29.1 C
Bhubaneswar
Tuesday, May 6, 2025
Homeଓଡିଶାଭିନ୍ନ ସ୍ୱର ଉଠାଉଥିବା ନେତା ଚାହୁଁଛନ୍ତି କି ନବୀନ ବନ୍ଧା ହୁଅନ୍ତୁ

ଭିନ୍ନ ସ୍ୱର ଉଠାଉଥିବା ନେତା ଚାହୁଁଛନ୍ତି କି ନବୀନ ବନ୍ଧା ହୁଅନ୍ତୁ

ଭୁବନେଶ୍ୱର : ୱାକଫ୍ ବିଲ୍‌ରେ ବିଜେଡିର ଆଭିମୁଖ୍ୟକୁ ନେଇ ଏବେ ରାଜ୍ୟ ରାଜନୀତିରେ ବେଶ୍ କିଛିଦିନ ହେଲା ହଟ ଚମଟ ଚାଲିଛି। ବିଶେଷ କରି ବିଜେଡିରେ ଏହି ଘଟଣାକୁ ନେଇ ଘଣ୍ଟା ଚକଡ଼ା ଚାଲିଛି। ବିଜେଡି ଭାଗ ଭାଗ ହୋଇଛି କହିବା ଯେତିକି ପ୍ରାସଙ୍ଗିକ ହେଇପାରେ କିନ୍ତୁ ଦୁଇଟି ମତର ସ୍ୱର ଦଳ ଭିତରେ ଉଠଇଥିବା ସ୍ପଟ ଭାବରେ କୁହାଯାଇପାରିବ। ବିଶେଷ କରି ଯେଉଁମାନେ ଏହି କାର୍ଯ୍ୟକ୍ରମକୁ ନେଇ ନବୀନ ପଟ୍ଟନାୟକଙ୍କ ପଦକ୍ଷେପ ଉପରେ ପ୍ରଶ୍ନ ଉଠାଉଛନ୍ତି ସେମାନେ ଅତୀତକୁ ଭୁଲି ଯାଉଛନ୍ତି। ଅତୀତର ଘଟଣାକୁ ଯଦି ସେମାନେ ନିରେଖି ଦେଖିଥାଆନ୍ତେ ତେବେ ଏଭଳି ବିରୋଧର ସ୍ୱର ଉଠାଇ ନବୀନଙ୍କୁ ଦୁର୍ବଳ କରିବା ପାଇଁ ଉଦ୍ୟମ କରି ନଥା’ନ୍ତେ ବୋଲି କୁହାଯାଉଛି। ଅତୀତର ଘଟଣାବଳୀକୁ ଅନୁଶରଣ କଲେ ନବୀନଙ୍କ ପାଖରେ ୱାକଫ୍ ବିଲ୍‌କୁ ନେଇ ଅନ୍ୟ କିଛି ଚାରା ନଥିଲା। ଯେଉଁମାନେ ଭିନ୍ନ ସ୍ୱର ଉଠାଉଛନ୍ତି ସେମାନେ କ’ଣ ଚାହୁଁଛନ୍ତି ନବୀନ ଏ ବୟସରେ ବନ୍ଧା ହୋଇ ଜେଲ୍ ଯାଆନ୍ତୁ। ଭି.କେ ପାଣ୍ଡିଆନ୍‌ଙ୍କୁ ଆଳ କରି ଯାହା କୁହାଯାଉଛି ତାହାର ବାସ୍ତବତା କେତେ ସେକଥା ବି ଅନୁଧ୍ୟାନ କରିବା ଉଚିତ୍‌। ଗୋଟିଏ କଥା ସ୍ପଷ୍ଟ ଯେ ନବୀନ ପଟ୍ଟନାୟକ ବିଜେଡିର ସଭାପତି ଥିବା ପର୍ଯ୍ୟନ୍ତ କୌଣସି ପରିସ୍ଥିତିରେ ବିଜେପି କବ୍‌ଜାରୁ ଖସିପାରିବେ ନାହିଁ। ଆଉ ନବୀନ ପଟ୍ଟନାୟକଙ୍କୁ ଛାଡ଼ିଦେଲେ ବିଜେଡିର ଅସ୍ତିତ୍ୱ କ’ଣ ହେବ ତାହା କଳନା କରିବା କଷ୍ଟକର।

ମନେରଖିବା ଉଚିତ୍ ବିଜେଡି ଯେତେବେଳେ କ୍ଷମତାରେ ଥିଲା ସେତେବେଳେ ବିଜେପି କିପରି ଭାବରେ ତାଙ୍କୁ ନଚାଉଥିଲା। ବିଜେପି ଇଶାରାରେ ନବୀନ କ୍ଷମତାରେ ଥାଆନ୍ତୁ କି କ୍ଷମତାରେ ଦୂରେଇ ଯାଇଥାଆନ୍ତୁ ବିଜେପି ଇସାରାରେ ନାଚିବାକୁ ବାଧ୍ୟ। କାରଣ ନବୀନଙ୍କ ପାଖରେ ଅନ୍ୟ କୌଣସି ବିକଳ୍ପ ନାହିଁ। ଯେବେ ଦୂରେଇବେ ସେବେ ତାଙ୍କୁ ହୁଏତ ଜେଲ୍ ଯିବାକୁ ପଡ଼ିପାରେ। ଅତୀତକୁ ଟିକେ ମନପକାଇବା ଉଚିତ୍‌। ୨୦୧୯ ରାଜ୍ୟସଭା ନିର୍ବାଚନ ସମୟର କଥାକୁ। ସେତେବେଳେ ତିନୋଟି ରାଜ୍ୟସଭା ଆସନ ଖାଲି ହୋଇଥିଲା। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ୩ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିଲେ। ସେଥିରେ ଅମର ପଟ୍ଟନାୟକ, ସସ୍ମିତ ପାତ୍ର ଓ ବର୍ତ୍ତମାନର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଥିଲେ। ଗଣମାଧ୍ୟମରେ ନବୀନ ଏହି ନାମ ଘୋଷଣା କରିବା କିଛି ସମୟରେ ଭିତରେ ବିଜେପି ଘୋଷଣା କଲା ଅଶ୍ୱିନୀ ବୈଷ୍ଣବ ତାଙ୍କ ପ୍ରାର୍ଥୀ। ନବୀନ ପଟ୍ଟନାୟକ ସଙ୍ଗେ ସଙ୍ଗେ ଏ କଥାକୁ ସ୍ୱୀକାର କଲେ। ବିଜେଡି ପକ୍ଷରୁ ପ୍ରେସ୍ ଇସ୍ତାହାରା ଦିଆଯାଇ ଏକଥାକୁ ମଧ୍ୟ ସ୍ୱୀକାର କରାଗଲା। ସେତେବେଳେ ଏକ ରାଜ୍ୟସଭା ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ବିଜେପି ହାତରେ ଆବଶ୍ୟକ ସଂଖ୍ୟକ ବିଧାୟକ ନଥିଲେ। ହେଲେ ବିଜେପି ଅଶ୍ୱିନୀଙ୍କୁ ପ୍ରାର୍ଥୀ କରିଥିଲା। ସମସ୍ତଙ୍କୁ ଚକିତ କରି ନବୀନ ପଟ୍ଟନାୟକ ବିଜେପି ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ସମର୍ଥନ ଦେଇଥିଲେ। ତୃତୀୟ ପ୍ରାର୍ଥୀ ବିଜେଡି ଦେଇନଥିଲା। ଗଣତାନ୍ତ୍ରିକ ଇତିହାସରେ ପ୍ରଥମ ଘଟଣା ସେତେବେଳେ ନବୀନ ରଚି ଇତିହାସ ସୃଷ୍ଟି କରିଥିଲେ ଯେ ବିରୋଧୀଦଳ ପ୍ରାର୍ଥୀଙ୍କୁ ଶାସକଦଳ ସମର୍ଥନ ଦେଇ ଜିତାଇବା। ଏବେ ଭିନ୍ନ ସ୍ୱର ଉଠାଉଥିବା କେହି ଜଣେ ହେଲେ ନେତା ସେତେବେଳେ ଉଁ କି ଚୁଁ କହି ନଥିଲେ। କାରଣ ନବୀନ ପଟ୍ଟନାୟକ ସେତେବେଳେ ମୁଖ୍ୟମନ୍ତ୍ରୀ ଥିଲେ। ଏହା ପଛରେ ବି ସେ ସମୟରେ ଭିକେ ପାଣ୍ଡିଆନ୍‌ଙ୍କର ପ୍ରଚ୍ଛଦ ହାତ ବି ଥିଲା। ଏ ଘଟଣା ଥରେ ନୁହେଁ୨୦୨୪ ରେ ବି ରିପିଟ୍ ହେଲା। ଏଥର ସିଧାସଳଖ ଅଶ୍ୱିନୀ ବୈଷ୍ଣବ ବିଜେପି ପ୍ରାର୍ଥୀ ହେଲେ ନବୀନ ପଟ୍ଟନାୟକ ସମର୍ଥନ ଦେଲେ। ଏକ ବିରୋଧୀଦଳ ପ୍ରାର୍ଥୀଙ୍କୁ ଶାସକଦଳ ଜିତାଇବା ଘଟଣା ବାରମ୍ବାର ଘଟିବା ଗଣତାନ୍ତ୍ରିକ ଇତିହାସରେ ପ୍ରଥମ ହୋଇଥିଲେ ବି ତାହା ଓଡ଼ିଶାରେ ଘଟିଥିଲା। କେହି ପ୍ରତିବାଦ କରି ନଥିଲେ।

ଏପରିକି ନବୀନ ପଟ୍ଟନାୟକ କ୍ଷମତାରେ ଥିଲାବେଳେ କେନ୍ଦ୍ର ସରକାର ଯେତେବେଳେ ଯେଉଁ ବିଲ୍ ପାର୍ଲମେଣ୍ଟରେ ଆଣିଛନ୍ତି କୌଣସି ଗୋଟିଏ ବିଲ୍‌କୁ ନବୀନ ପଟ୍ଟନାୟକ ବିରୋଧ କରିନଥିଲେ। ବିଜେଡି ସବୁ ବିଲ୍‌ରେ ସମର୍ଥନ ଦେଇଥିଲା। ବିଜେପି ବିରୋଧରେ ଯେତେବେଳେ ବିଭିନ୍ନ ବିରୋଧୀ ନେତା ଏକ୍‌ଜୁଟ୍ ହୋଇ ନବୀନ ପଟ୍ଟନାୟକଙ୍କ ସମର୍ଥନ ନେବାକୁ ଆସିଛନ୍ତି ସମସ୍ତେ ବିକଳ ହୋଇଯାଇଛନ୍ତି। ମମତା ବାନାର୍ଜି, ନୀତିଶ କୁମାର, ଅଖିଳେଶ୍ ଯାଦବ ଓ ସ୍ୱର୍ଗତ ସୀତାରାମ ଏଚୁରୀଙ୍କଠୁ ଆରମ୍ଭ କରି ବିଭିନ୍ନ ବିରୋଧୀ ନେତାଙ୍କୁ ନବୀନ ଶେଷରେ ନିରାଶ କରିଛନ୍ତି। ସମଦୂରତା କଥା କହି ବିଜେପି ସହ ଛିଡ଼ା ହେଉଥିଲେ। କୃଷକଙ୍କଠୁ ଆରମ୍ଭ କରି ବିଭିନ୍ନ ବିବାଦୀୟ ବିଲ୍‌ରେ ନବୀନ ବିଜେପିକୁ ନିରାଶ କେବେ କରି ନାହାଁନ୍ତି।

ବିଜେପିକୁ ବିରୋଧ କଲେ ପରିଣତି କ’ଣ ହେବ ଏକଥାକୁ ନବୀନ ଭଲଭାବେ ଜାଣିଛନ୍ତି। ପଦବୀରେ ଥାଇ ମୁଖ୍ୟମନ୍ତ୍ରୀମାନଙ୍କୁ ବିଜେପି କିପରି ଜେଲ୍‌ରେ ଭର୍ତ୍ତି କରିଛି ଏବଂ କ୍ଷମତାରେ ନଥିବା ନେତାମାନଙ୍କର ସ୍ଥିତି କଉ ସ୍ତରକୁ ଯାଇଛି ଏକଥା କାହାକୁ ଅଛପା ନାହିଁ। ଆଉ ନବୀନ ଏଭଳି ସ୍ଥିତିରେ ନିଜକୁ ପକାଇବାକୁ ଆଉ ଚାହିଁବେ ନାହିଁ। ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହାଙ୍କ ଗୋଟିଏ ଗୋଟିଏ ଫୋନ୍ କଲ୍‌ରେ ମୁଖ୍ୟମନ୍ତ୍ରୀ ଥିଲାବେଳେ ନବୀନ ପଟ୍ଟନାୟକ କ’ଣ କ’ଣ କରିଛନ୍ତି ତାହା ସମସ୍ତଙ୍କୁ ଜଣା। ଏଣୁ ୱାକଫ୍ ବିଲ୍ ବିରୋଧରେ ମତଦେବା ପାଇଁ ବିଜେଡି ସଂସଦୀୟ ଦଳ ବୈଠକରେ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଥିଲେ ଏହା ସତ। ପରବର୍ତ୍ତି ସମୟରେ ନବୀନଙ୍କ ନିଷ୍ପତତ୍ତି କେଉଁ ପରିସ୍ଥିତିରେ ବଦଳିଲା ତାହା ଆଉ ଅବୁଝା ରହୁ ନାହିଁ। ନବୀନ ନଜାଣି ପାଣ୍ଡିଆନ୍‌ଙ୍କ ନିର୍ଦ୍ଦେଶରେ ସସ୍ମିତ ପାତ୍ର ଦଳର ନିଷ୍ପତ୍ତିକୁ ବଦାଳାଇବା କଥାକୁ ବିଶ୍ୱାସ କରିବା ହେଉଛି ସବୁଠାରୁ ବଡ଼ ମୁର୍ଖାମୀ। ନିର୍ବାଚନ ହାରିଗଲା ପରେ ପାଣ୍ଡିଆନ୍ ତାଙ୍କର ସ୍ଥିତି ବିଷୟରେ ବେଶ୍ ଭଲ ଭାବେ ଅବଗତ ଅଛନ୍ତି। ଏଡେବଡ଼ ନିଷ୍ପତି କୌଣସି ପରିସ୍ଥିତିରେ ସେ ନେଇଥିବେ ବୋଲି ଯେଉଁମାନେ ଭାବୁଛନ୍ତି କି ବିଶ୍ୱାସ କରୁଛନ୍ତି ତାହା ଭୁଲ୍‌। ବିବାଦ ପରେ ଗଣମାଧ୍ୟକୁ ଆସି ନବୀନ ଯେଉଁ ବୟାନ ଦେଲେ ତାହା ଆଉ ଅବୁଝା ହୋଇ ରହିନାହିଁ। ଗୋଟିଏ ପଟେ ନିଜର ସୁରକ୍ଷା ପାଇଁ ମୋଦୀଙ୍କୁ ସନ୍ତୁଷ୍ଟ କରିବା ଅନ୍ୟପଟରେ ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କୁ ନିଜ ସହ ରଖିବାକୁ ନେଇ ନବୀନ ବିବେକ ଅଦୁଯାୟୀ ଭୋଟ୍ ଦେବା କଥାର ନିଷ୍ପତ୍ତି ନେଇଥିବା କୁହାଯାଉଛି। ନଚେତ୍ ଆର୍‌ଜେଡି ଭଳି ଅନେକ ସଂଖ୍ୟାଲଘୁ ନେତା ଦଳ ଛାଡ଼ି ଥାଆନ୍ତେ।

ପାଣ୍ଡିଆନ୍‌ଙ୍କୁ ଏହି ସୁଯୋଗରେ ନବୀନଙ୍କ ଠାରୁ ଦୂରେଇ ଦେବା ପାଇଁ ଲକ୍ଷ୍ୟ ରଖି ଯେଉଁମାନେ ଉଦ୍ୟମ ଚଳାଇଛନ୍ତି ସେମାନେଙ୍କୁ ନିରାଶ ହେବାକୁ ପଡ଼ିବ ବୋଲି ଅନେକ ମତ ଦେଉଛନ୍ତି। କୌଣସି ପରିସ୍ଥିତିିରେ ନବୀନ ପାଣ୍ଡିଆନ୍‌ଙ୍କୁ ଛାଡ଼ି ପାରିବେ ନାହିଁ। ଏହା ଧ୍ରୁବ ସତ୍ୟ। ରାଜନୀତି କରିବା ପାଇଁ ଓ ଗଣମାଧ୍ୟମରେ ମତ ରଖିବା ପାଇଁ କାହାକୁ ମନା ନାହିଁ। କିନ୍ତୁ ଏଥିରେ ନିଜର ନେତାଙ୍କୁ ସମର୍ଥନ ବାହାନାରେ ପରୋକ୍ଷରେ ଦୁର୍ବଳ କରାଯାଉଛି ବୋଲି ଭାବିବା ଉଚିତ୍‌। ନବୀନ କୌଣସି ପରିସ୍ଥିତିରେ ବିଜେପି କବ୍‌ଜାରୁ ଖସି ପାରିବେ ନାହିଁ। ଆଉ ମନରଖିବା ଉଚିତ୍ ଏବେ ସେ କ୍ଷମତାରେ ନାହାଁନ୍ତି। ବିଜେପି କଥାକୁ ଆହୁରି ଅଧିକ ଗୁରୁତ୍ୱ ଦେବାକୁ ତାଙ୍କୁ ହେଉଥିବ। ଅଶ୍ୱିନୀଙ୍କୁ ସମର୍ଥନ ଦେବାଭଳି ୱାକଫ୍ ବିଲ୍ ସମର୍ଥନ ବୋଲି ଧରି ନେବା ହେଉଛି। ଭିନ୍ନ ସ୍ୱର ଉଠାଉଥିବା ନେତାମାନଙ୍କ ପାଇଁ ଉଚିତ୍ ହେବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking