19.1 C
Bhubaneswar
Monday, February 2, 2026
Homeଦେଶ ବିଦେଶକୋଲଟାନ୍ ଖଣିରେ ଭୂସ୍ଖଳନ, ୨୨୭ ଶ୍ରମିକ ମୃତ

କୋଲଟାନ୍ ଖଣିରେ ଭୂସ୍ଖଳନ, ୨୨୭ ଶ୍ରମିକ ମୃତ

କିନ୍‌ସାସା: ପୂର୍ବ ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ କଙ୍ଗୋ (ଡିଆର୍‌ସି)ରେ ଥିବା ରୁବାୟା କୋଲ୍‌ଟାନ୍ ଖଣି ଭୁଶୁଡ଼ି ପଡ଼ିବା ଫଳରେ ୨୨୭ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି। ମୃତକମାନେ ମୁଖ୍ୟତଃ ଶ୍ରମିକ ଭାବେ ଏହି ଖଣିରେ କାମ କରୁଥିବା ବେଳେ ଏମାନଙ୍କ ମଧ୍ୟରେ ଅନେକ ମହିଳା ଶ୍ରମିକ ମଧ୍ୟ ଥିବା ଜଣାପଡିଛି। ଉତ୍ତର କିଭୁ ପ୍ରଦେଶର ପ୍ରାଦେଶିକ ରାଜଧାନୀ ଗୋମା ସହରରୁ ପ୍ରାୟ ୬୦ କିଲୋମିଟର (୩୭ ମାଇଲ୍‌) ଉତ୍ତର-ପଶ୍ଚିମରେ ଅବସ୍ଥିତ ଏହି ଖଣିରେ ଗତ ବୁଧବାର ଦିନ ଭୂସ୍ଖଳନ ହୋଇଥିବା ବେଳେ ଏସମ୍ପର୍କୀତ ସୂଚନା କିନ୍ତୁ ଶୁକ୍ରବାର ଦିନ ସାର୍ବଜନୀନ କରାଯାଇଛି। ପ୍ରକାଶ, ଏହି ଖଣି ୨୦୨୪ ମସିହାରୁ ରୱାଣ୍ଡା ସମର୍ôଥତ ଏମ୍ ୨୩ ବିଦ୍ରୋହୀ ଗୋଷ୍ଠୀର ନିୟନ୍ତ୍ରଣରେ ରହିଛି।

ପ୍ରତ୍ୟକ୍ଷଦର୍ଶୀଙ୍କ ପକ୍ଷରୁ ମିଳିଥିବା ସୂଚନାନୁସାରେ ଗତ ମଙ୍ଗଳବାର ଠାରୁ ଏଠାରେ ଲଗାଣ ବର୍ଷା ଜାରି ରହିଥିବା ସତ୍ତ୍ୱେ ଖଣି ଉତ୍ତୋଳନକାରୀ ସଂସ୍ଥା କିନ୍ତୁ କାମ ବନ୍ଦ କରିନଥିଲେ। ଅନ୍ୟପକ୍ଷେ ପ୍ରବଳ ବର୍ଷା ଯୋଗୁ ବୁଧବାର ଦିନ ଖଣିରେ ବଡ଼ ଧରଣର ଭୂସ୍ଖଳନ ହୋଇଥିଲା। ଏହି ସମୟରେ ଖଣି ମଧ୍ୟରେ କାମ କରୁଥିବା ସମସ୍ତ ଶ୍ରମିକ ଏହା ତଳେ ଦବିଯାଇଥିଲେ। ଏସମ୍ପର୍କରେ ଜଣାପଡିବା ପରେ ଯଦିଓ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା କିନ୍ତୁ ସେତେବେଳକୁ ବହୁ ବିଳମ୍ବ ହୋଇସାରିଥିଲା। ଲଗାତାର ବର୍ଷା ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି କରିଥିଲା। ଉଦ୍ଧାର ସରଞ୍ଜାମର ଅଭାବ ଯୋଗୁ ଦୁର୍ଗମ ପାହାଡିଆ ଅଞ୍ଚଳରେ ସାହାଯ୍ୟ ଓ ରିଲିଫ୍ ସାମଗ୍ରୀ ପହଞ୍ଚାଇବାରେ ବହୁତ ବିଳମ୍ବ ହୋଇଥିଲା। ତେବେ ଶନିବାର ସୁଦ୍ଧା ଏହି ଖଣି ମଧ୍ୟରୁ ୨୨୭ଟି ମୃତଦେହ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି। ଏହାରି ମଧ୍ୟରେ ପ୍ରାୟ ୨୦ରୁ ଅଧିକ ଆହତଙ୍କୁ ମଧ୍ୟ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଭୂମିସ୍ଖଳନର ବିପଦ ଜାରି ରହିଥିବାରୁ ସ୍ଥାନୀୟ କର୍ତ୍ତୃପକ୍ଷ ପ୍ରଭାବିତ ଅଞ୍ଚଳରୁ ଦୂରେଇ ରହିବାକୁ ଲୋକଙ୍କୁ ଅନୁରୋଧ କରିଛନ୍ତି। ଅନ୍ୟପକ୍ଷେ ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ପାଇବା ଆଶଙ୍କା କରାଯାଉଛି।

ରୁବାୟା ଖଣି ବିଶ୍ୱ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହା ବିଶ୍ୱର ପ୍ରାୟ ୧୫% କୋଲଟାନ୍ ଉତ୍ପାଦନ କରିଥାଏ। କୋଲଟାନ୍‌ରୁ ଟାଣ୍ଟାଲମ୍ ନାମକ ଏକ ଧାତୁ ଉତ୍ପାଦିତ ହୋଇଥାଏ। ଏହା ଏକ ଉତ୍ତାପ-ପ୍ରତିରୋଧୀ ଧାତୁ ହୋଇଥିବାରୁ ଏହାକୁ ସ୍ମାର୍ଟ ମୋବାଇଲ୍ ଫୋନ୍‌, କମ୍ପ୍ୟୁଟର, ମହାକାଶ ଉପାଦାନ ଏବଂ ଗ୍ୟାସ୍ ଟରବାଇନ୍ ନିର୍ମାତା କମ୍ପାନୀମାନେ ବ୍ୟବହାର କରିଥାନ୍ତି। ମୋଟାମୋଟି ବିଶ୍ୱ ପ୍ରଯୁକ୍ତି ଶିଳ୍ପରେ ଏହି ଧାତୁର ଚାହିଦା ଅଧିକ। ତେଣୁ ବିପଦପୂର୍ଣ୍ଣ ପରିସ୍ଥିତିରେ ମଧ୍ୟ ସେଠାରେ ଖଣି ଖନନ ଜାରି ରହିଛି। ଜାତିସଂଘର ଏକ ରିପୋର୍ଟ ଅନୁଯାୟୀ, ଖଣିଟି ୨୦୨୪ ମସିହାରୁ ଏଫ୍‌ସିଇ/ଏମ୍‌-୨୩ବିଦ୍ରୋହୀ ଗୋଷ୍ଠୀର ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ରହିଛି। ବିଦ୍ରୋହୀ ଗୋଷ୍ଠୀ ନିଜର ଅସ୍ତ୍ରଶସ୍ତ୍ର ଓ ଯୁଦ୍ଧ କାର୍ଯ୍ୟ ପାଇଁ ଖଣିର ରାଜସ୍ୱ ବ୍ୟବହାର କରୁଛି। ଏମାନେ ଅନଭିଜ୍ଞ ସ୍ଥାନୀୟ ଲୋକଙ୍କୁ ବିନା କୌଣସି ସୁରକ୍ଷା ଉପକରଣ ସହ ଖଣି ଖନନ କରିବାକୁ ବାଧ୍ୟ କରିଥାନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking