ପୁରୀ: ଆଜି ଓଡ଼ିଶାର ପୁର ପଲ୍ଲୀରେ ପାଳିତ ହେଉଛି ଧନୁ ସଂକ୍ରାନ୍ତି । ଶ୍ରୀମନ୍ଦିରରେ ମଧ୍ୟ ମହାପ୍ରଭୁଙ୍କ ବିଶେଷ ନୀତିକାନ୍ତି ପାଳନ କରାଯାଉଛି । ଶ୍ରୀନଅରରେ ଆରମ୍ଭ ହୋଇଛି ବିଶ୍ୱନିୟନ୍ତାଙ୍କ ପହିଲି ଭୋଗ ନୀତି । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସ୍ଵତନ୍ତ୍ର ପହିଲି ଭୋଗ ନୀତି ଦୀର୍ଘ ଏକମାସ ଧରି ଅନୁଷ୍ଠିତ ହେବ । ଏହି ପହିଲି ଭୋଗରେ ବିରି, ଗହମ ଚୂନାରେ ଘୃତ ପାଗ ହୋଇଥିବା ପିଠା ଓ ଧନୁ ମୂଆଁ ମହାପ୍ରଭୁଙ୍କ ପାଖରେ ଲାଗି ହୋଇଛି । ତେବେ ଗୋପାଳବଲ୍ଲଭ ସମୟରେ ଏହି ପହିଲି ଭୋଗ ନୀତି ହୋଇଥାଏ । ଶ୍ରୀମନ୍ଦିର ପ୍ରଶାସନର ନିଷ୍ପତ୍ତି ଅନୁଯାୟୀ ରାତ୍ର ୨ଟାରୁ ଶ୍ରୀମନ୍ଦିର ଦ୍ୱାରଫିଟା ଯାଇ ମହାପ୍ରଭୁଙ୍କ ମଙ୍ଗଳ ଆଳତୀ ସହ ଅନ୍ୟାନ୍ୟ ନୀତି କାନ୍ତି ବଢ଼ି ୫ଟା ୩୦ ରୁ ୬ଟା ମଧ୍ୟରେ ପହିଲି ଭୋଗ ନୀତି ସମ୍ପନ୍ନ ହୋଇଥିଲା । କଥାରେ ଅଛି ମା ମହାଲକ୍ଷ୍ମୀ ଧନୁ ସଂକ୍ରାନ୍ତି ଠାରୁ ଦୀର୍ଘ ଏକମାସ ଧରି ନିଜ ପିତ୍ରାଳୟକୁ ଯାଇଥାନ୍ତି । ତେଣୁ ଶ୍ରୀମନ୍ଦିରରେ ମା ଲକ୍ଷ୍ମୀଙ୍କ ଅନୁପସ୍ଥିତ ବେଳେ ମା ଯଶୋଦା ପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ପାଇଁ ବ୍ୟଞ୍ଜନ ପ୍ରସ୍ତୁତ କରିଥାନ୍ତି । ଧନୁ ସଂକ୍ରାନ୍ତି ଠାରୁ ମକର ସଂକ୍ରାନ୍ତି ପୂର୍ବ ଦିନ ପର୍ଯ୍ୟନ୍ତ ପହିଲି ଭୋଗ ପ୍ରସ୍ତୁତ ହୋଇଥାଏ । ତେବେ ପହିଲି ଭୋଗ ହେଉଛି ମହାପ୍ରଭୁଙ୍କ ଆଦ୍ୟ ଭୋଗ । ଯାହାକି କାଉ କା କରିବା ପୂର୍ବରୁ ଏହା ମହାପ୍ରଭୁଙ୍କ ପାଖରେ ଲାଗି କରାଯାଇଥାଏ ।