ନୂଆଦିଲ୍ଲୀ: ଆମେରିକୀୟ ଷ୍ଟ୍ରିଟ୍ ଫୁଡ୍ ହଟ୍ ଡଗକୁ ଆଜିକାଲି ଉତ୍ତର କୋରିଆବାସୀ ବେଶ୍ ପସନ୍ଦ କରିବାରେ ଲାଗିଛନ୍ତି । ଗତ କିଛି ବର୍ଷ ମଧ୍ୟରେ ଏହି ଷ୍ଟ୍ରିଟ୍ ଫୁଡ୍ ସେଠାରେ ବହୁତ ଲୋକପ୍ରିୟ ହୋଇଯାଇଛି । ଏହାରି ମଧ୍ୟରେ ସେଠାକାର ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ୍ ଉନ୍ ଦେଶରେ ହଟ୍ ଡଗକୁ ବ୍ୟାନ୍ କରିଦେଇଛନ୍ତି । ଉତ୍ତର କୋରିଆର କିମ୍ ଜୋଙ୍ଗ୍ ଉନ୍ ଦେଶରେ ହଟ୍ ଡଗ୍ ଖାଇବା ଏବଂ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ପାଶ୍ଚାତ୍ୟ ସଂସ୍କୃତିର ପ୍ରଭାବକୁ ଦୂର କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି ।
ବର୍ତ୍ତମାନ କେହି ଯଦି ବ୍ୟକ୍ତି ହଟ୍ ଡଗ୍ ରାନ୍ଧିବା କିମ୍ବା ବିକ୍ରି କରୁଥିବାର ଧରାପଡ଼ନ୍ତି, ତେବେ ତାଙ୍କୁ ଦେଶର କୁଖ୍ୟାତ ଶ୍ରମ ଶିବିରରେ ଦଣ୍ଡ ଭୋଗିବାକୁ ପଡ଼ିପାରେ । କିମ୍ ଜୋଙ୍ଗ୍ ଉନଙ୍କର ଯୁକ୍ତି ହେଲା ଯେ ଏହା ପାଶ୍ଚାତ୍ୟ ଖାଦ୍ୟ ଏବଂ ଉତ୍ତର କୋରିଆରେ ଏହାକୁ ଖାଉଥିବା ବ୍ୟକ୍ତି ଦେଶଦ୍ରୋହୀ ବୋଲି ବିବେଚିତ ହେବେ । ଉତ୍ତର କୋରିଆର ଲୋକମାନେ ଅତ୍ୟଧିକ ରାଗ ଓ ମସଲାଯୁକ୍ତ ନୁଡୁଲ୍ ସୁପ୍ ବଡ଼ ଆଗ୍ରହର ସହ ଖାଆନ୍ତି, ଯେଉଁଥିରେ ହଟ୍ ଡଗ୍ ବ୍ୟବହାର ହୋଇଥାଏ । ଏହି ଖାଦ୍ୟକୁ ‘ବୁଦା-ଜିଗା’ କୁହାଯାଏ, ଏହା ୨୦୧୭ରେ ଦକ୍ଷିଣ କୋରିଆରୁ ଆସିଥିଲା। ଜଣେ ବିକ୍ରେତା କହିଛନ୍ତି ଯେ ଏବେ ହଟ୍ ଡଗ୍ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଯାଇଛି। ପ୍ରଶାସନ ଏହା ଉପରେ କଡ଼ା ନଜର ରଖିଛି । ପୋଲିସ ଏବଂ ମାର୍କେଟ୍ ପ୍ରଶାସନ ସ୍ପଷ୍ଟ ଭାବେ କହିଛନ୍ତି, ଯଦି କେହି ବିକ୍ରୟ କରି ଧରାପଡ଼ନ୍ତି, ତେବେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ।