ରାଞ୍ôଚ: ଝାଡ଼ଖଣ୍ଡର ଜାମସେଦପୁରରେ ରାଜପୁତ୍ କରଣୀ ସେନାର ରାଜ୍ୟ ସଭାପତି ତଥା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବିନୟ ସିଂହଙ୍କୁ ହତ୍ୟା କରାଯାଇଛି । ମିନି ପଞ୍ଜାବ ନାମକ ଏକ ହୋଟେଲ ପାଖ ଗଳିରେ ତାଙ୍କୁ ଦୁର୍ବୃତ୍ତମାନେ ଗୁଳିକରି ହତ୍ୟା କରିଛନ୍ତି । ବିନୟ ମାନଗୋ ସାହାରା ସିଟିରେ ରହୁଥିଲେ । ତେବେ ସେ ଏକ ବ୍ୟକ୍ତିଗତ କାର୍ଯ୍ୟକ୍ରମରେ ଯୋଗ ଦେବାକୁ କାର୍ ଯୋଗେ ଜାମସେଦପୁର ଯାଉଥିବା ବେଳେ ତାଙ୍କୁ କିଛି କିଛି ଦୁର୍ବୃତ୍ତ ଗୁଳିମାଡ଼ କରିଥିଲେ ଏବଂ ବାଇକ୍ରେ ଫେରାର ହୋଇଯାଇଥିଲେ । ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ ବିନୟ କାର୍ରୁ ଓହ୍ଲାଇବା ସମୟରେ ହିଁ ତାଙ୍କ ଉପରେ ଗୁଳିମାଡ ହୋଇଥିଲା । ତେବେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହିତ ତଦନ୍ତ ଚଳାଇଛି । ଘଟଣାକୁ ନେଇ ଝାଡ଼ଖଣ୍ଡର କ୍ଷେତ୍ରୀୟ ସମାଜ ଏବଂ କରଣୀ ସେନା ମଧ୍ୟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । ବିନୟଙ୍କ ହତ୍ୟା ପ୍ରତିବାଦରେ ତାଙ୍କ ସମର୍ଥକମାନେ ରବିବାର ବିଳମ୍ବିତ ରାତିରେ ଏକତ୍ରିତ ହୋଇ ଜାମସେଦପୁରକୁ କୋଲକାତା ଏବଂ ଓଡ଼ିଶା ସହିତ ସଂଯୋଗ କରୁଥିବା ଏକ ପ୍ରମୁଖ ରାସ୍ତା ଡିମନା ଚୌକ ନିକଟରେ ଜାତୀୟ ରାଜପଥ-୩୩କୁ ଅବରୋଧ କରିଥିଲେ ।
ପୁଲିସ୍ ଏସମ୍ପର୍କରେ ସୂଚନା ଦେଇ କହିଛି ଯେ, ବିନୟ ସିଂହଙ୍କ ପରିବାର ଶନିବାର ଦିନ ତାଙ୍କ ନିଖୋଜ ସମ୍ପର୍କରେ ଅଭିଯୋଗ ଦାଖଲ କରିଥିଲେ । ରବିବାର ବିନୟ ସିଂହଙ୍କ ମୃତଦେହ ବାଲିଗୁମାର ଜାତୀୟ ରାଜପଥରୁ ପ୍ରାୟ ୨୫୦ ମିଟର ଦୂରରେ ଏକ ଫାର୍ମ ନିକଟରେ ଉଦ୍ଧାର କରାଯାଇଥିଲା । ବିନୟଙ୍କୁ ହତ୍ୟା ପଛର କାରଣ ଜଣାପଡ଼ିନାହିଁ । ଘଟଣାସ୍ଥଳରୁ ପୁଲିସ୍ ଏକ ବାଇକ ଏବଂ ଦେଶୀ ବନ୍ଧୁକ ଜବତ କରିଥିବା କହିଛି । ପ୍ରକାଶ, ମୃତ ବିନୟ ସିଂହଙ୍କୁ କରଣୀ ସେନାର ଜଣେ ଆଗ ଧାଡ଼ିର ନେତା ଭାବରେ ବିବେଚନା କରାଯାଉଥିଲା ଏବଂ ସେ ସାରା ରାଜ୍ୟରେ ବେଶ ସକ୍ରିୟ ଥିଲେ । ତାଙ୍କ ହତ୍ୟାକୁ ରାଜନୀତି ଏବଂ ସଂଗଠନ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ସହିତ ମଧ୍ୟ ଯୋଡାଯାଉଛି । ବିନୟଙ୍କ ହତ୍ୟାକାରୀମାନଙ୍କୁ ତୁରନ୍ତ ଗିରଫ କରିବାକୁ ସଂଗଠନ ସଦସ୍ୟମାନେ ଦାବି କରିଛନ୍ତି । ଉଲ୍ଲେଖନୀୟ, କରଣୀ ସେନାର ସଭାପତି ସୁଖଦେବ ସିଂହ ଗୋଗାମେଡିଙ୍କୁ ଡିସେମ୍ବର ୨୦୨୩ରେ ତାଙ୍କ ଘର ଭିତରେ ଗୁଳିକରି ହତ୍ୟା କରାଯାଇଥିଲା । ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗ୍ର ରୋହିତ ଗୋଡାରା ନିଜକୁ ହତ୍ୟାକାଣ୍ଡ ପାଇଁ ଦାୟୀ କରିଥିଲା ।