26.1 C
Bhubaneswar
Wednesday, March 25, 2026
Homeଦେଶ ବିଦେଶହ୍ରାସ ପାଇବ ଏଲ୍‌ଏସି ଉତ୍ତେଜନା; ସହମତ ହେଲେ ଭାରତ-ଚୀନ, ଏଲଏସିରେ କରିବେ ମିଳିତ ପାଟ୍ରୋଲିଂ

ହ୍ରାସ ପାଇବ ଏଲ୍‌ଏସି ଉତ୍ତେଜନା; ସହମତ ହେଲେ ଭାରତ-ଚୀନ, ଏଲଏସିରେ କରିବେ ମିଳିତ ପାଟ୍ରୋଲିଂ

ନୂଆଦିଲ୍ଲୀ: ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍‌ଏସି)କୁ ନେଇ ଭାରତ ଓ ଚୀନ୍ ମଧ୍ୟରେ ଚାଲିଥିବା ବିବାଦରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ବୈଦେଶିକ ସଚିବ ବିକ୍ରମ ମିସ୍ରି ଆଜି ଏସମ୍ପର୍କରେ ସୂଚନା ଦେଇଛନ୍ତି। ବିକ୍ରମଙ୍କ କହିବାନୁସାରେ ନିକଟରେ ଉଭୟ ଦେଶର ଅଧିକାରୀଙ୍କ ମଧ୍ୟରେ ଆଲୋଚନା ପରେ ଏଲଏସିରେ ପାଟ୍ରୋଲିଂ ବ୍ୟବସ୍ଥା ଉପରେ ଏକ ବୁଝାମଣା ହୋଇଛି। ଏହି ଆଧାରରେ ସୀମାରେ ଉଭୟ ଦେଶର ସେନା ପକ୍ଷରୁ ପୁଣିଥରେ ମିଳିତ ପାଟ୍ରୋଲିଂ ଆରମ୍ଭ କରାଯିବ। ଦୀର୍ଘ ଦିନ ଧରି ଉଭୟ ଦେଶ ମଧ୍ୟରେ ଚାଲିଥିବା କୂଟନୈତିକ ଆଲୋଚନା ଶେଷରେ ସକାରାତ୍ମକ ରୂପ ନେଇଛି। ଏହା ସୀମାରେ ଦ୍ୱିପାକ୍ଷିକ ଉତ୍ତେଜନା ହ୍ରାସକୁ ପ୍ରୋତ୍ସାହିତ କରିଛି। ୨୦୨୦ ପରେ ସୀମାନ୍ତ ଅଞ୍ଚଳରେ ସୃଷ୍ଟି ହୋଇଥିବା ସ୍ଥିତିର ସମାଧାନ ପାଇଁ ଗୋଟିଏ ସଂକଳ୍ପ ମଧ୍ୟ ଆସିପାରିଛି।

ଆସନ୍ତାକାଲି ଠାରୁ ରୁଷ୍‌ରେ ୨ ଦିନିଆ (୨୨ ଓ ୨୩ ତାରିଖ) ୧୬ତମ ବ୍ରିକ୍ସ ସମ୍ମିଳନୀ ଆରମ୍ଭ ହେବ। ଏଥିରେ ଯୋଗଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରୁଷ୍ ଗସ୍ତ କରିଛନ୍ତି। ଭାରତ ସହ ଚୀନ୍ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍ ମଧ୍ୟ ଏହି ସମ୍ମିଳନୀରେ ଯୋଗଦେବେ। ମୋଦୀ ଓ ଜିନପିଙ୍ଗ ଗୋଟିଏ ମଞ୍ଚରେ ଏକାଠି ହେଉଥିବାରୁ ଦ୍ୱିପାକ୍ଷିକ ଆଲୋଚନାର ସମ୍ଭାବନା ରହିଛି। ତେବେ ଏସବୁ ପୂର୍ବରୁ ଦୁଇ ଦେଶ ମଧ୍ୟରେ ବିବାଦ ଶେଷ କରିବାକୁ ସହମତି ପ୍ରକାଶ ପାଇଥିବା ଖବର ଆସିଛି।

୨୦୨୦ ଜୁନ୍ ୧୫-୧୬ରେ ଗଲୱାନ ଘାଟିରେ ଭାରତ ଓ ଚୀନ ସୈନିକଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଥିଲା। ଯେଉଁଥିରେ ୨୦ ଜଣ ଭାରତୀୟ ସୈନିକ ଏବଂ ୪୦ରୁ ଅଧିକ ଚୀନ୍ ସୈନିକ ପ୍ରାଣ ହରାଇଥିଲେ। ଅବଶ୍ୟ ଚୀନ୍ ସେନାବାହିନୀ ପିପୁଲ୍ସ ଲିବରେଶନ ଆର୍ମି ଏହାର ସୈନିକଙ୍କ ମୃତାହତ ବିଷୟରେ କୌଣସି ସୂଚନା ଦେଇ ନଥିଲା। ତେବେ ଏହି ଘଟଣା ପରଠାରୁ ଦୁଇ ଦେଶ ମଧ୍ୟରେ ଏଲଏସିରେ ପ୍ରବଳ ଉତ୍ତେଜନା ଲାଗିରହିଛି। ଦୁଇ ଦେଶର ସୈନିକ ମୁହାଁମୁହିଁ ସ୍ଥିତିରେ ରହିଥିଲେ। ପରେ ଦୁଇ ଦେଶ ପକ୍ଷରୁ ନିର୍ଦ୍ଧାରିତ ଦୂରତା ପାଳନ ପୂର୍ବକ ପାଟ୍ରୋଲିଂ ବ୍ୟବସ୍ଥାକୁ ବନ୍ଦ କରିଦିଆଯାଇଥିଲା। କିନ୍ତୁ ଏବେ ପୁନଃ ପାଟ୍ରୋଲିଂ ଆରମ୍ଭ ହେବାକୁ ଯାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking