ଲକ୍ଷ୍ନୌ: କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଉପରେ ୨୦୦ ଟଙ୍କାର ଜୋରିମାନା ଲଗାଇଲେ ଲକ୍ଷ୍ନୌ କୋର୍ଟ । ଶୁଣାଣିରେ ଲଗାତାର ଅନୁପସ୍ଥିତ ରହିବାରୁ ଅତିରିକ୍ତ ମୁଖ୍ୟ ନ୍ୟାୟିକ ମାଜିଷ୍ଟ୍ରେଟ୍ କୋର୍ଟ ଏହି ନିଷ୍ପତ୍ତି ଦେଇଛନ୍ତି । କୋର୍ଟ ରାହୁଲ ଗାନ୍ଧୀଙ୍କୁ ୧୪ ଏପ୍ରିଲ୍ ୨୦୨୫ରେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି, ନଚେତ୍ ତାଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ବୀର ସାଭରକରଙ୍କ ଉପରେ ଦେଇଥିବା ବୟାନ ମାମଲାରେ ରାହୁଲ ଗାନ୍ଧୀଙ୍କ ବିରୋଧରେ ଶୁଣାଣି ଚାଲିଛି।କୋର୍ଟ ରାହୁଲ ଗାନ୍ଧୀଙ୍କୁ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ, କିନ୍ତୁ ସେ କୋର୍ଟରେ ହାଜର ହୋଇ ନଥିଲେ। ଶୁଣାଣି ସମୟରେ, ରାହୁଲ ଗାନ୍ଧୀଙ୍କ ପକ୍ଷରୁ ଓକିଲ ପ୍ରାଂଶୁ ଅଗ୍ରୱାଲ ହାଜର ହୋଇଥିଲେ। ସେ କୋର୍ଟରେ ହାଜର ହେବାରୁ ରହିତାଦେଶ ପାଇଁ ଆବେଦନ କରିଥିଲେ ।
ଏଥିରେ ସେ କହିଛନ୍ତି ଯେ ରାହୁଲ ଗାନ୍ଧୀ ବର୍ତ୍ତମାନ ଲୋକସଭାରେ ବିରୋଧୀ ଦଳ ନେତା । ତାଙ୍କର ଦିଲ୍ଲୀରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଥିଲା । ଏହା ବ୍ୟତୀତ ତାଙ୍କୁ ଅନ୍ୟ କିଛି କାର୍ୟ୍ୟକ୍ରମରେ ମଧ୍ୟ ଯୋଗ ଦେବାକୁ ପଡିଲା । ଯାହା ଯୋଗୁଁ ସେ କୋର୍ଟରେ ହାଜର ହୋଇପାରିଲେ ନାହିଁ । ସେ କୋର୍ଟଙ୍କ ନିର୍ଦ୍ଦେଶକୁ ସମ୍ମାନ କରନ୍ତି ଏବଂ ଜାଣିଶୁଣି କୋର୍ଟରେ ହାଜର ହେବାକୁ ଏଡାଇବାକୁ ଚେଷ୍ଟା କରୁନାହାଁନ୍ତି। ରାହୁଲ ଗାନ୍ଧୀ ଆକୋଲାରେ ଏକ ସାମ୍ବାଦିକ ସମ୍ମିଳନୀରେ ବୀର ସାଭରକରଙ୍କ ଉପରେ ଏକ ବିବାଦୀୟ ବୟାନ ଦେଇଥିଲେ। ସେ ସାଭରକରଙ୍କୁ ‘ବ୍ରିଟିଶଙ୍କ ଦାସ’ ଏବଂ ‘ପେନସନଭୋଗୀ’ ବୋଲି କହିଥିଲେ । ରାହୁଲ ଗାନ୍ଧୀଙ୍କ ଏହି ବୟାନ ବିରୋଧରେ ନୃପେନ୍ଦ୍ର ପାଣ୍ଡେ ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚରେ ପହଞ୍ଚିଥିଲେ। ପାଣ୍ଡେ ରାହୁଲଙ୍କ ବୟାନ ପାଇଁ ଭାରତୀୟ ଦଣ୍ଡ ସଂହିତାର ଧାରା ୧୫୩(ଏ) ଏବଂ ୫୦୫ ଅନୁଯାୟୀ ମାମଲା ରୁଜୁ କରିବାକୁ ଦାବି କରିଛନ୍ତି ।










