ଲକ୍ଷ୍ନୌ : ଲକ୍ଷ୍ନୌଠାରେ ଶୁକ୍ରବାର ଖେଳାଯାଇଥିବା ଆଇପିଏଲର ଏକ ମ୍ୟାଚରେ ମୁମ୍ବାଇକୁ ୧୨ ରନରେ ପରାସ୍ତ କରିଛି ଲକ୍ଷ୍ନୌ । ଲକ୍ଷ୍ନୌ ପକ୍ଷରୁ ରଖାଯାଇଥିବା ୨୦୪ ରନ ଲକ୍ଷ୍ୟ ଜବାବରେ ମୁମ୍ବାଇ୧୯୧ ରନ କରିପାରିଥିଲା । ଦଳ ପକ୍ଷରୁ ସୂର୍ଯ୍ୟକୁମାର ଯାଦବ ୬୭ ରନ କରିଥିବାବେଳେ ନମନ ଧୀର ୪୬ ରନ କରିଥିଲେ । ସେହିପରି ତିଳକ ବର୍ମା ୨୫ ରନ କରିଥିବାବେଳେ ହାର୍ଦ୍ଦିକ ପାଣ୍ଡ୍ୟା ୨୮ ରନ କରିଥିଲେ ।
ଏହି ମ୍ୟାଚରେ ମୁମ୍ବାଇ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଲକ୍ଷ୍ନୌ ନିର୍ଦ୍ଧାରିତ ୨୦ ଓଭରରେ ୮ ଓ୍ବିକେଟ ହରାଇ ୨୦୩ ରନ କରିଥିଲା । ଦଳ ପକ୍ଷରୁ ବ୍ୟାଟିଂ ଓପନ କରିଥିବା ମିଚେଲ ମାର୍ସ ବିସ୍ଫୋରକ ବ୍ୟାଟିଂ କରି ମାତ୍ର ୩୧ ବଲରେ ୬୦ ରନ କରିଥିଲେ । ସେହିପରି ଆଇଡେନ ମାର୍କରାମ୍ ୩୮ ବଲରେ ୫୩ ରନ କରିଥିଲେ । ଆୟୁଷ ବାଦୋନି ୩୦ ରନ କରିଥିବାବେଳେ ଡେଭିଡ୍ ମିଲର ୨୭ ରନ କରିଥିଲେ । ତେବେ ଦଳର ନିମ୍ନକ୍ରମ ବ୍ୟାଟରମାନେ ବିଫଳ ହୋଇଥିଲେ । ମୁମ୍ବାଇ ପକ୍ଷରୁ ହାର୍ଦ୍ଦିକ ପାଣ୍ଡ୍ୟା ପ୍ରଭାବୀ ବୋଲିଂ କରି ୫ ଓ୍ବିକେଟ ନେଇଥିଲେ । ସେହିପରି ବିଘ୍ନେଶ ପୁଥୁର, ଟ୍ରେଣ୍ଟ ବୋଲ୍ଟ ଓ ଅଶ୍ବିନୀ କୁମାର ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।