ଅନୁଗୁଳ:ଅନୁଗୁଳ ଜିଲ୍ଲା ଅତିରିକ୍ତ ଜିଲ୍ଲା ଦୌରାଜଜ୍ଙ୍କ ଅଦାଲତରେ ସୋମବାର ଜଣେ ହତ୍ୟାକାରୀଙ୍କୁ ଆଜୀବନ କରାଦଣ୍ଡରେ ଦଣ୍ଡିତ କରାଯାଇଛି । ସୂଚନା ଯେ, ୨୦୧୨ ସେପ୍ଟେମ୍ବର ୨୨ରେ ଜରପଡ଼ା ଥାନା ଅନ୍ତର୍ଗତ ଜରପଡ଼ା ଗାଁର ପ୍ରସନ୍ନ ସାହୁ(୫୫)ଙ୍କୁ ନାଲକୋ ଥାନା ଅନ୍ତର୍ଗତ ବଳରାମପ୍ରସାଦ ପାଟଣା ସାହିର ଗୁଖୁନ ଓରଫ ଅନନ୍ତ ଦାସ(୪୭) ତାଙ୍କ ବାଇକ୍ରେ ଜରପଡ଼ାରୁ ବସାଇ ବଳରାମପ୍ରସାଦକୁ ଆଣିଥିଲେ । ପରଦିନ ୨୩ ତାରିଖରେ ଅନନ୍ତଙ୍କ ଘର ପାଖରେ ଥିବା ସାମୁକା ପୋଖରୀରେ ପ୍ରସନ୍ନଙ୍କ ଶବ ଭାସୁଥିବା ଦେଖିବାକୁ ମିଳିଥିଲା । ଏ ନେଇ ପ୍ରସନ୍ନଙ୍କ ସାନଭାଇ ନାଲକୋ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ପୁଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ କରି ଅଭିଯୁକ୍ତ ଅନନ୍ତଙ୍କୁ ଗିରଫ କରିଥିଲା ।
ପୁଲିସ ସୂଚନା ଅନୁଯାୟୀ, ଅନନ୍ତ ଓ ପ୍ରସନ୍ନ ଚୋରା ଗଞ୍ଜେଇ ବେପାର କରନ୍ତି । ଘଟଣା ଦିନ ରାତିରେ ଏହି ବ୍ୟବସାୟକୁ ନେଇ ଉଭୟଙ୍କ ମଧ୍ୟରେ ପାଟିଗୋଳ ହୋଇଥିଲା । ଫଳରେ ଏକ ଠେଙ୍ଗାରେ ଅନନ୍ତ ପ୍ରସନ୍ନଙ୍କୁ ନିସ୍ତୁକ ମାଡ଼ ମାରିଥିଲେ । ଘଟଣାସ୍ଥଳରେ ପ୍ରସନ୍ନଙ୍କ ମୃତ୍ୟୁ ହୋଇଥିଲା । ତେଣୁ ପ୍ରସନ୍ନଙ୍କ ମୃତଦେହକୁ ଅନନ୍ତ ଘରପାଖ ପୋଖରୀରେ ପକାଇ ଦେଇଥିଲେ । ଏହି ମାମଲାରେ ଅନୁଗୁଳ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ରଞ୍ଜିତା ଜ୍ୟୋତିଷି ୨୬ ଜଣ ସାକ୍ଷ୍ୟଙ୍କ ବୟାନକୁ ଭିତ୍ତିକରି ଅଭିଯୁକ୍ତ ଅନନ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ସହ ୧୦ ହଜାର ଟଙ୍କା ଜୋରିମାନା ରାୟ ଶୁଣାଇଛନ୍ତି । ଜୋରିମାନା ଅନାଦେୟ ହେଲେ ଅଧିକ ୧ ବର୍ଷ କାରାଦଣ୍ଡ ଭୋଗିବେ । ସରକାରଙ୍କ ତରଫରୁ ଅତିରିକ୍ତ ପବ୍ଲିକ୍ ପ୍ରସିକ୍ୟୁଟର ତାପସ କୁମାର ମିଶ୍ର ଓ ବିଶ୍ୱଜିତ ବରାଳ ମାମଲା ପରିଚାଳନା କରିଥିଲେ ।