ନୂଆଦିଲ୍ଲୀ : ଦିଲ୍ଲୀରେ ଲାଗୁ ହେବା ପରେ ପ୍ରତ୍ୟାହୃତ ହୋଇ ସାରିଥିବା ଅବକାରୀ ନୀତି ଯୋଗୁ ସରକାରଙ୍କୁ ହୋଇଛି ୨ ହଜାର କୋଟିରୁ ଅଧିକ କ୍ଷତି। ୨୦୨୧ରେ ତତ୍କାଳୀନ ଆପ୍ ସରକାର ଦିଲ୍ଲୀରେ ନୂଆ ଅବକାରୀ ବା ମଦ ନୀତି ଲାଗୁ କରିଥିଲେ। ଏଥିରେ ବ୍ୟାପକ ଦୁର୍ନୀତି ଅଭିଯୋଗ ହୋଇଥିଲା। ବର୍ଷକ ମଧ୍ୟରେ ଏହାକୁ ପ୍ରତ୍ୟାହୃତ କରାଯାଇଥିଲେ ହେଁ ଆଦମୀ ପାର୍ଟିର ମୁଖ୍ୟ ଅରବିନ୍ଦ କେଜ୍ରିୱାଲ, ଅବକାରୀ ମନ୍ତ୍ରୀ ମନୀଷ ସିସୋଦିଆ ଓ ରାଜ୍ୟସଭା ସାଂସଦ ସଂଜୟ ସିଂହଙ୍କୁ ଦୀର୍ଘ ମାସ ଜେଲ ଯିବାକୁ ପଡ଼ିଥିଲା।
ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ବି ବିବାଦୀୟ ମଦ ନୀତି ନେଇ ଉଭୟ ଆପ୍ ଓ ବିଜେପି ମୁହାଁମୁହିଁ ହୋଇଥିଲେ। ଏବେ ଦିଲ୍ଲୀରେ ବିଜେପି ୨୭ ବର୍ଷ ପରେ କ୍ଷମତାକୁ ଆସିବାରୁ ବିଧାନସଭାରେ ମଦ ନୀତି ନେଇ ଉପସ୍ଥାପିତ ହୋଇଛି ଭାରତୀୟ ମହାଲେଖାକାର ବା ସିଏଜିଙ୍କ ଅଡିଟ୍ ରିପୋର୍ଟ।ରିପୋର୍ଟରେ ଆପ୍ ସରକାରଙ୍କ ତ୍ରୁଟିପୂର୍ଣ୍ଣ ମଦ ନୀତି ଓ ଏହାର କାର୍ୟ୍ୟକାରିତାରେ ତ୍ରୁଟି ପାଇଁ ଦିଲ୍ଲୀ ସରକାରଙ୍କର ୨୦୦୨.୬୮ କୋଟି ଟଙ୍କା ରାଜସ୍ୱ ହରାଇଥିବା ଦର୍ଶାଯାଇଛି। ସିଏଜି ଦର୍ଶାଇଛନ୍ତି ଯେ ଦିଲ୍ଲୀ ଡେଭଲପମେଣ୍ଟ ଅଥରିଟି ବା ଡିଡିଏ ଓ ଦିଲ୍ଲୀ ମୁନସିପାଲ କମିଶନ ବା ଏମସିଡିର ବିନା ପରାମର୍ଶରେ ସବୁ ଅଂଚଳ ପାଇଁ ଲିକର ଭେଣ୍ଡ୍ ବା ମଦ ଦୋକାନ ଖୋଲିବାକୁ ଟେଣ୍ଡର ଡକାଯାଇଥିଲା। ସହରର କେଉଁ ଜାଗାରେ କ’ଣ ରହିବ ସେ ନେଇ ୨୦୨୧ରୁ ମାଷ୍ଟର ପ୍ଲାନ୍ ରହିଥିବା ବେଳେ ନୂଆ ମଦ ନୀତିରେ ତା’କୁ ଭ୍ରୁକ୍ଷେପ କରାଯାଇ ନଥିଲା। ପ୍ଲାନ ଅନୁସାରେ କେଉଁ ଅଂଚଳରେ ମଦ ଦେକାନ ଖୋଲିବ ନାହିଁ ତାହା ପୂର୍ବରୁ ସ୍ଥିରୀକୃତ ହୋଇଥିଲା। ହେଲ ନୂଆ ଅବକାରୀ ନୀତିରେ ପ୍ରତି ୱାର୍ଡରେ ଅନ୍ତତଃ ଦୁଇଟି ମଦ ଦୋକାନ ଖୋଲିବାକୁ ନିଷ୍ପତ୍ତି ନିଆଯାଇଥିଲା। ଦିଲ୍ଲୀ ଡେଭଲପେମଣ୍ଟ ଅଥରିଟି ମଦ ଦୋକାନ ସ୍ଥାପନକୁ ବିରୋଧ କରିବାରୁ ଲାଇସେନ୍ସ ଫି ଦେଇଥିବା ଦୋକାନୀମାନେ ହାଇକୋର୍ଟ ଯାଇଥିଲେ ଓ ଏହି କାରଣରୁ ଦୋକାନୀମାନଙ୍କୁ ଲାଇସେନ୍ସ ଫି ଛାଡ଼ କରାଯିବାରୁ ୯୪୧.୫୩ କୋଟି ରାଜସ୍ୱ ହାନୀ ହୋଇଥିଲା।
ଦିଲ୍ଲୀରେ ୨୫୦ଟି ୱାର୍ଡ ରହିଥିବାବେଳେ ୧୯ଟି ଜୋନରେ ଲାଇସେନ୍ସ ପାଇଥିବା ଦୋକାନୀମାନେ ଲାଇସେନ୍ସ ସରେଣ୍ଡର କଲା ପରେ ବି ପୁନଃ-ଟେଣ୍ଡର କରାଯାଇ ନଥିଲା। ସେହି ସମୟରେ ଅନ୍ୟ କୌଣସି ଅସ୍ଥାୟୀ ପଦକ୍ଷେପ ବି ନିଆଯାଇ ନଥିଲା। ଫଳରେ ଏଥିପାଇଁ ରାଜକୋଷକୁ ୮୯୦.୧୫ କୋଟି ଟଙ୍କାର କ୍ଷତି ହୋଇଥିଲା। କୋଭିଡ ଆଳରେ ଲାଇସେନସଧାରୀ ମଦ ବିକ୍ରି ହୋଇ ନଥିବା ଦର୍ଶାଇ ୧୪୪ କୋଟି ଛାଡ଼ ପାଇଥିଲେ। ଜୋନାଲ୍ ଲାଇସେନସଧାରୀଙ୍କଠାରୁ ସିକ୍ୟୁରିଟି ଡିପୋଜିଟ୍ ସଂଗ୍ରହ କଲାବେଳେ ଭୁଲ୍ ହିସାବ କାରଣରୁ ୨୭ କୋଟି ଟଙ୍କା ରାଜସ୍ୱ କ୍ଷତି ହୋଇଥିଲା। ନୂଆ ମଦ ନୀତି ଏଭଳି ସ୍ୱଚ୍ଛ ହେବ ଯେ ଯେଭଳି ଏହା କିଛି ଲୋକଙ୍କ ହାତକୁ ଚାଲି ନଯିବ ବୋଲି ପ୍ରଥମେ ଲକ୍ଷ୍ୟ ରଖାଯାଇଥିଲା। ମାତ୍ର ଏକ୍ସପର୍ଟ କମିଟିର ସୁପାରିସକୁ ଅବକାରୀ ମନ୍ତ୍ରୀ ମନୀଷ ସିସୋଦିଆଙ୍କ ଅଧ୍ୟକ୍ଷତାରେ ଗଠିତ ମନ୍ତ୍ରୀସ୍ତରୀୟ କମିଟିରେ ଅନେକାଂଶରେ ବଦଳାଇ ଦିଆଯାଇଥିଲା। ନୂଆ ନୀତିରେ ଲଟେରୀ ପରିବର୍ତ୍ତେ ଟେଣ୍ଡର ପ୍ରକ୍ରିୟା ପ୍ରଚଳନ କରାଯାଇଥିଲା।
ଏହାଦ୍ୱାରା ଜଣେ ଜଣେ ବ୍ୟକ୍ତି ଦୁଇଟି ଦୋକାନ ପାଇବା ଜାଗାରେ ୫୪ଟି ଦୋକାନ ବି ପାଇଯାଇଥିଲେ। ଅନେକ ନିଷ୍ପତ୍ତିରେ କ୍ୟାବିନେଟ ଓ ଲେଫଟନାଣ୍ଟ ଜେନେରାଲ ବା ଏଲଜିଙ୍କ ମତ ନିଆଯାଇନଥିଲା। ଏଭଳି ଭାବେ ଦିଲ୍ଲୀ ସରକାର ୨୦୦୨.୬୮ କୋଟି ଟଙ୍କାର ରାଜସ୍ୱ ହରାଇଥିଲେ।
ହୋଲସେଲର ମାର୍ଜିନକୁ ୫%ରୁ ୧୨%କୁ ବୃଦ୍ଧି କରାଯାଇଥିଲା। ଏଥିପାଇଁ ଏହାକୁ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଏହି ୧୨%ରୁ ଅଧା ଭାଗ ଲାଞ୍ଚ ଆକାରରେ ଆପ୍ ନେତାମାନଙ୍କୁ ଦିଆଯାଇଥିଲା ବୋଲି ମଧ୍ୟ ଇଡି ପୂରା ନୀତିର ତଦନ୍ତ ବେଳେ କହିଥିଲା। ସିଏଜି ରିପୋର୍ଟରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋକପାତ କରାଯାଇଛି। ଏଥିରେ କୁହାଯାଇଛି ଯେ ଦିଲ୍ଲୀରେ ବିକ୍ରି ହେଉଥିବା ୪ଟି ବ୍ରାଣ୍ଡର ହ୍ୱିସ୍କିକୁ ସରକାରୀ ଦୋକାନରେ କମ ମାତ୍ରାରେ ବିକ୍ରି କରାଯାଉଥିଲା। ଫଳରେ ଦିଲ୍ଲୀ ସରକାରଙ୍କୁ ରାଜସ୍ୱ କ୍ଷତି ସହିବାକୁ ପଡ଼ିଥିଲା।










