ଲକ୍ଷ୍ନୌ: ଚଳିତ ଆଇପିଏଲ୍ ସିଜନ୍ର ୪୦ତମ ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ୮ ୱିକେଟ୍ରେ ଘରୋଇ ଲକ୍ଷ୍ନୌ ସୁପର୍ ଜାଏଣ୍ଟ୍ସକୁ ଶୋଚନୀୟ ଭାବେ ହରାଇ ଦେଇଛି। ସ୍ଥାନୀୟ ଭାରତ ରତ୍ମ ଶ୍ରୀ ଅଟଳ ବିହାରୀ ବାଜପେୟୀ ଇକାନା କ୍ରିକେଟ୍ ଷ୍ଟାଡିୟମ୍ରେ ମଙ୍ଗଳବାର ଖେଳାଯାଇଥିବା ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଲକ୍ଷ୍ନୌ ୬ ୱିକେଟ୍ ହରାଇ ୧୫୯ ରନ୍ କରିଥିଲା। ଜବାବରେ ଦିଲ୍ଲୀ ୧୭.୫ ଓଭର୍ରେ ଦୁଇ ୱିକେଟ୍ ବିନିମୟରେ ୧୬୧ ରନ୍ କରି ବିଜୟୀ ହୋଇଛି। କେଏଲ୍ ରାହୁଲ ଓ ଅଭିଷେକ ପୋରେଲ୍ଙ୍କ ଚମତ୍କାର ଅର୍ଦ୍ଧଶତକ ହାସଲ କରିଛନ୍ତି।
୧୬୦ ରନ୍ର ଲକ୍ଷ୍ୟକୁ ପିଛା କରୁଥିବା ଦିଲ୍ଲୀକୁ ଚତୁର୍ଥ ଓଭର୍ରେ ପ୍ରଥମ ଝଟ୍କା ଲାଗିଥିଲା। କରୁଣ ନାୟର୍ ୧୫ ରନ୍ କରିଥିବା ବେଳେ ଏଦେନ୍ ମାର୍କରମ୍ ତାଙ୍କୁ କ୍ଲିନ୍ ବୋଲ୍ଡ କରିଥିଲେ। ଏହାପରେ କେଏଲ୍ ରାହୁଲ ଓ ଅଭିଷେକ ପୋରେଲ୍ ଚମତ୍କାର ବ୍ୟାଟିଂ କରି ଦ୍ୱିତୀୟ ୱିକେଟ୍ ପାଇଁ ୭୧ ରନ୍ର ପାର୍ଟନର୍ଶିପ୍ କରିଥିଲେ। ପୋରେଲ୍ ୩୨ ବଲ୍ରେ ଅର୍ଦ୍ଧଶକତ ପୂରଣ କରିଥିଲେ। ତେବେ ଦ୍ୱାଦଶ ଓଭର୍ରେ ଏଦେନ୍ ମାର୍କରମ୍ଙ୍କ ବଲ୍ରେ ଡେଭିଡ୍ ମିଲର୍ଙ୍କୁ କ୍ୟାଚ୍ ଦେଇ ବ୍ୟକ୍ତିଗତ ୫୧ ରନ୍ରେ ଫେରିଥିଲେ। ପୋରେଲ୍ଙ୍କ ୩୬ ବଲ୍ର ଇନିଂସ୍ରେ ୫ ଚୌକା ଓ ଗୋଟିଏ ଛକା ସାମିଲ ଥିଲା। ପୋରେଲ୍ଙ୍କ ପରେ ବ୍ୟାଟିଂ ପାଇଁ ଆସିଥିବା କ୍ୟାପ୍ଟେନ୍ ଅକ୍ଷର ପଟେଲ୍ ବିସ୍ଫୋରକ ବ୍ୟାଟିଂ କରି ଗୋଟିଏ ଚୌକା ଓ ୪ ଛକା ସହାୟତାରେ ୨୦ ବଲ୍ରୁ ୩୪ ରନ୍ କରି ଅପରାଜିତ ଫେରିଥିଲେ। ଗୋଟିଏ ପଟେ ତିଷ୍ଠି ରହି ୪୦ ବଲ୍ରେ ଅର୍ଦ୍ଧଶତକ ପୂରଣ କରିଥିବା ରାହୁଲ ୪୨ ବଲ୍ରୁ ତିନିଟି ଲେଖାଏ ଛକା ଓ ଚୌକା ସହାୟତାରେ ଅପରାଜିତ ୫୭ ରନ୍ର ଇନିଂସ୍ ଖେଳିଥିଲେ। ଏହା ୮ ମ୍ୟାଚ୍ରୁ ଦିଲ୍ଲୀର ଷଷ୍ଠ ବିଜୟ ହୋଇଥିବା ବେଳେ ୯ ମ୍ୟାଚ୍ରେ ଲକ୍ଷ୍ନୌର ଚତୁର୍ଥ ପରାଜୟ।
ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଲକ୍ଷ୍ନୌ ପକ୍ଷରୁ ଏଦେନ୍ ମାର୍କରମ୍ ଓ ମିଚେଲ୍ ମାର୍ଶ ବିସ୍ଫୋରକ ଆରମ୍ଭ କରିଥିଲେ। ମାର୍କରମ୍ ୩୦ ବଲ୍ରେ ଅର୍ଦ୍ଧଶତକ ପୂରଣ କରିଥିଲେ। ଉଭୟ ୮୭ ରନ୍ ଯୋଡ଼ିବା ପରେ ମାର୍କରମ୍ ୧୦ମ ଓଭର୍ର ଶେଷ ବଲ୍ରେ ଦୁଷ୍ମନ୍ତ ଚମିରଙ୍କ ଶିକାର ହୋଇଥିଲେ। ମାର୍କରମ୍ ୩୩ ବଲ୍ରୁ ୨ ଚୌକା ଓ ୩ ଛକା ସହାୟତାରେ ୫୨ ରନ୍ କରିଥିଲେ। ଏହାପରେ ମାର୍ଶଙ୍କ ସହ ନିକୋଲାସ୍ ପୂରନ୍ (୯) କୁଲଦୀପ୍ ଯାଦବଙ୍କ ଓଭର୍ରେ ଦୁଇଟି ଚୌକା ଲଗାଇଥିଲେ। ମାତ୍ର ଦ୍ୱାଦଶ ଓଭର୍ରେ ମିଚେଲ୍ ଷ୍ଟାର୍କ ତାଙ୍କୁ କ୍ଲିନ୍ ବୋଲ୍ଡ କରି ପ୍ୟାଭିଲିୟନ୍ ଫେରାଇଥିଲେ। ଏହାପରେ ମୁକେଶ କୁମାର ୧୪ ଓଭର୍ରେ ଅବ୍ଦୁଲ୍ ସମଦ (୨) ଓ ମିଚେଲ୍ ମାର୍ଶ (୪୫)ଙ୍କୁ ଆଉଟ୍ କରି ଲକ୍ଷ୍ନୌ ରନ୍ ଗତିରେ ବ୍ରେକ୍ ଲଗାଇଥିଲେ। ମାର୍ଶଙ୍କ ୩୬ ବଲ୍ର ଇନିଂସ୍ରେ ୩ଟି ଚୌକା ଗୋଟିଏ ଛକା ସାମିଲ ଥିଲା। ଚତୁର୍ଥ ୱିକେଟ୍ର ପତନ ପରେ ଡେଭିଡ୍ ମିଲର୍ ଓ ଆୟୁଷ ବଡ଼ୋନୀ ପଞ୍ଚମ ୱିକେଟ୍ ପାଇଁ ୪୯ ରନ୍ର ପାର୍ଟନର୍ଶିପ୍ କରିଥିଲେ। ମୁକେଶ କୁମାର ଶେଷ ଓଭର୍ରେ ବଡ଼ୋନୀ ଓ କ୍ୟାପ୍ଟେନ୍ ଋଷଭ ପନ୍ତ୍ଙ୍କୁ ଆଉଟ୍ କରି ଲକ୍ଷ୍ନୌକୁ ୧୫୯ ରନ୍ରେ ରୋକିଥିଲେ। ବଡ଼ୋନୀ ୨୧ ବଲ୍ରେ ୬ ଚୌକା ସହାୟତାରେ ୩୬ ରନ୍ କରିଥିବା ବେଳେ ଦୁଇଟି ବଲ୍ର ସମ୍ମୁଖୀନ ହୋଇଥିବା ପନ୍ତ୍ ଖାତା ମଧ୍ୟ ଖୋଲିପାରି ନଥିଲେ। ମିଲର୍ ୧୪ ରନ୍ କରି ଅପରାଜିତ ଫେରିଥିଲେ। ଦିଲ୍ଲୀ ପକ୍ଷରୁ ମୁକେଶ କୁମାର ସର୍ବାଧିକ ୪ଟି ୱିକେଟ୍ ନେଇଥିବା ବେଳେ ଷ୍ଟାର୍କ ଓ ଚମିରାଙ୍କୁ ୧-୧ ସଫଳତା ମିଳିଛି।