21.1 C
Bhubaneswar
Saturday, December 6, 2025
Homeଓଡିଶା‘ଭାଷା ଓ ଭବିଷ୍ୟତ’ କର୍ମଶାଳା : ଓଡ଼ିଆ ଶବ୍ଦ ଭଣ୍ଡାର ଓ ଡାଟାସେଟ୍ ପ୍ରସ୍ତୁତି ବୈଠକ

‘ଭାଷା ଓ ଭବିଷ୍ୟତ’ କର୍ମଶାଳା : ଓଡ଼ିଆ ଶବ୍ଦ ଭଣ୍ଡାର ଓ ଡାଟାସେଟ୍ ପ୍ରସ୍ତୁତି ବୈଠକ

ଭୁବନେଶ୍ୱର, ୨୩:୦୨ : ଓଡ଼ିଆ ଭାଷା ଓ ସାହିତ୍ୟର ବିକାଶ ତଥା ପ୍ରସାର ପାଇଁ ଡିଜିଟାଲାଇଜେସନ୍ ଓ ଗ୍ଲୋବାଲାଇଜେସନକୁ ଦୃଷ୍ଟିରେ ରଖି ଆଜି ଓଡ଼ିଆ ଭର୍ଚୁଆଲ୍ ଏକାଡେମୀ ତରଫରୁ ସାହିତ୍ୟିକ ଓ ଭାଷାବିତ୍‍ମାନଙ୍କୁ ନେଇ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ‘ଭାଷା ଓ ଭବିଷ୍ୟତ’ ଶୀର୍ଷକ ଏହି କର୍ମଶାଳାରେ ଶବ୍ଦ ଭଣ୍ଡାର ଓ ଡାଟାସେଟ୍ ପ୍ରସ୍ତୁତି ପାଇଁ ବୈଠକର ଆୟୋଜନ କରାଯାଇଥିଲା । କର୍ମଶାଳାକୁ ବୈଦ୍ୟୁତିକ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବିଶାଳ କୁମାର ଦେବ୍ ଆନୁଷ୍ଠାନିକ ଭାବେ ଉଦ୍‍ଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ, ଓକାକ୍‍ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡ. ପ୍ରଦୀପ କୁମାର ରାଉତ, ଭର୍ଚୁଆଲ ଏକାଡେମୀର ସମ୍ପାଦକ ଶ୍ରୀ ସବ୍ୟସାଚୀ ହୋତା ଏବଂ ଅନେକ ବିଶିଷ୍ଟ ଭାଷାବିତ୍ ଉପସ୍ଥିତ ଥିଲେ । ଡ. ରାଉତ ସ୍ୱାଗତ ଅଭିଭାଷଣ ଦେବା ସହ କର୍ମଶାଳାର ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ ।

ଏହି ଅବସରରେ ଶ୍ରୀ ଦେବ୍ କର୍ମଶାଳାର ଉଦ୍ଦେଶ୍ୟ ସମ୍ପର୍କରେ ସମ୍ୟକରୂପେ ଉଲ୍ଲେଖ କରି ଓଡ଼ିଆ ଭାଷାର ସମୃଦ୍ଧି ତଥା ବିକାଶ ଦିଗରେ ସମସ୍ତ ସାହିତ୍ୟିକ, ଭାଷାବିତମାନଙ୍କ ସହଯୋଗ କାମନା କରିଥିଲେ । ଓଡ଼ିଆ ଭାଷାକୁ ସମୃଦ୍ଧ କରି ଇଣ୍ଟରନେଟ୍ ଜରିଆରେ ବିଶ୍ୱ ଦରବାରରେ ପହଞ୍ଚାଇବା ପାଇଁ ଏବଂ ସେଥିନିମନ୍ତେ ଓଡ଼ିଆ ଶବ୍ଦ ଭଣ୍ଡାର(corpus) ଏବଂ ଡାଟାସେଟ୍ ପ୍ରସ୍ତୁତି ନିମନ୍ତେ ଏକାଡେମୀ ନେଇଥିବା ପଦକ୍ଷେପ ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଇଥିଲେ । ଏହି କର୍ମଶାଳାରେ ବହୁ ଲେଖକ, ସମାର୍ଥ ସମ୍ପାଦନା ମଣ୍ଡଳୀ, ପ୍ରକାଶକ, ଅନଲାଇନ୍ ପୁସ୍ତକ ସଂପ୍ରସାରଣ ସଂସ୍ଥାର ମୁଖ୍ୟ, ଭାଷାବିତ୍, ନାଟ୍ୟକାର, ଗୀତିକାର, ସଙ୍ଗୀତକାର ଓ କଣ୍ଠଶିଳ୍ପୀ ପ୍ରମୁଖ ଅଂଶଗ୍ରହଣ କରିଥିଲେ । କବି ଡ. ଅଶୋକ କୁମାର ପୁହାଣ ମଞ୍ଚ ପରିଚାଳନା କରିଥିଲାବେଳେ ବିଶିଷ୍ଟ କଥାକାର ଡ. ଅଜୟ କୁମାର ସ୍ୱାଇଁ, ପ୍ରକାଶକ ବନୋଜ ତ୍ରିପାଠୀ, ନାଟ୍ୟକାର ଅଭିନ୍ନ ରାଉତରାୟ, ପ୍ରଖ୍ୟାତ ଗୀତିକାର ଶ୍ରୀ ସଚ୍ଚି ମହାନ୍ତି, ସଙ୍ଗୀତକାର ଶରତ କର, ଭାଷାବିତ୍ ଡ. ସନ୍ତୋଷ ତ୍ରିପାଠୀ, ସମାର୍ଥ ସମ୍ପାଦକ ରତ୍ନାକର ଦାସ ପ୍ରମୁଖ ମଞ୍ଚାସୀନ ଥିଲେ ।

ଆଲୋଚନାଚକ୍ରରେ ପର୍ଯ୍ୟାୟକ୍ରମେ ବିଭିନ୍ନ ବର୍ଗର ଭାଷାପ୍ରେମୀମାନେ ସେମାନଙ୍କର ସୁଚିନ୍ତିତ ମତାମତ ଦେଇଥିଲେ । ଭାଷା ଓ ସାହିତ୍ୟର ପ୍ରଗତି ପାଇଁ ଡିଜିଟାଲାଇଜେସନ୍ ଓ ଗ୍ଲୋବାଲାଇଜେସନ୍ ନିହାତି ଆବଶ୍ୟକ ବୋଲି ସାମୂହିକ ମତ ପ୍ରକାଶ ପାଇଥିଲା । ଏ କ୍ଷେତ୍ରରେ କିପରି ଭାବେ ଭବିଷ୍ୟତ କାର୍ଯ୍ୟପନ୍ଥା ସ୍ଥିର କରାଯାଇପାରିବ ସେ ନେଇ ଆଲୋଚନା ହୋଇଥିଲା । ଓଡ଼ିଶାରେ ପ୍ରଚଳିତ କଥିତ ଆଞ୍ଚଳିକ ଭାଷାରେ ଗୀତ ଓ ନାଟକ ଆଦି ପ୍ରସ୍ତୁତ କରି ସେଗୁଡ଼ିକର ଓଡ଼ିଆ ବ୍ୟାଖ୍ୟାଦ୍ୱାରା ଆଞ୍ଚଳିକ ଭାଷାକୁ କିପରି ସମୃଦ୍ଧ ଓ ଲୋକାଦୃତ କରାଯାଇପାରିବ ଏବଂ ପୁରୁଣା ଓଡ଼ିଆ ଗୀତ, ଚଳଚ୍ଚିତ୍ର, ଡ୍ରାମା, ଦାସକାଠିଆ, ପାଲା ଇତ୍ୟାଦିକୁ କିପରି ଓଡ଼ିଆ ଭର୍ଚୁଆଲ ଏକାଡେମୀ ମାଧ୍ୟମରେ ଲୋକଙ୍କ ପାଖରେ ପହଞ୍ଚାଯାଇ ପାରିବ, ସେ ନେଇ ଆଲୋଚନା ହୋଇଥିଲା । ଶେଷରେ ଏକାଡେମୀର ପରାମର୍ଶଦାତା ଶ୍ରୀ ସ୍ମୃତି ରଞ୍ଜନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking