28.1 C
Bhubaneswar
Thursday, July 10, 2025
Homeଦେଶ ବିଦେଶଭଡକାଇବାକୁ ଚେଷ୍ଟା କରୁଛନ୍ତି ଖାମେନେଇ: ‘ଧ୍ୱଂସ ହୋଇଯାଇଥାନ୍ତା ଇସ୍ରାଏଲ୍‌’

ଭଡକାଇବାକୁ ଚେଷ୍ଟା କରୁଛନ୍ତି ଖାମେନେଇ: ‘ଧ୍ୱଂସ ହୋଇଯାଇଥାନ୍ତା ଇସ୍ରାଏଲ୍‌’

ତେହେରାନ୍‌: ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇ ପୁଣି ଥରେ ଆମେରିକାକୁ ଧମକ ଦେଇଛନ୍ତି । ସେ କହିଛନ୍ତି, ମଧ୍ୟପ୍ରାଚ୍ୟରେ ଥିବା ଆମେରିକୀୟ ସାମରିକ ଘାଟି ପର୍ଯ୍ୟନ୍ତ ଇରାନର ପ୍ରବେଶ ରହିଛି । ଆବଶ୍ୟକସ୍ଥଳେ ଇରାନ୍ ଏହା ଉପରେ ଆକ୍ରମଣ ପୂବର୍କ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରେ । କତାରରେ ଥିବା ଆମେରିକୀୟ ସାମରିକ ଘାଟି ଉପରେ ଆକ୍ରମଣ ସମ୍ପର୍କରେ କହିବାକୁ ଯାଇ ଖାମେନେଇ ଏପରି ବିବୃତ୍ତି ଦେଇଛନ୍ତି । ସେ କହିଛନ୍ତି ଯେ, ଯଦି ଶତ୍ରୁ ଆକ୍ରମଣ କରେ, ତେବେ ଏହାକୁ ବହୁତ ମୂଲ୍ୟ ଦେବାକୁ ପଡିବ । ଇରାନ ନିଜ ସାର୍ବଭୌମତ୍ୱ ସୁରକ୍ଷା ପାଇଁ ପ୍ରତିଶ୍ରୁତିବଦ୍ଧ । ଇରାନ୍ କ୍ଷତି ପହଞ୍ଚାଇଥିବା ଏବଂ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରୁଥିବା ଶକ୍ତି ବିରୋଧରେ ଇରାନ୍ ନିଜ ସାମର୍ଥ୍ୟ ମୁତାବକ ଲଢ଼େଇ ଜାରି ରଖିବ । ପ୍ରକାଶ, ଖାମେନେଇଙ୍କ ଏପ୍ରକାର ଆମେରିକାକୁ ଧମକ ଭଳି ମନ୍ତବ୍ୟ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଚେତାବନୀ ପରେ ଆସିଛି । ଟ୍ରମ୍ପ୍ ଗତକାଲି କହିଥିଲେ ଯେ, ଇରାନ୍‌ର ଆଣବିକ କେନ୍ଦ୍ରଗୁଡ଼ିକୁ ନଷ୍ଟ କରିଦିଆଯାଇଛି ଏହି କାରଣରୁ ଏବେ ଯୁଦ୍ଧ ବିରତି କରାଯାଇଛି । ଇରାନ୍ ଯଦି ଭବିଷ୍ୟତରେ ପୁନର୍ବାର ଆଣବିକ କାର୍ଯ୍ୟକ୍ରମରେ ଲିପ୍ତ ରହିବାର ସାମାନ୍ୟତମ ଆଭାସ ମଧ୍ୟ ମିଳେ ତେବେ ଇରାନ୍‌କୁ ଭୟଙ୍କର ପରିଣାମ ଭୋଗିବାକୁ ପଡ଼ିବ ।

ଖାମେନେଇ ଏକ୍ସରେ ପୋଷ୍ଟ କରିଛନ୍ତି, ଇରାନ ଆମେରିକାର ମୁହଁରେ ଏକ କଡ଼ା ଚାପୁଡ଼ା ମାରିଛି । ଇରାନ୍ ସେନା କତାର ସ୍ଥିତ ଆମେରିକାର ଅଲ-ଉଦେଦ୍ ବାୟୁସେନା ଘାଟି ଉପରେ ଆକ୍ରମଣ କରି କ୍ଷତି ପହଞ୍ଚାଇଛି, ଯାହା ଏହି ଅଞ୍ଚଳର ପ୍ରମୁଖ ଆମେରିକୀୟ ଘାଟି ମଧ୍ୟରୁ ଗୋଟିଏ । ସେହିପରି ଇସ୍ରାଏଲ୍ ମଧ୍ୟ ଇରାନ୍ ଦ୍ୱାରା ମାତ୍ରାଧିକ କ୍ଷତିଗ୍ରସ୍ତ ହୋଇଥିବା ଏବଂ ପ୍ରଥମେ ନିଜ ଆଡୁ ଅସ୍ତ୍ରବିରତି ପାଇଁ ପ୍ରସ୍ତାବ ଉଠାଇଥିବା କଥା ଖାମେନେଇ କହିଛନ୍ତି । ଖାମେନେଇଙ୍କ କହିବାନୁସାରେ ଇସ୍ରାଏଲ୍ ଯଦି ପୁନର୍ବାର ଆକ୍ରମଣ କରେ ତେବେ ଏହାର ପରିଣାମ ଅତ୍ୟନ୍ତ ଭୟଙ୍କର ହେବ । ଇସ୍ରାଏଲ୍ ଗୋଟିଏ କଥା ବେଶ୍ ଭଲଭାବେ ବୁଝିଯିବା ଉଚିତ୍ ଯେ, କେବଳ ଦ୍ୱିପାକ୍ଷିକ ଯୁଦ୍ଧବିରତି ହୋଇଛି, ଯୁଦ୍ଧ ସମ୍ପୂର୍ଣ୍ଣ ଶେଷ ହୋଇନାହିଁ ।

ଯୁଦ୍ଧବିରତି ପରେ ନିଜ ଦେଶବାସୀଙ୍କୁ ନିଜ ପ୍ରଥମ ସମ୍ବୋଧନରେ ଖାମେନେଇ ବିଜୟର ଅଭିନନ୍ଦନ ଜଣାଇଛନ୍ତି । ଖାମେନେଇ କହିଛନ୍ତି, ଇରାନ୍ ସେନା ଯେଉଁଭଳି ପରାକ୍ରମର ସହ ଇସ୍ରାଏଲ ବିରୋଧରେ ଯୁଦ୍ଧ ଲଢ଼ିଛନ୍ତି ଏବଂ ବିଜୟୀ ହୋଇଛନ୍ତି ତାହା ବାସ୍ତବିକ ପ୍ରଶଂସନୀୟ । ଦେଶବାସୀଙ୍କ ସମର୍ଥନ ଯୋଗୁ ଏହା ସମ୍ଭବ ହୋଇପାରିଛି । ଏହି ଅବସରରେ ଖାମେନେଇ ଏହା ମଧ୍ୟ କହିଛନ୍ତି ଯେ, ଆଉ କିଛି ଦିନ ଯୁଦ୍ଧ ଜାରି ରହିଥିଲେ ଇସ୍ରାଏଲ ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଥାଅନ୍ତା । ଏକଥା ନିଜେ ଇସ୍ରାଏଲ ମଧ୍ୟ ବେଶ୍ ଭଲଭାବେ ବୁଝିସାରିଥିଲା । ସେଥିପାଇଁ ଏହା ଆମେରିକାର ଶରଣ ନେଇଥିଲା । ଆମେରିକା ମଧ୍ୟ କେବଳ ଇସ୍ରାଏଲ୍‌କୁ ବଞ୍ଚାଇବା ପାଇଁ ସିଧାସଳଖ ଯୁଦ୍ଧରେ ପ୍ରବେଶ କରିଥିଲା କିନ୍ତୁ ଏହା କିଛି ହାସଲ କରିପାରିଲା ନାହିଁ । ପ୍ରକାଶ, ୨୨ ଜୁନ ୨୦୨୫ ରେ, ଅପରେଶନ ମିଡ୍‌ନାଇଟ ହାମର ଜରିଆରେ ଆମେରିକା ଇରାନର ତିନୋଟି ପରମାଣୁ ଘାଟି, ଫୋର୍ଡୋ, ନାଟାଞ୍ଜ ଏବଂ ଇସ୍ଫାହାନ୍ ଉପରେ ଆକ୍ରମଣ କରି ଧ୍ୱଂସ କରିଦେଇଥିଲା । ଏହି ମିଶନରେ ୧୨୫ରୁ ଅଧିକ ବିମାନ, ୭ଟି ବି-୨ ଗୁପ୍ତ ବୋମାବର୍ଷୀ ବିମାନ ଏବଂ ୩୦ରୁ ଅଧିକ ଟୋମାହକ୍ କ୍ଷେପଣାସ୍ତ୍ର ସାମିଲ ଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking