27.1 C
Bhubaneswar
Friday, September 27, 2024
Homeଦେଶ ବିଦେଶଲେବାନନରେ ଥମିବନି ଧ୍ୱଂସଲୀଳା: ଅସ୍ତ୍ରବିରତି ପ୍ରସ୍ତାବ ଖାରଜ କଲେ ନେତାନ୍ୟାହୁ

ଲେବାନନରେ ଥମିବନି ଧ୍ୱଂସଲୀଳା: ଅସ୍ତ୍ରବିରତି ପ୍ରସ୍ତାବ ଖାରଜ କଲେ ନେତାନ୍ୟାହୁ

ବେରୁତ : ଆମେରିକା ସମେତ ବିଶ୍ୱ ସମୁଦାୟର ଚାପକୁ ଖାତିର ନ କରି ଲେବାନନରେ ଆକ୍ରମଣ ଜାରି ରହିବ ବୋଲି ଇସ୍ରାଏଲ୍ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ସୀମାରେ ଅସ୍ତ୍ରବିରତି ପ୍ରସ୍ତାବକୁ ଖାରଜ କରିଦେଇଛନ୍ତି। ଲେବାନନ୍ ବିପକ୍ଷ ଯୁଦ୍ଧକୁ ଜୋରଦାର କରିବାକୁ ଇସ୍ରାଏଲ୍ ଶପଥ ନେଇଥିବା ନେତାନ୍ୟାହୁ କହିଛନ୍ତି। ନେତାନ୍ୟାହୁଙ୍କ କହିବାନୁସାରେ ଲେବାନନ୍ ସ୍ଥିତ ଆତଙ୍କୀ ସଂଗଠନ ହିଜବୁଲ୍ଲାକୁ ନିପାତ କରିବାକୁ କୌଣସି ସୁଯୋଗ ହାତଛଡ଼ା କରିବୁ ନାହିଁ। ଇସ୍ରାଏଲ ଉପରେ ହିଜବୁଲ୍ଲାର ରକେଟ୍ ତଥା କ୍ଷେପଣାସ୍ତ୍ର ମାଡର ଉପଯୁକ୍ତ ଜବାବ ଦେବାକୁ ଲେବାନନ ଉପରେ ବଡ଼ ଧରଣର ଆକ୍ରମଣ ପାଇଁ ଇସ୍ରାଏଲ୍ ପ୍ରସ୍ତୁତ। ଉଲ୍ଲେଖଯୋଗ୍ୟ, ପାଲେଷ୍ଟାଇନ୍‌ର ଗାଜା ଷ୍ଟ୍ରିପ୍‌ରେ ସକ୍ରିୟ ଥିବା ଆତଙ୍କୀ ସଂଗଠନ ହମାସକୁ ନିପାତ କଲାଭଳି ଇରାନ ସମର୍ôଥତ ହିଜବୁଲ୍ଲାକୁ ମଧ୍ୟ ଲେବାନନ ମାଟିରେ ମୂଳପୋଛ କରିବା ପାଇଁ ଇସ୍ରାଏଲ ଏବେ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଇଛି। ଇସ୍ରାଏଲ ଗତ ତିନି ଦିନରେ ଲେବାନନରେ ହେଜବୋଲ୍ଲାର ୨୦୦୦ରୁ ଅଧିକ ଠିକଣାକୁ ଧ୍ୱଂସ କରିସାରିଲାଣି ଏବଂ ଏହି ଧ୍ୱଂସଲୀଲା ଏବେ ବନ୍ଦ ହେବାର ନାହିଁ। କାରଣ ଇସ୍ରାଏଲ ଅସ୍ତ୍ରବିରତି ପାଇଁ ରାଜି ନାହିଁ। ଇସ୍ରାଏଲ ବୈଦେଶିକ ମନ୍ତ୍ରୀ ତଥା ପ୍ରତିରକ୍ଷା ମନ୍ତ୍ରୀ ଲେବାନନରେ ହିଜବୁଲ୍ଲାକୁ ନିପାତ କରିବାକୁ ଆହ୍ୱାନ କରିଛନ୍ତି।
ପ୍ରକାଶ, ଆମେରିକା ଓ ଫ୍ରାନ୍ସ ଲେବାନନ୍‌ରେ ୨୧ ଦିନିଆ ଅସ୍ତ୍ରବିରତି ପାଇଁ ଦେଇଥିବା ପ୍ରସ୍ତାବକୁ ଗୁରୁବାର ଖାରଜ କରିଦେଇଛି ଇସ୍ରାଏଲ। ଏସମ୍ପର୍କରେ ଇସ୍ରାଏଲ୍ ବୈଦେଶିକ ମନ୍ତ୍ରୀ ଏକ ପୋଷ୍ଟ କରି କହିଛନ୍ତି ଯେ, ଇସ୍ରାଏଲର ଉତ୍ତର ଭାଗରେ ଏହି ଅଭିଯାନର କେବଳ ଗୋଟିଏ ଫଳାଫଳ ରହିବ। ତାହା ହେଲା, ହିଜବୁଲ୍ଲାକୁ ନିପାତ କରିବା ଏବଂ ଇସ୍ରାଏଲ ଲୋକଙ୍କର କ୍ଷତି ଘଟାଇବାର ତା’ର କ୍ଷମତାକୁ ସମ୍ପୂର୍ଣ୍ଣ ଶେଷ କରିବା। ତାଙ୍କ କହିବାନୁସାରେ ପ୍ରସ୍ତାବିତ ଅସ୍ତ୍ରବିରତି ଦ୍ୱାରା ହିଜବୁଲ୍ଲାକୁ ପୁନର୍ଗଠିତ ହେବାକୁ ସମୟ ମିଳିଯିବ, ସେଥିପାଇଁ ଇସ୍ରାଏଲ ଅସ୍ତ୍ରବିରତି ସପକ୍ଷରେ ନାହିଁ। ସୂଚନାଯୋଗ୍ୟ, ତେଲଅଭିବ୍ ଠାରେ ଥିବା ଇସ୍ରାଏଲ୍‌ର ଗୁଇନ୍ଦା ବିଭାଗ ମୁସାଦ୍‌’ର ମୁଖ୍ୟାଳୟ ଉପରେ ବୁଧବାର ଦିନ ହିଜବୁଲ୍ଲା ପକ୍ଷରୁ କ୍ଷେପଣାସ୍ତ୍ର ମାଡ଼ କରାଯିବା ପରେ ଏହାକୁ ନେଇ ଇସ୍ରାଏଲ୍ ମାତ୍ରାଧିକ ହିଂସାତ୍ମକ ହୋଇପଡିଛି। ଅବଶ୍ୟ ହିଜବୁଲ୍ଲାର ଏହି ଆକ୍ରମଣକୁ ଇସ୍ରାଏଲର ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ବିଫଳ କରିଦେଇଛି। କେନ୍ଦ୍ରୀୟ ଇସ୍ରାଏଲ ଆକାଶରେ ଏହି କ୍ଷେପଣାସ୍ତ୍ରକୁ ନଷ୍ଟ କରିବାରେ ‘ଆଇରନ୍ ଡୋମ୍‌’ ସଫଳ ହୋଇଥିବାରୁ ବଡ଼ ଧ୍ୱଂସଲୀଳା ଟଳିଯାଇଛି। ତେବେ ଦକ୍ଷିଣ ଲେବାନନ୍‌ରେ ଯେଉଁ ସ୍ଥାନରୁ ଏହି କ୍ଷେପଣାସ୍ତ୍ର ଉତ୍‌କ୍ଷେପଣ କରାଯାଇଥିଲା ସେହି ସ୍ଥାନକୁ ତତ୍କାଳ ଇସ୍ରାଏଲ ସେନା ଟାର୍ଗେଟ୍ କରିଛି।
ଏସବୁ ମଧ୍ୟରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ରିପୋର୍ଟ ହସ୍ତଗତ ହୋଇଛି। ଲେବାନନ୍ ସ୍ଥିତ ଭାରତୀୟ ଦୂତାବାସ ସେଠାରେ ରହୁଥିବା ଭାରତୀୟ ନାଗରିକଙ୍କୁ ଯଥାଶୀଘ୍ର ଲେବାନନ୍ ଛାଡିବାକୁ କହିଛନ୍ତି। ଏହା ବ୍ୟତୀତ ଅଧିକ ସୂଚନା ନ ଆସିବା ପର୍ଯ୍ୟନ୍ତ କୌଣସି ଭାରତୀୟ ନାଗରିକଙ୍କୁ ମଧ୍ୟ ଲେବାନନ ଯାତ୍ରା ନ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି। ଲେବାନନ୍‌ରେ ବିଗୁଡ଼ିଥିବା ଖରାପ ପରିସ୍ଥିତି ମଧ୍ୟରେ ଏଠାରେ ରହିବାକୁ ଚାହୁଁଥିବା ଲୋକଙ୍କୁ ଅତ୍ୟଧିକ ସତର୍କତା ଅବଲମ୍ବନ କରିବାକୁ ଏବଂ ଦୂତାବାସ ସହ ସମ୍ପର୍କ ରଖିବାକୁ ପରାମର୍ଶ ଦିଆଯାଇଛି। ଲୋକଙ୍କ ସାହାଯ୍ୟ ପାଇଁ ଏକ ନମ୍ବର ମଧ୍ୟ ଜାରି କରାଯାଇଛି। ସୂଚନାଯୋଗ୍ୟ ଇସ୍ରାଏଲ ଏବେ ପ୍ରଚଣ୍ଡ ଆକ୍ରମଣ କରିବାକୁ ପ୍ରସ୍ତୁତି ଚଳାଇଥିବା ବେଳେ ଲେବାନନ୍‌ରେ ପ୍ରାୟ ୧ଲକ୍ଷ ଲୋକଙ୍କୁ ବିସ୍ଥାପିତ କରାଯାଇଛି।
ମିଳିତ ଜାତିସଂଘର ସୁରକ୍ଷା ପରିଷଦରେ ଏସମ୍ପର୍କରେ ହୋଇଥିବା ଆଲୋଚନା ବୈଠକରେ ଲେବାନନ୍ ପ୍ରଧାନମନ୍ତ୍ରୀ ନଜିବ୍ ମିକତି କହିଛନ୍ତି ଯେ, ଇସ୍ରାଏଲ୍ ପକ୍ଷରୁ ତାଙ୍କ ଦେଶରେ ଆତଙ୍କବାଦ କାର୍ଯ୍ୟକଳାପ ଭିଆଯାଉଛି। ଇସ୍ରାଏଲ୍ ପକ୍ଷରୁ ହେଉଥିବା ଆକ୍ରମଣରେ ନୀରିହ ଜନସାଧାରଣ ମୃତ୍ୟୁବରଣ କରୁଥିବା ବେଳେ ସରକାରୀ ସମ୍ପତ୍ତିଗୁଡ଼ିକୁ କ୍ଷତି ପହଞ୍ଚୁଛି। ଗତ ୩ ଦିନ ମଧ୍ୟରେ ଇସ୍ରାଏଲର ଆକ୍ରମଣ ଯୋଗୁ ପ୍ରାୟ ୬୨୦ ଲୋକ ମୃତ୍ୟୁବରଣ କରିଥିବା ବେଳେ ହଜାର ହଜାର ଲୋକ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking