ନୂଆଦିଲ୍ଲୀ: ଭାରତରେ ଚାଲିଥିବା ଭାଷା ବିବାଦ ମଧ୍ୟରେ ନ୍ୟାସନାଲ୍ କାଉନ୍ସିଲ୍ ଅଫ୍ ଏଜୁକେସନାଲ୍ ରିସର୍ଚ୍ଚ ଆଣ୍ଡ୍ ଟ୍ରେନିଂ (ଏନ୍ସିଇଆର୍ଟି) ଆଉ ଏକ ବିତର୍କ ସୃଷ୍ଟି କରିଛି। ଏନ୍ସିଇଆର୍ଟି ଏହାର ଅନେକ ନୂତନ ଇଂରାଜୀ-ମଧ୍ୟମ ପାଠ୍ୟପୁସ୍ତକକୁ ରୋମାନ ଲିପିରେ ହିନ୍ଦୀ ନାମ ଦେଇ ପ୍ରକାଶିତ କରିଥିବା ଦେଖିବାକୁ ମିଳିଛି। ଉଦାହରଣ ସ୍ୱରୂପ, ଷଷ୍ଠ ଶ୍ରେଣୀ ଇଂରାଜୀ ପାଠ୍ୟପୁସ୍ତକର ଶୀର୍ଷକ ପୂର୍ବରୁ ହନିସକଲ୍ ଥିଲା। ଏବେ, କିନ୍ତୁ ଏହି ପୁସ୍ତକର ନାମ ‘ପୂର୍ବୀ’ ରଖାଯାଇଛି। ପୂର୍ବୀ’ ଏକ ହିନ୍ଦୀ ଶବ୍ଦ ଯାହାର ଅର୍ଥ “ପୂର୍ବ’ ଏବଂ ଏହା ଶାସ୍ତ୍ରୀୟ ସଙ୍ଗୀତର ଏକ ରାଗର ନାମ ମଧ୍ୟ ଅଟେ। ପୂର୍ବରୁ, ଏନ୍ସିଇଆର୍ଟି ସବୁବେଳେ ବିଭିନ୍ନ ଭାଷା ପାଇଁ ଭିନ୍ନ ଭିନ୍ନ ଶୀର୍ଷକ ଦେଉଥିଲା। ଉଦାହରଣ ସ୍ୱରୂପ, ଷଷ୍ଠ ଶ୍ରେଣୀ ଗଣିତ ପାଠ୍ୟପୁସ୍ତକକୁ ଇଂରାଜୀରେ “ମାଥେମେଟିକ୍ସ’, ହିନ୍ଦୀରେ “ଗଣିତ’ ଏବଂ ଉର୍ଦ୍ଦୁରେ “ରିଆଜି’ ନାମରେ ପ୍ରକାଶିତ କରୁଥିଲା। କିନ୍ତୁ ଏବେ ଇଂରାଜୀ ଏବଂ ହିନ୍ଦୀ ଉଭୟ ସଂସ୍କରଣର ନାମ ‘ଗଣିତ ପ୍ରକାଶ’ ରଖାଯାଇଛି।
ସେହିପରି, ପ୍ରଥମ ଏବଂ ଦ୍ୱିତୀୟ ଶ୍ରେଣୀ ପାଠ୍ୟପୁସ୍ତକକୁ ଏବେ ମୃଦଙ୍ଗ ଏବଂ ତୃତୀୟ ଶ୍ରେଣୀ ପାଠ୍ୟପୁୂସ୍ତକକୁ ସନ୍ତୁର ନାମରେ ନାମିତ କରାଯାଇଛି। ଦୁଇଟି ହିଁ ଭାରତୀୟ ବାଦ୍ୟଯନ୍ତ୍ରର ନାମ। ତେବେ ଏହାକୁ ନେଇ ଏକ ବଡ ବିତର୍କ ଆରମ୍ଭ ହୋଇଯାଇଛି। ବିଶେଷଜ୍ଞ ଏବଂ ଶିକ୍ଷକମାନେ ଏହି ପଦକ୍ଷେପକୁ ପ୍ରଶ୍ନ ଉଠାଇଛନ୍ତି, ଏହାକୁ ବିଭ୍ରାନ୍ତିକର ଏବଂ ଦୀର୍ଘକାଳୀନ ଶିକ୍ଷାଗତ ମାନଦଣ୍ଡରୁ ବିଚ୍ୟୁତି ବୋଲି କହିଛନ୍ତି। ଏମାନଙ୍କ କହିବାନୁସାରେ ଇଂରାଜୀ ପଢ଼ିବା ପାଇଁ ଉଦ୍ଦିଷ୍ଟ ପୁସ୍ତକର ଏପ୍ରକାର ନାମକରଣ ଭାଷା ସହିତ ପୁସ୍ତକର ଶୀର୍ଷକ ମେଳ ଖାଉଥିବାର ଏକ ଦୀର୍ଘକାଳୀନ ପରମ୍ପରାକୁ ଭଙ୍ଗ କରିଛି। ସବୁଠୁ ବଡ଼କଥା ହେଉଛି, ଏହି ପରିବର୍ତ୍ତନଗୁଡ଼ିକ ଏପରି ଏକ ସମୟରେ ଆସିଛି ଯେତେବେଳେ ତାମିଲନାଡୁ ଭଳି ରାଜ୍ୟ ନିଜ ସ୍କୁଲଗୁଡ଼ିକରେ କେନ୍ଦ୍ରର ତ୍ରିଭାଷା ନୀତିକୁ ଦୃଢ଼ ବିରୋଧ କରୁଛନ୍ତି, ଏହାକୁ ଅଣ-ହିନ୍ଦୀ ଭାଷାଭାଷୀ ଅଞ୍ଚଳରେ ହିନ୍ଦୀକୁ ପ୍ରୋତ୍ସାହିତ କରିବାର ଏକ ଉପାୟ ବୋଲି କହୁଛନ୍ତି। ଜାତୀୟ ଶିକ୍ଷା ଗବେଷଣା ଏବଂ ତାଲିମ ପରିଷଦ (ଏନ୍ସିଇଆର୍ଟି) ହେଉଛି ଏକ ସ୍ୱାୟତ୍ତ ସଂଗଠନ ଯାହା ଭାରତ ସରକାରଙ୍କ ଦ୍ୱାରା ୧୯୬୧ ମସିହାରେ ପ୍ରତିଷ୍ଠିତ ହୋଇଥିଲା। ଏହା କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ସ୍କୁଲ ଶିକ୍ଷାରେ ଗୁଣାତ୍ମକ ଉନ୍ନତି ପାଇଁ ନୀତି ଏବଂ କାର୍ଯ୍ୟକ୍ରମ ଉପରେ ସହାୟତା ଏବଂ ପରାମର୍ଶ ଦେବା ପାଇଁ କାର୍ଯ୍ୟ କରିଥାଏ। ଜାତୀୟ ଶିକ୍ଷା ନୀତି ୨୦୨୦ ଅନ୍ତର୍ଗତ ୨୦୨୩ ମସିହାରେ ଏନ୍ସିଇଆର୍ଟି ନୂତନ ପାଠ୍ୟପୁସ୍ତକ ପ୍ରକାଶନ ଆରମ୍ଭ କରିଥିଲା।