24.1 C
Bhubaneswar
Thursday, December 18, 2025
Homeଦେଶ ବିଦେଶକେରଳରେ ସର୍ବାଧିକ କରୋନା ସଂକ୍ରମିତ

କେରଳରେ ସର୍ବାଧିକ କରୋନା ସଂକ୍ରମିତ

ନୂଆଦିଲ୍ଲୀ: ଦେଶରେ କରୋନା ଭୂତାଣୁ ନିଜ କାୟା ବିସ୍ତାର କରିବାରେ ଲାଗିଛି। ସୋମବାର ସୁଦ୍ଧା ଦେଶରେ ମୋଟ୍ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ହଜାର ଟପିଛି। ଆଜି ସକାଳ ସୁଦ୍ଧା ଦେଶରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦୯ରେ ପହଞ୍ଚିଛି ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏଥିରେ କେରଳ, ତାମିଲନାଡୁ, ତେଲେଙ୍ଗାନା, ଦିଲ୍ଲୀ ଓ ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ରହିଛି। ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ରିପୋର୍ଟ ଅନୁସାରେ ଦିଲ୍ଲୀରେ ବର୍ତ୍ତମାନ ୧୦୪ ସକ୍ରିୟ କୋଭିଡ ମାମଲା ରହିଛି। ମହାରାଷ୍ଟ୍ରରେ ୨୦୯ ଏବଂ କେରଳରେ ୪୩୦ ସକ୍ରିୟ ମାମଲା ଅଛି। ମହାରାଷ୍ଟ୍ରର ମୁମ୍ବାଇ, ପୁଣେ ଏବଂ ଥାଣେ ଭଳି ସହରରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି କେବଳ ମେ’ ମାସରେ ହିଁ କେରଳରେ ୨୭୩ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗୁଜରାଟରେ ୮୩ଟି, ତାମିଲନାଡୁରେ ୬୯ଟି ଏବଂ କର୍ଣ୍ଣାଟକରେ ୪୭ଟି, ଉତ୍ତରପ୍ରଦେଶରେ ୧୫ଟି, ରାଜସ୍ଥାନରେ ୧୩ଟି, ପଶ୍ଚିମବଙ୍ଗରେ ୧୨ଟି, ପୁଡୁଚେରୀରେ ୯ଟି, ହରିଆଣାରେ ୯ଟି, ଆନ୍ଧ୍ରପ୍ରଦେଶରେ ୪ଟି, ମଧ୍ୟପ୍ରଦେଶରେ ୨ଟି, ଛତିଶଗଡ଼ରେ ୧ଟି, ଗୋଆରେ ୧ଟି ଏବଂ ତେଲଙ୍ଗାନାରେ ୧ଟି ସକ୍ରିୟ ମାମଲା ରହିଛି। ଓଡ଼ିଶାରେ ଜଣେ ବ୍ୟକ୍ତି କୋଭିଡ୍ ଆକ୍ରାନ୍ତ ହୋଇଥିବା ଜଣାପଡିଛି। ଅନ୍ୟପକ୍ଷେ ବର୍ତ୍ତମାନ ସୁଦ୍ଧା ମହାରାଷ୍ଟ୍ରରେ ୪, କେରଳରେ ୨ ଏବଂ କର୍ଣ୍ଣାଟକରେ ଜଣେ ବ୍ୟକ୍ତିଙ୍କୁ ମିଶାଇ ୭ଜଣଙ୍କ ମୃତ୍ୟୁ ମଧ୍ୟ ହୋଇଛି। ଅବଶ୍ୟ ମୃତ୍ୟୁର କାରଣ କରୋନା ବୋଲି ସ୍ପଷ୍ଟ କରାଯାଇନଥିଲେ ମଧ୍ୟ ଇତିହାସରେ ଏସବୁ ବ୍ୟକ୍ତିମାନେ କରୋନା ସଂକ୍ରମିତ ଥିଲେ ବୋଲି ସ୍ପଷ୍ଟ ହୋଇଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁସାରେ ଭାରତରେ ଏନ୍‌ବି.୧.୮.୧ ଏବଂ ଏଲ୍‌ଏଫ୍‌.୭ ଭାବେ ଦୁଇଟି ନୂତନ କୋଭିଡ୍ (କରୋନା) ଭାରିଆଣ୍ଟ ଚିହ୍ନଟ ହୋଇଛି। ଉଭୟକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ‘ଭାରିଆଣ୍ଟ ଅଣ୍ଡର ମନିଟରିଂ’ ଭାବରେ ବର୍ଗୀକୃତ କରାଯାଇଛି। ଏନ୍‌ବି.୧.୮.୧ ପ୍ରକାର କରୋନା ଭୂତାଣୁ ପ୍ରଥମେ ତାମିଲନାଡୁରେ ଚିହ୍ନଟ ହୋଇଥିବା ବେଳେ ଏଲଏଫ୍‌.୭ ପ୍ରଥମେ ଗୁଜରାଟରେ ନିଶ୍ଚିତ ହୋଇଥିଲା। ସରକାରୀ ସୂତ୍ର ଅନୁଯାୟୀ ବିଭିନ୍ନ ରାଜ୍ୟରେ ରିପୋର୍ଟ ହୋଇଥିବା ଅଧିକାଂଶ କୋଭିଡ୍ ଆକ୍ରାନ୍ତ ରୋଗୀମାନେ ଘରେ ଚିକିତ୍ସାଧୀନ ଅଛନ୍ତି। ଏସବୁ ମଧ୍ୟରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ସ୍ୱାସ୍ଥ୍ୟ ଗବେଷଣା ବିଭାଗ ସଚିବ ଏବଂ ଭାରତୀୟ ଚିକିତ୍ସା ଗବେଷଣା ପରିଷଦ ଏବଂ ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର ମହାନିର୍ଦ୍ଦେଶକଙ୍କ ସହିତ କୋଭିଡ ସ୍ଥିତିର ସମୀକ୍ଷା କରିଛନ୍ତି। ଭୟଭୀତ ନହେବାକୁ ଏବଂ ସଚେତନ ତଥା ମାସ୍କ ପରିଧାନ, ସାମାଜିକ ଦୂରତା ରକ୍ଷା ଭଳି କୋଭିଡ କଟକଣା ପାଳନ କରିବାକୁ ପରାମର୍ଶ ଦିଆଯାଇଛି। ସେହିପରି ଏକାଧିକ ରୋଗରେ ପୀଡ଼ିତ ବ୍ୟକ୍ତି ସତର୍କତା ଅବଲମ୍ବନ କରିବାକୁ ସେମାନେ ପରାମର୍ଶ ଦେଇଛନ୍ତି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏବଂ ରାଜ୍ୟ ସରକାରମାନେ କରୋନାଜନିତ ପରିସ୍ଥିତି ଉପରେ ତୀକ୍ଷ୍ମ ନଜର ରଖିଥିବା ସତ୍ତ୍ୱେ ପରିସ୍ଥିତି ଧିରେ ଧୂରେ ଖରାପ ଆଡକୁ ଗତି କରୁଛି। ଆଜି(ସୋମବାର) ସୁଦ୍ଧା ଦେଶର ଅତି କମ୍‌ରେ ୨୦ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ପରିସ୍ଥିତିକୁ ଦୃଷ୍ଟିରେ ରଖି ହସ୍ପିଟାଲ ଗୁଡ଼ିକରେ ଆଇସିୟୁ ବେଡ୍‌, ଅକ୍ସିଜେନ୍ ଏବଂ ଅନ୍ୟାନ୍ୟ ଆବଶ୍ୟକ ଉପକରଣ ସହିତ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏସବୁ ମଧ୍ୟରେ ଅଧିକାଂଶ କୋଭିଡ ଆକ୍ରାନ୍ତଙ୍କ ସ୍ଥିତି ସାମାନ୍ୟ ରହିଥିବା ବେଳେ ଏମାନଙ୍କର କୌଣସି ପ୍ରକାର ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ନାହିଁ ବୋଲି କୁହାଯାଇଛି। ଆଶ୍ୱସ୍ତିର ବିଷୟ ହେଉଛି ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ, ଆସାମ, ଅରୁଣାଚଳ ପ୍ରଦେଶ, ବିହାର, ଚଣ୍ଡିଗଡ଼, ଦାଦ୍ରା ଏବଂ ନଗର ହାଭେଲି, ଦାମନ ଏବଂ ଦିଉ, ହିମାଚଳ ପ୍ରଦେଶ, ଜମ୍ମୁ ଏବଂ କାଶ୍ମୀର, ଝାଡ଼ଖଣ୍ଡ, ଲଦାଖ, ଲକ୍ଷଦ୍ୱୀପ, ମଣିପୁର, ମେଘାଳୟ, ମିଜୋରାମ, ନାଗାଲାଣ୍ଡ, ପଞ୍ଜାବ, ସିକ୍କିମ, ତ୍ରିପୁରା ଏବଂ ଉତ୍ତରାଖଣ୍ଡରେ ଏପର୍ଯ୍ୟନ୍ତ କରୋନା ସଂକ୍ରମଣଜନିତ କୌଣସି ମାମଲା ରିପୋର୍ଟ ହୋଇନାହିଁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking