ଭୁବନେଶ୍ୱର: ଇଦ୍ ଏବଂ ରାମ ନବମୀ ପାଇଁ ପୋଲିସ ଅଧିକାରୀଙ୍କ ଛୁଟି ବାତିଲ୍ । ଆଗକୁ ଆସୁଛି ଇଦ୍ ଓ ପବିତ୍ର ରାମ ନବମୀ। ଏନେଇ ରାଜ୍ୟରେ ଚଳଚଞ୍ଚଳ ମୁସଲମାନ ଏବଂ ହିନ୍ଦୁ ସମ୍ପ୍ରଦାୟର ଭାଇ-ଭଉଣୀମାନେ । ଘରେ ଘରେ ଉତ୍ସାହ ଓ ଉଦ୍ଦୀପନାର ମାହୋଲ ଦେଖିବାକୁ ମିଳିଛି । ରାଜ୍ୟରେ କିପରି ଭାଇଚାରା ଓ ସଦଭାବନାର ସହ ଇଦ୍,ରାମ ନବମୀ ଏବଂ ହନୁମାନ ଜୟନ୍ତୀ ପାଳନ ହେବ ସେନେଇ ପୋଲିସ ପକ୍ଷରୁ ଆରମ୍ଭ ହୋଇଛି ପ୍ରସ୍ତୁତି । ପାଟ୍ରୋଲିଂକୁ ବଢାଯାଇଥିବା ବେଳେ ଅପରାଧୀଙ୍କ ଗତିବିଧିକୁ କଡ଼ା ନଜର ରଖିଛି ପୋଲିସ। ଏନେଇ ବରିଷ୍ଠ ଅଧିକାରୀଙ୍କ ସହ ସମସ୍ତ ଜିଲ୍ଲା ଏସପି ଓ ଆଇଜି, ଡିଆଇଜିଙ୍କ ସହ ସରିଛି ବୈଠକ। ଏଥିପାଇଁ ଆସନ୍ତା ୧୫ ତାରିଖ ଯାଏଁ କିଛି ନିର୍ଦ୍ଧିଷ୍ଟ ପୋଲିସ କର୍ମଚାରୀମାନଙ୍କର ଛୁଟି ବାତିଲ କରାଯାଇଥିବା ବିିଭାଗ ପକ୍ଷରୁ ସୂଚନା ମିଳିଛି ।
ଏନେଇ ସମସ୍ତ ଜିଲ୍ଲା ଏସପି,ରେଞ୍ଜ ଆଇଜି ଓ ଡିଆଇଜିମାନଙ୍କୁ ନିର୍ଦ୍ଦେଶାବଳୀ ଜାରି ହୋଇଛି । ବିଶେଷ କରି ଯେଉଁସବୁ ଅଞ୍ଚଳ ସମ୍ବେଦନଶୀଳ ସେହି ସ୍ଥାନ ଚିହ୍ନଟ ପାଇଁ ନିର୍ଦ୍ଦେଶ ରହିଛି । ବର୍ତ୍ତମାନ ସମୟରେ ଲୋକଙ୍କ ମଧ୍ୟରେ କୌଣସି ବିଷୟକୁ ନେଇ ତିକ୍ତତା ସୃଷ୍ଟି ହେଲେ, ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରି ତାହାର କିପରି ସମାଧାନ ହେବ । ସେ ଦିଗରେ ଧ୍ୟାନ ଦିଆଯିବ । ଜିଲ୍ଲା ପ୍ରଶାସନ ସହିତ ଆଲୋଚନା କରି ସୁରକ୍ଷାକୁ ଦୃଷ୍ଟିରେ ରଖି ରାଲି କିମ୍ବା ଶୋଭାଯାତ୍ରା ପାଇଁ ଅନୁମତି ଦେବା ପୂର୍ବରୁ ସମସ୍ତ ପ୍ରକାର ଯାଞ୍ଚ କରିବେ । ସାମ୍ପ୍ରଦାୟିକ ସଦଭାବନା ପରିସ୍ଥିତି ଦେଖି ନୂଆ ସ୍ଥାନରେ କାର୍ଯ୍ୟକ୍ରମ ପାଇଁ ସ୍ଥିର ପୂର୍ବରୁ ଭଲ ଭାବରେ ସେଠାକାର ସାମ୍ପ୍ରତିକ ସ୍ଥିତି ଦିଗକୁ ନଜରରେ ରଖି ନିଷ୍ପତ୍ତି ନେବେ । ସମ୍ବେଦନଶୀଳ ସ୍ଥାନମାନଙ୍କରେ ସିସିଟିଭି ଲଗାଇବେ । ଆବଶ୍ୟକ ପଡ଼ିଲେ ଆର୍ଟିଫିସିଆଲ ଇଣ୍ଟେଲିଜେନସ ଏବଂ ଡ୍ରୋନ ବ୍ୟବହାର କରିବେ । ଏବଂ ଶାନ୍ତି କମିଟି ସଦସ୍ୟଙ୍କ ସହ ଯୋଗଯୋଗ ରଖିବେ । କୋ?ଣସି ଲାଗି ରହିଥିବା ବିବାଦକୁ ଆଲୋଚନା କରି ସମାଧାନ ପାଇଁ ନିଷ୍ପତ୍ତି ନେବେ ।
ଆସନ୍ତା ୧୫ ତାରିଖ ଯାଏ ହୋମଗାର୍ଡ,ଏପିଆର, ଓଆର ଓ ଓଏପିଏଫ ପୋଲିସ କର୍ମଚାରୀମାନଙ୍କର ସାଧାରଣ ଛୁଟି ବାତିଲ କରଯାଇଛି । ଅତି ଆବଶ୍ୟକ କିମ୍ବା ମେଡ଼ିକାଲ କେସରେ ଛୁଟି ନେଇପାରିବେ । ଏନଜିଓ ଓ ଏନସିସି ଭଲ୍ୟୁଣ୍ଟର ମାନଙ୍କୁ ମଧ୍ୟ ଟ୍ରାଫିକ ଓ ଅନ୍ୟ ପରିଚାଳନାରେ ନିୟୋଜନ କରିବା ପାଇଁ ନିର୍ଦ୍ଦେଶ ରହିଛି । ୱାରେଣ୍ଟି ମାନଙ୍କୁ ଧରିବା ଓ ଥାନାରେ ଆସି ହାଜିରା କରାଇବା ଏବଂ ଅଭ୍ୟାସ ଗତ ଅପରାଧୀଙ୍କ ଗତିବିଧି ନଜର ରଖିବା ପାଇଁ ନିର୍ଦ୍ଦେଶ ହୋଇଛି ।