ଭୁବନେଶ୍ୱର: ଡିପ୍ରେସନ ବା ଅବସାଦ ଏକ ମାନସିକ ସ୍ଥିତି । କ୍ରମାଗତ ଭାବରେ ଦୁଃଖ କିମ୍ବା କୌଣସି ଆଘାତ କାରଣରୁ ଜଣେ ବ୍ୟକ୍ତି ଡିପ୍ରେସନର ବା ଅବସାଦର ଶିକାର ହୋଇଥାଆନ୍ତି । ଗର୍ଭବତୀ ମହିଳାଙ୍କ କ୍ଷେତ୍ରରେ ମାନସିକ ଅବସାଦ ହେବାର ସମ୍ଭାବନା ଅଧିକ ଥାଏ । କାରଣ ଏହି ସମୟରେ ସେମାନଙ୍କ ଶରୀରରେ ହରମୋନ ପରିବର୍ତ୍ତନ ହୁଏ । ପାରିପାରର୍ଶ୍ୱିକ ପରିବର୍ତ୍ତନ ହୁଏ । କର୍ମ କ୍ଷେତ୍ରରେ ହେଉ କିମ୍ବା ପରିବାର ପ୍ରତି ହେଉ ଦାୟିତ୍ୱ ବୃଦ୍ଧି ଘଟେ । ବିଭିନ୍ନ ପ୍ରକାରର ମାନସିକ ଚିନ୍ତା ଆସିଥାଏ । ଯାହା ଫଳରେ ଗର୍ଭବତୀ ମହିଳାମାନେ ଅନେକ ସମୟରେ ଚିଡଚିଡ଼ା ହୋଇଯାଆନ୍ତି । ପୁରୁଷମାନଙ୍କ ଅପେକ୍ଷା ମହିଳାମାନଙ୍କ କ୍ଷେତ୍ରରେ ମାନସିକ ଅବସାଦର ଶିକାର ହେବା ଦୁଇ ଗୁଣ ଅଧିକ ସମ୍ଭାବନା ଥାଏ । ବିଶେଷ କରି ମହିଳାମାନଙ୍କଠାରେ ଗର୍ଭାବସ୍ଥା ଆରମ୍ଭରୁ ବିଭିନ୍ନ କାରଣ ଯୋଗୁଁ ସେମାନଙ୍କ ମାନସିକ ସ୍ଥିତିରେ ପରିବର୍ତ୍ତନ ଆସିଥାଏ । କହିବାକୁ ଗଲେ ଗର୍ଭାବସ୍ଥାର ଆରମ୍ଭରୁ ଏହି ଡିପ୍ରେସନ ଆରମ୍ଭ ହୋଇଯାଇଥାଏ ।
କେବଳ ଗର୍ଭାବସ୍ଥାରେ ନୁହେଁ, ଛୁଆ ଜନ୍ମ ପରେ ମଧ୍ୟ ମହିଳାମାନେ ଡିପ୍ରେସନର ଶିକାର ହୋଇଥାନ୍ତି । ଅନେକ ସମୟରେ ଗର୍ଭାବସ୍ଥା ସମୟରେ ଡିପ୍ରେସନ ବାବଦରେ ଜଣାପଡ଼ିନଥାଏ । ତେଣୁ ପ୍ରାଥମିକ ଅବସ୍ଥାରୁ ଚିକିତ୍ସା ହୋଇପାରେ ନାହିଁ । ଯାହା ଫଳରେ ଉଭୟ ମା’ ଏବଂ ଛୁଆ ଏହି ମାନସିକ ଅବସାଦ ଦ୍ୱାରା ପ୍ରଭାବିତ ହୋଇଥାଆନ୍ତି । ଗର୍ଭାବସ୍ଥାର ପ୍ରଥମ ମାସ ଏବଂ ତୃତୀୟ ମାସରେ ମହିଳାମାନେ ଅଧିକ ମାତ୍ରାରେ ଚାପଗ୍ରସ୍ତ ହୋଇପଡ଼ନ୍ତି । ମାନସିକ ସ୍ଥିତି ଠିକ ନ ରହିବା କାରଣରୁ ମହିଳାମାନେ ସଠିକ ଭାବେ ଖାଇବା ପିଇବା କରିନଥାଆନ୍ତି । ଯାହା ଫଳରେ ସେମାନଙ୍କ ଓଜନରେ ନିୟନ୍ତ୍ରଣ ରହିନଥାଏ । ଗର୍ଭାବସ୍ଥାରେ ପ୍ରତି ମାସରେ ଉଭୟ ମା’ ଏବଂ ଛୁଆର ଡାକ୍ତରୀ ଚିକିତ୍ସା ଜରୁରୀ ହୋଇଥାଏ । କିନ୍ତୁ ଏଭଳି ପରିସ୍ଥିତିରେ ସେମାନେ ଉପଯୁକ୍ତ ଭାବେ ଡାକ୍ତରୀ ଚିକିତ୍ସା କରିବାକୁ ପସନ୍ଦ କରିନଥାଆନ୍ତି । ବିଶେଷ ଭାବରେ ଅବସାଦରେ ପୀଡ଼ିତ ମହିଳାମାନଙ୍କର ଆତ୍ମହତ୍ୟା ଚିନ୍ତାଧାରା ରହୁଥିବାରୁ ଏହା ପିଲା ଏବଂ ମା’ ଉଭୟଙ୍କୁ କ୍ଷତି ପହଞ୍ଚାଇଥାଏ । ମାନସିକ ଅବସାଦ କାରଣରୁ ଶିଶୁଟିଏ ଠିକ ଭାବରେ ବିକଶିତ ହୋଇପାରିନଥାଏ ।