣା, କାର୍ଯ୍ୟବନ୍ଦ ଆନ୍ଦୋଳନ କଲାପରେ ମଧ୍ୟ କେନ୍ଦ୍ର ସରକାର, ଶ୍ରମିକ କର୍ମଚାରୀ ସଂଗଠନମାନଙ୍କୁ ଡାକି ଆପୋଷ ଆଲୋଚନା ମାଧ୍ୟମରେ ସମାଧାନ ଉଦ୍ୟମ ନ କରିବା ଫଳରେ ଶ୍ରମିକମାନେ ଏହି ଧର୍ମଘଟ କରିବାକୁ ବାଧ୍ୟ ହେଉଛନ୍ତି । ଏଣୁ ଓଡ଼ିଶାର ସମସ୍ତ ଶ୍ରମିକ କର୍ମଚାରୀ, ଚାଷୀ ମୂଲିଆ, ଛାତ୍ର, ଯୁବକ ସହଯୋଗ କରି ଏହି ଧର୍ମଘଟକୁ ସଫଳ କରିବା ପାଇଁ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ଜାତୀୟ ଉପସଭାପତି, ରାଜ୍ୟସଭାପତି ତଥା ପୂର୍ବତନ ସାଂସଦ ଡ. ରାମଚନ୍ଦ୍ର ଖୁଂଟିଆ ଏକ ପ୍ରେସ ବିଜ୍ଞାପ୍ତିରେ କହିଛନ୍ତି ।










