ବିଜେଡିର ଗତି କୁଆଡ଼େ
ଭୁବନେଶ୍ୱର: ବିଜୁ ଜନତା ଦଳ (ବିଜେଡି)ର ଗତି ଏବେ କୁଆଡ଼େ ତାକୁ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ। ବିଜେଡିର ଭବିଷ୍ୟତ ନେଇ ବି ଚିନ୍ତାରେ କେବଳ ବିଜେଡି ସହ ଜଡ଼ିତ ନେତା ଓ କର୍ମୀମାନେ ନୁହଁନ୍ତି ସାଧାରଣ ଲୋକେ ବି ଏ ବିଷୟରେ ଆଲୋଚନା କରୁଛନ୍ତି। ବିଜେଡି ସଭାପତି ନବୀନ ପଟ୍ଟନାୟକ ଦଳକୁ ମଜ୍ଭୁତ୍ କରିବା ଓ ଭବିଷ୍ୟତ ପାଇଁ ଆଶା ସଞ୍ଚାର କରିବା ଦିଗରେ ପଦକ୍ଷେପ ନେବା ବଦଳରେ ଯେଉଁ ଢ଼ଙ୍ଗରେ କାର୍ଯ୍ୟ କରୁଛନ୍ତି ତାହା ସବୁଠାରୁ ଚିନ୍ତାଜନକ ବିଷୟ ହୋଇଛି। ଦଳ ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି। ଦଳର ଭବିଷ୍ୟତ ଓ ନିଜର ଭବିଷ୍ୟତକୁ ନେଇ ଯେଉଁ ନେତାମାନେ ଆଗକୁ କିଛି ଆଶା ଓ ଭରଷା ରଖିପାରୁ ନାହାଁନ୍ତି ସେମାନେ ଅଲଗା ପନ୍ଥା ବାଛିବାକୁ ବାଧ୍ୟ ହେଉଛନ୍ତି ବୋଲି ରାଜନୀତିକ ମହଲରେ ଆଲୋଚନା ହେଉଛି। ନିକଟରେ ଯେଉଁ ସବୁ ଘଟଣା ଘଟି ଚାଲିଛି ତାକୁ ଦେଖି ଏହିଭଳି ମନୋଭାବ ସୃଷ୍ଟି ହେଉଥିବା କୁହାଯାଉଛି।
ସାଧାରଣ ନିର୍ବାଚନ ସମୟରେ ଦଳକୁ ଯେଉଁଭଳି ଭାବରେ ପରିଚାଳିତ କରାଗଲା ସେଥିପାଇଁ ବହୁମୂଲ୍ୟ ଦେବାକୁ ହୋଇଛି। ଏହାପରେ ଯଦି ତୃଟିକୁ ସୁଧାରି ଆଗକୁ ଆଗେଇବା ଦିଗରେ ପଦକ୍ଷେପ ନିଜେ ସଭାପତି ନ ନିଅନ୍ତି ତେବେ ଏକଦା କଂଗ୍ରେସକୁ ଯେପରି ସାଇନ୍ବୋର୍ଡ ପାର୍ଟି ବୋଲି ବିଜେଡି ନେତାମାନେ କହୁଥିଲେ ସେହି ସ୍ଥିତିକୁ ଚାଲିଆସିପାରେ। ସାଧାରଣ ନିର୍ବାଚନ ପରେ ନୂଆପଡ଼ା ଉପନିର୍ବାଚନରେ ହାରିବାଟା ଯେତେ ବଡ଼ ନୁହେଁ ତୃତୀୟ ସ୍ଥାନକୁ ଖସିବା ଅଧିକ ଲଜ୍ୟାଜନକ ବିଷୟ। ସଭାପତି ଭାବେ ନବୀନ ପଟ୍ଟନାୟକ ଯେଉଁ କଠୋର ପଦକ୍ଷେପ ନେବା କଥା ତାହା ଯଦି ସେ ନେଇ ନପାରୁଛନ୍ତି ତେବେ ତାଙ୍କର ଉତ୍ତରାଧିକାରୀ ଶୀଘ୍ର ବାଛିବା ବୋଲି ଅନେକ ମତ ଦେଉଛନ୍ତି। ନେଡ଼ିଗୋଡ଼ କହୁଣୀକୁ ବୋହିଗଲା ପରେ କିଛି ପଦକ୍ଷେପ ନେଲେ ତାହାର କୌଣସି ସୁଫଳ ମିଳିବ ନାହିଁ। ଦଳରୁ ଏବେ ଲଗାତାର ଭାବେ ଇସ୍ତଫାର ସୁଅ ଛୁଟିବାରେ ଲାଗିଛି। ଏହିପରି କି ବଡ଼ ବଡ଼ ନେତାଙ୍କ ପିଲାମାନେ ବି ଛାଡ଼ୁଛନ୍ତି। କାରଣ ସେମାନେ ଦଳର କାର୍ଯ୍ୟଧାରା ନେଇ ନିଜର ଭବିଷ୍ୟତକୁ ଦେଖୁଛନ୍ତି। ଦଳରେ ଆଉ ବରିଷ୍ଠ ଓ ଅଭିଜ୍ଞଙ୍କର ଆବଶ୍ୟକ ନାହିଁ ବୋଲି ଏକ ବାର୍ତ୍ତା ସଭାପତି ଦେଉଥିବା ଆଲୋଚନା ହେଉଛି। ଏବେ ଚାଲିଥିବା ବିଧାନସଭା ଅଧିବେଶନରେ କେତୋଟି ଘଟଣାକୁ ପରିଲକ୍ଷିତ କଲେ ଏହା ପ୍ରତୀୟମାନ ହେଉଛି। ବିଧାନସଭାରେ ଗୃହବିଭାଗ ଖର୍ଚ୍ଚ ଦାବି ଆଲୋଚନା ହୋଇଥିଲା। ଏଥିରେ ବିଜେଡି ପକ୍ଷରୁ ବିଧାୟକ ବ୍ୟୋମକେଶ ରାୟ ଆଲୋଚନା ଆରମ୍ଭ କରିଥିଲେ। ପରେ ଦିବ୍ୟଶଙ୍କର ମିଶ୍ର ଓ ତୁଷାରକାନ୍ତି ବେହେରା ଭାଗ ନେଇଥିଲେ। ଗୃହବିଭାଗ ସାଧାରଣତଃ ମୁଖ୍ୟମନ୍ତ୍ରୀଙ୍କ ପାଖରେ ରହୁଥିବାରୁ ଏହାର ଆଲୋଚନା ହେଲେ ବିରୋଧୀ ଦଳର ନେତା, ଉପନେତା କି ବରିଷ୍ଠ ସଦସ୍ୟଙ୍କୁ କହିବା ପାଇଁ ପ୍ରଥମେ ବିରୋଧୀ ଦଳ ପକ୍ଷରୁ ଦାୟିତ୍ୱ ଦିଆଯାଇଥାଏ। ବିରୋଧୀ ଦଳ ନେତା ଭାବେ ନବୀନ ଗୃହକୁ ଆସୁ ନାହାଁନ୍ତି। ଉପନେତା ପ୍ରସନ୍ନ ଆଚାର୍ଯ୍ୟ, ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ ଗଣେଶ୍ୱର ବେହେରାଙ୍କ ଭଳି ସଦସ୍ୟ ଥିଲାବେଳେ ଏମାନଙ୍କୁ ଦଳ ସୁଯୋଗ ଦେଲା ନାହିଁ। ଶାସକ ଦଳକୁ ପାଲଟା କାଉଣ୍ଟର କରିବା ପାଇଁ ସହଜ ହେଲା। ବ୍ୟୋମକେଶ ଓ ଦବ୍ୟଶଙ୍କର ବେଶ୍ ବିବାଦୀୟ। ଏମାନଙ୍କ କାର୍ଯ୍ୟଧାରା ବିଷୟରେ କାହାରିକୁ ଅଛପା ନାହିଁ। ନିଜ ସରକାର ଥିଲାବେଳେ ଏମାନେ କେତେ ବିବଦାୟ ହୋଇପଡ଼ିଥିଲେ ତାହା ସମସ୍ତଙ୍କୁ ଜଣା। ଆଉ ଯଦି ଏମାନେ ଅପରାଧ ବିଷୟରେ ସରକାରଙ୍କୁ ଆଙ୍ଗୁଠି ଦେଖାଇବେ ପରିଣତି ଯାହା ହେବା କଥା ତାହା ହିଁ ହେଲା।
ଏପରି ପଦକ୍ଷେପ ନେଇ ଦଳ ମୁଖିଆ କି ବାର୍ତ୍ତା ଦେଲେ ତାହା ସମସ୍ତଙ୍କ ମନରେ ଏବେ ପ୍ରଶ୍ନ। ଦଳରେ ବରିଷ୍ଠଙ୍କର ସ୍ଥାନ ନାହିଁ, ଏଣିକି କନିଷ୍ଠଙ୍କ ରାଜ୍ ଚାଲିବ ଏଭଳି ଏକ ସୂଚନା ଏଥିରୁ ମିଳୁଛି। ଯେଉଁ ବରିଷ୍ଠମାନଙ୍କୁ ରଖାଯାଇଛି ତାହା କେବଳ ବାଧ୍ୟବାଧ୍ୟକତାରେ ଔପଚାରିକତା ଦୃଷ୍ଟିରୁ କରାଯାଇଥିବା ପ୍ରତୀୟମାନ ହେଉଛି। ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ନିଜେ ଦଳ ସଭାପତି ଓ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏଏନ୍ଏମ୍ ପରିକ୍ଷା ବାତିଲ୍ ହେବା ନେଇ ଉଦ୍ବେଗ ପ୍ରକାଶ କରି ଟ୍ୱିଟ୍ କଲେ ଓ ସରକାରଙ୍କୁ ସମାଲୋଚନା କଲେ। ସେଦିନ ରାଜ୍ୟ ପାଇଁ ଏହା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଥିଲାବେଳେ ବିଜେଡିର କୌଣସି ନେତା ଗୃହ ଭିତରେ ଶୂନ୍ୟକାଳରେ ଏହା ଉପରେ ସ୍ୱର ଉଠାଇଲେ ନାହିଁ। ବିରୋଧୀ ଦଳ ଭାବରେ ବିଜେଡି ଏହି ପ୍ରସଙ୍ଗକୁ ଯେଭଳି ଉଠାଇ ସରକାରଙ୍କୁ ଅଡ଼ୁଆରେ ପକାଇ ଥାଆନ୍ତା ଓ ଆଶାୟୀ ଛାତ୍ରଛାତ୍ରୀମାନଙ୍କ ହୃଦୟ ଜିଣିପାରିଥାଆନ୍ତା ସେପରି କରାଗଲା ନାହିଁ। ଗୃହ ଭାହାରେ ବିଜେଡିର କିଛି ବିଧାୟକ ଏହି ପ୍ରସଙ୍ଗରେ ମତ ରଖିଥିଲେ। କିନ୍ତୁ ଗୃହ ଭିତରେ କହିଲେ ଯେଉଁ ଗୁରୁତ୍ୱ ବହନ କରିଥାଆନ୍ତା ତାହା ହେଲା ନାହିଁ। ନିଜେ ସଭାପତି ଟ୍ୱିଟ୍ କରି ଉଦ୍ବେଗ ପ୍ରକାଶ କରୁଥିଲା ବେଳେ ଏବଂ ଗୃହ ବାହାରେ ଦଳୀୟ ବିଧାୟକ ଗଣମାଧ୍ୟମରେ ସମାଲୋଚନା କରୁଥିଲାବେଳେ ଗୃହ ଭିତରେ କହିବାର ବାଧା କେଉଁଠି ଥିଲା। ଏଥିରୁ ଜଣାପଡ଼ୁଛି ବିଧାୟକମାନଙ୍କୁ ବି ସ୍ୱଇଚ୍ଛାରେ କିଛି କହିବାର ସୁଯୋଗ ମିଳିପାରୁନାହିଁ। ସବୁ କଥାରେ ଦଳର ନିର୍ଦ୍ଦେଶକୁ ଅପେକ୍ଷା କରିବାକୁ ପଡ଼ୁଛି। ସରକାରଙ୍କୁ ଘେରିବା ପାଇଁ ବିଜେଡି ବାରମ୍ବାର ସୁଯୋଗ ହାତଛଡ଼ା କରୁଥିବାରୁ ଦଳୀୟ କର୍ମୀମାନଙ୍କ ମଧ୍ୟରେ ବି ସନ୍ଦେହ ପ୍ରକାଶ ପାଇବା ଆରମ୍ଭ ହୋଇଛି। ତେଣୁ ଦଳ ଛାଡ଼ିବାକୁ ନେତାମାନେ ପଛଘୁଞ୍ଚା ଦେଉନାହାଁନ୍ତି।
ଇତିମଧ୍ୟରେ ବିଜେଡିର ଅନେକ ବ୍ଲକ୍ ଅଧ୍ୟକ୍ଷ, ଉପାଧ୍ୟକ୍ଷ ଓ ଦଳୀୟ ସମର୍ଥିତ ସରପଞ୍ଚମାନେ ଇସ୍ତଫା ଦେଇ ବିଜେପିରେ ସାମିଲ୍ ହୋଇଛନ୍ତି। ଆଗକୁ ଅନେକ ସାମିଲ୍ ହେବାର ଆଶା ମଧ୍ୟ ଦେଖାଯାଉଛି। ବିଜେଡି କ୍ଷମତାରେ ଥିଲାବେଳେ ଯେଉଁ ବାଟ ଦେଖାଇଥିଲା ବିଜେପି ଏବେ ସେହି ବାଟଦେଇ ଗତି କରୁଛି। ବିଜେଡି ସରକାର ବେଳେ ପୁଲିସ, ଭିଜିଲାନ୍ସ ଓ କ୍ରାଇମ୍ବ୍ରାଞ୍ଚକୁ ଭୟ କରି ଅନେକ କଂଗ୍ରେସ ନେତା ଦଳ ଛାଡ଼ିଥିଲେ। ବିଜେପି ସରକାରେ ଏହି ସଂସ୍ଥା ସହ ଏବେ ଇଡି ଓ ସିବିଆଇ ଯୋଡ଼ି ହୋଇଯାଇଛି। ରାଜନୀତି କରୁଥିବା ଅଧିକାଂଶ ଆଗଧାଡ଼ିର ନେତା କିଛି ନା କିଛି ଦୁର୍ନୀତିରେ ସଂପୃକ୍ତି ରହିଥିବ,ଏହାକୁ ଅସ୍ୱୀକାର କରି ହେବ ନାହିଁ। ଏଣୁ ନିରାପଦ ସ୍ଥାନ ବାଛିବା ଉଚିତ୍ ମନେ କରୁଛନ୍ତି। ଗୋଟିଏ ପଟରେ ଦଳର ଭବିଷ୍ୟତକୁ ଆକଳନ କଲାପରେ ନିଜର ଭବିଷ୍ୟତକୁ ସୁରକ୍ଷିତ ରଖିବାକୁ ଏଭଳି ପଦକ୍ଷେପ ନେଉଥିବା ଅନେକ ମତ ଦେଉଛନ୍ତି।ସଭାପତି ଭାବେ ନବୀନଙ୍କ ଉପରେ ଦଳର ଭବିଷ୍ୟତ ନିର୍ଭର କରୁଥିବାରୁ ବେଳ ହୁଁ ଯଦି କିଛି ଠୋସ୍ ପଦକ୍ଷେପ ତୁରନ୍ତ ଗ୍ରହଣ ନକରନ୍ତି ତେବେ କଂଗ୍ରେସ ଭଳି ସ୍ଥିତି ଭୋଗିବାକୁ ବେସି ସମୟ ଲାଗି ନପାରେ ବୋଲି କୁହାଯାଉଛି।
ବିଜେଡି ପାଇଁ ସତର୍କ ଘଣ୍ଟି
ସଭ୍ୟ ସମାପ୍ତ ହୋଇଥିବା ନୂଆପଡ଼ା ଉପନିର୍ବାଚନ ଫଳାଫଳକୁ ନେଇ ଅନେକ ରାଜନୈତିକ କଳ୍ପନା ଜଳ୍ପନା ରାଜ୍ୟରେ ଚାଲିଛି।ଏହି ଫଳାଫଳରୁ ଗୋଟିଏ କଥା ସ୍ପଷ୍ଟ ହୋଇଛି ଯେ, ବିଜୁ ଜନତା ଦଳ ପାଇଁ ଏହି ଫଳାଫଳ ଏକ ବଡ଼ ଧରଣର ସତର୍କ ଘଣ୍ଟି। ବିଭିନ୍ନ ରାଜନୈତିକ ଦୃଷ୍ଟିକୋଣରୁ ଭିନ୍ନ ଭିନ୍ନ ଆଲୋଚନା ଚାଲିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ବିଜେଡି ତୃତୀୟ ସ୍ଥାନକୁ ଖସି ଆସିବା। ବିଜେଡିର ଆଗ ଧାଡ଼ିର ନେତାମାନଙ୍କ ପାଇଁ ଆଗାମୀ ଭବିଷ୍ୟତ ନିର୍ବାଚନକୁ ଦୃଷ୍ଟିରେ ରଖି ଏବେଠାରୁ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ ନକଲେ ଭବିଷ୍ୟତରେ ବହୁ ପସ୍ତେଇବାକୁ ପଡ଼ିପାରେ। ନିର୍ବାଚନରେ ହାରିବା ଓ ଜିତିବା ରାଜନୈତିକ ଦଳ ପାଇଁ ନୂଆ ନୁହେଁ। କିନ୍ତୁ ଫଳାଫଳ ଯେଉଁଭଳି ଭାବରେ ଆସିଲା ରାଜ୍ୟର ପ୍ରମୁଖ ବିରୋଧୀ ଦଳ ତୃତୀୟ ସ୍ଥାନକୁ ଖସିବା ହେଉଛି ଚିନ୍ତାର ବିଷୟ। ଏହି କଥାକୁ ବିଜେଡି ନେତାମାନେ ଗ୍ରହଣ କରିବା ଉଚିତ୍।
ସାଧାରଣ ନିର୍ବାଚନ ୨୦୨୪ ପରେ ରାଜ୍ୟରେ ପ୍ରଥମ ଥର ପାଇଁ ନୂଆପଡ଼ା ଉପନିର୍ବାଚନ ରାଜନୈତିକ ଦଳମାନଙ୍କ ଆଗକୁ ଆସିଲା। ୨୦୨୪ ନିର୍ବାଚନ ପରେ ଯେଉଁ ସବୁ ତୃଟି ରାଜନୈତିକ ଦଳମାନେ ହାର୍ଜିତ୍ ପରେ ଅନୁଧ୍ୟାନ କରିଥିଲେ ତାକୁ ସୁଧାରିବା ପାଇଁ ବିଶେଷ କରି ବିରୋଧୀ ଦଳ ଗୁରୁତ୍ୱ ଲାଗି ଏକ ସୁଯୋଗ ଆସିଥିଲା। ହେଲେ ଫଳାଫଳରୁ ଯାହା ଜଣାପଡ଼ିଲା ବିରୋଧୀ ଦଳ ସେଭଳି କିଛି ଆଖିଦୃଶିଆ ପରିବର୍ତ୍ତନ ଦଳୀୟ କାର୍ଯ୍ୟାଧାରାରେ ଆଣିଥିବା ଭଳି ପରିଲିକ୍ଷିତ ହେଲା ନାହିଁ। ବିଜେଡିର ପରାଜୟ ପରେ କୁହାଯାଉଥିଲା ଲୋକେ ବିଜେପିକୁ ଭୋଟ୍ ଦେଇ ପସ୍ତଉଛନ୍ତି। ଲୋକଙ୍କର ‘କ୍ରେଜ୍’ ନବୀନ ପଟ୍ଟନାୟକଙ୍କ ପାଇଁ ଥିବା କୁହାଗଲା। ଏପରିକି ନବୀନ ଯୁଆଡ଼େ ଗଲେ ବି ଜନସମାଗମ ଆଶାତିତ ଭାବେ ବଢ଼ିଲା। ନୂଆପଡ଼ା ଉପନିର୍ବାଚନରେ ବି ନବୀନଙ୍କ କାର୍ଯ୍ୟକ୍ରମରେ ବିପୁଳ ସଂଖ୍ୟାରେ ଲୋକଙ୍କ ସମାଗମ ହୋଇଥିଲା। ତଥାପି ଦଳ ଦ୍ୱିତୀୟ ସ୍ଥାନରେ ନ ରହି କର୍ପୁର ଉଡ଼ିଯାଇ କନା ପଡ଼ିଥିବା କଂଗ୍ରେସ ଠାରୁ ପଛରେ ପଡ଼ିଲା। ବିଜେଡିର ନେତାମାନେ ନିର୍ବାଚନ ମଣ୍ଡଳୀରେ ଛାଇ ହୋଇ ରହିଥିଲେ। ଲୋକଙ୍କୁ ବୁଝାଇବା ଲାଗି ଭରପୁର ପ୍ରୟାସ କରିଥିଲେ। ତଥାପି ଦଳ ଫେଲ୍ ମାରିଲା। ନବୀନଙ୍କ ଯାଦୁ କିଛି କାମ କଲା ନାହିଁ।
ଏହି ନିର୍ବାଚନ ତିନି ଦଳଙ୍କ ପ୍ରମୁଖ ନେତାଙ୍କ ଲୋକପ୍ରିୟତାର ପରୀକ୍ଷା କେନ୍ଦ୍ର ଥିଲା। ମୁଖ୍ୟମନ୍ତ୍ରୀ ଭାବେ ମୋହନ ମାଝୀ ଦାୟିତ୍ୱ ନେବା ପରେ, ନବୀନ ପଟ୍ଟନାୟକ ବିରୋଧୀ ଦଳର ନେତା ହେବା ପରେ ଓ ଭକ୍ତ ଚରଣ ଦାସ କଂଗ୍ରେସ ସଭାପତି ହେବା ପରେ ନୂଆପଡ଼ାରେ ଆସିଲା ପ୍ରଥମ ଉପନିର୍ବାଚନ। ନିର୍ବାଚନ ପୂର୍ବରୁ ଓ ନିର୍ବାଚନ ସମୟରେ ଏହି ତିନି ପ୍ରମୁଖ ନେତା କହୁଥିଲେ ସେମାନେ ଲୋକପ୍ରିୟ ନେତା। ପ୍ରକୃତରେ କିଏ ଲୋକପ୍ରିୟ ତାହା ଜନ ସାଧାରଣ ହିଁ ନିର୍ଦ୍ଧାରଣ କରି ଥାଆନ୍ତି। ବାସ୍ତବରେ ଦେଖାଗଲା ମୋହନ ମାଝୀ ହେଉଛନ୍ତି ଲୋକପ୍ରିୟ ନେତା। ନବୀନଙ୍କୁ ଲୋକେ ଆଉ ଗ୍ରହଣ କରୁ ନାହାଁନ୍ତି। ସାଧାରଣ ନିର୍ବାଚନ ସମୟରେ ନବୀନ ଦୁଇଟି ଆସନରେ ଛିଡ଼ା ହୋଇ ଗୋଟିଏରେ ହାରିଲେ ଅନ୍ୟଟିରେ ସ୍ୱଳ୍ପ ବ୍ୟବଧାନରେ ଜିତିଲେ। ଏହାପରେ ଦଳର ଯେଉଁ ବିପର୍ଯ୍ୟୟ ଘଟିଲା ସେଥିରୁ ମୁଖିଆଙ୍କ ଠାରୁ ଆରମ୍ଭ କରି ନେତାମାନେ ସମସ୍ତେ ଆତ୍ମସମୀକ୍ଷା କରି ତୃଟି ସୁଧାରିବାରେ ସୁଯୋଗ ଆସିଲା। କିନ୍ତୁ ଫଳାଫଳରୁ ଯାହା ଜଣାପଡ଼ୁଛି ବିଜେଡି ଆହୁରି ତଳକୁ ଖସୁଛି ବରଂ ଉପରକୁ ଉଠିବାର ସମ୍ଭାବନା ଦେଖାଯାଉ ନାହିଁ। ବିଜେଡିର ନିର୍ବାଚନ ପରିଚାଳନାରେ ଅନେକ ତୃଟି ରହିଲା। ଠିକ୍ ଭାବରେ ନିର୍ବାଚନ ପରିଚାଳନା କରିପାରି ନଥିବାରୁ ଦଳକୁ ତୃତୀୟ ସ୍ଥାନକୁ ଖସିବାକୁ ପଡ଼ିଲା। ଦଳକୁ ଆହୁରି ସଂଗଠିତ ହୋଇ କଠିନ ପରିଶ୍ରମ କରିବାକୁ ପଡ଼ିବ। ଦଳରେ ରହି ବିଜେଡି ସହ ଯେଉଁମାନେ ଆଗାମୀ ଭବିଷ୍ୟତ ଦେଖୁଛନ୍ତି ସେମାନଙ୍କ ପାଇଁ ଚିନ୍ତା କରିବାର ବେଳ ଆସିଛି। ମୁହଁଖୋଲି ଆଗକୁ ନବାହାରିଲେ ପଛକୁ ଆଉ ଭାବିଲା ବେଳକୁ ସବୁ ଶେଷ ହୋଇଯାଇଥିବ।
ବିଶେଷକରି ଉପନିର୍ବାଚନରେ ସରକାରୀ ଦଳ ହିଁ ଆଗଧାଡ଼ିରେ ରହିବା ଦେଖାଦେଇ ଆସିଛି। ସେପରି ବିଶେଷ ପରିସ୍ଥିତି ନଥିଲେ କ୍ଷମତାସୀନ ଦଳ ଉପନିର୍ବାଚନ ହାରିଛି କ୍ୱିଚିତ୍ ଦେଖାଯାଏ। ଯିଏ ଯେତେବେଳେ ସରକାରଙ୍କୁ ଆସିଛନ୍ତି ସରକାରୀ କଳକୁ ବ୍ୟବହାର କରିବା ଦେଖାଦେଇଛି। ବିଜେପି ଯେ ସରକାରୀ କଳକୁ ବ୍ୟବହାର ନ କରିଥିବା ଏହା କହିବା ଭୁଲ ହେବ। କଂଗ୍ରେସ କରିଥିଲା, ବିଜେଡି କରିଥିଲା ଓ ବିଜେପି ବି କରିଥିବା ମନା କରିହେବନି। କିନ୍ତୁ ପ୍ରଶ୍ନ ଉଠୁଛି ବିଜେପି ଜିତିବା କିଛି ବଡ଼ କଥା ନୁହେଁ। କିନ୍ତୁ ବିଜେଡି ତୃତୀୟକୁ ଖସିବା ହେଉଛି ବଡ଼ କଥା।
କଂଗ୍ରେସ ଦ୍ୱିତୀୟ ସ୍ଥାନକୁ ଆସି ହୁଏତ ଆଶ୍ୱସନା ପାଇପାରେ। କିନ୍ତୁ ପିସିସି ସଭାପତି ଭକ୍ତ ଚରଣ ଦାସ ହେଉଛନ୍ତି କଳାହାଣ୍ଡି ମାଟିର ପୁଅ। ପୂର୍ବରୁ ନୂଆପଡ଼ା ଓ କଳାହାଣ୍ଡି ଗୋଟିଏ ଜିଲ୍ଲା ଥିଲା। ଭକ୍ତ ହେଉଛନ୍ତି ସ୍ଥାନୀୟ ନେତା। ହେଲେ ସେ ସେଠାରେ ହାରିଯିବା ତାଙ୍କ ପାଇଁ ଧକ୍କା। କଂଗ୍ରେସ ପ୍ରାର୍ଥୀ ସ୍ୱାଧୀନଭାବେ ଲଢ଼ି ଯେତିକି ଭୋଟ୍ ପାଇଥିଲେ ସେଥିରୁ ଜଣାପଡ଼ୁଥିଲା ଦଳର ଜିତିବାର ସମ୍ଭାବନା ଅଧିକ ରହିବ। କିନ୍ତୁ ଭକ୍ତ ଲୋକପ୍ରିୟତା ପ୍ରମାଣ ଦେବାରେ ଫେଲ୍ ମାରିଲେ।
ଅନାସ୍ଥା : ଅଡ଼ୁଆରେ ମୋହନ ନୁହେଁ ନବୀନ
ବିଜେପିର ମୋହନ ମାଝୀଙ୍କ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛି କଂଗ୍ରେସ। ବିଧାନସଭା ଅଧିବେଶନ ଆରମ୍ଭ ଦିନ କଂଗ୍ରେସ ଏହି ଅନାସ୍ଥା ପ୍ରସ୍ତାବ ନୋଟିସ୍ ଦେବା ପରେ ଏହାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍ ଧରିଛି। ଏଥିରେ ଆଲୋଚନା ହେଉଛି ସଂଖ୍ୟା ଦୃଷ୍ଟିରୁ ଦେଖିଲେ କଂଗ୍ରେସର ଏହି ପ୍ରସ୍ତାବ ମୋହନଙ୍କ ସରକାର ଉପରେ କୌଣସି ଫରକ୍ ପଡ଼ିବ ନାହିଁ। କିନ୍ତୁ ରାଜନୈତିକ ଦୃଷ୍ଟିକୋଣରୁ ଦେଖିଲେ ଏହି ପ୍ରସ୍ତାବ ଦ୍ୱାରା ବିଜେପି ସରକାରର ଯେତିକି କ୍ଷତି ହେବ ନାହିଁ ତାହାଠାରୁ ଅଧିକ କ୍ଷତି ଘଟିବ ବିଜେଡିର। କଂଗ୍ରେସ ଜାଣିଶୁଣି ବିଜେଡିକୁ ଲୋକଲୋଚନରେ ଅପଦସ୍ତ କରାଇବା ଏବଂ ବିଜେଡି ପ୍ରକୃତ ବିରୋଧୀ ଦଳ ନୁହେଁ ଏହାର ଏକ ବାର୍ତ୍ତା ଜନସାଧାରଣଙ୍କୁ ଦେବା ପାଇଁ ଅଭିପ୍ରେତ ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି।
ସଂଖ୍ୟା ଗଣିତ ଦେଖିଲେ ବିଜେପି ସରକାର ବେଶ୍ ଫାଇଦାରେ ଅଛନ୍ତି। ତାଙ୍କ ପାଇଁ ଅନାସ୍ଥାର କିଛିମାନେ ରହିବ ନାହିଁ। କାରଣ ୧୪୭ ସଦସ୍ୟ ସଂଖ୍ୟା ବିଧାନସଭାରେ ବିଜେପିର ୭୮ଜଣ ସଦସ୍ୟ ଥିଲାବେଳେ ବିଜେଡିର ୫୧ଜଣ ସଦସ୍ୟଙ୍କ ଭିତରୁ ଜଣଙ୍କର ଦେହାନ୍ତ ପରେ ୫୦କୁ ଖସିଛି। କଂଗ୍ରେସର ମାତ୍ର ୧୪ଜଣ ସଦସ୍ୟ ଅଛନ୍ତି। ଅବଶିଷ୍ଟ ୪ଜଣ ସଦସ୍ୟଙ୍କ ମଧ୍ୟରୁ ୩ ସ୍ୱାଧୀନ ବିଜେପି ସପକ୍ଷରେ ଥିଲାବେଳେ ଅନ୍ୟ ଜଣେ ସିପିଏମ୍ ସଦସ୍ୟ କଂଗ୍ରେସକୁ ସମର୍ଥନ କରିବେ। ଏଣୁ ବିଜେଡି, କଂଗ୍ରେସ ଓ ସିପିଏମ୍ ମିଶିଲେ ବି ସଂଖ୍ୟା ଦୃଷ୍ଟିରୁ ସରକାରଙ୍କର କିଛି କ୍ଷତି କରିପାରିବେ ନାହିଁ। ଅନ୍ୟପକ୍ଷରେ ବିଜେଡି କୌଣସି ପରିସ୍ଥିତିରେ ବିଜେପି ବିରୋଧରେ ଯିବ ନାହିଁ। କାରଣ ନିକଟରେ ପାର୍ଲାମେଣ୍ଟ ରେ ସମସ୍ତ ବିରୋଧୀ ଦଳ ଏକାଠି ହୋଇ ବିଜେପି ନେତୃତ୍ୱାଧିନ ଏନ୍ଡିଏ ସରକାର ବିରୋଧରେ ଏକ୍ଜୁଟ୍ ହୋଇ ଫେଲ୍ ମାରିଥିଲେ। ଉପସଭାପତି ନିର୍ବାଚନ ବେଳେ ବିରୋଧୀ ଦଳ ପ୍ରାର୍ଥୀ ଦେଇ ଫେଲ୍ ମାରିଲା। ସେ ସମୟରେ ବିଜେଡି ବିରୋଧୀ ମେଣ୍ଟ ରେ ନ ରହି ସ୍ୱାଧୀନ ମତ ଅବଲମ୍ବନ କଲା। ପୁରୁଣା ଫର୍ମୁଲାରେ ସମଦୂରତା କଥା କହି ଭୋଟ୍ ଦାନରୁ ବିରତ ରହିଲା। ଏବେ କଂଗ୍ରେସ ଯେତେବେଳେ ଅନାସ୍ଥା ପ୍ରସ୍ତାବ ଆଣିଛି ସେତେବେଳେ ବିଜେଡି କେବେହେଲେ ତାକୁ ସମର୍ଥନ ଦେବ ନାହିଁ। ସେହି ସମଦୂରତା ପନ୍ଥା ଆପଣାଇବ ବୋଲି ଅନେକ ମତ ଦେଉଛନ୍ତି।
କିଛି ବୁଦ୍ଧିଜୀବୀଙ୍କ ମତରେ ପିସିସ ସଭାପତି ଭକ୍ତ ଚରଣ ଦାସ ନିଜର ପତିଆରା ଜାରି କରିବା ପାଇଁ ଅନାସ୍ଥା ପ୍ରସ୍ତାବ କଥା ଅନେକ ଦିନରୁ କହି ଆସୁଥିଲେ। ପ୍ରକୃତରେ ରାଜନୈତିକ ପରିପକ୍ୱତା ଦେଖାଇବା ପାଇଁ ଏଭଳି ପଦକ୍ଷେପ ନେବା ପ୍ରଥମେ ବିଧାନସଭା ଅଧିବେଶନ ପୂର୍ବରୁ ତାଙ୍କର କର୍ତ୍ତବ୍ୟ ଥିଲା ସେ ଯାଇ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି ଏ ବିଷୟରେ ଆଲୋଚନା କରିଥାଆନ୍ତେ। ତାଙ୍କୁ ମନେଇବା ପାଇଁ ଉଦ୍ୟମ କରିଥାଆନ୍ତେ। ଖାଲି ଗଣମାଧ୍ୟମରେ ବିବୃତି ରଖି ପ୍ରସ୍ତାବ ଦେବାର କୌଣସି ଯଥାର୍ଥତା ନାହିଁ। ଭକ୍ତ ଦାସ ଗଣମାଧ୍ୟମରେ ପ୍ରସ୍ତାବ ଦେଲେ ଯେ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ବିଜେଡି ଆଣୁ ଓ କଂଗ୍ରେସ ତାକୁ ସମର୍ଥନ ଦେବ, ନଚେତ୍ କଂଗ୍ରେସ ଅନାସ୍ଥା ପ୍ରସ୍ତାବ ଆଣିଲେ ବିଜେଡି ସମର୍ଥନ ଦେବ। କିନ୍ତୁ ବିଜେଡି ସଭାପତି ଏହା ଉପରେ କୌଣସି ପ୍ରତିକ୍ରିୟା ନ ରଖିବା ଦ୍ୱାରା ଭକ୍ତଙ୍କ ପ୍ରସ୍ତାବକୁ ଏକ ପ୍ରକାର ପ୍ରତ୍ୟାଖାନ କଲେ ବୋଲି କୁହାଯାଉଛି। ଏହା ପରେ ଯଦି କଂଗ୍ରେସ ପ୍ରସ୍ତାବ ଆଣେ ଓ ବିଜେଡିକୁ ସମର୍ଥନ କରିବାକୁ କୁହେ ତେବେ ରାଜନୈତିକ ଦୃଷ୍ଟିକୋଣରୁ ବିଚାର କଲେ କେବେ ସଫଳତା ମିଳିବ ନାହିଁ। ବିଜେଡି-କଂଗ୍ରେସ ମଧ୍ୟରେ ଯେଉଁ ସମ୍ପର୍କ ରାଜ୍ୟ ରାଜନୀତିରେ ଦୀର୍ଘବର୍ଷ ହେଲା ରହି ଆସିଛି ତାହାକୁ ଦ୍ୱାହି ଦେଇ ସହଜରେ ନୀବନ ଖସିବେ।
ମାତ୍ର ୧୪ ଜଣ ସଦସ୍ୟରେ ପ୍ରସ୍ତାବ ଆଣିବା ପଛର ଉଦ୍ଦେଶ୍ୟ ହେଉଛି ବୋଲି କୁହାଯାଉଛି ଭକ୍ତ ଚାହୁଁଛନ୍ତି ରାଜ୍ୟବାସୀଙ୍କୁ ଏକ ବାର୍ତ୍ତା ଦେବାକୁ ଚାହୁଁଛନ୍ତି ଯେ କଂଗ୍ରେସ ହେଉଛି ପ୍ରକୃତ ବିରୋଧୀ ଦଳ। ବିଜେଡି ମୁଖ୍ୟ ବିରୋଧୀ ଦଳ ହୋଇଥିଲେ ବି ବାସ୍ତବରେ ସେପରି ଭୂମିକା ବିଜେପି ବରୋଧରେ ଗ୍ରହଣ କରୁନାହିଁ। ବିଜେଡିର ବିରୋଧୀ ଭୂମିକା କେବଳ ଲୋକ ଦେଖାଣିଆ ଓ ଜନ ସାଧାରଣଙ୍କୁ ଭୂଆଁ ବୁଲାଇବାକୁ ଉଦିଷ୍ଟ ବୋଲି ପିସିସି ସଭାପତି ଜଣାଇବାକୁ ଚାହୁଁଛନ୍ତି ବୋଲି କୁହାଯାଉଛି। ଅନ୍ୟପଟରେ ବିଜେଡି ପକ୍ଷରୁ କୁହାଯିବ ଯେ କଂଗ୍ରେସ ପ୍ରସ୍ତାବ ଅଣିବା ପୂର୍ବରୁ ଆମ ସହ କୌଣସି ଆଲୋଚନା କରିନାହିଁ କି ଆମ ମତାମତ ନେଇନାହିଁ। କଂଗ୍ରେସ ତା’ର ଏକପାଖିଆ ନିଷ୍ପତ୍ତି ନେଇ ପ୍ରସ୍ତାବ ଆଣି ଆମକୁ ସମର୍ଥନ କରିବାକୁ କହୁଛି। କଂଗ୍ରେସର ପ୍ରସ୍ତାବକୁ ଆମେ କାହିଁକି ସମର୍ଥନ ଦେବୁ ବୋଲି ଏ ପ୍ରଶ୍ନ ବିଜେଡି ଉଠାଇପାରେ ବୋଲି ଆଲୋଚନା ହେଉଛି।
ବିଜେଡି ଆଜି ପର୍ଯ୍ୟନ୍ତ ବିଜେପିକୁ କ୍ଷତି ହେଲା ଭଳି କୌଣସି ବଡ଼ ଧରଣର ପଦକ୍ଷେପ ଗ୍ରହଣ କରି ନାହିଁ। ଆଗକୁ ମଧ୍ୟ କଠୋର ଆଭିମୁଖ୍ୟ ନେବ ବୋଲି ଜଣାପଡ଼ୁ ନାହିଁ। ବିଜେଡି ପାଇଁ ଅନେକ ରାଜନୈତିକ ବାଧ୍ୟବାଧକତା ରହିଛି। ନିର୍ବାଚନ ସମୟରେ ବିଜେପିର ଶୀର୍ଷ ନେତାମାନେ ରାଜ୍ୟରେ କ୍ଷମତାକୁ ଆସିଲେ ବିଜେଡି ନେତାମାନଙ୍କ ବିରୋଧରେ ଯେଉଁ ସବୁ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ଲୋକଙ୍କ ପାଖରେ ମତ ରଖିଥିଲେ ତାହା ଗୋଟିଏ ହେଲେ କାର୍ଯ୍ୟକାରୀ କରି ନାହାଁନ୍ତି। ଏଥିରୁ ସ୍ପଷ୍ଟ ଯେ ନବୀନ ପଟ୍ଟନାୟକଙ୍କୁ ବ୍ୟକ୍ତିଗତ ଭାବେ କ୍ଷତି କଲା ଭଳି କୌଣସି ପଦକ୍ଷେପ ବିଜେପି ନେବ ନାହିଁ। ସେହିପରି ନବୀନ ମଧ୍ୟ ବିଜେପି ବିରୋଧରେ ଭାଷଣ ବ୍ୟତିତ କ୍ଷତି କଲାଭଳି କିଛି ପଦକ୍ଷେପ ନେବେ ନାହିଁ।
ଅନାସ୍ଥା ପ୍ରସ୍ତାବ ଆସିଲେ ବିଜେଡି ଆଲୋଚନାରେ ଭାଗ ନେବ କି ନାହିଁ ତାହା ସନ୍ଦେହ। ଆଲୋଚନାରେ ଭାଗ ନେଲେ ବି ଭୋଟ୍ ଦାନରୁ ବିରତ ରହିବ ଏହା ନିଶ୍ଚିନ୍ତ। କେବଳ ବିରୋଧ ଦର୍ଶାଇବା ପାଇଁ ଆଲୋଚନାରେ ଭାଗ ନେଇ ସରକାରଙ୍କୁ ଗାଳି କରିପାରେ। କିନ୍ତୁ ବଦ୍ନାମ କରିବା ପାଇଁ କିଛି କରିବ ନାହିଁ। ଏକଥା ସ୍ପଷ୍ଟ ଯେ ବିଜେଡି ମିଶିଲେ ବି ବିଜେପିର କିଛି କ୍ଷତି ହେବ ନାହିଁ। ନବୀନଙ୍କୁ କେବଳ ପଦାରେ ପକାଇବା ପାଇଁ ଭକ୍ତଙ୍କର ଏହା ଚାଲ୍ ବୋଲି ଆଲୋଚନା ହେଉଛି।
ବିଜେଡି ଭୂଆଁ ବୁଲାଇବାକୁ ‘ଶୂନ୍ୟ’କୁ ଟେକାମାରି ଚାଲିବ
ବିଜେପି ବିରୋଧରେ ଏକ ସଶକ୍ତ ଓ ସଫଳ ବିରୋଧୀ ଭାବେ ଛିଡ଼ା ହେବାକୁ ଚାହେଁନି ବିଜେଡି। କିନ୍ତୁ ବିରୋଧୀ ଭୂମିକା ଲିଭାଉଛି ବୋଲି ଜନସାଧାରଣଙ୍କୁ ଜଣାଇବା ପାଇଁ ବିଭିନ୍ନ ଘଟଣାରେ ପ୍ରତିକ୍ରିୟା ରଖି ଶୂନ୍ୟକୁ ଟେକାମାରି ଚାଲିବ। ଉଭୟ ବିଜେପି-ବିଜେଡି ପରସ୍ପର ଭିତରେ ଶୀର୍ଷ ନେତୃତ୍ୱଙ୍କ ମଧ୍ୟରେ ଭିତ୍ତିରି ବୁଝାମଣା ବଜାୟ ରହିବ। ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପ୍ରତି ବିଜେପିର ଶୀର୍ଷ ନେତୃତ୍ୱଙ୍କର ଯେତିକି ଦରଦ ରହିଛି ସେହିପରି ବିଜେଡି ସୁପ୍ରିମୋଙ୍କର ମଧ୍ୟ ପାଲଟା ଦରଦ ରହିଛି। ଆଗରୁ ଏହି ଘଟଣା ଦେଖାଦେଇ ଆସିଛି। ଯାହା ଏବେ ପୁଣି ଉପରାଷ୍ଟ୍ରପତି ନିର୍ବାଚନରେ ଭୋଟ୍ଦାନରୁ ବିରତ ରହିବା ପାଇଁ ବିଜେଡିର ନିଷ୍ପତି ଅଧିକ ବଳବତ୍ତର କରିଛି। ଏହା ହିଁ ଆଶା କରାଯାଉ ଥିଲା। ତାହା ସତ୍ୟରେ ପରିଣତ ହେଲା। ଉଭୟ ପକ୍ଷ କେବଳ ଲୋକଙ୍କୁ ଭୂଆଁ ବୁଲାଇ ଚାଲିବା ବ୍ୟତିତ ସେମାନଙ୍କ ପାଖରେ ଅନ୍ୟ କିଛି ଉପାୟ ନାହିଁ। କଂଗ୍ରେସ କେବଳ ଶେଷରେ ନିରାଶ ହେବ। ଏହି ଦୁଇ ଦଳ ବୁଝାମଣା ଭିତ୍ତିରେ ପରସ୍ପରକୁ କ୍ଷତି ନକଲା ଭଳି କାର୍ଯ୍ୟ କରି ଲୋକଙ୍କ ଆଗରେ କେବଳ ବିରୋଧୀ ଶାସକ ଭୂମିକା ଲିଭାଇ ଚାଲିବେ।
ଉପରାଷ୍ଟ୍ରପତି ନିର୍ବାଚନ ନେଇ ରାଜନୈତିକ ଦଳମାନଙ୍କର ଭୂମିକା ଉପରେ ବିଶେଷ କରି ବିଜେଡି ଉପରେ ଅଧିକ ନଜର ସମଗ୍ର ଦେଶର ରାଜନୈତିକ ଦଳମାନଙ୍କର ରହିଥିଲା। ବିଶେଷ କରି ଇଣ୍ଡିଆମେଣ୍ଟ ବିଜେଡିର ନିଷ୍ପତ୍ତିକୁ ଅଧିକ ଭାବରେ ଅନାଇ ରହିଥିଲା। ଉପରାଷ୍ଟ୍ରପତି ନିର୍ବାଚନରେ ବିରୋଧୀ ଓ ଶାସକ ପକ୍ଷଙ୍କର ଯାହା ସ୍ଥିତି ରହିଛି ସେଥିରେ ବିଜେପି ପ୍ରାର୍ଥୀ ତଥା ଏନ୍ଡିଏ ପ୍ରାର୍ଥୀଙ୍କର ଜିତିବାରେ କୌଣସି ସମସ୍ୟା ହେବ ନାହିଁ। ବିଜେଡିର ରାଜ୍ୟସଭାରେ ମାତ୍ର ୭ଜଣ ସାଂସଦ ରହିଛନ୍ତି। ଲୋକସଭାରେ ଜଣେ ହେଲେ ସାଂସଦ ନାହାଁନ୍ତି। ବିଜେପି ଓ ଏହାର ସହଯୋଗ ଦଳ ମାନଙ୍କର ସଂଖ୍ୟା ଯେତିକି ରହିଛି ସେଥିରେ ବିଜେଡିର ସମର୍ଥନ ଏମାନଙ୍କୁ ଆବଶ୍ୟକ ନଥିଲା। ଏପରିକି ବିଜେଡି ଯଦି ଇଣ୍ଡିଆ ମେଣ୍ଟକୁ ସମର୍ଥନ କରେ ତାହା ଦ୍ୱାରା ଯେ ବିରୋଧୀ ପକ୍ଷ ନିର୍ବାଚନରେ ଯିତିବେ ତାହା ମଧ୍ୟ ନଥିଲା। ଏଣୁ ବିଜେଡିର ସମର୍ଥନ ବିରୋଧକୁ ନେଇ ସେ ଏନ୍ଡିଏ ହେଉ କି ଇଣ୍ଡିଆ ମେଣ୍ଟ ହେଉ କାହାରିକୁ କିଛି ଫାଇଦା ହୋଇ ନ’ଥାନ୍ତା। କିନ୍ତୁ ବିଜେଡିର ଆଭିମୁଖ୍ୟ ସ୍ପଷ୍ଟ ହୋଇଥାନ୍ତା। ଆଗାମୀ ଦିନରେ ରାଜନୀତିକୁ ଏକ ବାର୍ତ୍ତା ଯାଇଥାଆନ୍ତା ଯେ ବିଜେଡି ଏଣିକି ବିଜେପି ବିରୋଧରେ ସଫଳ ବିରୋଧୀ ଭୂମିକା ଗ୍ରହଣ କରିବ । ଏଭଳି ପଦକ୍ଷେପ ନେଇ ନବୀନ ସବୁଦିନ ପାଇଁ ଅତୀତ ଭଳି ସ୍ପଷ୍ଟ କରିଦେଲେ ଯେ ବିଜେପିକୁ ସେ କୌଣସି ପ୍ରକାର ପରୋକ୍ଷ ହେଉ କି ପ୍ରତ୍ୟେକ୍ଷ ହେଉ ରାଜନୈତିକ କ୍ଷତି ଘଟାଇଲା ଭଳି କୌଣସି କାର୍ଯ୍ୟ କରିବ ନାହିଁ ବୋଲି ରାଜେନୌତିକ ମହଲରେ ଆଲୋଚନା ହେଉଛି।
ଅତୀତରେ ବିଜେପି ମଧ୍ୟ ଦେଖାଇ ଆସିଛି ଯେ ନବୀନ ପଟ୍ଟନାୟକଙ୍କୁ ରାଜନୈତିକ କ୍ଷେତ୍ରରେ ହଇରାଣ କରିବା କି କିଛି କ୍ଷତି ଘଟାଇଲା ଭଳି କାର୍ଯ୍ୟ କରିବ ନାହିଁ। ବିଜେଡି କ୍ଷମତାରେ ଥିଲାବେଳେ ଯେତେବେଳେ ବିଜେପି ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ବିରୋଧରେ କଠୋର ଆଭିମୁଖ୍ୟ ପୋଷଣ କରିଥିଲା କାହାକୁ ଜେଲ୍ ପଠାଇଥିଲା ତ ଆଉ କାହାକୁ ରାଜନୈତିକ ଲାଞ୍ଚନା ଦେଇଥିଲା ସେପରି ନବୀନଙ୍କ କ୍ଷେତ୍ରରେ କରି ନଥିଲା। ନବୀନଙ୍କ ପାଇଁ ବିଜେପି ଶୀର୍ଷ ନେତୃତ୍ୱଙ୍କ ଆଭିମୁଖ୍ୟ ଭିନ୍ନ ଥିଲା। ସେତେବେଳେ ବିଜେଡି ସରକାର ବିରୋଧରେ ବିଜେପିର ରାଜ୍ୟ ନେତୃବୃନ୍ଦମାନେ ଅନେକ ଦୂର୍ନୀତି ଓ ଭ୍ରଷ୍ଟାଚାର ନେଇ ଅଭିଯୋଗ ଆଣିଥିଲେ ବି ଶୀର୍ଷ ନେତୃତ୍ୱ ଅବିଚଳିତ ରହିଥିଲେ। ନିକଟରେ ନବୀନ ସ୍ୱଳ୍ପ ସମୟ ପାଇଁ ସାଧାରଣ ଅସୁସ୍ଥତା ନେଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ସେ ସମୟରେ ବିଜେପିର ଶୀର୍ଷ ନେତୃତ୍ୱ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମେଦୀଙ୍କ ଠାରୁ ଆରମ୍ଭ କରି ରାଜ୍ୟ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କ ପର୍ଯ୍ୟନ୍ତ ଯେପରି ଦରଦି ମନୋଭାବ ପଦର୍ଶିତ କଲେ ତାହା ପୂର୍ବରୁ କେବେ ଦେଖାଯାଇନଥିଲା। ଅତୀତରେ ବହୁତ ଥର ନବୀନ ଅସୁସ୍ଥ ହୋଇଛନ୍ତି। ବିଦେଶକୁ ଚିକିତ୍ସା ପାଇଁ ଯାଇଛନ୍ତି। ସେ ମସୟରେ ବିଜେପି ନେତାମାନଙ୍କର ଏଭଳି ମାନବିକତା ଦେଖିବାକୁ ମିଳିନଥିଲା। ସ୍ୱାସ୍ଥ୍ୟଗତ କାରଣ ନେଇ ନବୀନଙ୍କୁ ଦେଖା କରିବା ଘଟଣାକୁ ମାନବିକତା ଦୃଷ୍ଟିକୋଣ ବୋଲି କୁହାଗଲା। ଏହାକୁ କେହି ସମାଲୋଚନା କରିପାରିବେ ନାହିଁ। କିନ୍ତୁ ଏହା ପଛରେ ଯେଉଁ ସୁଦୁର ପ୍ରସାରେ ରାଜନୈତିକ ଉଦ୍ଦେଶ୍ୟ ଅନ୍ତର୍ନିହିତ ଥିଲା ତାହାକୁ ଅଶ୍ୱୀକାର କରାଯାଇ ପାରିବ ନାହିଁ। ଗତ ନିର୍ବାଚନ ସମୟରେ ନବୀନଙ୍କ ସ୍ୱାସ୍ଥ୍ୟ ଘଟଣାକୁ ନେଇ ବିଜେପିର ଶୀର୍ଷ ନେତୃତ୍ୱଙ୍କ ଠାରୁ ଆରମ୍ଭ କରି ତଳସ୍ତରର ନେତାଙ୍କ ପର୍ଯ୍ୟନ୍ତ ଯେଭଳି ଭାବରେ କୁତ୍ସାରଟନା କରିଥିଲେ ତାହାକୁ କେହି ଭୁଲିପାରିବେ ନାହିଁ।
ଏଣୁ କ୍ଷତି ନ ହେଲେ ମଧ୍ୟ ବିଜେପି ଚାହେଁ ନାହିଁ ବିରୋଧୀ ପକ୍ଷଙ୍କ ଶକ୍ତି ବଢ଼ୁ। ସେଥିପାଇଁ ନବୀନ କ୍ଷମତାରୁ ଗଲେ ବି ତାଙ୍କୁ ଅସନ୍ତୁଷ୍ଟ କରିବାକୁ ବିଜେପିର କେନ୍ଦ୍ରୀୟ ନେତୃତ୍ୱ ଚାହାଁନ୍ତି ନାହିଁ। ଏପରିକି ନବୀନ ମଧ୍ୟ ଜାଣିଛନ୍ତି ତାଙ୍କ ବିରୋଧ ଦ୍ୱାରା ବିଜେପିର କିଛି ଫରକ୍ ପଡ଼ିବ ନାହିଁ। ସେଥିଲାଗି ସେ ବିଜେପିର ଶୀର୍ଷ ନେତୃତ୍ୱଙ୍କୁ ଅସନ୍ତୁଷ୍ଟ କରିବା ପାଇଁ ଇଚ୍ଛା ପ୍ରକାଶ କରୁ ନାହାଁନ୍ତି। ଯେଉଁ ଘଟଣାରେ କେନ୍ଦ୍ର ସରକାର ରାଜନୈତିକ ଅଡ଼ୁଆରେ ନପଡ଼ିବେ ସେହି କ୍ଷେତ୍ରରେ କେବଳ ଲୋକ ଦେଖାଇବା ପାଇଁ ପଦକ୍ଷେପ ନେବା କୌଶଳ ନବୀନ ଆପଣାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଚିନ୍ତାଧାରା ଓ ଭାବମୂର୍ତ୍ତିକୁ କ୍ଷତିକଲା ଭଳି କିଛି ବି କାର୍ଯ୍ୟ କରିବେ କ୍ଷମତାରେ ନଥିଲେ ମଧ୍ୟ ତାହାର ପରିଣତି କ’ଣ ହେବ ନବୀନ ଭଲ ଭାବରେ ଜାଣିଛନ୍ତି। ଏଣୁ ସମଦୂରତା କଥା କହି ସବୁବେଳେ ସେ ରାଜନୀତି କରି ଚାଲିଛନ୍ତି। ଏପରିକି ରାଜ୍ୟ ବିଜେପି ସରକାର ବିରୋଧରେ ବିଜେଡି କେବଳ ବିରୋଧୀ ଭୂମିକା ଲିଭାଇବା ଲାଗି କାର୍ଯ୍ୟକରି ଚାଲିଛି। ବିଜେପି ସରକାର କ୍ଷମତାକୁ ଆସିବା ପରେ ଯେତେ ସବୁ ଘଟଣା ଘଟିଲାଣି ସେ ସବୁକୁ ନେଇ ବିଜେଡି ଯଭଳି ଦୁର୍ବାର ଆନ୍ଦୋଳନ କରିପାରିବ ଓ ସରକାରଙ୍କୁ ଥରହର କରିବ ତାହା କଂଗ୍ରେସ କରିପାରିବ ନାହିଁ। ହେଲେ ନବୀନ ସେ ଦିଗକୁ ଯାଉ ନାହାଁନ୍ତି। ଏସବୁ ଘଟଣାକୁ ତର୍ଜମା କଲେ କଂଗ୍ରେସ ଏବେ ଯେଉଁ ଅନାସ୍ଥା ପ୍ରସ୍ତାବ ଆଣିବା ପାଇଁ ଆହ୍ୱାନ ଦେଉଛି ସେଥିରେ ନିରାଶ ହେବ ବୋଲି ରାଜନୈତିକ ବିଶେଷଜ୍ଞମାନେ ମତ ଦେଉଛନ୍ତି।
ଦକ୍ଷିଣ ଆଫ୍ରିକାକୁ ହରାଇ ପ୍ରଥମ ଥର ଚାମ୍ପିଅନ ହେଲା ଭାରତ
ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାକୁ ହରାଇ ଭାରତ ପ୍ରଥମ ଥର ପାଇଁ ବିଶ୍ୱକପ ଜିତିଛି । ଭାରତୀୟ ମହିଳା କ୍ରିକେଟ୍ ଦଳ ସର୍ବପ୍ରଥମ ବିଶ୍ୱକପ୍ ଜିତି ଦୀର୍ଘ ବର୍ଷର ପ୍ରତୀକ୍ଷାର ଅନ୍ତ ଘଟାଇଛି । ୨୦୦୫ ଫାଇନାଲ୍ରେ ଅଷ୍ଟ୍ରେଲିଆଠାରୁ ଏବଂ ୨୦୧୭ ଫାଇନାଲ୍ରେ ଇଂଲଣ୍ଡଠାରୁ ହାରି ରନର୍ସଅପ୍ ହୋଇଥିବା ଭାରତୀୟ ଦଳ ତୃତୀୟ ଥର ଫାଇନାଲ୍ ଖେଳି ପ୍ରଥମ ଥର ବିଶ୍ୱ ବିଜେତା ହୋଇଛି । ନବି ମୁମ୍ବାଇର ଡିୱାଇ ପାଟିଲ୍ ଷ୍ଟାଡିୟମ୍ରେ ରବିବାର ରାତିରେ ଭାରତୀୟ ମହିଳା ଦଳ ରୋମାଞ୍ଚକ ଭାବେ ପ୍ରଥମ ଥର ଫାଇନାଲିଷ୍ଟ୍ ଦକ୍ଷିଣ ଆଫ୍ରିକାକୁ ୫୨ ରନ୍ରେ ହରାଇ ଏହି ଐତିହାସିକ କ୍ଷଣକୁ ସାଉଁଟି ନେଇଛି। ପୁରୁଷ ଦଳର ୪ ବିଶ୍ୱ ମୁକୁଟକୁ ମିଶାଇଲେ ଏହା ଭାରତର ପଞ୍ଚମ ଆଇସିସି ବିଶ୍ୱକପ୍ ବିଜୟ । ପ୍ରଥମେ ବ୍ୟାଟିଂ କରି ସ୍ମୁତି ମନ୍ଧାନା ୪୫ ରନ୍ ଓ ଶେଫାଳି ବର୍ମା ୮୭ ରନ୍ ଶତକୀୟ ଭାଗୀଦାର ପରେ ଭାରତ ୨୯୮ ରନ୍ କରିଥିଲା । ଦକ୍ଷିଣ ଆଫ୍ରିକା ପାଳି ୪୫.୩ ଓଭରରେ ୨୪୬ ରନ୍ରେ ଶେଷ ହୋଇଯାଇଥିଲା । ଦାୟିତ୍ୱପୂର୍ଣ୍ଣ ଅର୍ଦ୍ଧଶତକ ପରେ ଭେଟେରାନ୍ ଅଲ୍ରାଉଣ୍ଡର୍ ଦୀପ୍ତିଙ୍କ ୫ ୱିକେଟ୍ ଦଖଲ କରିବା ନିର୍ଣ୍ଣାୟକ ହୋଇଥିଲା ।
ଅଲରାଉଣ୍ଡର ପଦର୍ଶନ ପାଇଁ ଦୀପ୍ତିଙ୍କୁ ପ୍ଲେୟର ଅଫ ଦ ଟୁର୍ଣ୍ଣାମେଣ୍ଟ ଘୋଷିତ କରାଯାଇଥିଲା । ଦୀପ୍ତିଙ୍କ ଭଳି ଶେଫାଳି ବର୍ମାଙ୍କ ଅଲ୍ରାଉଣ୍ଡ୍ ପ୍ରଦର୍ଶନ ୮୭ ରନ କରିବା ସହ ୨ ଟି ୱିକେଟ ନେଇ ମ୍ୟାନ ଅଫ ଦ ମ୍ୟାଚ ଘୋଷିତ ହୋଇଥିଲେ । ଅନ୍ୟପକ୍ଷରେ ପ୍ରଥମ ଥର ପାଇଁ ଫାଇନାଲ୍ ଖେଳିଥିବା ଦକ୍ଷିଣ ଆଫ୍ରିକାର ସ୍ୱପ୍ନ ଅଧୁରା ରହିଯାଇଛି ।ଶେଫାଳି ଫାଇନାଲ୍ର ଏବଂ ଦୀପ୍ତି ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଏହି ବିଜୟ ସହ ୧୪୫ କୋଟି ଭାରତୀୟ ଆନନ୍ଦଉଲ୍ଲାସରେ ନାଚି ଉଠିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ସହ ବହୁ ପୂର୍ବତନ ଖେଳାଳି ଓ ଖେଳ ପ୍ରଶାସକ ବିଶ୍ୱକପ୍ ବିଜୟ ପାଇଁ ଭାରତୀୟ ମହିଳା ଦଳକୁ ବଧାଇ ଜଣାଇଛନ୍ତି।
ଦୃଷ୍ଟିହୀନ ମହିଳା ବିଶ୍ୱକପ୍ ଫାଇନାଲ୍ରେ ଭାରତ ବିଜୟ
ପ୍ରଥମ ଦୃଷ୍ଟିହୀନ ମହିଳା ବିଶ୍ୱକପ୍ ଫାଇନାଲ୍ରେ ଭାରତ ବିଜୟ। କଲମ୍ବୋରେ ନେପାଳକୁ ପରାସ୍ତ କରି ଭାରତୀୟ ମହିଳା ଦୃଷ୍ଟିହୀନ କ୍ରିକେଟ୍ ଦଳ ପ୍ରଥମ ଥର ପାଇଁ ବିଶ୍ୱକପ୍ ଟାଇଟେଲ୍ ଜିତିଛି। ଏହି ରୋମାଞ୍ଚକର ଫାଇନାଲ୍ ମ୍ୟାଚ୍ରେ ଭାରତ ନେପାଳକୁ ସାତ ୱିକେଟରେ ପରାସ୍ତ କରି ଟାଇଟେଲ୍ ଜିତିଛି। ଭାରତ ସମଗ୍ର ଟୁର୍ଣ୍ଣାମେଣ୍ଟରେ ଅପରାଜିତ ରହି ତିନୋଟି ମ୍ୟାଚ୍ ଜିତି ଟାଇଟେଲ୍ ଜିତିଛି। ଭାରତ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ନେପାଳ ୨୦ ଓଭରରେ ୫ ୱିକେଟ୍ ହରାଇ ୧୧୪ ରନ୍ କରିଥିଲା। ଭାରତ ୪୭ ବଲ୍ ବାକି ଥାଇ ୧୨.୧ ଓଭରରେ ଏହି ଲକ୍ଷ୍ୟ ହାସଲ କରିଥିଲା। ଭାରତୀୟ ଓପନର ଖୁଲା ଧାରି ୨୭ ବଲରୁ ୪ ଚୌକା ସହିତ ଅପରାଜିତ ୪୪ ରନ୍ କରିଥିଲେ। କୋଡ଼ିଏ ଦିନ ପୂର୍ବେ, ଭାରତୀୟ ମହିଳା ଦଳ ନଭି ମୁମ୍ବାଇରେ ଦକ୍ଷିଣ ଆଫ୍ରିକା ଦଳକୁ ପରାସ୍ତ କରି ମହିଳା କ୍ରିକେଟରେ ଏକ ନୂତନ ଅଧ୍ୟାୟ ଆରମ୍ଭ କରିଥିଲା। ଏବେ, ଭାରତୀୟ ଦୃଷ୍ଟିହୀନ ମହିଳା ଦଳ ମଧ୍ୟ ବିଶ୍ୱକପ୍ ଜିତି ଦୃଷ୍ଟିହୀନ କ୍ରିକେଟ ପାଇଁ ଏକ ଇତିହାସ ସୃଷ୍ଟି କରିଛି।
ବାରବାଟୀରେ ଭାରତର ବଡ଼ ବିଜୟ, ୭୪ ରନ୍ରେ ଦକ୍ଷିଣ ଆଫ୍ରିକା ଅଲ୍ଆଉଟ୍
ଐତିହାସିକ ବାରବାଟୀ ଷ୍ଟାଡିୟମରେ ମଙ୍ଗଳବାର ଭାରତୀୟ କ୍ରିକେଟ୍ ଟିମ୍ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦମ୍ଦାର ବିଜୟ ହାସଲ କରିଛି। ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କର ବିସ୍ଫୋରକ ବ୍ୟାଟିଂ ଓ ବୋଲରଙ୍କ ଦମଦାର ବୋଲିଂ ଫଳରେ ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍କୁ ସୂର୍ଯ୍ୟକୁମାର ଯାଦବଙ୍କ ଟିମ୍ ୧୦୧ ରନ୍ରେ ଜିତିଛି। ୧୭୬ ରନ୍ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକା ୧୨.୩ ଓଭରରେ ସମସ୍ତ ୱିକେଟ୍ ହରାଇ ୭୪ ରନ୍ କରିଛି। ଘରୋଇ ଦଳ ଏଠାରେ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ୍ ହରାଇ ୧୭୫ ରନ୍ ସଂଗ୍ରହ କରିଥିଲା। ଏହି ବିଜୟ ସହିତ ଭାରତ ଶୃଙ୍ଖଳାରେ ୧-୦ରେ ଅଗ୍ରଣୀଲାଭ କରିଛି। ଭାରତୀୟ ବୋଲର ବାରବାଟୀରେ ଦମଦାର ପ୍ରଦର୍ଶନ କରିଥିଲେ। ଫଳରେ ୫୦ ରନ୍ରେ ଦକ୍ଷିଣ ଆଫ୍ରିକାର ଅଧା ଖେଳାଳି ଆଉଟ୍ ହୋଇଥିଲେ। ଭାରତର ଦ୍ରୁତ ବୋଲର ଅର୍ଶଦୀପ ସିଂହଙ୍କ ବଲ୍ ଅଭିଷେକ ଶର୍ମାଙ୍କୁ କ୍ୟାଚ୍ ଦେଇ କ୍ୱିଣ୍ଟାନ୍ ଡି’ କକ୍ ଆଉଟ୍ ହୋଇଥିଲେ। ଦକ୍ଷିଣ ଆଫ୍ରିକା ମାତ୍ର ୧ ରନ୍ରେ ପ୍ରଥମ ୱିକେଟ୍ ହରାଇଥିଲା। ଅତିଥି ଦଳ କ୍ୱିଣ୍ଟାନ୍ ଡି’ କକ୍ଙ୍କ ପରେ ତ୍ରିଷ୍ଟନ୍ ଷ୍ଟବ୍ସଙ୍କୁ ହରାଇ ଥିଲା। ତ୍ରିଷ୍ଟନ୍ ଷ୍ଟବ୍ସ ୯ଟି ବଲ୍ ଖେଳି ୧୪ ରନ୍ ସଂଗ୍ରହ କରିଥିଲେ। ସେ ମଧ୍ୟ ଅର୍ଶଦୀପଙ୍କ ବଲ୍ ଜିତେଶ ଶର୍ମାଙ୍କୁ କ୍ୟାଚ୍ ଦେଇ ପାଭିଲିଅନ୍ ଫେରି ଆସିଥିଲେ। ଦକ୍ଷିଣ ଆଫ୍ରିକା ୨.୩ ଓଭରରେ ୧୬ ରନ୍ ସଂଗ୍ରହ କରି ଦ୍ୱିତୀୟ ୱିକେଟ୍ ହରାଇଥିଲା।
ଦିବ୍ୟାଙ୍ଗ ନାବାଳିକାକୁ ଦୁଷ୍କର୍ମ ପ୍ରତିବାଦରେ ୧୨ ଘଣ୍ଟିଆ କେନ୍ଦୁଝର ବନ୍ଦ
କେନ୍ଦୁଝର: ଦିବ୍ୟାଙ୍ଗ ନାବାଳିକାକୁ ଦୁଷ୍କର୍ମ ପ୍ରତିବାଦରେ ୧୨ ଘଣ୍ଟିଆ କେନ୍ଦୁଝର ବନ୍ଦ । ଅତ୍ୟାବଶ୍ୟକୀୟ ସେବାକୁ ଛାଡ଼ି ଦୋକାନ, ବଜାର, ଯାନବାହାନ ଚଳାଚଳ, ସ୍କୁଲ, କଲେଜ, ଅଫିସ୍ ସାମିଲଥିଲା । ସେପଟେ ଅଭିଯୁକ୍ତକୁ ଦଣ୍ଡବିଧାନ ସହ, ଅନୁପ୍ରବେଶକାରୀ, ଉପଦ୍ରବକାରୀ ତଥା ଅସାମାଜିକ କାର୍ଯ୍ୟକଳାପରେ ଲିପ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରି ଜିଲ୍ଲାରୁ ବିତାଡ଼ିତ କରିବାକୁ ଦାବି କରିଛି ବିଶ୍ୱହିନ୍ଦୁ ପରିଷଦ । ଅଖ, ଚକ, ସବୁ ବନ୍ଦ । କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ସଦର ଥାନା ଅଞ୍ଚଳରେ ଜଣେ ଦିବ୍ୟାଙ୍ଗ ନାବାଳିକାକୁ ଦୁଷ୍କର୍ମ ବିରୋଧରେ ପ୍ରତିବାଦର ହୋଇଛି । ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ୧୨ ଘଣ୍ଟିଆ କେନ୍ଦୁଝର ବନ୍ଦ ଡାକରାକୁ ସମର୍ଥନ କରିଛନ୍ତି ଜନସାଧାରଣ ସହ ମହିଳା । କେନ୍ଦୁଝର ସହର ବ୍ୟତୀତ ଆନନ୍ଦପୁର, ଚମ୍ପୁଆ, ଯୋଡ଼ା, ବଡ଼ବିଲ, ପାଟଣା ଆଦି ଅଞ୍ଚଳରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଥିଲା । ଦୋକାନ, ବଜାର ସହ ଯାନବାହାନ ଚଳାଚଳ ମଧ୍ୟ ପ୍ରଭାବିତ ହୋଇଛି । ସେପଟେ ସାମ୍ନାକୁ ଆସିଛି ଦୁଷ୍କର୍ମକାରୀର ସିସିଟିଭି ଫୁଟେଜ୍ । ଗାଡ଼ି ରଖିବା ପରେ ସିଧା ପୀଡ଼ିତାଙ୍କ ଦୋକାନ ଭିତରକୁ ପଶିଯାଉଛି ଅଭିଯୁକ୍ତ । ଯଦିଓ ଏହି ଘଟଣା ପରେ ଦୁଷ୍କର୍ମକାରୀକୁ ଗିରଫ କରାଯାଇଛି, କିନ୍ତୁ ଏହା ଏକ ସମ୍ବେଦନଶୀଳ ଘଟଣା ହୋଇଥିବାରୁ ପୀଡ଼ିତାଙ୍କୁ ତୁରନ୍ତ ନ୍ୟାୟ ଦେବାକୁ ଦାବି ହୋଇଛି । ଖୋଦ୍ ଉତ୍ତରାଞ୍ଚଳ ଡିଆଇଜି କହିଛନ୍ତି ଯେ, ପୀଡ଼ିତା କିପରି ନ୍ୟାୟ ପାଇବେ, ସେଥିପାଇଁ ସବୁ ବ୍ୟବସ୍ଥା କରାଯିବ । ସେପଟେ ଜିଲ୍ଲାରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ଦ୍ୱାରା ବିଭିନ୍ନ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଉଥିବାରୁ ଏହା ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ସେମାନଙ୍କୁ ବିଦା କରିବାକୁ ଦାବି ହୋଇଛି । ଗତ ୧୪ ତାରିଖରେ ଘରେ କେହି ନଥିବାର ସୁଯୋଗ ପାଇ ନାବାଳିକାକୁ ଦୁଷ୍କର୍ମ କରିଥିଲା ଜଣେ ପାଉଁରୁଟି ବିକାଳି । ଘଟଣାରେ ଅଭିଯୁକ୍ତକୁ ଗିରଫ କରାଯାଇଥିବା ବେଳେ ପୀଡିତା ନାବାଳିକା ଜଣକ ଏବେ ଡାକ୍ତରଖାନାରେ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି ।
ମା’କୁ ଖଣ୍ଡ ଖଣ୍ଡ କରି ହାଣିଦେଲା କୁଳାଙ୍ଗାର ପୁଅ
କୁଳାଙ୍ଗାର ପୁଅ। ଜନ୍ମକଲା ମା’କୁ ଛାଡ଼ିଲାନି ପୁଅ। ହାଣି ଖଣ୍ଡ ଖଣ୍ଡ କରି କାଟିଦେଲା। ଏତିକିରେ ମନ ଶାନ୍ତି ହେଲାନି, ମା’ର କଟା ଖଣ୍ଡ ପାଖରେ ବସି ଗୀତ ଗାଇଲା ଅଲାଜୁକ ପୁଅ। ଛତିଶଗଡ଼ର ଜଶପୁର ଜିଲ୍ଲାରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। କୁଙ୍କୁରି ଥାନା ଅଞ୍ଚଳର ଏକ ଗାଁରେ ଘଟିଛି ଏହି ବିଭତ୍ସ ହତ୍ୟାକାଣ୍ଡ। ଜଣେ ପୁଅ ନିଜ ମାଆଙ୍କୁ କୁରାଢ଼ିରେ ଅତି ନିର୍ମମ ଭାବେ ହତ୍ୟା କରିଛି। ମୃତକଙ୍କ ନାମ ଗୁଲା ବାଇ, ବଡ଼ ଆଶ୍ଚର୍ଯ୍ୟ କଥା କି ଅଭିଯୁକ୍ତ ନିଜେ ତାଙ୍କ ପୁଅ। ଅଭିଯୁକ୍ତ ପୁଅ ଜିତ ରାମ ଯାଦବ ବୋଲି କୁହାଯାଉଛି। ପୋଲିସ ଅଭିଯୁକ୍ତକୁ ହେପାଜତକୁ ନେଇଛି। ହତ୍ୟାର କାରଣ ତଦନ୍ତ କରାଯାଉଛି। ପୋଲିସ କହିବା ଅନୁଯାୟୀ, ଘଟଣାଟି ରବିବାର ବିଳମ୍ବିତ ସନ୍ଧ୍ୟାରେ ଘଟିଥିଲା। କୁଙ୍କୁରି ଥାନା ଅଞ୍ଚଳରେ ରହୁଥିବା ଗୁଲା ବାଇ ସବୁଦିନ ପରି ତାଙ୍କ ଘରେ କାମ କରୁଥିଲେ। ହଠାତ୍ ତାଙ୍କ ପୁଅ ଜିତ ରାମ ଯାଦବ ସେଠାରେ ପହଞ୍ଚି ତାଙ୍କ ମାଆଙ୍କୁ କୁରାଢ଼ିରେ ଆକ୍ରମଣ କରିଥିଲେ। ଆକ୍ରମଣରେ ଗୁଲା ବାଇ ଗୁରୁତର ଆହତ ହୋଇଥିଲେ ଏବଂ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା।ଏଭଳି ହତ୍ୟାକାଣ୍ଡ ଦେଖି ଗାଁଲୋକ ତୁରନ୍ତ ପୋଲିସକୁ ଏନେଇ ଖବର ଦେଇଥିଲେ। ପୋଲିସ ଟିମ୍ ଘଟଣାସ୍ଥଳରେ ଅଭିଯୁକ୍ତ ପୁଅକୁ ଧରିବା ସହ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଥିଲେ। ଏତେ ବଡ଼ ହତ୍ୟାକାଣ୍ଡ ଘଟାଇବା ପରେ ପୁଅର ନଥିଲା ଅନୁତାବ। ଓଲଟି ମୃତଦେହ ପାଖରେ ବସି ଗୀତ ଗାଇଥିଲା ପୁଅ। ଯାହା ଲୋକେ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଗାଁ ଲୋକେ କହିଛନ୍ତି ଯେ ତାଙ୍କ କାର୍ଯ୍ୟ ଦେଖି ଲାଗୁଥିଲା ଯେ ତାଙ୍କୁ ତାଙ୍କ କାର୍ଯ୍ୟ ପାଇଁ କୌଣସି ଅନୁତାପ ନାହିଁ। ଅଭିଯୁକ୍ତଙ୍କ ଏହି ଅଜବ ଆଚରଣ ଦେଖି ଗାଁ ଲୋକମାନେ ସନ୍ଦେହ କରିଥିଲେ ଯେ ତାଙ୍କର ମାନସିକ ଅବସ୍ଥା ଭଲ ନଥାଇପାରେ। ପୋଲିସ ପହଞ୍ଚିବା ବେଳକୁ ଅଭିଯୁକ୍ତ ସେଠାରେ ବସି ଗୁଣୁଗୁଣୁ ହେଉଥିଲା। ପୋଲିସ ତାଙ୍କୁ ବହୁତ କଷ୍ଟରେ ନିୟନ୍ତ୍ରଣ କରିପାରିଥିଲା ଏବଂ ତାଙ୍କୁ ହେପାଜତକୁ ନେଇଥିଲା।
ଜନ୍ମଦିନରେ ଜଘନ୍ୟକାଣ୍ଡ: କେକ୍ କାଟିବାକୁ ଡାକି ଯୁବତୀଙ୍କୁ ରାତିସାରା କଲେ ଗଣଦୁଷ୍କର୍ମ
ଜନ୍ମଦିନରେ ଜଘନ୍ୟକାଣ୍ଡ । ଜନ୍ମଦିନ ପାଳିବାକୁ ଡାକି ବନ୍ଧୁତାର ସବୁ ସୀମା ଡେଇଁଗଲେ ଦୁଇ ସାଙ୍ଗ । ଆଉ କେକ୍ କାଟିବା ବାହାନାରେ ରୁମକୁ ଡାକି ରାତି ସାରା ଗଣଦୁଷ୍କର୍ମ କଲେ ଦୁଇ ସୈତାନ ସାଙ୍ଗ । ଏଭଳି ନାରକୀୟ କାଣ୍ଡ କୋଲକାତାରୁ ଆସିବା ପରେ ପୁଣି ଥରେ ଲଜ୍ଜିତ ହୋଇଛି ପଶ୍ଚିମବଙ୍ଗ । ଯେଉଁଠି ନାରୀଟିଏ ଆଦୌ ସୁରକ୍ଷିତ ନୁହେଁ ବୋଲି ପ୍ରଶ୍ନ ଉଠିଛି । ତେବେ ମିଳିଥିବା ସୂଚନା ଅନୁସାରେ କୋଲକାତାର ହରିଦେବପୁର ଅଞ୍ଚଳର ଜଣେ ୨୦ ବର୍ଷୀୟ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ଗତ ସେପ୍ଟେମ୍ବର ୫ ତାରିଖ, ଶୁକ୍ରବାର- ଯୁବତୀଙ୍କ ଜନ୍ମଦିନ ଥିବାରୁ ତାଙ୍କ ଜନ୍ମଦିନ ପାଳନ କରିବାକୁ ତାଙ୍କୁ ନିମନ୍ତ୍ରଣ କରିଥିଲେ ତାଙ୍କର ଦୁଇ ସାଙ୍ଗ । ଯେଉଁମାନେ ଗତ ମାସେ ହେବ ବନ୍ଧୁତାର ସୁତ୍ରରେ ବାନ୍ଧି ହୋଇଛନ୍ତି । ଯୁବତୀଙ୍କ ଜନ୍ମଦିନ ଥିବାରୁ ତାଙ୍କୁ ଦୁଇ ବନ୍ଧୁ ଚନ୍ଦନ ମଲ୍ଲିକ ଏବଂ ଦୀପ ବିଶ୍ୱାସ ସେଦିନ ରାତିରେ ଗୋଟେ ଫ୍ଲାଟକୁ ନେଇଥିଲେ । ରିଗେଣ୍ଟ ପାର୍କ ଅଞ୍ଚଳରେ ଥିବା ଫ୍ଲାଟରେ ସେହି ୩ ଜଣଙ୍କ ଛଡା ଆଉ କେହି ନଥିଲେ । ସମସ୍ତେ ମିଲ୍ ଖାଇବା ପରେ ମୃଦୁ ପାନୀୟ ପିଇଥିଲେ ଏବଂ ତାପରେ ଯୁବତୀ ଜଣଙ୍କ ଘରକୁ ଫେରିବାକୁ ବାହାରିବାରୁ ଜଣେ ବନ୍ଧୁ ଘରର କବାଟ ଦେଇଦେଇଥିଲା ଆଉ ଦୁହେଁ ଯୁବତୀଙ୍କୁ ଅଶାଳୀନ ବ୍ୟବହାର କରିବା ସହ ବାରମ୍ବାର ଦୁଷ୍କର୍ମ କରିଥିଲେ । ଅଭିଯୋଗ ହେଉଛି କି ମୃଦୁ ପାନୀୟରେ ନିଶା ମିଶାଇ ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯାଇଛି । ରାତି ସାରା ଦୁଇ ସୈତାନ ସାଙ୍ଗ ଯୁବତୀଙ୍କୁ ଗଣଦୁଷ୍କର୍ମ କରିବା ପରେ ପର ଦିନ ସକାଳ ପ୍ରାୟ ସାଢେ ୧୦ଟା ବେଳେ ଯୁବତୀ କୌଣସି ପ୍ରକାରେ ରୁମରୁ ଖସି ପଳାଇ ଆସିବା ସହ ଘରେ ଗତ ରାତିର ଘଟଣା ସବୁ କହିଥିଲେ ଏବଂ ପରେ ପରିବାର ଲୋକେ ତାଙ୍କୁ ନେଇ ଥାନାରେ ଅଭିଯୋଗ ଲେଖେଇଥିଲେ । ପୋଲିସ ଏଯାଏଁ ଦୁଇ ଅଭିଯୁକ୍ତଙ୍କୁ ଧରିପାରିନି, ସେମାନେ ଫେରାର ଅଛନ୍ତି ।ଯୁବତୀ ଜଣଙ୍କୁ ଚନ୍ଦନ ମଲ୍ଲିକ ଦକ୍ଷିଣ କୋଲକାତାର ଏକ ପ୍ରତିଷ୍ଠିତ ଦୁର୍ଗା ପୂଜା କମିଟିର ସଦସ୍ୟ କହିବା ସହ ତା ସାଙ୍ଗ ଦୀପ ସହ ଯୁବତୀଙ୍କୁ ଭେଟାଇଥିଲା ଆଉ ଦୁହେଁ ଯୁବତୀଙ୍କୁ ପୂଜା କମିଟିରେ ତାଙ୍କୁ ସାମିଲ କରେଇବେ ବୋଲି ବି ପ୍ରତିଶ୍ରୁତି ଦେଇଥିଲେ ଏବଂ ସେବେଠାରୁ କଥାବାର୍ତ୍ତା କରୁଥିଲେ । ମାତ୍ର ଯୁବତୀଙ୍କ ଜନ୍ମଦିନରେ ଏଭଳି ନୃଶଂସ କାମ କରିବେ ବୋଲି କିଏ ଜାଣିଥିଲା ।
ବଢ଼ିଲା ବିଧାୟକଙ୍କ ଦରମା ଓ ଭତ୍ତା
ଭୁବନେଶ୍ୱର: ବଢିଲା ବିଧାନସଭା ଜନପ୍ରତିନିଧିଙ୍କ ଦରମା । ବିଧାନସଭା ବାଚସ୍ପତି, ଉପବାଚସ୍ପତି, ମନ୍ତ୍ରୀ ଓ ସଦସ୍ୟ ମାନଙ୍କ ଦରମା, ଭତ୍ତା ଓ ପେନସନ୍ ବିଲ ୨୦୨୫ ଗୃହରେ ପାରିତ ହୋଇଛି। ତେବେ ବିଧାନସଭା ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବି ହେବା ପୂର୍ବରୁ ଏହି ବିଲ୍ ଗୃହରେ ପାରିତ ହୋଇଛି। ଜାଣିରଖନ୍ତୁ, ଏହି ବିଲ୍ ପାରିତ ହେବା ପରେ ବିଧାୟକ ଓ ବାଚସ୍ପତିଙ୍କ ଦରମା କେତେ ବୃଦ୍ଧି ପାଇଛି?ବାଚସ୍ପତିଙ୍କ ଦରମା ୪୦,୫୦୦ରୁ ୯୮ ହଜାରକୁ ବୃଦ୍ଧି କରାଯାଇଛି । ବୈଠକ ଭତ୍ତା ୮୦୦ ଟଙ୍କାରୁ ୨୦୦୦ ଟଙ୍କାକୁ ବୃଦ୍ଧି ହୋଇଛି । କାର ଭତ୍ତା ମାସିକ ୧୭ ହଜାର ବଢି ୮୯ ହଜାର ହେବ । ୪୦ ହଜାର ଟଙ୍କା ପାଉଥିଲେ ୯୬ ହଜାର ଟଙ୍କା ମିଳିବ । ୩୬ ହଜାର ଟଙ୍କା ପାଉଥିଲେ ମିଳିବ ୯୨ ହଜାର ଟଙ୍କା । ସେହିପରି ଉପବାଚସ୍ପପତି ପାଇବେ ୯୪ ହଜାର ଟଙ୍କା । ପୂର୍ବରୁ ଉପବାଚସ୍ପତିଙ୍କ ଦରମା ୩୮ ହଜାର ଟଙ୍କା ଥିଲା । ବୈଠକ ଭତ୍ତା ୮୦୦ ବଦଳରେ ୨୦୦୦ ଟଙ୍କା ପାଇବେ । କାର ଭତ୍ତା ୧୭ ହଜାର ବଦଳରେ ୮୫ ହଜାର ଟଙ୍କା ପାଇବେ । ବ୍ୟକ୍ତିଗତ ଭାବେ ୧ ଲକ୍ଷ ୭୭ ହଜାର ଟଙ୍କା ପାଇବେ । ପୂର୍ବରୁ ବ୍ୟକ୍ତିଗତ ଭତ୍ତା ୪୦ ହଜାର ଟଙ୍କା ଥିଲା । ବାସଗୃହ ଭତ୍ତା ବାବଦକୁ ୨ ହଜାର ଟଙ୍କା ମିଳିବ ।

ବାଚସ୍ପତିଙ୍କ ଦରମା ୪୦ ହଜାର ୫୦୦ରୁ ୯୮ ହଜାରକୁ ବୃଦ୍ଧି
– ବୈଠକ ଭତ୍ତା ୮୦୦ ଟଙ୍କା ୨୦୦୦ ଟଙ୍କାକୁ ବୃଦ୍ଧି
– କାର ଭତ୍ତା ମାସିକ ୧୭ ହଜାର ବଢି ୮୯ ହଜାର ହେବ
– ବ୍ୟକ୍ତିଗତ ବ୍ୟୟ ଭତ୍ତା ୪୦ ହଜାର ଟଙ୍କା ବଦଳରେ ୧ ଲକ୍ଷ ୮୧ ହଜାର ଟଙ୍କା ପାଇବେ
– ବାସଗୃହ ଭତ୍ତା ମାସିକ ୧ ଶହ ଟଙ୍କା ବଦଳରେ ଦୈନିକ ୨୦୦୦ ଟଙ୍କା ପାଇବେ
– ଉପ-ବାଚସ୍ପତିଙ୍କ ମାସିକ ଦରମା ୩୮ ହଜାରରୁ ୯୪ ହଜାରକୁ ବୃଦ୍ଧି
– ବୈଠକ ଭତ୍ତା ୮୦୦ ବଦଳରେ ୨୦୦୦ ପାଇବେ
– କାର ଭତ୍ତା ୧୭ ହଜାର ବଦଳରେ ୮୫ ହଜାର ପାଇବେ
– ବ୍ୟକ୍ତିଗତ ଭତ୍ତା ୪୦ ହଜାର ବଦଳରେ ୧ ଲକ୍ଷ ୭୭ ହଜାର ପାଇବେ
– ବାସଗୃହ ଭତ୍ତା ଦୈନିକ ୨୦୦୦ ଟଙ୍କା ପାଇବେ
– ବିଧାୟକମାନଙ୍କ ଦରମା ଓ ଭତ୍ତା କେତେ ମିଳିବ?
ବିଧାୟକ ଓ ପୂର୍ବତନ ବିଧାୟକ ମାନଙ୍କୁ ଏଣିକି ୩୫ ହଜାର ବଦଳରେ ମିଳିବ ୯୦ ହଜାର ଟଙ୍କା
– ୪୦ ହଜାର ଟଙ୍କା ପାଉଥିଲେ ମିଳିବ ୯୬ ହଜାର ଟଙ୍କା
– ୩୬ ହଜାର ଟଙ୍କା ପାଉଥିଲେ ମିଳିବ ୯୨ ହଜାର ଟଙ୍କା
– ନିର୍ବାଚନମଣ୍ଡଳୀ ଓ ଲୋକସେବା ଭବନ ଗସ୍ତ ଖର୍ଚ୍ଚ ଭତ୍ତା ବାବଦକୁ ୨୦ ହଜାର ବଦଳରେ ୭୫ ହଜାର ମିଳିବ
– କମିଟି ବୈଠକ ଭତ୍ତା ୧୫୦୦ ଟଙ୍କା ବଦଳରେ ୩୦୦୦ ମିଳିବ
– ରାଜ୍ୟ ବାହାରେ ବୈଠକ ପାଇଁ ଦୈନିକ ୨୦୦୦ ବଦଳରେ ୧୦ ହଜାର ମିଳିବ
– ରାଜ୍ୟ ଭିତରେ କାର ଯାତ୍ରା ପାଇଁ କିଲୋମିଟର ପିଛା ୨୫ ଟଙ୍କା ବଦଳରେ ମିଳିବ ୩୫ ଟଙ୍କା
– ମାସିକ ଯାନ ବାହନ ଭତ୍ତା ୧୫ ହଜାର ବଦଳରେ ମିଳିବ ୫୦ ହଜାର
– ମାସକୁ ପୁସ୍ତକ କିଣିବା ପାଇଁ ୨୦୦୦ ବଦଳରେ ମିଳିବ ୧୦ ହଜାର
– ବିଜୁଳି ବିଲ ପାଇଁ ୫୦୦୦ ବଦଳରେ ୨୦ ହଜାର ଟଙ୍କା ମିଳିବ
– ଚିକିତ୍ସା ଖର୍ଚ୍ଚ ୫୦୦୦ ଟଙ୍କା ବଦଳରେ ୩୫ ହଜାର ମିଳିବ
– କ୍ୱାଟର ମିଳି ନଥିବା ବିଧାୟକଙ୍କୁ ରହଣି ପାଇଁ ଦିନକୁ ୧୦୦୦ ଟଙ୍କା ବଦଳରେ ମିଳିବ ୨୦୦୦ ଟଙ୍କା
– ଗାଡି କିଣିବା ପାଇଁ ୫ ଲକ୍ଷ ଟଙ୍କା ବଦଳରେ ୧୦ ଲକ୍ଷ ମିଳିବ
ବିଧାନସଭା ଖବର
ଭିଜିଲାନ୍ସ ଜାଲରେ ୨୭୦ କର୍ମଚାରୀ
୨୭୦ ସରକାରୀ ଓ ଚୁକ୍ତିଭିତ୍ତିକ କର୍ମଚାରୀ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି। ଗତବର୍ଷ ଜୁନ ୧୨ରୁ ଚଳିତ ବର୍ଷ ଡିସେମ୍ବର ୨୧ ଯାଏଁ ଏମାନଙ୍କୁ ଭିଜିଲାନ୍ସ ଗିରଫ କରିଛି। ସୋମବାର ଲିଖିତ ଉତ୍ତର ରଖି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ସୂଚନା ଦେଇଛନ୍ତି। ଏହାଛଡ଼ା ମୁଖ୍ୟମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ୩୧ଜଣ ସରକାରୀ ଅଧିକାରୀଙ୍କ ଉପରେ ଏକାଧିକ ଥର କାର୍ଯ୍ୟାନୁଷ୍ଠାନ ହୋଇଛି। ଭିଜିଲାନ୍ସ କୋର୍ଟରେ ୧୮୭ ସରକାରୀ କର୍ମଚାରୀ ଦଣ୍ଡିତ ହୋଇଛନ୍ତି। ୩୪ଜଣ ଦଣ୍ଡିତ ପରେ ଚାକିରିରୁ ବରଖାସ୍ତ ହୋଇଛନ୍ତି। ଅନ୍ୟପକ୍ଷରେ ୬୫ ସରକାରୀ କର୍ମଚାରୀଙ୍କ ପେନସନ ବନ୍ଦ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ଉତ୍ତର ରଖିଛନ୍ତି।
୯ ଜେଲ୍ରୁ ୧୩ କଏଦୀ ଫେରାର
ଗତବର୍ଷ ଜୁଲାଇରୁ ଏଯାବତ୍ ୯ଟି ଜେଲ୍ରୁ ୧୩ କଏଦୀ ଫେରାର ହୋଇଛନ୍ତିି। ସୋମବାର ଜେଲରୁ କଏଦ ଫେରାର୍ ନେଇ ସୋମବାର ଲିଖିତ ଉତ୍ତର ରଖି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ସୂଚନା ଦେଇଛନ୍ତି। ତେବେ ଫେରାର କଏଦୀଙ୍କ ମଧ୍ୟରୁ ୬ ଜଣଙ୍କୁ ପୁଲିସ୍ ଧରିପାରିଛି। ବର୍ଷକରେ ୩୧ ଜଣ ବିଚାରାଧୀନ କଏଦୀଙ୍କ ଜେଲ୍ରେ ମୃତ୍ୟୁ ହୋଇଛି। ୮ ଜଣ ଆତ୍ମହତ୍ୟା କରିଛନ୍ତି, ୩୯ ଅଭିଯୁକ୍ତ ପୁଲିସ ହେପାଜତରୁ ଚମ୍ପଟ ମାରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି।
ବିଏମ୍ସି ଅଞ୍ଚଳରେ ୫୦୦ ଏକର ସରକାରୀ ଜମି ଜବରଦଖଲ
ବିଏମ୍ସି ଅଞ୍ଚଳରେ ଜବରଦଖଲ ହୋଇଛି ୫୦୦ ଏକର ସରକାରୀ ଜମି। ବିଧାନସଭାରେ ଉତ୍ତର ରଖି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ସୂଚନା ଦେଇଛନ୍ତି। ବାପୁଜିନଗର, ଅଶୋକ ନଗର, ଗଙ୍ଗନଗର, ସହିଦ ନଗର, ସୂର୍ଯ୍ୟ ନଗର, ବମିଖାଲ, ଝାରପଡ଼ା, ପଟିଆ ଅଞ୍ଚଳରେ ଅଧିକାଂଶ ଜବରଦଖଲ ହୋଇଛି। ପ୍ରଭାବଶାଳୀ ବ୍ୟକ୍ତି ସରକାରୀ ଜମି ହାତେଇଛନ୍ତି। ତେବେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି। ସରକାର ଏକ କମିଟି ଗଠନ କରି ଖୁବ୍ଶୀଘ୍ର ଜବରଦଖଲ ଉଚ୍ଛେଦ କରିବେ। ଚଳିତ ବର୍ଷ ୭୦ ଏକର ସରକାରୀ ଜମିରୁ ଜବରଦଖଲ ମୁକ୍ତ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଗକୁ ଏହି ପ୍ରକ୍ରିୟା ଆହୁରି ବ୍ୟାପକ ହେବ ବୋଲି ମୁଖ୍ୟମନ୍ତ୍ରୀ ଉତ୍ତର ରଖିଛନ୍ତି।
୧୬ ମାସରେ ରାଜ୍ୟରେ ଖୋଲିଛି ୩୩ ଆଇଟି କମ୍ପାନୀ
ଓଡ଼ିଶା ହେବ ଆଇଟି ହବ୍। ୧୬ ମାସରେ ଖୋଲିଛି ୩୩ଟି ନୂଆ ଆଇଟି କମ୍ପାନୀ। ୨୫୨୮ ଜଣଙ୍କୁ ମିଳିଛି ନିଯୁକ୍ତି। ବର୍ତ୍ତମାନ ସୁଦ୍ଧା ୩୫୦ ଆଇଟି କମ୍ପାନୀ ଓଡ଼ିଶାରେ କାର୍ଯ୍ୟରତ ଅଛନ୍ତି। ୩୫ ହଜାରରୁ ଊର୍ଦ୍ଧ୍ୱ ଯୁବକ ଯୁବତୀ କାର୍ଯ୍ୟ କରୁଛନ୍ତି। ସୋମବାର ବିଧାନସଭାରେ ଲିଖିତ ଉତ୍ତର ରଖି ଏହି ସୂଚନା ଦେଇଛନ୍ତି ଆଇଟି ମନ୍ତ୍ରୀ ମୁକେଶ ମହାଲିଙ୍ଗ। ଏହାଛଡ଼ା ସେ କହିଛନ୍ତି ଯେ ବିଶ୍ୱରେ ଓଡ଼ିଶା ସଫ୍ଟୱେୟାରର ଚାହିଦା ଅଧିକ ରହିଛି। ଦେଶର ପ୍ରଥମ ୧୦ ରାଜ୍ୟରେ ଓଡ଼ିଶା ରହିଛି। ୨୦୨୪-୨୫ରେ ୮୫୦୦ କୋଟି ଟଙ୍କାର ସଫ୍ଟୱେୟାର ରପ୍ତାନୀ କରାଯାଇଛି ବୋଲି ଶ୍ରୀ ମହାଲିଙ୍ଗ ଲିଖିତ ଉତ୍ତର ରଖିଛନ୍ତି।
ମାଲକାନଗିରି ବିବାଦ: ନଦୀରୁ ମିଳିଲା କଟାମୁଣ୍ଡ
ମାଲକାନଗିରି: ମାଲକାନଗିରି ରାଖେଲ ଗୁଡାରେ ମହିଳାଙ୍କ ମୁଣ୍ଡ କାଟି ହତ୍ୟା ଘଟଣାର ତଦନ୍ତ ବେଳେ ପୁଲିସକୁ ମିଳିଛି କଟା ମୁଣ୍ଡ । କନ୍ୟାଆଶ୍ରମ ନିକଟ ପୁଟେରୁ ନଦୀକୂଳରୁ କଟା ମୁଣ୍ଡ ଜବତ ହୋଇଛି । ଗତ ୪ ତାରିଖରେ ମୁଣ୍ଡ ବିହୀନ ମୃତଦେହ ଉଦ୍ଧାର ପରେ ଆଜି କଟାମୁଣ୍ଡ ଉଦ୍ଧାର ହୋଇଛି । ମୃତଦେହ ଠାରୁ ପ୍ରାୟ ୪୦ କିମି ଦୂରରେ ମହିଳାଙ୍କ କଟାମୁଣ୍ଡ ପାଇଛି ପୋଲିସ। ଗ୍ରାମବାସୀ ପୋଲିସକୁ ଖବର ଦେବା ପରେ କଟାମୁଣ୍ଡ ଉଦ୍ଧାର ହୋଇଛି । ହତ୍ୟାକାଣ୍ଡ ପରେ ଶବ ଜବତ ହୋଇଥିଲେ ବି କଟାମୁଣ୍ଡ ମିଳୁନଥିବାରୁ ଏମଭି- ୨୬ ରାଖେଲଗୁଡା ମଧ୍ୟରେ ବିବାଦ ଦେଖାଦେଇଥିଲା । ଏହାକୁ ନେଇ ଦୁଇ ଗାଁ ମଧ୍ୟରେ ବିବାଦ ଲାଗି ରହିଛି । ପୂର୍ବରୁ ଏମଭି ଗାଁରେ ଲୋକମାନେ ଭଙ୍ଗାରୁଜା ପୋଡାଜଳା କରିଛନ୍ତି ଅସ୍ତ୍ରଶସ୍ତ୍ରଧାରୀ ଲୋକେ । ବିଏନଏସ ଧାରା ଲଗୁ ହେବା ସହ ୨୪ ଘଣ୍ଟା ପାଇଁ ମାଲକାନଗିରି ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ କରାଯାଇଥିଲ।। ପରିସ୍ଥିତି ଆହୁରି ଉତ୍ତେଜନା ହେବାରୁ ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ କଟକଣା ଲାଗୁ କରାଯାଇଥିଲା । ସ୍ଥାନୀୟ ଅଞ୍ଚଳକୁ ପରିଦର୍ଶନ ପାଇଁ ଡିଜି ୱାଇ ବି ଖୁରାନିଆ ପରିଦର୍ଶନ କରିଥିଲେ ।
ଇଣ୍ଟରନେଟ୍ କଟକଣାକୁ ଆହୁରି ୨୪ ଘଣ୍ଟା ଅର୍ଥାତ୍ ଗୁରୁବାର ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି। ସମସ୍ତ ଥାନା ଅଞ୍ଚଳରେ ଥାନା ଅଧିକାରୀଙ୍କ ନେତୃତ୍ୱରେ ପୁଲିସ୍ ଫ୍ଲାଗମାର୍ଚ୍ଚ କରୁଛି। ପୂରା ମାଲକାନଗିରି ସହର ପୁଲିସ ଛାଉଣୀ ମଧ୍ୟରେ ରହିଥିବାବେଳେ ସ୍ଥାନୀୟ ସିଖପାଲୀ ସାପ୍ତାହିକ ହାଟ ବନ୍ଦ ରହିଥିଲା। ସ୍ଥିତି ଉପରେ ଗୁଇନ୍ଦା ବିଭାଗ ଓ ପୁଲିସର ଉଚ୍ଚ ଅଧିକାରୀ କଡ଼ା ନଜର ରଖିଛନ୍ତି। ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ କହିଛନ୍ତି, ଏମ୍ଭି-୨୬ ଗ୍ରାମରେ ହୋଇଥିବା କ୍ଷୟକ୍ଷତିର ଆକଳନ ପାଇଁ ୭ଟି ଟିମ୍ ଗଠନ ହୋଇଛି। ଟିମ୍ରେ ଜିଲ୍ଲାର ୭ ତହସିଲଦାର, ଅତିରିକ୍ତ ତହସିଲଦାର, ରାଜସ୍ୱ ନିରୀକ୍ଷକ, ଅମିନଙ୍କୁ ସାମିଲ କରାଯାଇଛି। ମଙ୍ଗଳବାର ସନ୍ଧ୍ୟାରେ ହୋଇଥିବା ଶାନ୍ତି କମିଟି ବୈଠକରେ ଆଦିବାସୀ ମହାସଂଘ ଓ ବଙ୍ଗାଳୀ ସମାଜ ନେତୃବୃନ୍ଦ ଉପସ୍ଥିତ ରହି ଘଟଣାକୁ ଭୁଲି ପୂର୍ବ ପରି ମିଳିମିଶି ରହିବାକୁ ନିଷ୍ପତ୍ତି ନେଇଥିଲେ।
ସୂଚନାଯୋଗ୍ୟ, ଜମିଜମା ବିବାଦକୁ କେନ୍ଦ୍ର କରି ଡିସେମ୍ବର ୧ରେ ରାଖେଲଗୁଡ଼ା ଗ୍ରାମର ଆଦିବାସୀ ମହିଳା ଲାକେ ପଡ଼ିଆମୀଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା। ହତ୍ୟା ପରେ ପୋଟେରୁ ନଦୀରେ ମୁଣ୍ଡବିହୀନ ଶବକୁ ଫୋପାଡ଼ି ଦେଇଥିଲେ ଦୁର୍ବୃତ୍ତ। ଘଟଣାର ଦିନକ ପରେ ମୁଣ୍ଡବିହୀନ ଶବ ନଦୀରୁ ଉଦ୍ଧାର ହେବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା। ଶହ ଶହ ଆଦିବାସୀ କୋରୁକୋଣ୍ଡା ଥାନା ଘେରାଉ କରି ଅଭିଯୁକ୍ତକୁ ଗିରଫ ସହ ଲାକେଙ୍କ ନିଖୋଜ ମୁଣ୍ଡ ଖୋଜି ଆଣିବାକୁ ଦାବି କରିଥିଲେ। ପୁଲିସ କାର୍ଯ୍ୟାନୁଷ୍ଠାନରେ ବିଳମ୍ବକୁ ନେଇ ୭ ତାରିଖରେ ଶହ ଶହ ଆଦିବାସୀ ଏମଭି-୨୬ ଗାଁ ଉପରେ ଆକ୍ରମଣ କରି ୫୦ରୁ ଊର୍ଧ୍ୱ ଘର ପୋଡ଼ି ଦେଇଥିଲେ। ସେହିପରି ୮ ତାରିଖରେ ସମ୍ପୂର୍ଣ୍ଣ ଗାଁରେ ନିଆଁ ଲଗାଇ ଦେଇଥିଲେ।
୪୪,୭୭୧ କୋଟି ଟଙ୍କାର ରାସ୍ତା ପ୍ରକଳ୍ପକୁ କେନ୍ଦ୍ର ଅନୁମୋଦନ
ରାଜ୍ୟରେ ଥିବା ଜାତୀୟ ରାଜପଥ ଏବଂ ରାଜ୍ୟ ରାଜପଥର ଉନ୍ନତିକରଣ ଏବଂ ପ୍ରସ୍ତାବିତ ନୂତନ ପ୍ରକଳ୍ପକୁ ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟ ପକ୍ଷରୁ ଅନୁମୋଦନ ମିଳିଛି । ନୂଆଦିଲ୍ଲୀ ଗସ୍ତରେ ଥିବା ପୂର୍ତ୍ତ, ଆଇନ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଆଜି କେନ୍ଦ୍ର ମନ୍ତ୍ରୀ, ସଡ଼କ ପରିବହନ ଓ ରାଜମାର୍ଗ ଶ୍ରୀ ନିତିନ ଗଡ଼କରିଙ୍କ ସହ ସାକ୍ଷାତ ଆଲୋଚନା କରିବା ସହ ରାଜ୍ୟରେ ଥିବା ବିଭିନ୍ନ ରାସ୍ତା ପ୍ରକଳ୍ପ ବିଷୟରେ ଆଲୋଚନା କରିଛନ୍ତି ଓ ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି ଯେ ୨୦୨୫-୨୬ ଆର୍ôଥକ ବର୍ଷ ପାଇଁ ରାଜ୍ୟରେ ୫ଟି ଜାତୀୟ ରାଜପଥ ପ୍ରକଳ୍ପ, ୫ଟି ରାଜ୍ୟ ରାଜପଥ ଓ ସିଆର୍ଆଇଏଫ୍ ପ୍ରକଳ୍ପ ପାଇଁ ମୋଟ ୪୪,୭୭୧ କୋଟି ଟଙ୍କାର ଅନୁମୋଦନ ମିଳିଛି । ଏଥିରେ ଭୁବନେଶ୍ୱର-ପୁରୀ ରାସ୍ତାକୁ ୮ ଲେନ୍ କରିବା, ୧୪୦ କିଲୋମିଟର ଦୀର୍ଘ ଟାଙ୍ଗୀ-ପୁଇଁତୋଳା-ଇଚ୍ଛାପୁରମ୍ ରାସ୍ତାକୁ ୬ ଲେନ୍ ବିଶିଷ୍ଟ କରିବା ପାଇଁ ଅନୁମୋଦନ ମିଳିଛି । ସେହିପରି ୪୦୦ କିଲୋମିଟର ଦୀର୍ଘ ରାଉରକେଲା-ବଡବିଲ୍-ପାରାଦୀପ ଭାୟା ଡୁବୁରି ରାସ୍ତାକୁ ୮ ଲେନ କରିବା ପାଇଁ ଏବଂ ଏନ୍ଏଚ୍-୧୪୯ ଅଧିନରେ ଥିବା ୬୮ କିଲୋମିଟର ଦୀର୍ଘ ପାଲଲହଡ଼ା-ପିଟିରି ରାସ୍ତାକୁ ୪ ଲେନ୍ କରିବା ପାଇଁ କେନ୍ଦ୍ର ସରକାରଙ୍କ ଅନୁମୋଦନ ମିଳିଛି । ଅନ୍ୟପକ୍ଷରେ ୨୦୨୫ ନଭେମ୍ବର ୭ରୁ ୧୦ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଅନୁଷ୍ଠିତ ଇଣ୍ଡିଆନ୍ ରୋଡ୍ କଂଗ୍ରେସ ଅବସରରେ ସଡ଼କ ପରିବହନ ଓ ଜାତୀୟ ରାଜମାର୍ଗ ମନ୍ତ୍ରାଳୟର ମନ୍ତ୍ରୀଙ୍କ ପ୍ରତିଶ୍ରୁତି ମୁତାବକ ୧୫୦୦ କୋଟି ଟଙ୍କା ସିଆର୍ଆଇଏଫ୍ ଯୋଜନା ଅଧିନରେ ଅନୁମୋଦନ ମିଳିଛି ।
ସେହିପରି ୫ଟି ରାଜ୍ୟ ରାଜପଥ ପ୍ରକଳ୍ପର ଉନ୍ନତିକରଣ ଓ ପ୍ରଶସ୍ତିକରଣ ପାଇଁ୧୩,୧୪୧ କୋଟି ଟଙ୍କାର ଅନୁମୋଦନ ମିଳିଛି । ଏଥିରେ ବରପାଲି-ବଲାଙ୍ଗିର ରାସ୍ତା ଓ କେସିଙ୍ଗା – ଭବାନୀପାଟଣା – ଜୁନାଗଡ଼ ରାସ୍ତାକୁ ୪ ଲେନ୍ କରିବା, ୪ ଲେନ୍ବିଶିଷ୍ଟ ବଲାଙ୍ଗିର-ନୟାଗଡ଼ ରାସ୍ତା, ହିଞ୍ଜିଳିକାଟୁ ବାଇପାସ ରାସ୍ତା ସହ ବ୍ରହ୍ମପୁରରୁ କାଳୁଷଣ୍ଢପୁର ରାସ୍ତାକୁ ୪ ଲେନ୍ କରିବା ଏବଂ ମୋହନାରୁ ପାରଳାଖେମୁଣ୍ଡି ରାସ୍ତାର ଉନ୍ନତିକରଣ ସହ ଏନ୍ଏଚ୍-୨୬ର ପ୍ରଶସ୍ତିକରଣକୁ ଅନୁମୋଦନ ମିଳିଛି । ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ଭୁବନେଶ୍ୱରରୁ ପାରାଦୀପ ସିଧାସଳଖ ନୂଆ ଗ୍ରୀନ ଫିଲଡ଼ ରାସ୍ତା ନିର୍ମାଣ ନେଇ ସଫଳ ଆଲୋଚନା ହୋଇଛି ଓ ଆଗାମୀ ଦିନରେ ପାରାଦ୍ୱୀପ ସହର ପରିସର ଯଥେଷ୍ଟ ବୃଦ୍ଧି ପାଇବାକୁ ଥିବାବେଳେ ପ୍ରମୁଖ ବନ୍ଦର ସହରକୁ ରାଜଧାନୀ ଭୁବନେଶ୍ୱର ସହ ଯୋଡିବା ପାଇଁ ଏହି ଗ୍ରୀନଫିଲଡ ରାସ୍ତା ବେଶ ସହାୟକ ହୋଇପାରିବ ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ ସୂଚନା ଦେଇଛନ୍ତି । ଆଜିର ବୈଠକରେ ପୂର୍ତ୍ତ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂହ, ଇଆଇସି ତଥା ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ଏଲ. କେ ପାଢ଼ୀ, ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟ ଏ.ଡି.ଜି. ଶ୍ରୀ ଅତୁଲ କୁମାର ଏବଂ ଜାତୀୟ ରାଜପଥ ପ୍ରାଧିକରଣ ସଦସ୍ୟ ଶ୍ରୀ ବିପନେଶ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ ।
ଦିଲ୍ଲୀ ବିସ୍ଫୋରଣ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି
ନୂଆଦିଲ୍ଲୀ: ଦିଲ୍ଲୀର ଲାଲକିଲ୍ଲା ନିକଟରେ ଘଟିଥିବା ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଛି । ଏହି ଘଟଣାରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି ପାଇଛି । ପୂର୍ବରୁ ମୃତ୍ୟୁ ସଂଖ୍ୟା ୧୦ ରିପୋର୍ଟ କରାଯାଇଥିଲା । ଗତକାଲି ସନ୍ଧ୍ୟାରେ ଦିଲ୍ଲୀର ଲାଲକିଲ୍ଲା ମେଟ୍ରୋ ଷ୍ଟେସନ ନିକଟରେ ଏକ ଚଳନ୍ତା କାରରେ ବିସ୍ଫୋରଣ ଘଟିଥିଲା । ଏହି ବିସ୍ଫୋରଣ ପରେ ଦିଲ୍ଲୀରେ ହାଇଆଲର୍ଟ ଜାରି କରାଯାଇଛି । ଏହା ସହ ଓଡିଶା ସମେତ ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ମୁମ୍ବାଇରେ ମଧ୍ୟ ହାଇ ଆଲର୍ଟ ଜାରି କରାଯାଇଛି । ଘଟଣାସ୍ଥଳରେ ତଦନ୍ତ ଜାରି ରହିଛି । ଏହି ସମୟରେ ସୁରକ୍ଷା ଦୃଷ୍ଟିରୁ ଏଏସଆଇ ଆଜି ଲାଲକିଲ୍ଲାକୁ ଆଗାମୀ ତିନି ଦିନ ପାଇଁ ବନ୍ଦ କରିଦେଇଛି । ସୁଚନାରୁ ପ୍ରକାଶ, ଏନଆଇଏ ଦିଲ୍ଲୀ ବିସ୍ଫୋରଣର ଆନୁଷ୍ଠାନିକ ତଦନ୍ତ କରିପାରେ । ବର୍ତ୍ତମାନ, ସ୍ପେଶାଲ ସେଲ୍ ଏବଂ ସ୍ଥାନୀୟ ପୋଲିସ ବିସ୍ଫୋରଣର ତଦନ୍ତ କରୁଛନ୍ତି । ଏବେ ଦିଲ୍ଲୀ ବିସ୍ଫୋରଣ ଫରିଦାବାଦ ଆତଙ୍କବାଦୀ ମଡ୍ୟୁଲ ସହିତ ଲିଙ୍କ ଥିବାରୁ ଏନଆଇଏକୁ ତଦନ୍ତ ଦାୟିତ୍ୱ ଦିଆଯାଇପାରେ । ସୂଚନାଥାଉକି, ଲାଲକିଲ୍ଲା ମେଟ୍ରୋ ଷ୍ଟେସନର ଗେଟ୍ ନମ୍ବର ୧ ନିକଟରେ ଏକ କାରରେ ଭୟଙ୍କର ବିସ୍ଫୋରଣ ଘଟିଛି। ଏଥିରେ ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି ପାଇଥିବା ବେଳେ ଆହତଙ୍କ ସଂଖ୍ୟା ୩୦ ଛୁଇଁଛି। ଆହତଙ୍କ ମଧ୍ୟରେ ବି ଅନେକଙ୍କ ଅବସ୍ଥା ଗୁରୁତର ରହିଛି। ଘଟଣାସ୍ଥଳରେ ଦିଲ୍ଲୀ କ୍ରାଇମ୍ ବ୍ରାଞ୍ଚଟିମ୍ ର ତନାଘନା ଜାରି ରହିଛି। ଏହି ଭୟଙ୍କର ବିସ୍ଫୋରଣ ପରେ ଦିଲ୍ଲୀ ସମେତ ମୁମ୍ବାଇରେ ହାଇ ଆଲର୍ଟ ଜାରି କରାଯାଇଛି । ବିଶ୍ୱ ପ୍ରସିଦ୍ଧ ତୀର୍ଥସ୍ଥଳ ତଥା ପର୍ଯ୍ୟଟନ ସହର ପୁରୀରେ ମଧ୍ୟ ହାଇ ଆଲର୍ଟ ଜାରି କରାଯାଇଥିବା ପୁରୀ ଏସପି ସୂଚନା ଦେଇଛନ୍ତି। ଲାଲକିଲ୍ଲା ମେଟ୍ରୋ ଷ୍ଟେସନ ନିକଟରେ ବିସ୍ଫୋରଣ ଘଟଣାର ସମ୍ପୂର୍ଣ୍ଣ ସ୍ଥିତି ପରଖିବା ପାଇଁ ଘଟଣାସ୍ଥଳରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପହଞ୍ଚିଛନ୍ତି। ତେବେ ତା ପୂର୍ବରୁ ଶାହ କହିଥିଲେ ଯେ, “ଆଜି ସନ୍ଧ୍ୟା ପ୍ରାୟ ୭ଟାରେ, ଦିଲ୍ଲୀର ଲାଲକିଲ୍ଲା ନିକଟରେ ସୁଭାଷ ମାର୍ଗ ଟ୍ରାଫିକ ସିଗନାଲରେ ଏକ ହୁନ୍ଦାଇ ସ୨୦ କାରରେ ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣରେ କିଛି ପଦଯାତ୍ରୀ ଆହତ ହୋଇଥିଲେ ଏବଂ କିଛି ଯାନବାହନ କ୍ଷତିଗ୍ରସ୍ତ ହୋଇଥିଲା। ପ୍ରାଥମିକ ରିପୋର୍ଟରୁ ଜଣାପଡିଛି ଯେ କିଛି ଲୋକ ପ୍ରାଣ ହରାଇଛନ୍ତି। ବିସ୍ଫୋରଣର ସୂଚନା ପାଇବାର ୧୦ ମିନିଟ୍ ମଧ୍ୟରେ, ଦିଲ୍ଲୀ କ୍ରାଇମ୍ ବ୍ରାଞ୍ଚ ଏବଂ ଦିଲ୍ଲୀ ସ୍ପେଶାଲ୍ ବ୍ରାଞ୍ଚର ଦଳ ଘଟଣାସ୍ଥଳରେ ପହଞ୍ଚି ପୁଙ୍ଖାନୁପୁଙ୍ଖ ତଦନ୍ତ ଆରମ୍ଭ କରିଛନ୍ତି।
ୟୁକ୍ରେନ ଉପରେ ରୁଷ୍ର ବଡ଼ ଆକ୍ରମଣ, ୩୩ ମୃତ
ୟୁକ୍ରେନ୍ ଉପରେ ରୁଷ୍ ବର୍ଷର ସବୁଠାରୁ ବଡ ଆକ୍ରମଣ କରିଛି। ରୁଷ୍ର ଏହି ଭୟଙ୍କର ଆକ୍ରମଣରେ ପ୍ରାୟ ୩୩ଜଣ ପ୍ରାଣ ହରାଇଛନ୍ତି। ମୃତକଙ୍କ ମଧ୍ୟରେ ୬ ଶିଶୁ ଏବଂ କିଛି ମହିଳା ମଧ୍ୟ ସାମିଲ ଅଛନ୍ତି। ସେହିପରି ଶହେରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି ଏବଂ ଅନେକ କୋଠା, ସଡକ ଓ ଅନ୍ୟ ଭିତ୍ତିଭୂମିର ବ୍ୟାପକ କ୍ଷତି ଘଟିଥିବା ୟୁକ୍ରେନ୍ ପକ୍ଷରୁ ସୂଚନା ଦିଆଯାଇଛି। ବିସ୍ଫୋରଣରେ ଭୁଶୁଡି ପଡ଼ିଥିବା ବଡବଡ଼ ଅଟ୍ଟାଳିକାର ଭଗ୍ନାବଶେଷ ତଳେ ଅନେକ ଲୋକ ଦବି ରହିଥିବା ସନ୍ଦେହ କରାଯାଉଥିବା ବେଳେ ଉଦ୍ଧାର ତଥା ସର୍ଚ୍ଚ ଅପେରସନ୍କୁ ଜୋରଦାର କରାଯାଇଛି। ୟୁକ୍ରେନ୍ ପକ୍ଷରୁ ଦିଆଯାଇଥିବା ସୂଚନ।।ନୁସାରେ ରୁଷ୍ ସେନା ପକ୍ଷରୁ ପ୍ରାୟ ୧୦୦୦ ଡ୍ରୋନ, ୧୦୦୦ ଗ୍ଲାଇଡ୍ ବୋମା ଏବଂ ବିଭିନ୍ନ ପ୍ରକାରର ୬୦ଟି କ୍ଷେପଣାସ୍ତ୍ର ସହାୟତାରେ ୟୁକ୍ରେନର ଟେର୍ନୋପିଲ, ଡୋନେସ୍କ୍, ଡିନିପ୍ରୋ, ନିକୋପୋଲ୍ ଭଳି ସହର ଉପରେ ଆକ୍ରମଣ କରାଯାଇଥିଲା। ଅନ୍ୟପକ୍ଷେ ୟୁକ୍ରେନ ରାଷ୍ଟ୍ରପତି ଭୋଲଡୋମିର ଜେଲେନ୍ସ୍କି ଆକ୍ରମଣରେ କ୍ଷତିଗ୍ରସ୍ତ ହୋଇଥିବା ଅଞ୍ଚଳର ଫଟୋ ଓ ଭିଡିଓକୁ ନିଜର ଏକ୍ସ ଆକାଉଣ୍ଟରେ ଅପ୍ଲୋଡ କରିଛନ୍ତି। ଜେଲେନ୍ସ୍କି ଏହି ଅବସରରେ ଅନ୍ତର୍ଜାତୀୟ ବାୟୁ-ପ୍ରତିରକ୍ଷା ପ୍ରତିବଦ୍ଧତାକୁ ଦ୍ରୁତ ଭାବରେ କାର୍ଯ୍ୟକାରୀ କରିବାକୁ ଅନୁରୋଧ କରିଛନ୍ତି କାରଣ ୟୁକ୍ରେନ ଆମେରିକା ଏବଂ ୟୁରୋପୀୟ ଅଂଶୀଦାରମାନଙ୍କ ସହିତ ମିଳିତ ଭାବରେ ଋଷର ଆକ୍ରମଣ ବିରୁଦ୍ଧରେ ପ୍ରତିରକ୍ଷାକୁ ମଜବୁତ କରିବା ପାଇଁ କାମ କରୁଛି। ରୁଷ୍ ସେନା ୟୁକ୍ରେନ୍ର ଜନବସତି ଓ ସାଧାରଣ ଲୋକଙ୍କୁ ନିଶାଣ କରିଥିବାରୁ ଜେଲେନ୍ସ୍କି ଏହାର ତୀବ୍ର ନିନ୍ଦା କରିଛନ୍ତି।
ନିଯୁକ୍ତି ପତ୍ର, ଦରମା ସ୍ଲିପ୍ ଏବଂ ଲିଙ୍ଗଗତ ସମାନତା ମାଧ୍ୟମରେ ଅଧିକ ସ୍ୱଚ୍ଛତା ସୁନିଶ୍ଚିତ ହେବ
ଫିଲ୍ମ, ଟେଲିଭିଜନ୍, ଡିଜିଟାଲ୍ ମିଡିଆ, ଡବିଂ ଏବଂ ଅନ୍ୟାନ୍ୟ କ୍ଷେତ୍ର ଅନ୍ତର୍ଭୁକ୍ତ ଥିବା ଅଡିଓ-ଭିଜୁଆଲ୍ (ଦୃଶ୍ୟ-ଶ୍ରାବ୍ୟ) କ୍ଷେତ୍ର ଭାରତର ଗଣମାଧ୍ୟମ ଏବଂ ମନୋରଞ୍ଜନ ଶିଳ୍ପର ଏକ ଉଚ୍ଚ ଅଭିବୃଦ୍ଧିଶୀଳ ଇଞ୍ଜିନରେ ପରିଣତ ହୋଇଛି । ସରକାରଙ୍କ ଦ୍ୱାରା ୨୯ଟି ଶ୍ରମ ଆଇନକୁ ମିଶାଇ ଚାରୋଟି ଏକୀକୃତ ଶ୍ରମ ଆଇନରେ ପରିଣତ କରିବା ଏହି କର୍ମଶକ୍ତିକୁ ସୁଦୃଢ଼ କରିବା ଦିଗରେ ଏକ ପ୍ରମୁଖ ଏବଂ ପରିବର୍ତ୍ତନକାରୀ ପଦକ୍ଷେପ। ଏହି ଆଇନଗୁଡ଼ିକ ଅଡିଓ-ଭିଜୁଆଲ୍ କର୍ମଚାରୀଙ୍କ ଅଧିକାରକୁ ସୁରକ୍ଷା ଦେବା, କର୍ମକ୍ଷେତ୍ର ସୁରକ୍ଷା ଏବଂ କଲ୍ୟାଣକୁ ପ୍ରୋତ୍ସାହିତ କରିବା ଏବଂ ନିଯୁକ୍ତିକୁ ସମର୍ଥନ କରୁଥିବା ଏକ ସନ୍ତୁଳିତ ଢାଞ୍ଚା ସୃଷ୍ଟି କରିବା ଲକ୍ଷ୍ୟ ରଖିଛି। ଏହା ଅଡିଓ-ଭିଜୁଆଲ୍ କ୍ଷେତ୍ରର ଶ୍ରମ ବ୍ୟବସ୍ଥାକୁ ଅଧିକ ଦକ୍ଷ, ସମାନ ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବ।
ପରଦା ପଛରେ ଥିବା ଲୋକଙ୍କ” ପାଇଁ ନିରାପତ୍ତା ବୃଦ୍ଧି
ଆନୁଷ୍ଠାନିକ ନିଯୁକ୍ତି ଚୁକ୍ତିନାମା, ସର୍ବନିମ୍ନ ମଜୁରୀ, ଦରମା ସ୍ୱଚ୍ଛତା, ସାମାଜିକ ସୁରକ୍ଷା ଲାଭ ଏବଂ ମଜୁରୀ ଦେୟ ପାଇଁ ଉତ୍ତରଦାୟିତ୍ୱକୁ ବାଧ୍ୟତାମୂଳକ କରି, ଏହି ଶ୍ରମ ସଂସ୍କାରଗୁଡ଼ିକ ଅଡିଓଭିଜୁଆଲ୍ କ୍ଷେତ୍ରକୁ ଅଧିକ ଆନୁଷ୍ଠାନିକ ଏବଂ ସଂଗଠିତ କରିବା ଲକ୍ଷ୍ୟ ରଖିଛି। ଏହି ସଂସ୍କାରଗୁଡ଼ିକ ଶ୍ରମିକ କଲ୍ୟାଣକୁ ସୁଦୃଢ଼ କରିବ ଏବଂ ସାରା ଦେଶରେ ଅଡିଓ-ଭିଜୁଆଲ୍ କ୍ଷେତ୍ରର ଶ୍ରମିକମାନଙ୍କୁ ଅଧିକ ସ୍ଥିରତା ଏବଂ ସୁରକ୍ଷା ପ୍ରଦାନ କରିବ।
ନୂଆ ପରିଭାଷା ଏବଂ ଆଇନଗତ ସ୍ୱୀକୃତି
ସିନେ କର୍ମୀଙ୍କ ପରିଭାଷାକୁ “ଅଡିଓ-ଭିଜୁଆଲ୍ କର୍ମୀ” ରୂପେ ଏକ ବ୍ୟାପକ ପରିଭାଷାରେ ପରିବର୍ତ୍ତନ କରାଯାଇଛି, ଯେଉଁଥିରେ ଡିଜିଟାଲ୍/ଅଡିଓ-ଭିଜୁଆଲ୍ କର୍ମୀ, ଇଲେକ୍ଟ୍ରୋନିକ୍ ମିଡିଆ ସାମ୍ବାଦିକ, ଡବିଂ କଳାକାର ଏବଂ ଷ୍ଟଌକ୍ଷଗ୍ଧ;୍ ପ୍ରଦର୍ଶନକାରୀ ଅନ୍ତର୍ଭୁକ୍ତ ରହିବେ। ଏହି ସମସ୍ତ ପେସାଦାରମାନେ ଏବେ ସାମାଜିକ ସୁରକ୍ଷା, ସ୍ୱାସ୍ଥ୍ୟ ଏବଂ ସୁରକ୍ଷା ପଦକ୍ଷେପ, ଆନୁଷ୍ଠାନିକ ସ୍ୱୀକୃତି ଏବଂ ଆଇନଗତ ସୁରକ୍ଷା ଭଳି ସୁବିଧା ପାଇବେ, ଯାହା ସେମାନଙ୍କର କର୍ମକ୍ଷେତ୍ରକୁ ଅଧିକ ସୁରକ୍ଷିତ ଏବଂ ସମାନ କରିବ।
ସୀମା ଅବଧି ବୃଦ୍ଧି: କର୍ମଚାରୀଙ୍କ ଦାବି କର୍ତ୍ତୃପକ୍ଷଙ୍କ ନିକଟରେ ଦାଖଲ କରିବାର ସମୟ ସୀମା ପୂର୍ବରୁ ଛଅ ମାସରୁ ଦୁଇ ବର୍ଷ ଥିବାବେଳେ ତାହାକୁ ତିନି ବର୍ଷକୁ ବୃଦ୍ଧି କରାଯାଇଛି।
ନିଯୁକ୍ତି ସର୍ତ୍ତାବଳୀ, ଚୁକ୍ତିନାମା ଏବଂ କର୍ମଚାରୀ ସୁରକ୍ଷା
ନିଯୁକ୍ତି ପତ୍ର ମାଧ୍ୟମରେ ଆନୁଷ୍ଠାନିକକରଣ: ପ୍ରତ୍ୟେକ କର୍ମଚାରୀଙ୍କୁ ଏକ ନିର୍ଦ୍ଧାରିତ ଫର୍ମାଟରେ ଏକ ନିଯୁକ୍ତି ପତ୍ର ପ୍ରଦାନ କରାଯିବ। ଏଥିରେ କର୍ମଚାରୀଙ୍କ ବିବରଣୀ, ପଦବୀ, ବର୍ଗ, ଦରମା ସୂଚନା, ସାମାଜିକ ସୁରକ୍ଷା ବିବରଣୀ ଇତ୍ୟାଦି ସ୍ପଷ୍ଟ ଭାବରେ ଉଲ୍ଲେଖ ରହିବ।
ପେ ସ୍ଲିପ୍ ପ୍ରଦାନ: ନିଯୁକ୍ତିଦାତାମାନେ ଦରମା ପ୍ରଦାନ ପୂର୍ବରୁ କିମ୍ବା ସେହି ଦିନ କର୍ମଚାରୀମାନଙ୍କୁ, ଇଲେକ୍ଟ୍ରୋନିକ୍ କିମ୍ବା କାଗଜ, ଦରମା ପ୍ରଦାନ କରିବାକୁ ପଡିବ। ଏହା ନିଯୁକ୍ତିଦାତାଙ୍କ ସ୍ୱଚ୍ଛତା ଏବଂ ଦାୟିତ୍ୱ ସୁନିଶ୍ଚିତ କରିବ।
ବୃତ୍ତିଗତ ସୁରକ୍ଷା, ସ୍ୱାସ୍ଥ୍ୟ ଏବଂ କାର୍ଯ୍ୟ ପରିସ୍ଥିତି ସଂହିତା, ୨୦୨୦ (ଓଏସଏଚ ଆଣ୍ଡ ଡବ୍ଲୁସି ସଂହିତା,୨୦୨୦):
ନୂତନ ବ୍ୟବସ୍ଥାଗୁଡ଼ିକ ଅଡିଓ-ଭିଜୁଆଲ୍ ଶ୍ରମିକମାନଙ୍କ ପାଇଁ ଅନେକ ସୁବିଧା ଆଣିଥାଏ ଏବଂ ଅଡିଓ-ଭିଜୁଆଲ୍ କାର୍ଯ୍ୟକ୍ରମର ନିର୍ମାତାଙ୍କ ଉପରେ ଅତିରିକ୍ତ ସୁବିଧା ପ୍ରଦାନ କରିବାର ଦାୟିତ୍ୱ ନ୍ୟସ୍ତ କରିଥାଏ, ଯେପରିକି ଆଇନଗତ ସୁରକ୍ଷା, ସର୍ତ୍ତାବଳୀରେ ସ୍ପଷ୍ଟତା, ଦରମା ଓ ଅନ୍ୟ ସୁବିଧା, ନିରାପତ୍ତା ଓ ସ୍ୱାସ୍ଥ୍ୟ ସୁବିଧା, ବିବାଦ ସମାଧାନ ।
ମଜୁରୀ ସୁରକ୍ଷା ଏବଂ ଆର୍ଥିକ ଲାଭ :
ସମସ୍ତଙ୍କ ପାଇଁ ସର୍ବନିମ୍ନ ମଜୁରୀ : ନୂତନ ବ୍ୟବସ୍ଥା ଅନୁଯାୟୀ, କୌଣସି ନିଯୁକ୍ତିଦାତା ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ସର୍ବନିମ୍ନ ମଜୁରୀଠାରୁ କମ୍ ଦେଇପାରିବେ ନାହିଁ। ପୂର୍ବରୁ, ସର୍ବନିମ୍ନ ମଜୁରୀ କେବଳ ଅନୁସୂଚିତ ବୃତ୍ତି ପାଇଁ ଲାଗୁ ହେଉଥିଲା, କିନ୍ତୁ ବର୍ତ୍ତମାନ ଏଥିରେ ସମସ୍ତ କର୍ମଚାରୀଙ୍କୁ ଅନ୍ତର୍ଭୁକ୍ତ କରିବା ପାଇଁ ବିସ୍ତାର କରାଯାଇଛି। ସରକାର ପ୍ରତି ପାଞ୍ଚ ବର୍ଷ ମଧ୍ୟରେ ସର୍ବନିମ୍ନ ମଜୁରୀ ହାର ସମୀକ୍ଷା କିମ୍ବା ସଂଶୋଧନ କରିବେ ଓ ଏହା ସୁନିଶ୍ଚିତ କରିବେ ଯେ ସମୟ ଅନୁସାରେ ମଜୁରୀ ପର୍ଯ୍ୟାପ୍ତ ରହିବ। ଏହା ବ୍ୟତୀତ, ସରକାର କାର୍ଯ୍ୟର ଦକ୍ଷତା ସ୍ତର ଏବଂ କଷ୍ଟକୁ ବିଚାରକୁ ନେଇ ଘଣ୍ଟା , ଦିନ କିମ୍ବା ମାସ ଭଳି ବିଭିନ୍ନ ଦରମା ଅବଧି ଉପରେ ଆଧାରିତ ସମୟ-ଭିତ୍ତିକ ଏବଂ ଖଣ୍ଡ କାର୍ଯ୍ୟ ପାଇଁ ସର୍ବନିମ୍ନ ମଜୁରୀ ସ୍ଥିର କରିବେ।
ଦରମା ସୁରକ୍ଷା ଓ ଆର୍ଥିକ ସୁବିଧା :
ସର୍ବନିମ୍ନ ମଜୁରୀ: କର୍ମଚାରୀଙ୍କ ସର୍ବନିମ୍ନ ଜୀବନଧାରଣ ମାନ – ଯେପରିକି ଖାଦ୍ୟ, ପୋଷାକ ଏବଂ ଅନ୍ୟାନ୍ୟ ମୌଳିକ ଆବଶ୍ୟକତାକୁ ବିଚାରକୁ ନେଇ ସରକାରଙ୍କ ଦ୍ୱାରା ଏକ ସର୍ବନିମ୍ନ ମଜୁରୀ ସ୍ଥିର କରାଯିବ। ସରକାର ନିୟମିତ ବ୍ୟବଧାନରେ ଏହି ସର୍ବନିମ୍ନ ମଜୁରୀ ସମୀକ୍ଷା ଏବଂ ସଂଶୋଧନ କରିବେ। ସାରା ଦେଶରେ ଏକ ସମାନ ସର୍ବନିମ୍ନ ମଜୁରୀ ରାଜ୍ୟଗୁଡ଼ିକ ମଧ୍ୟରେ ଅତ୍ୟଧିକ ଶ୍ରମ ସ୍ଥାନାନ୍ତରକୁ ହ୍ରାସ କରିବ ବୋଲି ଆଶା କରାଯାଉଛି, କାରଣ ଅଧିକାଂଶ ଅଞ୍ଚଳରେ ମଜୁରୀ ସ୍ତର ପ୍ରାୟ ସମାନ ରହିବ।
ମଜୁରୀ ପ୍ରଦାନ ସମୟସୀମା: ନୂତନ ବ୍ୟବସ୍ଥାଗୁଡ଼ିକ ମଜୁରୀ ପ୍ରଦାନ ଲାଗି ଧାର୍ଯ୍ୟ ସମୟସୀମା ସ୍ଥାପନ କରି ମଜୁରୀ ସୁରକ୍ଷାକୁ ଆହୁରି ସୁଦୃଢ଼ କରିଥାଏ। ଏହି ନିୟମ ଅନୁସାରେ ଦୈନିକ କାର୍ଯ୍ୟ ପାଇଁ ସିଫ୍ଟ ଶେଷରେ, ସାପ୍ତାହିକ କାମ ପାଇଁ ସାପ୍ତାହିକ ଛୁଟି ପୂର୍ବରୁ, ପାକ୍ଷିକ କାମ ପାଇଁ ପକ୍ଷ ଶେଷ ହେବାର୨ ଦିନ ମଧ୍ୟରେ, ମାସିକ କାମ ପାଇଁ ପରବର୍ତ୍ତି ମାସର ୭ ଦିନ ମଧ୍ୟରେ ଦରମା ଦିଆଯିବ । ଛଟେଇ ଓ ଇସ୍ତଫା କ୍ଷେତ୍ରରେ ୨ କାର୍ଯ୍ୟଦିବସ ମଧ୍ୟରେ ଦରମା ଦିଆଯିବ।
ଓଭରଟାଇମ୍ ଦରମା: ସାଧାରଣ କାର୍ଯ୍ୟ ସମୟ ବ୍ୟତୀତ ଯେକୌଣସି କାର୍ଯ୍ୟ ପାଇଁ ନିଯୁକ୍ତିଦାତା କର୍ମଚାରୀମାନଙ୍କୁ ସେମାନଙ୍କର ସାଧାରଣ ମଜୁରୀ ହାରର ଅତି କମରେ ଦୁଇଗୁଣ ଦେବାକୁ ପଡିବ। ଯେକୌଣସି ଓଭରଟାଇମ୍ କେବଳ କର୍ମଚାରୀ ଏବଂ ସେମାନଙ୍କ ପ୍ରତିନିଧି/ୟୁନିଅନର ସମ୍ମତିରେ ଅନୁମତି ଦିଆଯିବ।
ବୋନସ୍: ପ୍ରତ୍ୟେକ କର୍ମଚାରୀଙ୍କୁ ବୋନସ୍ ପ୍ରଦାନ କରାଯିବ ଯେଉଁମାନେ ସରକାର ଦ୍ୱାରା ନିର୍ଦ୍ଧାରିତ ପରିମାଣଠାରୁ ଅଧିକ ଦରମା ପାଉନାହାଁନ୍ତି ଏବଂ ଯେଉଁମାନେ ଏକ ହିସାବ ବର୍ଷରେ ଅତି କମରେ ୩୦ ଦିନ କାମ କରିଛନ୍ତି। ବାର୍ଷିକ ବୋନସ୍ କର୍ମଚାରୀଙ୍କ ଆୟର ସର୍ବନିମ୍ନ ଆଠ ଏବଂ ଏକ ତୃତୀୟାଂଶ ପ୍ରତିଶତ ଏବଂ ସର୍ବାଧିକ ୨୦ ପ୍ରତିଶତ ପର୍ଯ୍ୟନ୍ତ ହେବ। ଦେୟ ପ୍ରଦାନ ପାଇଁ ଦାୟିତ୍ୱ: ଯେଉଁ କ୍ଷେତ୍ରରେ ଅଡିଓ-ଭିଜୁଆଲ୍ କର୍ମଚାରୀମାନଙ୍କୁ ନିଯୁକ୍ତି ଦେଉଥିବା ଠିକାଦାର ମଜୁରୀ ଦେବାରେ ବିଫଳ ହୁଅନ୍ତି, ସେଥିଲାଗି ମଜୁରୀ ସୀମା ନିର୍ବିଶେଷରେ ଦେୟ ପାଇଁ ପ୍ରଯୋଜକ ଦାୟୀ ରହିବେ, ଯାହା ବର୍ତ୍ତମାନ ସିନେ-କର୍ମଚାରୀ ଏବଂ ସିନେମା ଥିଏଟର କର୍ମଚାରୀ (ନିଯୁକ୍ତି ନିୟନ୍ତ୍ରଣ) ଆଇନ, ୧୯୮୧ ଅନୁଯାୟୀ ୮୦୦୦ ଟଙ୍କା ଅଟେ। ନୂତନ ଢାଞ୍ଚା ଏକ ବଡ଼ ଶ୍ରମିକ ଗୋଷ୍ଠୀକୁ ସୁରକ୍ଷା ପ୍ରଦାନ କରେ, ନିଶ୍ଚିତ କରେ ଯେ ସେମାନଙ୍କର ପ୍ରାପ୍ୟ କୌଣସି ସୀମା ବିନା ସୁରକ୍ଷିତ ରହିବ।
ସ୍ୱାସ୍ଥ୍ୟ, ସୁରକ୍ଷା ଏବଂ କଲ୍ୟାଣ ମାନଦଣ୍ଡ
ବାର୍ଷିକ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା: ୪୦ ବର୍ଷରୁ ଅଧିକ ବୟସର କର୍ମଚାରୀମାନେ ଏକ ମାଗଣା ବାର୍ଷିକ ସ୍ୱାସ୍ଥ୍ୟ ଯାଞ୍ଚ ପାଇବାକୁ ହକଦାର, ଏହା ସେମାନଙ୍କର ସାମଗ୍ରିକ ସୁସ୍ଥତା ସୁନିଶ୍ଚିତ କରିବ । ଶ୍ରମିକଙ୍କ ସ୍ୱାସ୍ଥ୍ୟ ଏବଂ ନିରାପତ୍ତା ପାଇଁ ସାର୍ବଜନୀନ କଭରେଜ୍: ଓଏସଏଚ ଏବଂ ଡବ୍ଲୁସି କୋଡ୍ ବର୍ତ୍ତମାନ ସମସ୍ତ କ୍ଷେତ୍ରରେ ସାର୍ବଜନୀନ କଭରେଜ୍ ପ୍ରଦାନ କରି କର୍ମଚାରୀଙ୍କ ସ୍ୱାସ୍ଥ୍ୟ ଏବଂ ସୁରକ୍ଷାକୁ ସୁନିଶ୍ଚିତ କରେ। ଲିଙ୍ଗଗତ ଭେଦଭାବ ନିଷେଧ: କର୍ମଚାରୀମାନଙ୍କ ଦ୍ୱାରା କରାଯାଉଥିବା ସମାନ କାର୍ଯ୍ୟ କିମ୍ବା ସମାନ ପ୍ରକାରର କାର୍ଯ୍ୟ କରାଯାଉଥିଲେ ନିଯୁକ୍ତିଦାତାମାନେ ନିଯୁକ୍ତି, ଦରମା କିମ୍ବା ନିଯୁକ୍ତି ସର୍ତ୍ତାବଳୀ ସମ୍ବନ୍ଧୀୟ କ୍ଷେତ୍ରରେ ଲିଙ୍ଗ ଆଧାରରେ ପକ୍ଷପାତ କରିପାରିବେ ନାହିଁ।
କାର୍ଯ୍ୟ ସମୟ, ଛୁଟି ଏବଂ କାର୍ଯ୍ୟ-ଜୀବନ ସନ୍ତୁଳନ
ସବେତନ ବାର୍ଷିକ ଛୁଟି: ଏକ କ୍ୟାଲେଣ୍ଡର ବର୍ଷରେ ୧୮୦ ଦିନ କିମ୍ବା ତା’ଠାରୁ ଅଧିକ ସମୟ ପାଇଁ ଏକ ପ୍ରତିଷ୍ଠାନରେ ନିୟୋଜିତ କର୍ମଚାରୀମାନେ ଏବେ ବେତନ ବାର୍ଷିକ ଛୁଟି ପାଇବାକୁ ହକଦାର । ଏଥିପାଇଁ ଯୋଗ୍ୟତା ସୀମା ୨୪୦ ଦିନରୁ ୧୮୦ ଦିନକୁ ହ୍ରାସ କରାଯାଇଛି । ସାଧାରଣ କାର୍ଯ୍ୟ ଦିବସ ପାଇଁ କାର୍ଯ୍ୟସମୟ ନିର୍ଦ୍ଧାରଣ: କୌଣସି କର୍ମଚାରୀଙ୍କୁ ଦିନକୁ ୮ ଘଣ୍ଟା କିମ୍ବା ସପ୍ତାହକୁ ୪୮ ଘଣ୍ଟା ରୁ ଅଧିକ କାମ କରିବାକୁ ବାଧ୍ୟ କରାଯିବ ନାହିଁ। ଏହି ସୀମା ଅତିକ୍ରମ କରୁଥିବା ଯେକୌଣସି କାର୍ଯ୍ୟ କେବଳ କର୍ମଚାରୀଙ୍କ ସମ୍ମତିରେ କରାଯିବା ଉଚିତ ଏବଂ ଏହାର ପରିଣାମ ସ୍ୱରୂପ ଅଧିକ ସମୟ ଦରମା ମିଳିପାରେ। କର୍ମଚାରୀମାନଙ୍କୁ ପର୍ଯ୍ୟାପ୍ତ କ୍ଷତିପୂରଣ ବିନା ଅଧିକ କାମ କରିବାରୁ ରୋକିବା ଏବଂ ଏକ ସୁସ୍ଥ କାର୍ଯ୍ୟ-ଜୀବନ ସନ୍ତୁଳନକୁ ପ୍ରୋତ୍ସାହିତ କରିବା ପାଇଁ ସାଧାରଣ କାର୍ଯ୍ୟ ସମୟକୁ ସୀମିତ କରାଯାଇଛି। ଏକ ସମାନ, ସ୍ୱଚ୍ଛ ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ ଶ୍ରମ ଢାଞ୍ଚା ସୃଷ୍ଟି କରି ନୂତନ ଶ୍ରମ ସଂହିତା ଭାରତର ଅଡିଓ-ଭିଜୁଆଲ୍ କ୍ଷେତ୍ରରେ ଏକ ପ୍ରମୁଖ ପରିବର୍ତ୍ତନ ଆଣୁଛି। ନୂଆ ଆଇନ ଉତ୍ତମ ମଜୁରୀ ସୁରକ୍ଷା, ଲିଖିତ ଚୁକ୍ତିନାମା, ସମୟୋଚିତ ଦରମା, ସାମାଜିକ ସୁରକ୍ଷା କଭରେଜ୍, ଲିଙ୍ଗ ସମାନତା ଏବଂ ପ୍ରବର୍ତ୍ତନଯୋଗ୍ୟ ବିବାଦ ସମାଧାନ ଅଧିକାରର ଗ୍ୟାରେଣ୍ଟି ଦିଏ।
ଆମେରିକାର ଶୁଳ୍କକୁ କଡ଼ା ଜବାବ: ଭାରତକୁ ତୈଳ ଉପରେ ବିପୁଳ ରିହାତି ଦେଲା ରୁଷ
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ଅତିରିକ୍ତ ଶୁଳ୍କ ଲଗାଇବା ସହ ରୁଷରୁ ତେଲ କିଣିବା ଏବଂ ପରୋକ୍ଷ ଭାବରେ ୟୁକ୍ରେନ ଯୁଦ୍ଧରେ ଅଂଶଗ୍ରହଣ କରିବାର ଅଭିଯୋଗ ଆଣିଛନ୍ତି। ଭାରତ ଟ୍ରମ୍ପଙ୍କ ଶୁଳ୍କ ଧମକର ଉଚିତ ଜବାବ ଦେଇଛି ଏବଂ ତାଙ୍କ ଧମକକୁ ଅଣଦେଖା କରି ଭାରତ ରୁଷରୁ ତେଲ କିଣିବା ଜାରି ରଖିଛି। ଏବେ ଟ୍ରମ୍ପଙ୍କ ପାଇଁ ଏପରି ଖବର ଆସିଛି ଯେ ତାଙ୍କର କ୍ରୋଧ ସପ୍ତମ ଆକାଶକୁ ପହଞ୍ଚିପାରେ କାରଣ ଭାରତୀୟ ରିଫାଇନାରୀ ପାଇଁ ରୁଷର ଅଶୋଧିତ ତେଲ ଏବେ ଶସ୍ତା ହୋଇଯାଇଛି। ରିପୋର୍ଟ ଅନୁସାରେ, ରୁଷ ଭାରତକୁ ଯୋଗାଣ ହେଉଥିବା ତେଲ ଉପରେ ରିହାତିକୁ ଆହୁରି ବୃଦ୍ଧି କରିଛି ଏବଂ ବର୍ତ୍ତମାନ ଏହି ରିହାତିକୁ ପ୍ରତି ବ୍ୟାରେଲ ପିଛା ୩-୪ ଡଲାରକୁ ବୃଦ୍ଧି କରାଯାଇଛି। ଆପଣଙ୍କୁ ଜଣାଇ ଦେଉଛୁ ଯେ ଗତ ସପ୍ତାହରେ ଭାରତକୁ ଦିଆଯାଉଥିବା ରିହାତି ୨.୫୦ ଡଲାର ଥିଲା, ଯେତେବେଳେ ଜୁଲାଇରେ ଏହା ପ୍ରତି ବ୍ୟାରେଲ ପିଛା ଏକ ଡଲାର ଥିଲା।
ଏବେ ଭାରତକୁ ରୁଷ ତେଲ ଶସ୍ତା ମିଳିବ ଏବଂ ସେପ୍ଟେମ୍ବର ଏବଂ ଅକ୍ଟୋବରରେ ଭାରତକୁ ପଠାଯାଉଥିବା ତେଲ ଉପରେ ଏହି ନୂତନ ହାର ଲାଗୁ ହେବ। ଟ୍ରମ୍ପ ପ୍ରଶାସନ ଗତ ସପ୍ତାହରେ ଭାରତ ଉପରେ ଶୁଳ୍କକୁ ଦ୍ୱିଗୁଣିତ କରି ୫୦ ପ୍ରତିଶତକୁ ବୃଦ୍ଧି କରିଛି ଯାହାଦ୍ୱାରା ଭାରତ ରୁଷୀୟ ତେଲ କିଣିବା ଏବଂ ୟୁକ୍ରେନ ଯୁଦ୍ଧକୁ ଇନ୍ଧନ ଯୋଗାଇବା ପାଇଁ ଦଣ୍ଡିତ ହେବ। ରୁଷ-ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବା ପରେ, ଭାରତ ୨୦୨୨ ମସିହାରେ ରୁଷୀୟ ଅଶୋଧିତ ତୈଳର ଏକ ପ୍ରମୁଖ ଆମଦାନୀକାରୀ ହୋଇଗଲା। ବର୍ତ୍ତମାନ, ବାରମ୍ବାର ଆମେରିକାର ଶୁଳ୍କ ଧମକ ପରେ, ଭାରତ ସମ୍ପର୍କର ଏକ ନିର୍ବିଘ୍ନ ପ୍ରଦର୍ଶନରେ ନିଜକୁ ରୁଷ ଏବଂ ଚୀନ୍ ସହିତ ଆହୁରି ନିକଟତର କରିଛି। ଚୀନ୍ରେ ଅନୁଷ୍ଠିତ ସାଂଘାଇ ସହଯୋଗ ସଂଗଠନ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ ଯେ ରୁଷ ଏବଂ ଭାରତ ମଧ୍ୟରେ ଏକ “ବିଶେଷ” ସମ୍ପର୍କ ରହିଛି।
ସେହିପରି, ସେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ମଧ୍ୟ ଭେଟିଥିଲେ ଏବଂ ଦୁଇ ଦେଶ ପ୍ରତିଦ୍ୱନ୍ଦ୍ୱୀ ନୁହେଁ ବରଂ ଅଂଶୀଦାର ହେବାକୁ ସଂକଳ୍ପ ନେଇଥିଲେ। ହ୍ୱାଇଟ୍ ହାଉସ୍ ପରାମର୍ଶଦାତା ପିଟର୍ ନାଭାରୋ ଭାରତକୁ ତୀବ୍ର ସମାଲୋଚନା କରି କହିଥିଲେ, “ପୁଟିନ୍ ୟୁକ୍ରେନ ଆକ୍ରମଣ କରିବା ପୂର୍ବରୁ, ଭାରତ ବହୁତ କମ୍ ପରିମାଣରେ ରୁଷୀୟ ତେଲ କିଣୁଥିଲା। ଏବେ କ’ଣ ହେଲା? ଏବେ, ରୁଷୀୟ ତୈଳ ବିଶୋଧନକାରୀମାନେ ରିହାତି ଦିଅନ୍ତି, ଭାରତ ଏହାକୁ ବିଶୋଧନ କରେ, ଏବଂ ତା’ପରେ ୟୁରୋପ, ଆଫ୍ରିକା ଏବଂ ଏସିଆକୁ ପ୍ରିମିୟମ୍ ହାରରେ ବିକ୍ରୟ କରେ। ଏହା ରୁଷୀୟ ଯୁଦ୍ଧ ଯନ୍ତ୍ରକୁ ଇନ୍ଧନ ପ୍ରଦାନ କରେ।”










