ନୂଆଦିଲ୍ଲୀ: ଆଉ କିଛି ଦିନ ପରେ ଦିଲ୍ଲୀରେ ସରକାର ବାଛିବେ ଜନାତା । କିନ୍ତୁ ଭୋଟ ପୂର୍ବରୁ ଆରମ୍ଭ ହୋଇଯାଇଛି ବୟାନବାଜୀ । ଆପ୍ ଉପରେ ବର୍ଷିଛନ୍ତି ଭାରତୀୟ ଜନତା ପାର୍ଟି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଗତ ଗୁରୁବାର ଆମ ଆଦମୀ ପାର୍ଟିକୁ ଟାର୍ଗେଟ୍ କରିଛନ୍ତି ନଡ୍ଡା । ବିଗତ ୧୦ବର୍ଷ ହେବ ଦିଲ୍ଲୀରେ ଶାସନ କରିଆସୁଛି ଆମ ଆଦମୀ ପାର୍ଟି । ଲୋକେ ଆପ୍କୁ ଶାସନ କରିବା ପାଇଁ ସୁଯୋଗ ଦେଇଛନ୍ତି । କିନ୍ତୁ ଆପ୍ ସରକାର ବିଗତ ୧୦ବର୍ଷ ମଧ୍ୟରେ ଦୁର୍ନୀତିର ସବୁ ରେକର୍ଡ କାଟି ଦେଇଛି । ୧୦ ବର୍ଷ ଶାସନ ଭିତରେ ସମସ୍ତଙ୍କ ପକେଟ୍ କାଟିଛି ଆପ୍ । ଲୋକଙ୍କ ଭାବନା ସହ ଖେଳିଛି । ଲୋକଙ୍କ ଉପରେ ଅତ୍ୟାଚାର କରିଛି । ଆଗାମୀ ଦିନରେ ଜନତା ଏହାର ଜବାବ ଦେବେ । ଏକ ଜନସଭାକୁ ସମ୍ବୋଧିତ କରି ଆପ୍ ବିରୋଧରେ ଗର୍ଜିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ । ଅବକାରୀ ନୀତି ଘୋଟାଲା ପ୍ରସଙ୍ଗ ଉଠାଇ ଜେପି ନଡ୍ଡା କହିଛନ୍ତି, ଅବକାରୀ ନୀତି ଘୋଟାଲା ମାମଲାରେ କେଜ୍ରିୱାଲଙ୍କ ସମେତ ଆପର ଅନେକ ନେତା ଜେଲ୍ ଯାଇଛନ୍ତି । କେଜ୍ରିୱାଲ୍ ଙ୍କୁ ମିଛୁଆ ବୋଲି କହି ନଡ୍ଡା ସମାଲୋଚନା ବି କରିଛନ୍ତି । କହିଛନ୍ତି, କେଜ୍ରିୱାଲ୍ ଏତେ ନିରିହତାର ସହ ମିଛ କୁହନ୍ତି କି, ଯଦି ଜାତୀୟ ସ୍ତରରେ ମିଛ କହିବା ପ୍ରତିଯୋଗୀତା ହୁଅନ୍ତା ତେବେ ସେଥିରେ କେଜ୍ରିୱାଲ୍ ପ୍ରଥମ ସ୍ଥାନ ଅଧିକାର କରନ୍ତେ । ସବୁ ଦେଖୁଛନ୍ତି ଜନତା, ଆଗାମୀ ଦିନରେ ଆପ୍କୁ ଉଚିତ୍ ଶିକ୍ଷା ଦେବେ । ଆପ୍ ନେତା ଭ୍ରଷ୍ଟାଚାର ବିରୋଧରେ ଲଢେଇ କରି କରି ଏତେ ଦୁର୍ନୀତିଖୋର ହୋଇଯାଇଥିଲେ କି ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, ମନ୍ତ୍ରୀଙ୍କୁ ଜେଲ୍ ଯିବାକୁ ପଡିଥିଲା । ଜନତାଙ୍କ ପ୍ରତି ଅନେକ ଅନ୍ୟାୟ କରିଛି ଆପ୍ । ତେଣୁ ପ୍ରତିଶୋଧ ନେବା ପାଇଁ ଜନତାଙ୍କ ପାଖରେ ଫେବ୍ରୁୟାରୀ ୫ତାରିଖ ରହିଛି । ଏହି ଦିନ ଜନତା ଭୋଟ ମାଧ୍ୟମରେ ନିଜର ପ୍ରତିଶୋଧ ପୂରା କରନ୍ତୁ ବୋଲି ଅପିଲ୍ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ।