ଭୁବନେଶ୍ୱର (ସୁବ୍ରତ ଦାସ) : ଧର୍ମ ମାସ ହିସାବରେ କାର୍ତ୍ତିକ ମାସର ସ୍ୱତନ୍ତ୍ର ପରିଚୟ ରହିଛି । ଏହି ମାସରେ ଶ୍ରଦ୍ଧାଳୁମାନେ ବିଶେଷତଃ ବିଧବା ମହିଳାମାନେ କାର୍ତ୍ତିକ ବ୍ରତ ପାଳନ କରିଥାନ୍ତି । ସେମାନେ ଏ ମାସରେ କାକ ସ୍ନାନ ଓ ସାତ୍ତ୍ୱିକ ଆହାର କରିବା ସଙ୍ଗେ ଏକ ଓଳି ଉପବାସ କରିଥାନ୍ତି । କାର୍ତ୍ତିକ ମାସରେ ହବିଷ୍ୟାଳିମାନେ ପୁରୀଠାରେ ରହି ଏହି ବ୍ରତ ପାଳନ କରିଥାନ୍ତି ଏଥିପାଇଁ ସରକାରଙ୍କ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଅଛି ଯେଉଁମାନେ କାର୍ତ୍ତିକ ବ୍ରତ ମାସ ସାରା ପାଳନ କରିପାରିଥାନ୍ତି ସେମାନେ ମାସର ଶେଷ ସପ୍ତାହରେ ଏହି ବ୍ରତ ପାଳନ କରିଥାନ୍ତି । ଏହାକୁ ପଞ୍ଚୁକ ବ୍ରତ କୁହାଯାଏ । ଏହି ସମୟରେ ସମସ୍ତେ ଆମିଷ ଛାଡ଼ି ଦେଇଥାନ୍ତି । ଏଥିପାଇଁ କୁହାଯାଏ, “ବଗ ମଧ୍ୟ ପଞ୍ଚୁକ କରିଥାଏ” । ଏହି ପଞ୍ଚୁକଚଳିତବର୍ଷଚାରି ଦିନ ପଡ଼ୁଛି । (ଶନିବାର ଠାରୁ ମଙ୍ଗଳବାର ପର୍ଯ୍ୟନ୍ତ) ପଞ୍ଚୁକ ଖୁବ୍ ଧୁମ୍ଧାମ୍ରେ ପାଳନ କରାଯାଏ । ଶେଷଦିନ (କାର୍ତ୍ତିକ ପୂର୍ଣ୍ଣିମା) ଦିନ ଶ୍ରଦ୍ଧାଳୁମାନେ କାଗଜ କିମ୍ବା କଦଳୀ ପଟୁକାରେ ତିଆରି ବୋଈତ ଭସାଇଥାନ୍ତି । ସେମାନେ ତୁଳସୀ ଚଉରା ମୂଳେ ବା ଅଗଣାରେ ମୁରୂଜ ପକାଇଥାନ୍ତି । ପଞ୍ଚୁକ ଆରମ୍ଭରେ ଆଜି ପ୍ରସିଦ୍ଧଶୈବ ପୀଠମାନଙ୍କରେ ଯଥା ଲିଙ୍ଗରାଜ, ଧବଳେଶ୍ୱର, କପିଳାଶ, ଲୋକନାଥ, ଗୁପ୍ତେଶ୍ୱର ଓ ଆରଡ଼ି ଠାରେ ଭିଡ଼ ପରିଲକ୍ଷିତ ହୋଇଥାଏ ।
ଏହା ସାଂସ୍କୃତିକ ତଥା ଧାର୍ମିକ ପରମ୍ପରାର ସମାହାର ବୋଲି କୁହାଯାଏ । ଶ୍ରଦ୍ଧାଳୁମାନେ “ଆକାମାବୈ” କହି ବୋଇତରେ ପାନ, ଗୁଆ, ଦ୍ୱୀପ, ପ୍ରଭୃତି ରଖି “ମାସିକ ଧରମ ମୋର” ବୋଲି କହି ବୋଇତ ଭସାଇଥାନ୍ତି ।ଉତ୍କଳର ସାଧବ ପୁଅମାନେ ଏହି ସମୟରେ ନୌବାଣିଜ୍ୟରେ ବାଲି, ଜାଭା, ସୁମାତ୍ରା ଓ ଇଣ୍ଡୋନେସିଆ ଯାଉଥିଲେ । ଉତ୍କଳର ନୌବାଣିଜ୍ୟ ପରମ୍ପରା ମନେ ପକାଇବା ପାଇଁ ଏହି ବୋଇତ ଭସାଣ ହୋଇଥାଏ ବୋଲି ବିଶ୍ୱାସ । ଏହା ଛଡ଼ା ଧାର୍ମିକ କାର୍ତ୍ତିକ ବ୍ରତର ଉଦ୍ଯାପନ କରାଯାଇଥାଏ । ସେଥିପାଇଁ ବିଷ୍ଣୁ ଓ ଶିବ ପୂଜାର୍ଚ୍ଚନା କରାଯାଇଥାଏ । ଏହି ୪ ଦିନ ମହାପ୍ରଭୁ ଜଗନ୍ନାଥଙ୍କର ବିଶେଷ ବେଶ କରାଯାଇଥାଏ । ପ୍ରଥମ ଦିନ ଲକ୍ଷ୍ମୀନରସିଂହ ବେଶ, ଦ୍ୱତୀୟ ଦିନ ବାଙ୍କଚୁଡ଼ା ବେଶ, ତୃତୀୟ ଦିନ ତ୍ରିବିକ୍ରମ ବେଶ, ଶେଷଦିନ ରାଜ ରାଜେଶ୍ୱର ବେଶ ଅନୁଷ୍ଠିତ ହୁଏ । ଏହି ସମୟରେ ପୁରୀ ଶ୍ରୀମନ୍ଦିରରେ ପ୍ରବଳ ଜନଗହଳି ପରିଲକ୍ଷିତ ହୁଏ । ସେଥିପାଇଁ ଶ୍ରୀଜଗନ୍ନାଥ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥାମାନ କରାଯାଇଥାଏ । ଶ୍ରୀମନ୍ଦିରରେ ଏହି ସମୟରେ ସିଂହଦ୍ୱାର ବାଟେ ପ୍ରବେଶ ଏବଂ ଅନ୍ୟଦ୍ୱାର ଦେଇ ପ୍ରସ୍ଥାନ ବ୍ୟବସ୍ଥା କରାଯାଇଥାଏ ।










