ଥିରୁଅନନ୍ତପୁରମ: ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ଶନିବାର (ନଭେମ୍ବର ୧, ୨୦୨୫) ବିଧାନସଭାର ଏକ ସ୍ୱତନ୍ତ୍ର ଅଧିବେଶନରେ କେରଳ ରାଜ୍ୟକୁ ‘ଅତି ଦାରିଦ୍ର୍ୟ’ ବର୍ଗରୁ ସମ୍ପୂର୍ଣ୍ଣ ମୁକ୍ତ ଘୋଷଣା କରିଛନ୍ତି। ଏପରି ଘୋଷଣା କରିବାରେ କେରଳ ପ୍ରଥମ ଭାରତୀୟ ରାଜ୍ୟ ସାଜିଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିଜୟନ୍ ଚଳିତ ବର୍ଷର ‘କେରଳ ପିରାଭି’କୁ କେରଳ ପାଇଁ ଏକ ନୂତନ ଯୁଗର ଜନ୍ମ ବୋଲି ଅଭିହିତ କରିଛନ୍ତି। ବିଜୟନ୍ ବିଧାନସଭାରେ ସୂଚନା ଦେଇ କହିଛନ୍ତି, ଭଗବାନ୍ଙ୍କ ନିଜ ସହର ‘କେରଳ’ ଏବେ ଅତି ଦାରିଦ୍ର୍ୟ ସୀମାରୁ ଉପରକୁ ଉଠିଛି। ଫଳରେ କେରଳ ରାଜ୍ୟ ଏବେ ଅତି ଦାରିଦ୍ୟମୁକ୍ତ ହୋଇପାରିଛି। ଏହି ଅବସରରେ ବିଜୟନ୍ ଏଦିଗରେ ତାଙ୍କ ସରକାର ଗତ ଚାରି ବର୍ଷ ଧରି ଜାରି ରଖିଥିବା ଦୀର୍ଘ ପ୍ରକ୍ରିୟା ବିଷୟରେ ମଧ୍ୟ ବିସ୍ତୃତ କହିଥିଲେ। ଅତ୍ୟନ୍ତ ଦାରିଦ୍ର୍ୟ ଦୂରୀକରଣ ପ୍ରକଳ୍ପ (ଇପିଇପି) କାର୍ଯ୍ୟକାରୀ କରିବା ୨୦୨୧ରେ ବର୍ତ୍ତମାନର ବାମ ଗଣତାନ୍ତ୍ରିକ ମୋର୍ଚ୍ଚା (ଏଲ୍ଡିଏଫ୍)ର ପ୍ରଥମ କ୍ୟାବିନେଟ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଥିଲା ବୋଲି ସେ କହିଛନ୍ତି। ଶ୍ରୀ ବିଜୟନ୍ କହିଛନ୍ତି ଯେ ସରକାର ଯୋଜନା କାର୍ଯ୍ୟକାରୀ କରିବା ପାଇଁ ତାଙ୍କ ସରକାର ୧,୦୦୦ କୋଟିରୁ ଅଧିକ ଖର୍ଚ୍ଚ କରିଛନ୍ତି। ତେବେ ଦାରିଦ୍ର୍ୟମୁକ୍ତ ହୋଇଥିବା ଲୋକଙ୍କ ମଧ୍ୟରୁ କେହି ଯେପରି ପୁଣି ଥରେ ଅତି ଦାରିଦ୍ର୍ୟ ଭିତରକୁ ନ ପଡ଼ନ୍ତି, ସେଥିପାଇଁ ପଦକ୍ଷେପ ନିଆଯିବା ଉଚିତ। ଏଥିପାଇଁ ସମୟ ସମୟରେ ଉପଯୁକ୍ତ ଯାଞ୍ଚ କରାଯିବା ଆବଶ୍ୟକ।
ମୁଖ୍ୟମନ୍ତ୍ରୀ ବିଜୟନ୍ଙ୍କ କହିବାନୁସାରେ ରାଜ୍ୟର ଅତି ଗରିବ ବା ଦାରିଦ୍ର୍ୟ ସୀମାରେଖା ତଳେ ରହୁଥିବା ୬୪,୦୦୬ ପରିବାରର ୧,୦୩,୦୯୯ ଜଣଙ୍କୁ ଚିହ୍ନଟ କରାଯାଇଥିଲା। ଏମାନଙ୍କୁ ଚିହ୍ନଟ କରିବା ପାଇଁ ଖାଦ୍ୟ, ସ୍ୱାସ୍ଥ୍ୟ, ଗୃହ ଏବଂ ଆୟକୁ ଗୁରୁତ୍ୱପୂର୍ଣ୍ଣ କାରଣ ଭାବରେ ବିଚାର କରି, ପ୍ରତ୍ୟେକ ପରିବାର ପାଇଁ କ୍ଷୁଦ୍ର ଯୋଜନା ପ୍ରସ୍ତୁତ କରାଯାଇଥିଲା। ପରେ ଏମାନଙ୍କ ପାଇଁ ରାସନ କାର୍ଡ, ଆଧାର କାର୍ଡ ଭଳି ମୌଳିକ ଦସ୍ତାବିଜ୍ ଯୋଗାଣ ପୂର୍ବକ ‘କୁଡୁମ୍ବାଶ୍ରୀ’ ଯୋଜନା ଅନ୍ତର୍ଗତ ନିୟମିତ ଖାଦ୍ୟ ଯୋଗାଣ ସୁନିଶ୍ଚିତ କରାଯାଇଛି। କେବଳ ସେତିକି ନୁହେଁ, ସ୍ୱାସ୍ଥ୍ୟ ସେବା, ଔଷଧର ଉପଲବ୍ଧତା, ଟୀକାକରଣ, ଉପଶମକାରୀ ଯତ୍ନ ଏବଂ ଅଙ୍ଗ ପ୍ରତିରୋପଣ ସୁନିଶ୍ଚିତ କରାଯାଇଛି। ୪,୬୭୭ ପରିବାରକୁ ଲାଇଫ୍ ମିଶନ ଅଧୀନରେ ଘର ଯୋଗାଇ ଦିଆଯାଇଛି, ଯେତେବେଳେକି ୨,୭୧୩ ପରିବାରକୁ ଜମି ଏବଂ ଘର ଯୋଗାଇ ଦିଆଯାଇଛି। ସେହିପରି ୪,୩୯୪ ପରିବାରକୁ ଜୀବିକା ସହାୟତା ଯୋଗାଇ ଦିଆଯାଇଛି। ମୋଟ ୩୫,୦୪୧ ପରିବାରକୁ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଯୁକ୍ତି ନିଶ୍ଚିତତା ଯୋଜନା (ଏମ୍ଜିଏନ୍ଆର୍ଇଜିଏସ୍)ର ଅଂଶ କରାଯାଇଛି। ଶିକ୍ଷା ବିଭାଗ ମାଧ୍ୟମରେ ୫,୫୮୩ ପିଲାଙ୍କୁ ବିଶେଷ ଧ୍ୟାନ ଦେବା ଏବଂ ଶିକ୍ଷା ଉଦ୍ଦେଶ୍ୟରେ ମାଗଣା ଯାତ୍ରା କରିବା ପାଇଁ ଏକ ଯୋଜନା କାର୍ଯ୍ୟକାରୀ କରାଯାଇଛି। ୩୩୧ ଛାତ୍ରଙ୍କୁ ଛାତ୍ରବୃତ୍ତି ପ୍ରଦାନ କରାଯାଇଛି। ମୋଟ୍ ୪୨୮ ଏକକ ସଦସ୍ୟ ପରିବାରକୁ ସୁରକ୍ଷିତ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଛି। ପ୍ରକାଶ, ଚରମ ଦାରିଦ୍ର୍ୟ ଦୂରୀକରଣ ପ୍ରକ୍ରିୟା ହେଉଛି ସାର୍ବଜନୀନ ସାଧାରଣ ବଣ୍ଟନ ବ୍ୟବସ୍ଥା ଏବଂ ଭୂମିହୀନତା ଏବଂ ବାସହୀନତା ଦୂରୀକରଣ ପାଇଁ ପୂର୍ବରୁ ନିଆଯାଇଥିବା ପଦକ୍ଷେପଗୁଡ଼ିକର ଏକ ନିରନ୍ତରତା। କେରଳ ଅତ୍ୟନ୍ତ ଦାରିଦ୍ର୍ୟ ଦୂରୀକରଣ ଦ୍ୱାରା ଜାତିସଂଘ ଦ୍ୱାରା କଳ୍ପିତ ସ୍ଥାୟୀ ବିକାଶ ସୂଚକାଙ୍କରେ ଉଲ୍ଲେଖନୀୟ ଅଗ୍ରଗତି କରିଛି।
ଅପରପକ୍ଷେ ବିରୋଧୀ ଦଳ କିନ୍ତୁ ମୁଖ୍ୟମନ୍ତ୍ରୀ ବିଜୟନ୍ଙ୍କ ଏପ୍ରକାର ଘୋଷଣା (ଅତି ଦାରିଦ୍ର୍ୟମୁକ୍ତ)କୁ ମିଥ୍ୟା ଘୋଷଣା ବୋଲି କହିଛନ୍ତି। ବିରୋଧୀ ଦଳ ନେତା ଭି.ଡି. ସତୀସନ୍ କହିଛନ୍ତି ଏସବୁ କେବଳ ଏକ ସ୍ଥାନୀୟ ସଂସ୍ଥା ନିର୍ବାଚନ ଅନ୍ତରାଳେ ପ୍ରାକ୍ ଘୋଷଣାଜନିତ ଏକ ପ୍ରଚାର ଷ୍ଟଣ୍ଟ ବ୍ୟତୀତ ଅନ୍ୟ କିଛି ନୁହେଁ। ଏପରିକି ଗୃହ କାର୍ଯ୍ୟପଦ୍ଧତିର ନିୟମ ୩୦୦ ଅନୁଯାୟୀ ମୁଖ୍ୟମନ୍ତ୍ରୀଙ୍କ ଏକ ସ୍ୱତନ୍ତ୍ର ବିଧାନସଭା ଅଧିବେଶନ ଡାକିବାର ଯଥାର୍ଥତା ଉପରେ ମଧ୍ୟ ପ୍ରଶ୍ନ ଉଠାଇ ବିରୋଧୀ ସଂଯୁକ୍ତ ଗଣତାନ୍ତ୍ରିକ ମୋର୍ଚ୍ଚା (ୟୁଡିଏଫ୍) ଅଧିବେଶନରୁ ଓହରିଯାଇଛି।










