ଭୁବନେଶ୍ୱର: ବିଜୁ ଜନତା ଦଳ ଆଜି ଜାତୀୟ ଜନଜାତି ଆୟୋଗ (ଏନସିଏସ୍ଟି) ନିକଟରେ ଏକ ଦାବିପତ୍ର ଦାଖଲ କରିଛି, ଯେଉଁଥିରେ ଓଡ଼ିଶାର ଏସସି ଓ ଏସଟି ସ୍କୁଲ ହଷ୍ଟେଲ୍ ଗୁଡିକରେ ଅବସ୍ଥିତ ଅନୁସୂଚିତ ଜାତି ଓ ଜନଜାତି ଝିଅମାନଙ୍କ ଉପରେ ଘଟୁଥିବା ଯୌନ ଅତ୍ୟାଚାର ଓ ଗର୍ଭଧାରଣ ଘଟଣା ବାବଦରେ ତୁରନ୍ତ ହସ୍ତକ୍ଷେପ ପାଇଁ ଦାବି କରାଯାଇଛି । ବିଜେଡି ଏହି ଘଟଣାଗୁଡିକୁ ଦୁଃଖଦାୟକ ଓ ଚିନ୍ତାଜନକ ବୋଲି କହି ଏକ ଉଚ୍ଚସ୍ତରୀୟ ତଦନ୍ତ ସହ ଦାୟୀ ଅଧିକାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛି ।
ଦଳ ତରଫରୁ କୁହାଯାଇଛି ଯେ, ରାୟଗଡା, ମୟୂରଭଞ୍ଜ ଓ କନ୍ଧମାଳ ଜିଲ୍ଲା ସହିତ ଅନ୍ୟାନ୍ୟ ଅଞ୍ଚଳରେ ଏପରି ଅନେକ ଘଟଣା ଘଟିଛି, ଯେଉଁଠି ଏସସି/ଏସଟି ବିଭାଗ ଦ୍ୱାରା ପରିଚାଳିତ ସ୍କୁଲ ହଷ୍ଟେଲରେ ଅନେକ ଅନୁସୂଚିତ ଜାତି ଓ ଜନଜାତିର ଝିଅମାନେ ଯୌନ ଅତ୍ୟାଚାରର ଶିକାର ହୋଇ ଗର୍ଭବତୀ ହେଉଛନ୍ତି । ଏହା ଏକ ଗମ୍ଭୀର ପ୍ରଶାସନିକ ବିଫଳତା ଓ ଅନୁପଯୁକ୍ତ ନିରୀକ୍ଷଣ ପ୍ରଣାଳୀର ପ୍ରତିଫଳନ ଅଟେ । ଏ ସମସ୍ତ ଘଟଣାକୁ ନେଇ ଏକ ଉଚ୍ଚସ୍ତରୀୟ ତଦନ୍ତ କରାଯାଉ ଓ ଏଥିରେ ସମ୍ପୃକ୍ତ ଅଧିକାରୀ, ହଷ୍ଟେଲ୍ ସୁପରିଣ୍ଟେଣ୍ଡେଣ୍ଟ ଓ ଥାନା ଅଧିକାରୀଙ୍କ ବିରୁଦ୍ଧରେ କଠୋର ପଦକ୍ଷେପ ନିଆଯାଉ । ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ହଷ୍ଟେଲ୍ରେ ସିସିଟିଭି, ନିୟମିତ ଡାକ୍ତରୀ ପରୀକ୍ଷା, ପରାମର୍ଶଦାତା ସୁବିଧା ଓ ମହିଳା ସୁରକ୍ଷା କର୍ମଚାରୀ ତୁରନ୍ତ ନିଯୁକ୍ତି ଦିଆଯାଉ ।
ଏକ ସ୍ୱତନ୍ତ୍ର ଦଳ (ଏସ୍ଆଇଟି) ଗଠନ କରି ପୀଡ଼ିତାଙ୍କୁ ଚିକିତ୍ସା, ଆଇନ ଓ ମାନସିକ ସ୍ତରରେ ସହଯୋଗ ଦେବା ପାଇଁ କରାଯାଇଛି । ଏଥିସହ ଏହିଭଳି ଘଟଣା ଆଗକୁ ଯେଭଳି ନ ଘଟିବ, ସେଥିପାଇଁ ସ୍କୁଲ ହଷ୍ଟେଲ ଗୁଡ଼ିକୁ ନିୟମିତ ମନିଟରିଂ ବ୍ୟବସ୍ଥା କରିବା ସହ ଅଭିଯୋଗ ପ୍ରକୋଷ୍ଠ ଖୋଲିବା ନିମନ୍ତେ ପଦକ୍ଷେପ ଗ୍ରହଣ କରିବା ପାଇଁ ଏନସିଏସଟି ରାଜ୍ୟ ସରକାରଙ୍କୁ ପରାମର୍ଶ ଦେବା ପାଇଁ ଅନୁରୋଧ କରାଯାଇଛି । ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ ସୁରକ୍ଷା ଓ ଗାରିମା ସର୍ବୋପରି ଗୁରୁତ୍ୱପୂର୍ଣ୍ଣ । ଏହିପରି ଦୁଃଖଦ ଘଟଣା ପୁନର୍ବାର ନ ଘଟିବା ପାଇଁ କମିଶନ ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକ ଅଛି ବୋଲି ବିଜୁ ଜନତା ଦଳ କହିଛି । ଏହି ଦାବିପତ୍ରକୁ ଦଳର ମିଡିଆ ସଂଯୋଜକ ଡ଼ ପ୍ରିୟବ୍ରତ ମାଝୀ ଓ ଡ଼ ଲେନିନ ମହାନ୍ତିଙ୍କ ନେତୃତ୍ୱରେ କମିଶନଙ୍କ ନିକଟରେ ଦାଖଲ କରାଯାଇଛି ।










