28.1 C
Bhubaneswar
Saturday, September 21, 2024
Homeଦେଶ ବିଦେଶକୋଲକାତା ଟ୍ରେନି ଡାକ୍ତରାଣୀ ଦୁଷ୍କର୍ମ ଓ ହତ୍ୟା ମାମଲା ; ଲୋକଙ୍କ ପାଇଁ ଇସ୍ତଫା ଦେବାକୁ...

କୋଲକାତା ଟ୍ରେନି ଡାକ୍ତରାଣୀ ଦୁଷ୍କର୍ମ ଓ ହତ୍ୟା ମାମଲା ; ଲୋକଙ୍କ ପାଇଁ ଇସ୍ତଫା ଦେବାକୁ ପ୍ରସ୍ତୁତ : ମମତା

– ଆଲୋଚନା ବୈଠକକୁ ଆସିଲେନି ଜୁନିଅର ଡାକ୍ତର
– ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ନୁହେଁ, ନ୍ୟାୟ ଚାହୁଁ: ଆନ୍ଦୋଳନକାରୀ
କୋଲକାତା:  “ଲୋକଙ୍କ ପାଇଁ ଇସ୍ତଫା ଦେବାକୁ ମୁଁ ପ୍ରସ୍ତୁତ । ମୋ’ର ମୁଖ୍ୟମନ୍ତ୍ରୀ ପଦ କିମ୍ବା ଆସନ ପ୍ରତି କୌଣସି ଲାଳସା ନାହିଁ । ମୁଁ ଏବଂ ମୋ’ ସରକାର ଡାକ୍ତରଙ୍କ ସହ ଅଛୁ । ପୀଡିତା ଡାକ୍ତରାଣୀଙ୍କ ଘଟଣାରେ ମୁଁ  ଏବଂ ମୋ’ ସରକାର ମଧ୍ୟ ନ୍ୟାୟ ଚାହୁଁଛୁ । ଦୋଷୀଙ୍କ ବିରୋଧରେ ଆମେ ମଧ୍ୟ କଠୋରରୁ କଠୋର ଦଣ୍ଡାଦେଶ ଦାବି କରୁଛୁ । ଏପରିକି ଏହି ଘଟଣାକୁ ନେଇ ମୁଁ ଏବଂ ମୋ’ ସରକାର ଆନ୍ଦୋଳନରତ ଡାକ୍ତରଙ୍କ ଦାବିକୁ ମଧ୍ୟ ସମର୍ଥନ କରୁଛୁ । କିନ୍ତୁ ବର୍ତ୍ତମାନ ସମୟରେ ସେମାନଙ୍କ ଦାବି ଉପରେ କାର୍ଯ୍ୟକ୍ରମ ଗ୍ରହଣ କରିବା ଆମ ପକ୍ଷେ ସମ୍ଭବପର ହୋଇପାରୁନାହିଁ । ଓଲଟା ସେମାନଙ୍କ ସହ ରାଜ୍ୟ ସରକାର ଆଲୋଚନା କରିବାକୁ ବାରମ୍ବାର ଚେଷ୍ଟା କରୁଥିଲେ ମଧ୍ୟ ସେମାନେ (ବିକ୍ଷୋଭରତ ଜୁନିଅର ଡାକ୍ତରମାନେ) ସହଯୋଗ କରୁନାହାନ୍ତି । ଏପରିସ୍ଥିତିରେ ଯଦି ରାଜ୍ୟବାସୀ ଚାହୁଁଛନ୍ତି ମୁଁ ଇସ୍ତଫା ଦେବା ଦ୍ୱାରା ସବୁକିଛି ଠିକ୍ ହୋଇଯିବ ତେବେ ମୁଁ ଏଥିପାଇଁ ପ୍ରସ୍ତୁତ ।” ଗୁରୁବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସମଗ୍ର ପଶ୍ଚିମବଙ୍ଗବାସୀଙ୍କୁ କ୍ଷମା ପ୍ରାର୍ଥନା କରିବା ସହ ଏପରି ବିବୃତି ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ସନ୍ଧ୍ୟାରେ ଆନ୍ଦୋଳନରତ କନିଷ୍ଠ ଡାକ୍ତରମାନଙ୍କ ସହ ବୈଠକ ପାଇଁ ପହଞ୍ଚିଥିଲେ । ଦୀର୍ଘ ୨ ଘଣ୍ଟାର ଅପେକ୍ଷା ପରେ ମଧ୍ୟ ଜୁନିଅର ଡାକ୍ତରଙ୍କ ପକ୍ଷରୁ କୌଣସି ପ୍ରତିନିଧି ଦଳ ଏହି ବୈଠକରେ ସାମିଲ ହୋଇନଥିଲେ । ଏହାକୁ ନେଇ ମମତା ମହିଛନ୍ତି, କୌଣସି ବିଜେପି ଶାସିତ ରାଜ୍ୟରେ ଏମିତି ଘଟଣା ଦେଖିବାକୁ ମିଳିନଥିବ । ଜଣେ ବିଜେପି ମୁଖ୍ୟମନ୍ତ୍ରୀ ଏତେ ସମୟ ଧରି ଆନ୍ଦୋଳନକାରୀଙ୍କୁ ଅପେକ୍ଷା କରିନଥିବେ । କିନ୍ତୁ ସେ ଆଜି ସବୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକୁ ପଛରେ ପକାଇ ଜୁନିଅର ଡାକ୍ତରଙ୍କୁ ଅପେକ୍ଷା କରି ରହିଥିଲେ । ଆଜି ଜୁନିଅର ଡାକ୍ତରଙ୍କ ସହ ରାଜ୍ୟ ସରକାରଙ୍କ ଆଲୋଚନା ବୈଠକ ପ୍ରୟାସ ବିଫଳ ହେବା ପରେ ମମତା ବାନାର୍ଜୀ ଏକ ସାମ୍ବାଦିକ ସମ୍ମିଳନୀ କରି ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି । ପ୍ରକାଶ, ଜୁନିଅର ଡାକ୍ତରମାନେ ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକର ସିଧା ପ୍ରସାରଣ ଦାବିରେ ଅଟଳ ରହିଥିଲେ । କିନ୍ତୁ ମାମଲା ଏବେ ସୁପ୍ରିମକୋର୍ଟରେ ବିଚାରାଧୀନ ଥିବାରୁ ବୈଠକର ସିଧା ପ୍ରସାରଣ କରାଯିବା ସମ୍ଭବ ନୁହେଁ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଥିଲା । ସୁତରାଂ କନିଷ୍ଠ ଡାକ୍ତର ମମତାଙ୍କୁ ଭେଟିବାକୁ ଆସିନଥିଲେ ।
ମମତାଙ୍କ କହିବାନୁସାରେ ଆଶା ଥିଲା, ଆନ୍ଦୋଳନରତ ଜୁନିଅର ଡାକ୍ତରମାନେ ଆସି ସେମାନଙ୍କର ଦାବି ସମ୍ପର୍କରେ ରାଜ୍ୟ ସରକାରଙ୍କୁ ସୂଚୀତ କରିବେ । ସରକାର ମଧ୍ୟ ସେମାନଙ୍କ କଥାକୁ ଶୁଣିବେ ଏବଂ ଆବଶ୍ୟକୀୟ ବ୍ୟବସ୍ଥା କରିବେ ଯାହାଦ୍ୱାରା ସେମାନେ ପୁନଃ କାମରେ ଯୋଗ ଦେବେ । କିନ୍ତୁ ରାଜ୍ୟ ସରକାରଙ୍କ ଯଥାସାଧ୍ୟ ଉଦ୍ୟମ ସତ୍ତ୍ୱେ ଆଲୋଚନା ସମ୍ଭବ ହୋଇପାରିନାହିଁ । ତାଙ୍କ ସରକାର ଗତ ୩ ଥର ଏନେଇ ପ୍ରୟାସ କରିଥିଲେ ମଧ୍ୟ ଜୁନିଅର ଡାକ୍ତରମାନେ ବୈଠକକୁ ଆସିନାହାନ୍ତି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଆସିବାର ୩ ଦିନ ବିତିଯାଇଥିଲେ ମଧ୍ୟ ଆନ୍ଦୋଳନକାରୀ କାମକୁ ଫେରିନାହାନ୍ତି । ଏହାକୁ ନେଇ ସେମାନଙ୍କ ବିରୋଧରେ ରାଜ୍ୟ ସରକାର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ । କିନ୍ତୁ ଏପରି କରାଯାଇନାହିଁ, କାରଣ ସେମାନଙ୍କ ଦାବିକୁ ରାଜ୍ୟ ସରକାର ମଧ୍ୟ ସମର୍ଥନ କରୁଛନ୍ତି । ଏସବୁଥିରୁ ରାଜ୍ୟବାସୀ ମଧ୍ୟ ବେଶ୍ ଭଲଭାବେ ଏକଥାକୁ ବୁଝିପାରୁଥିବେ ଯେ, ବାସ୍ତବରେ ସେମାନଙ୍କୁ ପୀଡ଼ିତାଙ୍କ ପାଇଁ ନ୍ୟାୟ’ ଦରକାର ନାହିଁ । ସେମାନଙ୍କୁ କେବଳ ମୁଖ୍ୟମନ୍ତ୍ରୀ ଆସନ ଦରକାର । ଜୁନିଅର ଡାକ୍ତରମାନେ ଏସବୁ କେବଳ ବିରୋଧୀ ବିଜେପି ଦଳର କଥାରେ ପଡ଼ି କରୁଛନ୍ତି । ସେ ଇସ୍ତଫା ଦ୍ୱାରା ସବୁକିଛି ଠିକ୍ ହୋଇଯିବ ବୋଲି ଜୁନିଅର ଡାକ୍ତରମାନେ ଭାବୁଛନ୍ତି । ତେବେ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପ୍ରସ୍ତୁତ ।
ଅନ୍ୟପକ୍ଷେ ମମତାଙ୍କ ଏପ୍ରକାର ବୟାନ ସାମ୍ନାକୁ ଆସିବା ପରେ ଆନ୍ଦୋଳନରତ ଜୁନିଅର ଡାକ୍ତରଙ୍କ ପକ୍ଷରୁ କୁହାଯାଇଛି ଯେ, ମୁଖ୍ୟମନ୍ତ୍ରୀ ଇସ୍ତଫା ଦେବା ସମସ୍ୟାର ସମାଧାନ ନୁହେଁ । ସେମାନେ କରିଥିବା ୫ ଦଫା ଦାବି ମଧ୍ୟରେ କୌଣସିଟିରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିନାହାନ୍ତି । ଏପରିକି ପୀଡ଼ିତାଙ୍କ ପରିବାର ପକ୍ଷରୁ ମଧ୍ୟ ଏଭଳି କିଛି ଦାବି କରାଯାଇନାହିଁ । ସେମାନେ କେବଳ ନ୍ୟାୟ ଚାହୁଁଛନ୍ତି ଏବଂ ସେମାନଙ୍କ ୫ ଦଫା ଦାବି ପୂରଣ ଦିଗରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି ଚାହୁଁଛନ୍ତି । ଏତଦ୍‌ବ୍ୟତୀତ ୫ ଦାବି ସହ ରାଜ୍ୟ ସରକାରଙ୍କ ସହ ହେବାକୁ ଥିବା ବୈଠକର ସିଧାପ୍ରସାରଣ କରାଯାଉ ବୋଲି ମଧ୍ୟ ସେମାନେ ଚାହୁଁଛନ୍ତି । କାରଣ ଆଲୋଚନାର ପ୍ରତ୍ୟେକ କଥା ରାଜ୍ୟବାସୀ ଜାଣିବା ଶୁଣିବା ଉଚିତ୍ ବୋଲି ଡାକ୍ତରୀ ସଂଘ ବିଶ୍ୱାସ କରୁଛି । ବୈଠକର ରେକର୍ଡିଂ କରାଯିବା ଦ୍ୱାରା ପରବର୍ତ୍ତୀ ସମୟରେ ଏଥିରେ କାଣ୍ଟଛାଣ୍ଟ କରାଯାଇପାରେ ବୋଲି ସଂଘ ସନ୍ଦେହ କରୁଛି । ସୁତରାଂ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ମୁଖ୍ୟ ବିଷୟରୁ ଲୋକଙ୍କ ଧ୍ୟାନ ହଟାଇବା ପାଇଁ ଯେଉଁ ନାଟକ କରୁଛନ୍ତି ସେସବୁ ବନ୍ଦ କରି ମୁଖ୍ୟ ପ୍ରସଙ୍ଗ ଉପରେ ବିବୃତି ଦେବା ଉଚିତ୍ ବୋଲି ଜୁନିଅର ଡାକ୍ତରଙ୍କ ପକ୍ଷରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking