28.1 C
Bhubaneswar
Saturday, June 28, 2025
Homeଓଡିଶାଲକ୍ଷପତି ଦିଦି, ନବୀନଙ୍କ ବହିରେ ବିଜେପି ମଲାଟ: ବିଜେଡି

ଲକ୍ଷପତି ଦିଦି, ନବୀନଙ୍କ ବହିରେ ବିଜେପି ମଲାଟ: ବିଜେଡି

– ବିଜେପିର ଗୋଟିଏ ବର୍ଷରେ ୧୬ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି ଦାବି ହାସ୍ୟାସ୍ପଦ
– କିଛି ନକରି ଶ୍ରେୟ ନେବାକୁ ବିଜେପିର ଉଦ୍ୟମ
– ମିଶନ ଶକ୍ତି ବଜେଟରେ ୧୭୨୬କୋଟି ଟଙ୍କା ହ୍ରାସ କରି ୧୬ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି ଦାବି ଗ୍ରହଣୀୟ ନୁହେଁ

ଭୁବନେଶ୍ୱର: ବିଜେପି ସରକାରଙ୍କର ଲକ୍ଷପତି ଦିଦି କାର୍ଯ୍ୟକ୍ରମ ଉପରେ ପ୍ରତିକ୍ରିୟା ଦେଇ ଆଜି ବିଜୁ ଜନତା ଦଳ ଏହା ‘ନବୀନଙ୍କ ବହିରେ ବିଜେପି ମଲାଟ’ ବୋଲି କହିଛି । କ୍ଷମତାକୁ ଆସିବା ପରଠାରୁ, ବିଜେପି ସରକାର କେବଳ ନବୀନ ସରକାରଙ୍କ ବିଭିନ୍ନ ଯୋଜନାର ନାମ ଓ ରଙ୍ଗ ପରିବର୍ତ୍ତନ କରିଆସୁଥିବା ବେଳେ ଲକ୍ଷପତି ଦିଦି କାର୍ଯ୍ୟକ୍ରମ ସେହି ପ୍ରକ୍ରିୟାରେ ଆଉ ଏକ ନମୁନା ବୋଲି ବିଜେଡି କହିଛି ।

ଶଙ୍ଖ ଭବନ ଠାରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ବରିଷ୍ଠ ସାଧାରଣ ସମ୍ପାଦକ ତଥା ମୁଖପାତ୍ର ଡ଼ଃ ଲେଖାଶ୍ରୀ ସାମନ୍ତସିଂହାର କହିଥିଲେ, ଗୋଟିଏ ବର୍ଷରେ ୧୬ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରିଛନ୍ତି ବୋଲି ବିଜେପି ସରକାର ଯାହା ଦାବି କରିଛନ୍ତିି, ତାହା ହାସ୍ୟାସ୍ପଦ । କାହାକୁ ଲକ୍ଷପତି ଦିଦି ଭାବେ ବିଚାର କରାଯାଉଛି ସରକାର ତାହା ସ୍ପଷ୍ଟ କରିନାହାନ୍ତି । ଲକ୍ଷପତି ଦିଦି କରିବା ପାଇଁ ସରକାର କି କି ପଦକ୍ଷେପ ନେଇଛନ୍ତି, ତାର ମଧ୍ୟ ସୂଚନା ନାହିଁ । ରାତାରାତି ଲକ୍ଷପତି ଦିଦି ଘୋଷଣା କରି ବିଜେପି ସରକାର ନିଜ ସଫଳତା ଦାବି କରୁଛନ୍ତି । ତେଣୁ, ଏ ବାବଦରେ ବିଜେପି ସରକାର ସ୍ପଷ୍ଟୀକରଣ ଦେବା ଦରକାର । ଉଲ୍ଲେଖ୍ୟଯୋଗ୍ୟ, ବିଜେପି ସରକାର ଏହି ବର୍ଷର ବଜେଟରେ ମିଶନ ଶକ୍ତି ପାଇଁ ୧୫୯୦ କୋଟି ଟଙ୍କାର ବ୍ୟୟ ବରାଦ କରିଥିଲେ ଯାହା ୨୦୨୩-୨୪ ରେ ୩୩୧୬ କୋଟି ଥିଲା । ବଜେଟର ଅର୍ଥ ବରାଦ କମିଥିଲା ବେଳେ ଲକ୍ଷପତି ଦିଦି ହେଲେ କିପରି ବୋଲି ଡ଼ଃ ସାମନ୍ତସିଂହାର ପ୍ରଶ୍ନ କରିଥିଲେ । ସୁଭଦ୍ରା ଯୋଜନାରେ ମାସକୁ ୮୩୩ ଟଙ୍କା ଦେଇ ସେମାନଙ୍କୁ ଲକ୍ଷପତି ଦିଦି କରୁଛନ୍ତି ବୋଲି ଯଦି ଦାବି କରନ୍ତି, ତାହା ଆହୁରି ହାସ୍ୟାସ୍ପଦ ।

ଡ଼ଃ ସାମନ୍ତସିଂହାର କହିଥିଲେ, ରାଜ୍ୟର ମହିଳା ମାନଙ୍କୁ ସଶକ୍ତ କରିବା ଲକ୍ଷ୍ୟରେ ନବୀନ ସରକାରଙ୍କ ଦ୍ୱାରା ୨୦୦୧ ମସିହାରେ ମିଶନ ଶକ୍ତି ଯୋଜନାର ଆରମ୍ଭ ହୋଇଥିଲା । ଏହି ଯୋଜନା ମାଧ୍ୟମରେ, ରାଜ୍ୟର ୭୦ ଲକ୍ଷ ମହିଳା ସଶକ୍ତ ହୋଇ ପାରିଥିଲେ । ମହିଳା ଏସଏଚଜି ମାନଙ୍କୁ ବିନା ସୁଧରେ ୧୫ ଲକ୍ଷ ଟଙ୍କା ଋଣ ପ୍ରଦାନ କରାଯାଉଥିଲା । ମହିଳା ଏସଏଚଜି ମାନଙ୍କୁ ଓଡିଶା ସରକାରଙ୍କ ୩୨ଟି ବିଭାଗରେ ବିଭିନ୍ନ କାର୍ଯ୍ୟରେ ନିୟୋଜିତ କରିବା ପାଇଁ ବ୍ୟବସ୍ଥା କରାଯାଇଥିଲା । ମହିଳା ମାନଙ୍କୁ ବ୍ୟବସାୟ ଦୁନିଆ ସହିତ ଅଧିକ ପରିଚିତ କରାଇବା ଲକ୍ଷ୍ୟରେ ସେମାନଙ୍କୁ ବିଦେଶ ଭ୍ରମଣରେ ପଠାଯାଉଥିଲା ।

ନବୀନଙ୍କ ଦୂରଦର୍ଶୀ ନେତୃତ୍ୱରେ ହୋଇଥିବା ମହିଳା ସଶକ୍ତକରଣ ନୀତିର ଫଳସ୍ୱରୂପ ଓଡ଼ିଶାରେ ମହିଳା ମାନେ ଅଧିକ ସଶକ୍ତ ହୋଇ ପାରିଥିଲେ । ମିଶନ ଶକ୍ତି ମାଧ୍ୟମରେ ସଶକ୍ତ ହୋଇଥିବା ମହିଳା ମାନଙ୍କୁ ଆଜି ବିଜେପି ଲକ୍ଷପତି ଦିଦି ଭାବେ ଚିହ୍ନିତ କରି, କେବଳ ପ୍ରଚାର ଉଦେ୍ଦଶ୍ୟରେ ଲକ୍ଷ୍ୟପତି ଦିଦି କାର୍ଯ୍ୟକ୍ରମ କରୁଛି ବୋଲି ଡ଼ଃ ସାମନ୍ତସିଂହାର ଅଭିଯୋଗ କରିଥିଲେ । ଯେପରି ନବୀନ ସରକାରଙ୍କ ବିକାଶମୂଳକ କାର୍ଯ୍ୟର ନାମ ଓ ରଙ୍ଗ ପରିବର୍ତ୍ତନ କରି ନିଜ କାର୍ଯ୍ୟକ୍ରମ କହୁଛନ୍ତି, ସେହିପରି ଆଜି ଲକ୍ଷପତି ଦିଦି କାର୍ଯ୍ୟକ୍ରମ ମଧ୍ୟ ନବୀନଙ୍କ ବହିରେ ବିଜେପି ମଲାଟ । ଓଡ଼ିଶାବାସୀ ଏହାକୁ ଗ୍ରହଣ କରିବେ ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking