29.1 C
Bhubaneswar
Friday, February 6, 2026
Homeଦେଶ ବିଦେଶଜମି ଦୁର୍ନୀତି ବିବାଦ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କୁ ‘ହାଇକୋର୍ଟ’ ଆଶ୍ୱସ୍ତି; ୨୯ ଯାଏ କୌଣସି କାର୍ଯ୍ୟାନୁଷ୍ଠାନ ହେବନି

ଜମି ଦୁର୍ନୀତି ବିବାଦ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କୁ ‘ହାଇକୋର୍ଟ’ ଆଶ୍ୱସ୍ତି; ୨୯ ଯାଏ କୌଣସି କାର୍ଯ୍ୟାନୁଷ୍ଠାନ ହେବନି

ବେଙ୍ଗାଲୁରୁ : ଜମି ଦୁର୍ନୀତି ମାମଲାରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ସିଦ୍ଧରମୈୟାଙ୍କୁ ଆଜି ହାଇକୋର୍ଟଙ୍କ ପକ୍ଷରୁ ସାମୟିକ ଆଶ୍ୱସ୍ତି ମିଳିଛି । ରାଜ୍ୟପାଳ ଥାୱାରଚନ୍ଦ ଗେହଲଟ୍ ତାଙ୍କ ବିରୋଧରେ ଦେଇଥିବା ଆଇନଗତ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରିବା ପୂର୍ବକ ସିଦ୍ଧରମୈୟା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ତେବେ ସୋମବାର କର୍ଣ୍ଣାଟକ ହାଇକୋର୍ଟ, ଏହି ମାମଲାରେ ଶୁଣାଣି କରିବା ପୂର୍ବକ ଆସନ୍ତା ୨୯ ତାରିଖ ଯାଏ କୌଣସି ପ୍ରକାରର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବା ନେଇ  ଟ୍ରାଏଲ କୋର୍ଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ହାଇକୋର୍ଟ ସିଦ୍ଧରମୈୟାଙ୍କ ମାମଲାରେ ପରବର୍ତ୍ତୀ ଶୁଣାଣି ଚଳିତ ମାସ ୨୯ ତାରିଖରେ କରିବେ ବୋଲି ତାରିଖ ଧାର୍ଯ୍ୟ କରିଛନ୍ତି । ସୁତରାଂ ଏହି ସମୟ ସୁଦ୍ଧା ସିଦ୍ଧରମୈୟାଙ୍କ ବିରୋଧରେ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବନାହିଁ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି । ହାଇକୋର୍ଟ କହିଛନ୍ତି ଯେ, ଏବେ ମାମଲା କୋର୍ଟରେ ରହିଛି ଓ ଆବେଦନ ଶୁଣାଣି ଶେଷ ହୋଇ ନାହିଁ । ତେଣୁ ପରବର୍ତ୍ତୀ ଶୁଣାଣି ଯାଏ ଟ୍ରାଏଲ କୋର୍ଟ ନିଜ ଶୁଣାଣିକୁ ସ୍ଥଗିତ ରଖିବେ । ଅନ୍ୟପକ୍ଷେ ହାଇକୋର୍ଟଙ୍କ ଏହି ରାୟ ଆସିବା ସହ ରାଜ୍ୟପାଳଙ୍କ ନିର୍ଦ୍ଦେଶ (ସିଦ୍ଧରମୈୟାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ) ସ୍ୱତଃ ପ୍ରଭାବଶୂନ୍ୟ ହୋଇପଡ଼ିଛି ।
ମହୀଶୂର ନଗର ଉନ୍ନୟନ ପ୍ରାଧିକରଣ (ମୁଦା) ଦ୍ୱାରା ଜମି ଆବଣ୍ଟନ ଦୁର୍ନୀତି ଅଭିଯୋଗ ଘଟଣାରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଛନ୍ଦିହୋଇପଡ଼ିଛନ୍ତି । ସେ ମହୀଶୂରର କେସାରେ ଗାଁରେ ନିଜ ପତ୍ନୀ ପାର୍ବତୀଙ୍କ ନାମରେ ଥିବା ଏକ ଶସ୍ତା (କମ୍ ମୂଲ୍ୟ)ରେ ଜମିକୁ ଦକ୍ଷିଣ ମହୀଶୂରର ଅଧିକ ଉନ୍ନତ ବିଜୟନଗର ଅଞ୍ଚଳରେ ରହିଥିବା ମୁଦା ଆବଣ୍ଟିତ ଜମି ସହ ବଦଳ କରିଥିଲେ ଏବଂ  ଏକ ୩ଏକର ପରିମିତ ଜମି (ଯାହାର ମୂଲ୍ୟ ମୂଳ ଜମି ମୂଲ୍ୟ ତୁଳନାରେ ପ୍ରାୟ ଶହେଗୁଣ ଅଧିକ)କୁ ନିଜ ପତ୍ନୀଙ୍କ ମାଲିକାନାରେ କରାଇନେଇଥିଲେ ବୋଲି ଅଭିଯୋଗ ହୋଇଥିଲା । କର୍ଣ୍ଣାଟକ ଦୁର୍ନୀତି ନିବାରଣ ଓ ପରିବେଶ ଫୋରମର ସଭାପତି ଟିକେ ଆବ୍ରାହମ  ଆରଟିଆଇ ଆଇନ୍ ବଳରେ ଏନେଇ ପ୍ରମାଣ ହାସଲ କରିବା ପରେ ରାଜ୍ୟପାଳଙ୍କୁ ଭେଟି ଏସମ୍ପର୍କରେ ଅବଗତ କରାଇଥିଲେ । ପରେ ରାଜ୍ୟପାଳ ମଧ୍ୟ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ବିରୋଧରେ ଜମି ଦୁର୍ନୀତି ଅଭିଯୋଗ ଆଧାରରେ ଆଇନ୍‌ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶନିବାର ଦିନ ନିର୍ଦ୍ଦେଶ ଦେଇଥିଲେ ।
ସିଦ୍ଧରମୈୟାଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ଆଡଭୋକେଟ୍ ତଥା ବରିଷ୍ଠ କଂଗ୍ରେସ ନେତା ଅଭିଷେକ ମନୁ ସିଙ୍ଘ୍‌ଭୀ ହାଇକୋର୍ଟଙ୍କ ନିକଟରେ ଯୁକ୍ତି ଉପସ୍ଥାପନ କରିବାକୁ ଯାଇ କହିଥିଲେ ଯେ, ରାଜ୍ୟପାଳଙ୍କ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିଷ୍ପତ୍ତି ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ।  ରାଜ୍ୟପାଳଙ୍କ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଅନୁମତି କର୍ଣ୍ଣାଟକର ନିର୍ବାଚିତ ସରକାରଙ୍କୁ ଅସ୍ଥିର କରିବା ପାଇଁ ଚାଲିଥିବା ଉଦ୍ୟମର ଅଂଶବିଶେଷ । ସିଦ୍ଧରମୈୟାଙ୍କ ବିରୋଧରେ ଆଗତ ୧୨ରୁ ୧୫ଟି ଅଭିଯୋଗ ମଧ୍ୟରୁ ରାଜ୍ୟପାଳ ଶ୍ରୀ ଗେହଲଟ୍ ନିର୍ଦ୍ଦିଷ୍ଟ ଭାବେ ଏହି ଘଟଣାକୁ ବିଚାରକୁ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁମତି ଦେଇଥିବା ସିଙ୍ଘ୍‌ଭୀ ଯୁକ୍ତି ରଖିଥିଲେ । ଏତଦ୍‌ବ୍ୟତୀତ ମୁଦା ଜମି ଆବଣ୍ଟନ ଦୁର୍ନୀତି ସମ୍ପର୍କରେ ମିଥ୍ୟା ଅଭିଯୋଗ କରି ବିଜେପି ଏବଂ ଜେଡିଏସ୍ ପକ୍ଷରୁ ସିଦ୍ଧରମୈୟାଙ୍କ ପ୍ରତିମୂର୍ତ୍ତିକୁ ଖରାପ କରିଥିବା ମଧ୍ୟ ସିଂଘଭୀ ଅଭିଯୋଗ କରିଛନ୍ତି । ଏହାକୁ ଶୁଣିବା ପରେ ପରେ କୋର୍ଟ ସିଦ୍ଧରମୈୟାଙ୍କୁ ୨୯ ତାରିଖ ଯାଏ ଆଶ୍ୱସ୍ତି ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking