କାଲ୍ଗାରୀ : ଭାରତ ଉଦୀୟମାନ ଶଟ୍ଲର୍ ପ୍ରିୟାଂଶୁ ରଜାୱତ୍ ଏଠାରେ ଚାଲିଥିବା କାନାଡା ଓପନ୍ ବ୍ୟାଡ୍ମିଣ୍ଟ୍ ଟୁର୍ଣ୍ଣାମେଣ୍ଟ୍ରେ ଏକ ବଡ଼ ବିପର୍ଯ୍ୟୟ ଘଟାଇଛନ୍ତି । ୨୨ ବର୍ଷୀୟ ରଜାୱତ୍ ନିଜ ଚମତ୍କାର ପ୍ରଦର୍ଶନ ଜାରିରଖି ଟପ୍ ସିଡ୍ ତଥା ବିଶ୍ୱ ନଂ.୪ ଡେନ୍ମାର୍କ ଖେଳାଳି ଆଣ୍ଡର୍ସ ଆଣ୍ଟୋନ୍ସେନ୍ଙ୍କୁ ହରାଇ ସେମିଫାଇନାଲ୍ରେ ସ୍ଥାନ ପକ୍କା କରିଛନ୍ତି । ବିଶ୍ୱ ନଂ. ୩୯ ଖେଳାଳି ଶୁକ୍ରବାର ରାତିରେ ଏକ ଘଣ୍ଟା ୧୯ ମିନିଟ୍ ପର୍ଯ୍ୟନ୍ତ ଚାଲିଥିବା ସଂଘର୍ଷପୂର୍ଣ୍ଣ କ୍ୱାର୍ଟର୍ ଫାଇନାଲ୍ରେ ଆଣ୍ଟୋନ୍ସେନ୍ଙ୍କୁ ୨୧-୧୧, ୧୭-୨୧, ୨୧-୧୯ରେ ମାତ୍ ଦେଇଛନ୍ତି । ଏହା ଭାରତୀୟ ଖେଳାଳିଙ୍କ କ୍ୟାରିୟର୍ର ସବୁଠୁ ବଡ଼ ବିଜୟ । ବିଶ୍ୱର ଶୀର୍ଷ ୧୦ରେ ସାମିଲ କୌଣସି ଖେଳାଳିଙ୍କୁ ରଜାୱତ୍ ହରାଇବା ଏହା ପ୍ରଥମ ଘଟଣା । ବିଶ୍ୱ ଟୁର୍ ସୁପର୍ ୫୦୦ ଟୁର୍ଣ୍ଣାମେଣ୍ଟ୍ରେ ଏହା ରଜାୱତ୍ଙ୍କ ଦ୍ୱିତୀୟ ସେମିଫାଇନାଲ୍ । ସେମିଫାଇନାଲ୍ରେ ସେ ଫ୍ରାନ୍ସର ଆଲେକ୍ସ ଲେନିୟର୍ଙ୍କୁ ଭେଟିବେ । ଟୁର୍ଣ୍ଣାମେଣ୍ଟ୍ରେ ଏହା ପୂର୍ବରୁ ମଧ୍ୟ ସେ ନିଜଠାରୁ ଉନ୍ନତ ର୍ୟାଙ୍କ୍ର ଖେଳାଳିଙ୍କୁ ହରାଇଥିଲେ । ବିଶ୍ୱ ନଂ. ୨୪ ଡେନ୍ମାର୍କର ରାସ୍ମସ୍ ଗେମ୍କେ ଏବଂ ନଂ. ୩୩ ଜାପାନର ତାକୁମା ଓବାୟାଶୀଙ୍କୁ ହରାଇ କ୍ୱାର୍ଟର୍ ଫାଇନାଲ୍ରେ ପ୍ରବେଶ କରିଥିଲେ ।