14.1 C
Bhubaneswar
Friday, December 19, 2025
Homeଖେଳସନରାଇଜର୍ସ ହାଇଦ୍ରାବାଦକୁ ୫ ୱିକେଟ୍‌ରେ ହରାଇଲା ଲକ୍ଷ୍ନୌ

ସନରାଇଜର୍ସ ହାଇଦ୍ରାବାଦକୁ ୫ ୱିକେଟ୍‌ରେ ହରାଇଲା ଲକ୍ଷ୍ନୌ

ହାଇଦ୍ରାବାଦ: ପ୍ରଥମେ ଶାର୍ଦ୍ଦୁଳ ଠାକୁରଙ୍କ ୪ ୱିକେଟ୍ ହାସଲ ପରେ ମିଚେଲ୍ ମାର୍ଶ ଓ ନିକୋଲାସ୍ ପୂରନ୍‌ଙ୍କ ଅର୍ଦ୍ଧଶତକ ବଳରେ ଲକ୍ଷ୍ନୌ ସୁପର୍ ଜାଏଣ୍ଟ୍‌ସ ୫ ୱିକେଟ୍‌ରେ ସନ୍‌ରାଇଜର୍ସ ହାଇଦ୍ରାବାଦକୁ ହରାଇ ଚଳିତ ଆଇପିଏଲ୍ ସିଜନ୍‌ରେ ପ୍ରଥମ ବିଜୟ ହାସଲ କରିଛି। ସ୍ଥାନୀୟ ରାଜୀବ ଗାନ୍ଧୀ ଇଣ୍ଟରନାସ୍‌ନାଲ୍ ଷ୍ଟାଡିୟମ୍‌ରେ ଗୁରୁବାର ଖେଳାଯାଇଥିବା ମ୍ୟାଚ୍‌ରେ ବ୍ୟାଟିଂ ଆମନ୍ତ୍ରଣ ପାଇ ହାଇଦ୍ରାବାଦ ୯ ୱିକେଟ୍ ବିନିମୟରେ ୧୯୦ ରନ୍ କରିଥିଲା। ଜବାବରେ ଲକ୍ଷ୍ନୌ ୧୬.୧ ଓଭର୍‌ରେ ୫ ୱିକେଟ୍ ହରାଇ ୧୯୩ ରନ୍ କରିବା ସହିତ ମ୍ୟାଚ୍ ହାତେଇଛି। ଶାର୍ଦ୍ଦୁଳ ଠାକୁରଙ୍କୁ ପ୍ଲେୟର୍ ଅଫ୍ ଦ ମ୍ୟାଚ୍ ବିବେଚିତ କରାଯାଇଛି।

୧୯୧ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରିଥିବା ଲକ୍ଷ୍ନୌ ସୁପର୍ ଜାଏଣ୍ଟ୍‌ସ ୪ ରନ୍‌ର ସ୍କୋର୍‌ରେ ଓପ୍ନର୍ ଏଦେନ୍ ମାର୍କରମ୍‌ଙ୍କ ୱିକେଟ୍ ହରାଇଥିଲା। ଏହାପରେ ମିଚେଲ୍ ମାର୍ଶ ଓ ନିକୋଲାସ୍ ପୂରନ୍ ଇନିଂସ୍ ସମ୍ଭାଳି ଦ୍ୱିତୀୟ ୱିକେଟ୍ ପାଇଁ ୧୧୬ ରନ୍‌ର ପାର୍ଟନର୍‌ଶିପ୍ କରିବା ସହିତ ଲକ୍ଷ୍ନୌ ଟିମ୍‌ର ବିଜୟ ବିଜୟ ଆଶା ଉଜ୍ଜୀବିତ ରଖିଥିଲେ। ତେବେ ପୂରନ୍‌ଙ୍କୁ ଏଲ୍‌ବିଡବ୍ଲ୍ୟୁ ଆଉଟ୍ କରି ହାଇଦ୍ରାବାଦ୍ କ୍ୟାପ୍‌ଟେନ୍ ପ୍ୟାଟ୍ କମିନ୍ସ ଏହି ଯୋଡ଼ିରେ ବ୍ରେକ୍ ଲଗାଇଥିଲେ। ୧୮ ବଲ୍‌ରେ ଅର୍ଦ୍ଧଶତକ ପୂରଣ କରିଥିବା ପୂରନ୍ ୨୬ ବଲ୍‌ରେ ୭୦ ରନ୍ କରି ଫେରିଥିଲେ। ତାଙ୍କ ଇନିଂସ୍‌ରେ ୬ଟି ଲେଖାଏ ଛକା ଓ ଚୌକା ସାମିଲ ଥିଲା। ଆୟୁଷ ବଡ଼ୋନୀ ୬ ରନ୍ କରି ଆଉଟ୍ ହେବାପରେ କ୍ୟାପ୍‌ଟେନ୍ ଋଷଭ ପନ୍ତ୍ ୧୫ ବଲ୍‌ରେ ୧୫ ରନ୍ କରି ହର୍ଷଲ୍ ପଟେଲ୍‌ଙ୍କ ଶିକାର ହୋଇଥିଲେ। ଏହାପରେ ଡେଭିଡ୍ ମିଲର୍ ଓ ଅବ୍‌ଦୁଲ୍ ସମଦ ଟିମ୍‌କୁ ମହତ୍ତ୍ୱପୂର୍ଣ୍ଣ ବିଜୟ ଦେଇଥିଲେ। ୧୭ତମ ଓଭର୍‌ର ପ୍ରଥମ ବଲ୍‌ରେ ମିଲର୍ ଚୌକା ମାରି ଟିମ୍‌କୁ ଜିତାଇଥିଲେ। ସେ ୭ ବଲ୍‌ରେ ଦୁଇଟି ଚୌକା ସହାୟତାରେ ୧୩ ଏବଂ ଅବ୍‌ଦୁଲ୍ଲ ସମଦ୍ ୮ ବଲ୍‌ରୁ ଦୁଇଟି ଲେଖାଏ ଛକା ଓ ଚୌକା ସହାୟତାରେ ୨୨ ରନ୍ କରି ଅପରାଜିତ ରହିଥିଲେ। ହାଇଦ୍ରାବାଦ ପକ୍ଷରୁ ପ୍ୟାଟ୍ କମିନ୍ସ ଦୁଇଟି ୱିକେଟ୍ ନେଇଥିବା ବେଳେ ମହମ୍ମଦ ଶମୀ, ଆଦାମ୍ ଜାମ୍ପା ଏବଂ ହର୍ଷଲ୍ ପଟେଲ୍‌ଙ୍କୁ ୧-୧ ସଫଳତା ମିଳିଛି।

ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ସନ୍‌ରାଇଜର୍ସ ହାଇଦ୍ରାବାଦ (ଏସ୍‌ଏଚ୍‌ଆର୍‌) ୧୫ ରନ୍‌ରେ ଦୁଇଟି ୱିକେଟ୍ ହରାଇ ସଂକଟରେ ପଡ଼ିଥିଲା। ଫାଷ୍ଟ୍ ବୋଲର୍ ଶାର୍ଦ୍ଦୁଳ ଶର୍ମା ନିଜ ସ୍ପେଲ୍‌ର ଦ୍ୱିତୀୟ ଓଭର୍‌ର ପ୍ରଥମ ବଲ୍‌ରେ ଓପ୍ନର୍ ଅଭିଷେକ ଶର୍ମା (୬) ଏବଂ ଦ୍ୱିତୀୟ ବଲ୍‌ରେ ଖାତା ଖୋଲିବା ପୂର୍ବରୁ ଈଶାନ୍ କିଶନ୍‌ଙ୍କୁ ପ୍ୟାଭିଲିୟନ୍ ଫେରାଇ ହାଇଦାବାଦ୍‌କୁ ପ୍ରାରମ୍ଭିକ ଝଟ୍‌କା ଦେଇଥିଲେ। ଦୁଇ ୱିକେଟ୍ ହରାଇବା ପରେ ଅନ୍ୟତମ ଓପ୍ନର୍ ଟ୍ରାଭିସ୍ ହେଡ୍ ଇନିଂସ୍ ସମ୍ଭାଳିବା ସହିତ ତୃତୀୟ ୱିକେଟ୍ ପାଇଁ ନୀତୀଶ ରେଡ୍ଡୀଙ୍କ ସହ ୬୧ ରନ୍‌ର ପାର୍ଟନର୍‌ଶିପ୍ କରିଥିଲେ। ତେବେ ୨୮ ବଲ୍‌ରୁ ୫ ଚୌକା ଓ ୩ ଛକା ସହାୟତାରେ ୪୭ ରନ୍ କରିଥିବା ବେଳେ ପ୍ରିନ୍ସ ଯାଦବଙ୍କ ବଲ୍‌ରେ ବୋଲ୍ଡ ଆଉଟ୍ ହୋଇଥିଲେ। ହେନ୍‌ରିକ୍ କ୍ଲାସେନ୍ ୧୭ ବଲ୍‌ରେ ୨୬ ରନ୍ କରିଥିବା ବେଳେ ରନ୍‌ଆଉଟ୍ ହୋଇଥିଲେ। କ୍ଲାସେନ୍‌ଙ୍କ ପରେ ନୀତୀଶ ରେଡ୍ଡୀ ୩୨ ରନ୍‌ର ଇନିଂସ୍ ଖେଳି ବିଦାୟ ନେଇଥିଲେ। ମଧ୍ୟକ୍ରମରେ ଅନିକେତ ବର୍ମା ବିସ୍ଫୋରକ ବ୍ୟାଟିଂ ସହ ୧୩ ବଲ୍‌ରେ ୫ ଛକା ସହାୟତାରେ ୩୬ ରନ୍ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କ୍ୟାପ୍‌ଟେନ୍ ପ୍ୟାଟ୍ କମିନ୍ସ ୪ ବଲ୍‌ରେ ୩ ଛକା ସହାୟାତରେ ୧୮, ହର୍ଷଲ୍ ପଟେଲ୍ ୧୨ ରନ୍ କରିଥିଲେ। ଲକ୍ଷ୍ନୌ ପକ୍ଷରୁ ଶାର୍ଦ୍ଦୁଳ ଠାକୁର ସର୍ବାଧିକ ୪ଟି ୱିକେଟ୍ ଦଖଲ କରିଥିବା ବେଳେ ଆଭେସ୍ ଖାନ୍‌, ଦିଗ୍ୱେଶ ରାଠି, ରବି ବିଷ୍ଣୋଇ ଓ ପ୍ରିନ୍ସ ଯାଦବ ୧-୧ ସଫଳତା ପାଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking