34.1 C
Bhubaneswar
Tuesday, April 22, 2025
Homeଓଡିଶାପୂର୍ବତନ ଧର୍ମଶାଳା ବିଧାୟକଙ୍କ ଉପରେ ସଂଘବଦ୍ଧ ଆକ୍ରମଣକୁ ଦୃଢ଼ ନିନ୍ଦା କଲା ବିଜେଡି

ପୂର୍ବତନ ଧର୍ମଶାଳା ବିଧାୟକଙ୍କ ଉପରେ ସଂଘବଦ୍ଧ ଆକ୍ରମଣକୁ ଦୃଢ଼ ନିନ୍ଦା କଲା ବିଜେଡି

– ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ
– ସ୍ପଷ୍ଟ ଦିବାଲୋକରେ ପୋଲିସ୍ ଉପସ୍ଥିତିରେ ଜନପ୍ରତିନିଧିଙ୍କୁ ଆକ୍ରମଣ

ଭୁବନେଶ୍ୱର: ଆଜି ଧର୍ମଶାଳାର ପୂର୍ବତନ ବିଧାୟକ ଶ୍ରୀ ପ୍ରଣବ ବଳବନ୍ତରାୟଙ୍କ ଉପରେ ସଂଘବଦ୍ଧ ଆକ୍ରମଣ ହୋଇଛି । ଆରୁଅ ଗ୍ରାମରେ ହିଙ୍ଗୁଳା ମା’ଙ୍କର ଯାତ୍ରାକୁ ଗଲାବେଳେ ଭାରତୀୟ ଜନତା ପାର୍ଟିର କର୍ମୀ ଏବଂ ସ୍ଥାନୀୟ ବିଧାୟକ ଶ୍ରୀ ହିମାଂଶୁ ସାହୁଙ୍କର ସହଯୋଗୀ ତଥା ଖଣି ମାଫିଆଙ୍କର ଦ୍ୱାରା ଏହି ସଂଘବଦ୍ଧ ଆକ୍ରମଣ କରାଯାଇଥିଲା । ସ୍ଥାନୀୟ ପୋଲିସ୍ ପ୍ରଶାସନ ଓ ଜେନାପୁର ଆଇଆଇସିଙ୍କ ଉପସ୍ଥିତିରେ ଏହି ଆକ୍ରମଣ ହେଉଥିବା ବେଳେ ଆଶ୍ଚର୍ଯ୍ୟଜନକ ଭାବରେ ଆକ୍ରମଣକାରୀଙ୍କୁ ଗିରଫ ନ କରି ଆକ୍ରମଣକାରୀଙ୍କ ଠାରୁ ଭୁଜାଲି, ଖଣ୍ଡା, ଠେଙ୍ଗା ଓ ବାଡି ପୋଲିସ୍ ଜବତ ଘଟଣାକୁ ଆଜି ଶଙ୍ଖ ଭବନର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ଶ୍ରୀ ଭୃଗୁ ବକ୍ସିପାତ୍ର ଦୃଢ଼ ନିନ୍ଦା କରିଛନ୍ତି ।

ଶ୍ରୀ ବକ୍ସିପାତ୍ର କହିଥିଲେ ଯେ, ଧର୍ମଶାଳାର ପୂର୍ବତନ ବିଧାୟକ ଶ୍ରୀ ବଳବନ୍ତରାୟଙ୍କ ଉପରେ ଘଟଣା ଘଟୁଥିବା ସମୟରେ ଶ୍ରୀ ବଳବନ୍ତରାୟ ଯାଜପୁର ଏସ୍ପିଙ୍କୁ ଭିଡିଓ କଲ କଲାପରେ ମଧ୍ୟ ଏସ୍ପିଙ୍କ ଠାରୁ କୌଣସି ଉତ୍ତର ମିଳିନଥିଲା । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଘଟଣାର ଘଟିବାର ୨ ଘଣ୍ଟା ପୂର୍ବରୁ ଶ୍ରୀ ବଳବନ୍ତରାୟ ଘଟଣାର ଆଶଙ୍କା କରି ଯାଜପୁର ଏସ୍ପିଙ୍କୁ ମଧ୍ୟ ଜଣାଇଥିଲେ । ଆଜିର ଘଟଣାକୁ ମିଶାଇ ଶ୍ରୀ ବଳବନ୍ତରାୟଙ୍କ ଉପରେ ବିଧାୟକ ହିମାଂଶୁ ସାହୁଙ୍କ ଦ୍ୱାରା ପଞ୍ଚମଥର ଜୀବନରେ ମାରିଦେଲା ଭଳି ଆକ୍ରମଣ ହୋଇଛି । ପୂର୍ବରୁ ଶ୍ରୀ ବଳବନ୍ତରାୟଙ୍କ ଗାଡ଼ି, ତାଙ୍କ ଘର ଏବଂ ଦଳୀୟ କାର୍ଯ୍ୟାଳୟ ଉପରେ ମଧ୍ୟ ବହୁବାର ଆକ୍ରମଣ ହେବା ପରେ ଶ୍ରୀ ବଳବନ୍ତରାୟ ବାରମ୍ବାର ପୋଲିସ୍ ପାଖରେ ଏଫଆଇଆର ରୁଜୁ କଲା ପରେ ମଧ୍ୟ ପୋଲିସ୍ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ । ଜିଲ୍ଲା ପୋଲିସ୍ଙ୍କ ଉପସ୍ଥିତିରେ ଏବଂ ପ୍ରୋତ୍ସାହନରେ ଶ୍ରୀଯୁକ୍ତ ହିମାଂଶୁ ସାହୁ ଏବଂ ତାଙ୍କର ଆଗଧାଡ଼ିର ସହଯୋଗୀ ମାନଙ୍କ ଦ୍ୱାରା ବାରମ୍ବାର ଏହିଭଳି ଘଟଣା ଘଟୁଛି । ଆଜିର ଘଟଣାରେ ବିଧାୟକଙ୍କର ସହଯୋଗୀ ଖଣି ମାଫିଆ ମନୋଜ ସାମଲ ଏବଂ ରତିକାନ୍ତ ଜେନାଙ୍କର ଯୋଜନା ଏବଂ ନେତୃତ୍ୱରେ ରଚାଯାଇଥିଲା ।

ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ବିରୋଧୀ ଦଳ ନେତା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଆଜିର ଘଟଣାକୁ ଦୃଢ଼ ନିନ୍ଦା କରିବା ସହିତ ରାଜ୍ୟ ସରକାର ଏବଂ ପୋଲିସ୍ ପ୍ରଶାସନର ଏକପାଖିଆ କାର୍ଯ୍ୟକଳାପ ତଥା ଜନପ୍ରତିନିଧି ମାନଙ୍କ ଉପରେ ନିର୍ଦ୍ଦିଷ୍ଟ ଆକ୍ରମଣ ବିଷୟରେ ଗଭୀର ଚିନ୍ତା ପ୍ରକଟ କରିଛନ୍ତି । ସରକାର ତୁରନ୍ତ ଘଟଣାରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଅନୁରୋଧ କରିଛନ୍ତି । ଦଳର ବରିଷ୍ଠ ନେତା ତଥା ସମନ୍ୱୟ କମିଟି ଅଧ୍ୟକ୍ଷ ଶ୍ରୀ ଦେବୀ ପ୍ରସାଦ ମିଶ୍ର, ଆଇନ ଶୃଙ୍ଖଳା ଦାୟିତ୍ୱରେ ଥିବା ଅତିରିକ୍ତ ପୋଲିସ୍ ମହାନିଦେ୍ର୍ଦଶକ ସଞ୍ଜୟ କୁମାରଙ୍କ ସହିତ ଦୁର୍ବୃତ୍ତ ମାନଙ୍କୁ ଗିରଫ କରିବା ପାଇଁ ଅନୁରୋଧ କରିଛନ୍ତି । ଯଦି ୪୮ ଘଣ୍ଟା ମଧ୍ୟରେ ଆକ୍ରମଣକାରୀଙ୍କୁ ଗିରଫ କରାନଯାଏ, ତେବେ ପୋଲିସ୍ ମହାନିଦେ୍ର୍ଦଶକୁ ଭେଟି ସ୍ମାରକପତ୍ର ପ୍ରଦାନ କରିବୁ ବୋଲି କହିଛନ୍ତି ଶ୍ରୀ ବକ୍ସିପାତ୍ର ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking