ଭୁବନେଶ୍ୱର: ସୋମବାର ଦକ୍ଷିଣ ବଙ୍ଗୋପସାଗରର କେନ୍ଦ୍ରସ୍ଥଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଯାହାର ପ୍ରଭାବରେ ତାତିରେ ବ୍ରେକ୍ ଲାଗିବ। ଆସନ୍ତା ୭ଦିନ ଯାଏ ରାଜ୍ୟରେ ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷାହେବାର ସମ୍ଭାବନା ରହିଛି। ବିଜୁଳି, ଘଡ଼ଘଡ଼ି ସହ ୪୦ରୁ ୫୦କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି। ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟିହେବା ପରେ ଓଡ଼ିଶା ଉପରେ ଏହାର ପ୍ରଭାବ କିଛିମାତ୍ରାରେ ପଡ଼ିପାରେ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜଣାପଡ଼ିଛି। ଏପ୍ରିଲ୍ ୧୦ ଓ ୧୧ତାରିଖରେ ବିଭିନ୍ନ ଜାଗାରେ ବର୍ଷାହେବାର ସମ୍ଭାବନା ରହିଛି।
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ମୁତାବକ ‘ଦକ୍ଷିଣ ବଙ୍ଗୋପସାଗରର କେନ୍ଦ୍ରସ୍ଥଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହି ସିଷ୍ଟମ୍ ଆସନ୍ତାକାଲି (ଏପ୍ରିଲ ୮) ଯାଏ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରର ଉତ୍ତର-ପଶ୍ଚିମ ଦିଗକୁ ଗତିକରିବ।
ପରବର୍ତ୍ତୀ ୪୮ଘଣ୍ଟା ମଧ୍ୟରେ ଏହାର ଗତି ଉତ୍ତର-ପଶ୍ଚିମ ଦିଗକୁ ରହିବ। ଏହାର ପ୍ରଭାବରେ ଏପ୍ରିଲ୍ ୧୦ ଏବଂ ୧୧ତାରିଖ ଆଡକୁ ବର୍ଷାହେବାର ସମ୍ଭାବନା ରହିଛି। ପାଣିପାଗର ପୂର୍ବାନୁଯାୟୀ, ଆସନ୍ତା ୭ ଦିନ ହାଲୁକାରୁ ମଧ୍ୟମ ଧରଣର ବର୍ଷାହେବ। ବିଜୁଳି ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି। ଗୋଟିଏ କିମ୍ବା ଦୁଇଟି କାଁଭାଁ ସ୍ଥାନରେ ହାଲୁକା ବର୍ଷାହେବାର ସମ୍ଭାବନା ରହିଛି। ସେହି ଜିଲ୍ଲାଗୁଡ଼କ ହେଉଛି, କୋରାପୁଟ, ରାୟଗଡ଼ା, କନ୍ଧମାଳ, ମୟୂରଭଞ୍ଜ ଓ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲା। ଆସନ୍ତାକାଲି (ଏପ୍ରିଲ ୮)ରେ ଉପକୂଳବର୍ତ୍ତୀ ଜିଲ୍ଲା ସହ ମୟୂରଭଞ୍ଜ, କେନ୍ଦୁଝରରେ ହାଲୁକା ବର୍ଷା ହୋଇପାରେ। ଆସନ୍ତା ୯ତାରିଖରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ଉପକୂଳବର୍ତ୍ତୀ ଜିଲ୍ଲା ସମେତ ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ରାୟଗଡ଼ା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଜିଲ୍ଲାରେ ବର୍ଷା ସହିତ ବିଜୁଳି ଘଡ଼ଘଡ଼ି, ଝଟକା ପବନ ୩୦ରୁ ୪୦କିମି ବେଗରେ ବହିବାର ସମ୍ଭାବନା ରହିଛି। ସେଥିପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।’
ଏପ୍ରିଲ ୧୦ରେ କିଛି କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷାହେବାର ସମ୍ଭାବନା ରହିଛି। ଉପକୂଳବର୍ତ୍ତୀ ଜିଲ୍ଲା ସମେତ, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାରେ ବର୍ଷା ସହ ଘଡ଼ଘଡ଼ି ବିଜୁଳି, ଝଟକା ପବନ ଯାହାର ଗତି ଘଣ୍ଟା ପ୍ରତି ୪୦ରୁ ୫୦କିମି ବେଗରେ ରହିବ। ଏପ୍ରିଲ୍ ୧୧ତାରିଖରେ କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷାହେବାର ସମ୍ଭାବନା ରହିଛି। ବିଜୁଳି, ଘଡ଼ଘଡ଼ି ସହ ଝଟକା ପବନ ଘଣ୍ଟାପ୍ରତି ୪୦ରୁ ୫୦କିମି ବେଗ ରହିବାର ସମ୍ଭାବନା ରହିଛି। ଦକ୍ଷିଣ କୋଷ୍ଟାଲ୍ ଏରିଆ, ଦକ୍ଷିଣ-ଆଭ୍ୟନ୍ତରୀଣରେ ବର୍ଷାହେବାର ସମ୍ଭାବନା ଅଛି। ଉତ୍ତର-ଆଭ୍ୟନ୍ତରୀଣ ଓଡ଼ିଶା ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ ଏସବୁ ଜିଲ୍ଲାରେ କାଁଭାଁ ଗୋଟିଏ କି ଦୁଇଟି ସ୍ଥାନରେ ବର୍ଷା ସହିତ ବିଜୁଳି ଘଡ଼ଘଡ଼ି ଆଉ ପବନ ୩୦ରୁ ୪୦କିମି ଘଣ୍ଟା ପ୍ରତି ବହିବାର ସମ୍ଭାବନା ରହିଛି। ଏପ୍ରିଲ ୧୨ ଓ ୧୩ରେ ବି ଉପକୂଳ ସମେତ ପାଖାପାଖି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ତେବେ ଗତ ୨୪ଘଣ୍ଟା ମଧ୍ୟରେ ଭୁବନେଶ୍ୱରେ ୩୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ କଟକରେ ୩୭.୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ସର୍ବାଧିକ ତାପମାତ୍ରା ବୌଦ୍ଧ ଜିଲ୍ଲାରେ ୪୨ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। ୪୦ ଡିଗ୍ରୀ ଉପରେ ୯ଟି ସ୍ଥାନରେ ରେକର୍ଡ କରାଯାଇଛି।