ନୂଆଦିଲ୍ଲୀ: କୋଲକାତା ଟ୍ରେନି ଡାକ୍ତରାଣୀଙ୍କ ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ଶବ ବ୍ୟବଚ୍ଛେଦ ରିପୋର୍ଟ ସାମ୍ନାକୁ ଆସିଛି । ରିପୋର୍ଟ ଅନୁସାରେ କୋଲକାତାର ଆରଜି କର ମେଡିକାଲ କଲେଜ୍ ଏବଂ ହସ୍ପିଟାଲ୍ର ଏହି ଟ୍ରେନି ଡାକ୍ତରାଣୀଙ୍କୁ ପ୍ରଥମେ ଦୁଷ୍କର୍ମ କରାଯିବା ପରେ ହତ୍ୟା କରାଯାଇଛି । ସେହିପରି ଶବ ବ୍ୟବଚ୍ଛେଦ ରିପୋର୍ଟ ଅନୁସାରେ ମୃତକଙ୍କ ମୁଣ୍ଡ, ମୁହଁ, ବେକ, ବାହୁ ଏବଂ ଗୁପ୍ତାଙ୍ଗ ଭଳି ସ୍ଥାନରେ ପ୍ରାୟ ୧୬ରୁ ଅଧିକ ସ୍ଥାନରେ କ୍ଷତ ଚିହ୍ନ ରହିଥିଲା । ଏତଦ୍ବ୍ୟତୀତ ଫୁସଫୁସରେ ରକ୍ତସ୍ରାବ ଏବଂ ଶରୀରରେ ରକ୍ତ ଜମାଟ ବାନ୍ଧିବା ବିଷୟରେ ମଧ୍ୟ ଉଲ୍ଲେଖ କରାଯାଇଛି । ଅଧିକ ତଦନ୍ତ ପାଇଁ ରକ୍ତ ଏବଂ ଅନ୍ୟାନ୍ୟ ଶାରୀରିକ ତରଳ ପଦାର୍ଥର ନମୁନା ପଠାଯାଇଛି । ଏବେ ଏସବୁ ରିପୋର୍ଟ ଆସିବାକୁ ଅପେକ୍ଷା ରହିଛି । କିନ୍ତୁ ପୋଷ୍ଟମର୍ଟମ ରିପୋର୍ଟରୁ ମୃତ ଡାକ୍ତରାଣୀଙ୍କ ଦେହରେ ଥିବା କ୍ଷତ ତଥା ଆଘାତ ଚିହ୍ନସବୁ ତାଙ୍କ ମୃତ୍ୟୁବରଣ କରିବା ପୂର୍ବର ବୋଲି ସ୍ପଷ୍ଟ ହୋଇଛି । ଅର୍ଥାତ୍ ଏସବୁ ବଳପୂର୍ବକ ଦୁଷ୍କର୍ମ କରାଯିବା ସମୟରେ ହିଁ ହୋଇଛି । ସେହିପରି ବେକକୁ ଅଧିକ ସମୟ ଚିପି ଧରିବାରୁ ପୀଡ଼ିତାଙ୍କ ମୃତ୍ୟୁ ହୋଇଥିବା ମଧ୍ୟ ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡିଛି ।










