26.1 C
Bhubaneswar
Wednesday, March 25, 2026
Homeଓଡିଶାପ୍ରଧାନମନ୍ତ୍ରୀ କମାଲକି ଓଡିଶା ଲୁଟ ଯୋଜନା’ ର ଶୁଭାରମ୍ଭ

ପ୍ରଧାନମନ୍ତ୍ରୀ କମାଲକି ଓଡିଶା ଲୁଟ ଯୋଜନା’ ର ଶୁଭାରମ୍ଭ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସପ୍ତମ ଓଡିଶା ଗସ୍ତ ପରିପେକ୍ଷୀରେ ଏବଂ ଓଡିଶାର ଖଣିଜ ଦ୍ରବ୍ୟ, ପ୍ରାକୃତିକ ସଂପଦର କେନ୍ଦ୍ର ଖୋଲାଖୋଲି ଲୁଟ କରି କିଭଳି ପ୍ରଚୁର୍ଯ୍ୟରେ ଭରା ଓଡିଶା ରାଜ୍ୟକୁ ପ୍ରଧାନମନ୍ତ୍ରୀ ଏକ ସୁନା ଅଣ୍ଡାଦିଆ କୁକୁଡ଼ା ଭଳି ବ୍ୟବହାର କରୁଛନ୍ତି, ସେଇ ବିଷୟକୁ ନେଇ କଂଗ୍ରେସ ମିଡ଼ିଆ ସେଲ ପକ୍ଷରୁ କଂଗ୍ରେସ ଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକ ଏବଂ ବରିଷ୍ଠ ମୁଖପାତ୍ର ସୋନାଲି ସାହୁ ଅନେକ ଗୁରୁତର ଅଭିଯୋଗ ଉପସ୍ଥାପନ କରିଥିଲେ । ପୂର୍ବତନ ମନ୍ତ୍ରୀ ଶ୍ରୀ ନାୟକ ଅଭିଯୋଗ କରି କହିଥିଲେ, ବିଜେପି ସରକାର କେବଳ ଵିଜ୍ଞାପନ ଓ ଭାଷଣର ସରକାର । ତାଙ୍କ ସରକାର ଆସିଲେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ମୁଖ୍ୟାଳୟ ପଶ୍ଚିମରେ ହେବ ଏବଂ ଏହାର ଅନୁଦାନ ହଜାର ହଜାର କୋଟି କରାଯିବ ବୋଲି କହିଥିଲେ, କିନ୍ତୁ ସେ ଦିଗରେ ପାହୁଣ୍ଡ ଟିଏ ମଧ୍ୟ କାର୍ଯ୍ୟ ଅଗ୍ରସର ହୋଇନି। ହାଇକୋର୍ଟ ବେଞ୍ଚ ସ୍ଥାପନ ଅଞ୍ଚଳ ବାସୀଙ୍କ ଏକ ପୁରୁଣା ଦାବୀ ସେଥିପ୍ରତି ମଧ୍ୟ ସରକାର ଉଦାସୀନ ।

ଏସବୁ ପଶ୍ଚିମ ଓଡିଶା ବାସୀଙ୍କ ପ୍ରତି ଧୋକା ବ୍ୟତୀତ ଅନ୍ୟ କିଛି ନୁହଁ । ପୁଣି ସେ କହିଛନ୍ତି, ବିଜେଡି ସରକାର ଥିବାବେଳେ ଛତିଶଗଡ ସହ ଥିବା ମହାନଦୀ ଜଳ ବିବାଦକୁ ନେଇ ରକ୍ତମୁଖା ହୋଇଥିବା ବିଜେପି ଡବଲ ଇଞ୍ଜିନ ସରକାର ସମାଧାନ କରିପାରିଲା ନାହିଁ । ପୁଣି ଛତିଶଗଡରେ ବିଜେପି ସରକାର ଅଛି, ଡବଲ କଣ ତ୍ରିପଲ ଇଞ୍ଜିନ ଥିବା ସତ୍ୱେ ବିବାଦ ସମାଧାନ ହୋଇପାରିଲା ନାହିଁ । ଓଡିଶାକୁ ସ୍ବତନ୍ତ୍ର ଅନୁଦାନ ତ ନାହିଁ; ଖାଲିଟାରେ ପ୍ରଧାନମନ୍ତ୍ରୀ କାହିଁକି ବାରମ୍ବାର ଆସି ରାଜ୍ୟକୁ କୋଟି କୋଟି ଟଙ୍କାର ଖର୍ଚ୍ଚାନ୍ତ କରୁଛନ୍ତି ବୋଲି ସାଧାରଣ ଜନତା ପ୍ରଶ୍ନ ପଚାରୁଛନ୍ତି ବୋଲି ଶ୍ରୀ ନାୟକ ପ୍ରକାଶ କରିଛନ୍ତି ।

ବରିଷ୍ଠ ମୁଖପାତ୍ର ସୋନାଲି ସାହୁ ଡବଲ ଇଞ୍ଜିନ ସରକାରଙ୍କ ମୁଖିଆ ପ୍ରଧାନମନ୍ତ୍ରୀ ମୋଦୀ କିଭଳି ଓଡିଶାକୁ ମିଛ କହିବା ସହ ଲୁଟ କରୁଛନ୍ତି ସେସବୁର ରହସ୍ୟ ଉଜାଗର କରି ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ କଡା ଶବ୍ଦରେ ଭର୍ତ୍ସନା କରିଛନ୍ତି । ଶ୍ରୀମତୀ ସାହୁ କହିଛନ୍ତି, ଲୋକସଭା ବିପକ୍ଷ ନେତା ରାହୁଲ ଗାନ୍ଧୀ ଭୋଟ ଚୋରିର ପର୍ଦାଫାଶ କରିବା ପରେ ସାରା ଦେଶରେ ପ୍ରଧାନମନ୍ତ୍ରୀଙ୍କ ଲୋକପ୍ରିୟତା ବେଶ କମିଛି। ତେଣୁ ସେପ୍ଟେମ୍ବର ୨୩ ରୁ ନିଜ ଭାବମୂର୍ତ୍ତି ବଞ୍ଚାଇବା ପାଇଁ ଦେଶର ବିଭିନ୍ନ ଅଞ୍ଚଳକୁ ଯାଇ ଗରିବ, ଖଟିଖିଆ ଓ ଶ୍ରମିକଙ୍କ କୋଟି କୋଟି ଟଙ୍କାର ଟ୍ୟାକ୍ସ ପଇସାରେ ସଭା ସମିତି କରୁଛନ୍ତି । ଗତ ଥର ଜଗନ୍ନାଥ ଡାକିଲେ ବୋଲି ବନ୍ଧୁ ଟ୍ରମ୍ପଙ୍କ ନିମନ୍ତ୍ରଣକୁ ନାକଚ କରି ଓଡିଶା ଆସିଲେ। ତେବେ ଏଥର କଣ ଜଗନ୍ନାଥ ଓଡିଶା ଲୁଟ କରିବା ପାଇଁ ଡାକିଛନ୍ତି ବୋଲି ପ୍ରଶ୍ନ ପଚାରିଛନ୍ତି ।

ଓଡିଶା ପ୍ରତି ଅବହେଳା ଓ ଭଣ୍ଡାମୀର ତାଲିକା ଦେଇ ସେ କହିଛନ୍ତି, ଓଡିଶାରୁ ୨୦ ଜଣ ନିର୍ବାଚିତ ସାଂସଦଙ୍କ ପାଇଁ ପ୍ରଧାନମନ୍ତ୍ରୀ ପଦ ବଞ୍ଚିଲା ତଥାପି ଓଡିଶାକୁ ଅବହେଳା, କେନ୍ଦ୍ରୀୟ ଅନୁଦାନ ୧୮% କମିଛି। କୋଷ୍ଟାଲ ହାଇୱେ ତିଆରି ହୋଇ ପାରିଲାନି, କୋଇଲା ରୟାଲଟି ବଢିଲାନି, ବିହାରକୁ ୮୦ ହଜାର କୋଟି ପ୍ରଦାନ, ବିବାଦୀୟ ପୋଲାଭରମ ପ୍ରକଳ୍ପ ପାଇଁ ଆନ୍ଧ୍ରକୁ ୨୭ ହଜାର ଟଙ୍କା ଅନୁଦାନ ଓଡିଶାକୁ ଶୂନ। କ୍ୟାପିଟାଲ ରିଙ୍ଗ ରୋଡ଼ ମେଟ୍ରୋ ଟ୍ରେନ ପାଶୋରି ଦେଲେଣି। ପଶ୍ଚିମ ଓଡ଼ିଶାରେ ଦ୍ଵିତୀୟ ଏମ୍ସ ପଶ୍ଚିମ ଓଡିଶା ବିକାଶ ପରିଷଦ ମୁଖ୍ୟାଳୟ ପରିବର୍ତ୍ତନ, ହାଇକୋର୍ଟ ବେଞ୍ଚ ସ୍ଥାପନ ଆଦି ସବୁ ବାହାସ୍ଫୋଟ ମାରି ନିର୍ବାଚନ ଜିତିଥିବା ଦଳ ସରକାରରେ ବସିଲା ପରେ ସବୁକୁ ସିନ୍ଦୁକ ଭିତରେ ଚାପି ଦେଇଛି । ଏଥି ସହିତ ପର୍ଯ୍ୟଟନ ବିକାଶ ପାଇଁ ରାଜ୍ୟ ସରକାର ଅନୁରୋଧ କରିଥିବା ୧ ହଜାର କୋଟି ଟଙ୍କା କେନ୍ଦ୍ର ଆଗ୍ରହ୍ୟ କରି ଦେଇଛି । ଦେଶର ୧୦୦ ଗୋଟି ଶିଳ୍ପାଞ୍ଚଳ ନଗର ମଧ୍ୟରୁ ଓଡ଼ିଶାର ଗୋଟିଏ ନଗର ମଧ୍ୟ ନାହିଁ। ୭୫ ଗୋଟି ପର୍ଯ୍ୟଟନ ସ୍ଥଳୀ ଭିତରୁ ମଧ୍ୟ ଓଡ଼ିଶାର ଗୋଟିଏ ପର୍ଯ୍ୟଟନ ସ୍ଥଳୀର ନାମ ନ ରହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଶ୍ରୀମତୀ ସାହୁ କହିଛନ୍ତି ।

ସେ ଗମ୍ଭୀର ଅଭିଯୋଗ ଆଣି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ଆନ୍ଧ୍ର ପ୍ରେମ ଏତେ ଉଛୁଳି ପଡୁଛି ଯେ, ଆର୍ସେଲର ମିତ୍ତଲ ମେଗା ଷ୍ଟିଲ କାରଖାନା, ଭାରତ ବାଇଓଟେକ ଭେକସିନ ପ୍ଲାଣ୍ଟ ଯାହା ଏସିଆ ମହାଦେଶର ବୃହତ ପ୍ଲାଣ୍ଟ, ଏସ-ରାମ ଏମ-ରାମ ସେମିକଣ୍ଡକ୍ଟର ପ୍ରକଳ୍ପ ଆଦି ଆନ୍ଧ୍ରକୁ ସ୍ଥାନାନ୍ତରିତ ହୋଇଥିବା ବେଳେ ଜେଏସଡବ୍ଲୁ ଇଭି ପ୍ରକଳ୍ପ ଓ ୱେଲସ୍ପୁନ ମେଗା ଟେକ୍ସଟାଇଲ ପ୍ରକଳ୍ପ ମହାରାଷ୍ଟ୍ରକୁ ଅତି ନାଟକୀୟ ଢଙ୍ଗରେ ସ୍ଥାନାନ୍ତରିତ ହୋଇଯିବା ଓଡିଶାବାସୀଙ୍କ ପାଇଁ ଏକ ବଡ଼ ଲଜ୍ଜ୍ୟା ଓ ବିଡମ୍ବନାର ବିଷୟ । ବିଡା ଉପରେ କୋରଡ଼ା ମାଡ଼ ପରି ଯେଉଁ କମ୍ପାନୀ ଗୁଡିଙ୍କୁ ବିଭିନ୍ନ ପ୍ରକଳ୍ପ ପାଇଁ ଜମି ସରକାର ଯୋଗେଇ ଦେଇଥିଲା ସେଇ କମ୍ପାନୀ ଗୁଡିକ ଆଜି ପର୍ଯ୍ୟନ୍ତ ଜମି ନିଜ ଅକ୍ତିଆରରେ ରଖିଛନ୍ତି ।

ପ୍ରଧାନମନ୍ତ୍ରୀ ତାଙ୍କ ଶିଳ୍ପପତି ବନ୍ଧୁମାନଙ୍କୁ ସରକାରୀ ଜମି ଯୋଗାଉଛନ୍ତି, ସେମାନେ ସେଇ ଜମି ବିନିମୟରେ ହଜାର ହଜାର କୋଟି ଟଙ୍କାର ଋଣ କରି ଅନ୍ୟ ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା କରୁଛନ୍ତି । ଏହା କ’ଣ ଓଡିଶା ପ୍ରତି ବିଶ୍ୱାସଘାତକତା ନୁହେଁ କି ବୋଲି ପ୍ରଶ୍ନ ପଚାରିଛନ୍ତି । ମୋଦୀ ଓଡ଼ିଶାରେ “ପ୍ରଧାନମନ୍ତ୍ରୀ କମାଲ କି ଓଡିଶା ଲୁଟ ଯୋଜନା” ଆରମ୍ଭ କରିଛନ୍ତି । ପ୍ରକୃତିର ଗନ୍ତାଘର, ଖଣିଜ ସମ୍ପଦରେ ଭରପୂର ଓଡିଶାର ସମ୍ପତ୍ତିକୁ କେବଳ ପ୍ରଧାନମନ୍ତ୍ରୀ ନିଜ ବନ୍ଧୁମାନଙ୍କ ମାଧ୍ୟମରେ ହରିଲୁଟ କରୁଛନ୍ତି । ତାହା ପ୍ରତି ବଦଳରେ ଓଡିଶାକୁ ମିଳୁଛି ଦରିଦ୍ରତା, ବେକାରୀ, ଦାଦନ, ଉଜୁଡା ଜଙ୍ଗଲ, ବିଷାକ୍ତ ପରିବେଶ ଓ ପ୍ରାକୃତିକ ବିପର୍ଯ୍ୟୟ ବୋଲି ଉଦବେଗ ପ୍ରକାଶ କରିଛନ୍ତି । ଝାରସୁଗୁଡା ଗସ୍ତଙ୍କୁ ମିଶାଇ ପ୍ରଧାନମନ୍ତ୍ରୀ ଓଡିଶାକୁ ସାତ ଥର ଗସ୍ତ କଲେଣି କିନ୍ତୁ ଗୋଟିଏ ପ୍ରକଳ୍ପ କରିବା ଦୂରେ ଥାଉ ସାତ ଟଙ୍କା ମଧ୍ୟ ରାଜ୍ୟକୁ ଦେଇ ନାହାନ୍ତି ।

ତେଣୁ ପ୍ରଧାନମନ୍ତ୍ରୀ ମନ୍‌ କି ବାତ ଆଫ୍ରିକା ବଣରେ କରନ୍ତୁ, ଓଡିଶା ଆସିବାର କୌଣସି ଯଥାର୍ଥତା ନାହିଁ ବୋଲି କହିବା ସହ କଂଗ୍ରେସ ରାଜ୍ୟର ଲୋକଙ୍କ ହିତରେ ପଚାରିଥିବା ପ୍ରଶ୍ନର ଉତ୍ତର ପ୍ରଧାନମନ୍ତ୍ରୀ ଦିଅନ୍ତୁ ନଚେତ ସରକାରଙ୍କ ସମସ୍ତ ମନ୍ତ୍ରୀଙ୍କ ଗସ୍ତ ଓ ସଭା ସମିତିକୁ ରାଜ୍ୟ ସାରା ବିରୋଧ କରିବ ବୋଲି ମୁଖପାତ୍ର ଶ୍ରୀମତୀ ସାହୁ ଚେତାବନୀ ଦେଇଥିଲେ । ପ୍ରଧାନମନ୍ତ୍ରୀଙ୍କ ଗସ୍ତଙ୍କୁ ନେଇ ଆୟୋଜିତ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ଖୋର୍ଦ୍ଧା ଜିଲ୍ଲା ନବନିର୍ବାଚିତ କଂଗ୍ରେସ ସଭାପତି ରାଜୀବ ପଟ୍ଟନାୟକ, ମୁଖପାତ୍ର ଝୁନା ପଟ୍ଟନାୟକ ଏବଂ ମୁଖପାତ୍ର ନଳିନୀକାନ୍ତ ନାୟକ ଯୋଗ ଦେଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking