ନୂଆଦିଲ୍ଲୀ : ଆସନ୍ତାକାଲି ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ବିଧାନସଭା ପାଇଁ ପଡ଼ିବ ଭୋଟ। ଏଥିପାଇଁ ପ୍ରସ୍ତୁତି ଶେଷ ପର୍ୟ୍ୟାୟରେ ପହଞ୍ଚିଛି। ବୁଥ ମୁହାଁ ହେଲେଣି ପୋଲିଂ ପାର୍ଟି। ଆସନ୍ତାକାଲି ମହାରାଷ୍ଟ୍ର ବିଧାନସଭାର ସମସ୍ତ ୨୮୮ ଆସନ ପାଇଁ ଗୋଟିଏ ପର୍ୟ୍ୟାୟରେ ଭୋଟ ଗ୍ରହଣ ହେବ। ସେହିପରି ଝାଡ଼ଖଣ୍ଡରେ ଗତ ୧୩ରେ ପ୍ରଥମ ପର୍ୟ୍ୟାୟରେ ୪୩ ଆସନ ପାଇଁ ଭୋଟ ଗ୍ରହଣ ହୋଇଥିବା ବେଳେ ଆସନ୍ତାକାଲି ବାକି ୩୮ ଆସନ ପାଇଁ ଭୋଟ ଗ୍ରହଣ ହେବ। ନଭେମ୍ବର ୨୩ରେ ଉଭୟ ରାଜ୍ୟର ଫଳାଫଳ ସାମ୍ନାକୁ ଆସିବ। ଏହି ଦୁଇ ରାଜ୍ୟରେ କିଏ ଗଢ଼ିବ ସରକାର ତାକୁ ନେଇ ଚାଲିଛି ଜୋରଦାର କସରତ। ଗତକାଲି ପ୍ରଚାରର ଶେଷ ଦିନ ଥିଲା। ଜନତାଙ୍କୁ ନିଜ ସପକ୍ଷକୁ ଟାଣିବାକୁ ପ୍ରଚାର ମୈଦାନରେ ଝାଳ ବୁହାଉଛନ୍ତି ନେତା ଓ ପ୍ରାର୍ଥୀ। ଏହି ଦୁଇ ରାଜ୍ୟରେ ଏନଡିଏ ଓ ଇଣ୍ଡି ମେଣ୍ଟ ମଧ୍ୟରେ ଟକ୍କର ହେଉଛି। ଏନଡିଏ ପାଇଁ ପିଏମ ମୋଦି, ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ପ୍ରଚାର କରିଥିବା ବେଳେ ଇଣ୍ଡିଆ ମେଣ୍ଟ ଓ କଂଗ୍ରେସ ପାଇଁ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାଡଗେ, ରାହୁଲ ଗାନ୍ଧି ପ୍ରମୁଖ ପ୍ରଚାର ମୈଦାନକୁ ଓହ୍ଲାଇଥିଲେ।