28.1 C
Bhubaneswar
Wednesday, June 11, 2025
Homeଦେଶ ବିଦେଶବିଜେପିର ଚକ୍ରବ୍ୟୁହୁରେ ଫଶିବେ କେଜ୍ରିୱାଲ

ବିଜେପିର ଚକ୍ରବ୍ୟୁହୁରେ ଫଶିବେ କେଜ୍ରିୱାଲ

ନୂଆଦିଲ୍ଲୀ: ଜମିଲାଣି ଦିଲ୍ଲୀ ନିର୍ବାଚନ । ମାତ୍ର ୭ ଦିନ ପରେ ଦିଲ୍ଲୀରେ ପଡ଼ିବ ଭୋଟ୍‌ । ହେଲେ ଏବେଠୁ ରାଜନୀତିର ପାରା ପୂରା ଉପରେ । ଏଥର ସତ୍ତାକୁ ଫେରିବାକୁ କେଜ୍ରିୱାଲ ଅନେକ ଘୋଷଣା କରିବା ସହିତ ନୂଆ ନୂଆ ରଣନୀତି କରିଛନ୍ତି । କିନ୍ତୁ ବିଜେପି ଏମିତି ଚକ୍ରବ୍ୟୁହ ରଚନା କରିଛି ଯେ କେଜ୍ରିୱାଲ ଛନ୍ଦି ହୋଇଯାଉଛନ୍ତି । ଖାଲି ଛନ୍ଦି ହେଉଛନ୍ତି ତାହା ନୁହେଁ ବରଂ ମୋଟ୍‌ ୭୦ ବିଧାନସଭା ଆସନରୁ ୩୩ ସିଟ୍‌ରେ ଏକପାଖିଆ ଭୋଟ୍‌ ହେବ ବୋଲି କୁହାଯାଉଛି । ଯଦି ଏମିତି ହୁଏ ତାହାଲେ ଦିଲ୍ଲୀରେ ଏଥର ବିଜେପି ସରକାର ଗଠନ କରିବାରେ କୌଣସି ଅସୁବିଧା ନାହିଁ । ପଞ୍ଜାବରେ ଏବେ ଆପ୍‌ ସରକାର । ହେଲେ ଅମୃତସରରେ ବାବା ସାହେବ ଭୀମରାଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିକୁ କୌଣସି ଦୁର୍ବୃତ୍ତ ଭାଙ୍ଗିବାକୁ ଚେଷ୍ଟା କରିଛନ୍ତି । ଯାହାକୁ ନେଇ ବିଜେପି ଆନ୍ଦୋଳନ କରିବା ସହିତ କେଜ୍ରିୱାଲଙ୍କ ଘର ସାମ୍ନାରେ ବିକ୍ଷୋଭ କରିଛନ୍ତି । ଖାସ କରି ଦଳିତ ସମାଜ ପକ୍ଷରୁ ଆନ୍ଦୋଳନକୁ ଜୋରଦାର କରାଯିବା ସହିତ ନାରା ଦିଆଯାଇଛି ପଂଜାବରେ ଭୀମରାଓଙ୍କ ପ୍ରତିମୂର୍ତ୍ତିକୁ ସୁରକ୍ଷା ଦେଇପାରିନାହାନ୍ତି ଆପ ସରକାର । ଖାଲି ଏତିକି ନୁହେଁ ଘଟଣାକୁ ନେଇ ବିଜେପି ଏମିତି ରାଜନୀତି ଗୋଟି ଚାଳନା କରିଛନ୍ତି ଯାହାର ପ୍ରଭାବ ଦିଲ୍ଲୀ ନିର୍ବାଚନରେ ଦେଖିବାକୁ ମିଳିବ । ପଞ୍ଜାବରେ ଘଟଣାକୁ ନେଇ ଜୋରଦାର ରାଜନୀତି ହେବା ସହିତ କେଜ୍ରିୱାଲଙ୍କୁ ଟାର୍ଗେଟ୍‌ କରିଛନ୍ତି ବିଜେପି ସାଂସଦ ତଥା ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର । କହିଛନ୍ତି, କେଜ୍ରିୱାଲଙ୍କ ବିନା ଅନୁମତିରେ କେବେ ବି ଏମିତି ହେବନି । ସେ ଆହୁରି ମଧ୍ୟ କହିଛନ୍ତି, ଭୀମରାଓଙ୍କ ପ୍ରତିମୂର୍ତ୍ତିକୁ ଯେଉଁପରି ଭାବରେ ଅସମ୍ମାନ କରାଯାଇଛି ତାହା ଆଦୌ ଗ୍ରହଣୀୟ ନୁହେଁ । ତେଣୁ ଏନେଇ ସରକାର କ୍ଷମା ପ୍ରାର୍ଥନା କରିବା ସହିତ ଇସ୍ତଫା ଦେଇଦେବା କଥା । କାରଣ କେଜ୍ରିୱାଲ ପ୍ରଥମଥର ଭୀମରାଓଙ୍କୁ ଅସମ୍ମାନ କରିନାହାନ୍ତି ବରଂ ପୂର୍ବରୁ ବାରମ୍ବାର ଦଳିତଙ୍କ ଅପମାନ କରିଛନ୍ତି ଆପ୍‌ ମୁଖ୍ୟ । ନିର୍ବାଚନ ବେଳେ ଜଣେ ଦଳିତଙ୍କୁ ଉପମୁଖ୍ୟମନ୍ତ୍ରୀ କରିବା ଲାଗି ପ୍ରତିଶ୍ରୁତି ଦେଇଥିଲେ । ହେଲେ ସେମିତି କିଛି କଲେ ନାହିଁ । ଏବେ ପଞ୍ଜାବ ଓ ଦିଲ୍ଲୀରେ ଦେଖିବାକୁ ମିଳିଛି ପ୍ରତିମୂର୍ତ୍ତି ରାଜନୀତି । ପଂଜାବରେ ଯେଉଁ ଘଟଣା ଘଟିଲା ତାହାକୁ ନେଇ ଜୋରଦାର ଚର୍ଚ୍ଚା ହେଉଥିବା ବେଳେ ପୁରା ଘଟଣାରେ କେଜ୍ରିୱାଲଙ୍କ ସରକାରକୁ ଦାୟୀ କରୁଛନ୍ତି ବିରୋଧୀ । ଦିଲ୍ଲୀର ବିଜେପି ନେତା କହିଛନ୍ତି, ପଞ୍ଜାବରେ ଯାହା ଘଟିଲା ସେଇଥି ଲାଗି କେବଳ କେଜ୍ରିୱାଲ ହିଁ ଦାୟୀ । ତାଙ୍କର ବିନା ସହମତିରେ ଏ ସବୁ ହେବ ନାହିଁ । ଏହାସହ ପଂଜାବରେ ଆଇନକାନୁନକୁ ନେଇ ବି ପ୍ରଶ୍ନ ଉଠିଛି । ସୂଚନା ଅନୁସାରେ, ଦିଲ୍ଲୀ ବିଧାନସଭା କ୍ଷେତ୍ରରେ ଅନୁସୂଚିତ ଜାତିଙ୍କ ଲାଗି ୧୨ ବିଧାନସଭା ସିଟ୍‌ ସଂରକ୍ଷିତ ରହିଛି । ଏ ସବୁ ସିଟ୍‌ରେ ଆପ୍‌ର ପ୍ରାର୍ଥୀ ବିଜୟ ହୋଇଥିଲେ । ଖାଲି ଏତିକି ନୁହେଁ ବରଂ ୩୫ ସିଟ୍‌ ଏମିତି ଅଛି ଯେଉଁଠାରେ ସର୍ବାଧିକ ଦଳିତମାନେ ଅଛନ୍ତି । ତେଣୁ ସେମାନେ ଚାହିଁଲେ ଖେଳ ଓଲଟପାଲଟ ହୋଇଯିବ । ତେଣୁ ବିଜେପି ଏହି ସିଟ୍‌ ଉପରେ ନଜର ରଖିଛି । ଖାଲି ନଜର ରଖିଛି ତାହା ନୁହେଁ ବରଂ କେମିତି ସିଟ୍‌ରେ ବିଜୟ ହେବେ ପ୍ରାର୍ଥୀ ସେନେଇ ବି ରଣନୀତି ପ୍ରସ୍ତୁତ କରିଛି । ୨୦୧୧ ଜନଗଣନା ଅନୁସାରେ ଦିଲ୍ଲୀରେ ମୋଟ୍‌ ୧୭ ପ୍ରତିଶତ ଦଳିତ ଅଛନ୍ତି। ହେଲେ ଏବେ ସେହି ସଂଖ୍ୟା ୧୯ ପ୍ରତିଶତରେ ପହଞ୍ଚିଛି । ତେଣୁ ଏଥର ଦଳିତ ହିଁ ଦିଲ୍ଲୀରେ ନିର୍ଣ୍ଣାୟକ ମୋଡ ନେବେ ବୋଲି ଚର୍ଚ୍ଚା ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking